ସୁଦୀର୍ଘ ନିର୍ବାଚନ ପ୍ରକ୍ରିୟାର ଘମାଘୋଟ ଓ କ୍ରମବର୍ଦ୍ଧମାନ ଉତ୍ତେଜନା ଥଣ୍ଡା ପଡ଼ିବାକୁ ଆଉ ମାତ୍ର ସପ୍ତାହେ ବାକି। ଜୁନ୍ ପହିଲାରେ ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ ଓ ଚାରି ତାରିଖରେ ବହୁ ପ୍ରତୀକ୍ଷିତ ଭୋଟ ଗଣନା ଓ ଫଳାଫଳ ଘୋଷଣାର ଅୟମାରମ୍ଭ। ହେଲେ, ଶେଷ ମତଦାନ ଓ ଭୋଟ ଗଣନାର ମଝି ସମୟରେ ଏମିତି ଏକ ପ୍ରକ୍ରିୟାର ସୂତ୍ରପାତ ହେବ, ଯାହା ସାରା ଦେଶକୁ ଉଠେଇବ, ପକେଇବ। ଆଜି ସମସ୍ତେ ପ୍ରାୟ ଅବଗତ ଯେ ଏହି ବୁଥ୍ ବାହୁଡ଼ା ମତ କିମ୍ବା ଏକ୍ଜିଟ ପୋଲ୍ ନିର୍ବାଚନ ପ୍ରକ୍ରିୟାର ଆନୁଷ୍ଠାନିକ ଅଂଶ ନ ହେଲେ ମଧ୍ୟ ଜନପ୍ରିୟତା ଦୃଷ୍ଟିରୁ ଏହା ପ୍ରତ୍ୟେକ ନିର୍ବାଚନର ଏକ ଅପରିହାର୍ଯ୍ୟ ଅଙ୍ଗ ହୋଇସାରିଲାଣି। ବିଭିନ୍ନ ଅଞ୍ଚଳରେ ଅବସ୍ଥିତ ବୁଥ୍ମାନଙ୍କରୁ ଭୋଟ ଦେଇ ସାରି ଫେରୁଥିବା ଅଲଗା ଅଲଗା ବର୍ଗର କିଛି ଭୋଟରଙ୍କ ମତାମତ ସଂଗ୍ରହ କରି ତଥା ପରିସଂଖ୍ୟାନର ନାନା ସୁତ୍ରମାନ ପ୍ରୟୋଗ କରି ସାରା ଦେଶ କିମ୍ବା ରାଜ୍ୟର ନିର୍ବାଚନ ଫଳାଫଳର ଏକ ଆଗୁଆ ଆକଳନ କରାଯାଇଥାଏ ଏହି ବାହୁଡ଼ା ମତ ସମୀକ୍ଷାରେ।
ଏ କଥା ଭିନ୍ନ ଯେ ଏକ୍ଜିଟ ପୋଲ୍ଗୁଡ଼ିକ ଦ୍ୱାରା ପ୍ରସ୍ତୁତ ଅନେକ ଭବିଷ୍ୟବାଣୀ ପୂରା ଭୁଲ୍ ପ୍ରମାଣିତ ହୋଇସାରିଛି ଅତୀତରେ। ୨୦୦୪ ମସିହାରେ ଆମ ଦେଶରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ପ୍ରଧନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସୁରୁଖୁରୁରେ ନିର୍ବାଚନ ଜିତିବେ ବୋଲି ରାୟ ଦେଇଥିଲେ କେତେକ ବୁଥ୍ ବାହୁଡ଼ା ସର୍ବେକ୍ଷଣ। କିନ୍ତୁ ସେଥର ଫଳ କ’ଣ ହୋଇଥିଲା ତାହା ସମସ୍ତଙ୍କୁ ଜଣା। ଠିକ୍ ସେହି ବର୍ଷ ଆମେରିକାର ଏକ ବାହୁଡ଼ା ମତ ସର୍ବେକ୍ଷଣରୁ ନିର୍ଯାସ ବାହାରିଲା ଯେ ରାଷ୍ଟ୍ରପତି ନିର୍ବାଚନରେ ଅନ୍ୟତମ ପ୍ରାର୍ଥୀ ଜନ୍ କେରି (ତାଙ୍କୁ ଆଜି କିଏ ବା ମନେ ରଖିଛି?) ପ୍ରତିଦ୍ୱନ୍ଦ୍ୱୀ ଜର୍ଜ ବୁଶ୍ଙ୍କୁ ବହୁ ଭୋଟରେ ହରାଇବେ। ହେଲେ ଫଳ ହେଲା ଠିକ୍ ଓଲଟା।
ତେଣୁ, ମନରେ ପ୍ରଶ୍ନ ଉଠେ, ବିଜ୍ଞାନର ଦ୍ୱାହି ଦେଉଥିବା ଅଥଚ ତ୍ରୁଟିଯୁକ୍ତ ଏହି ପ୍ରକ୍ରିୟାଟି ପ୍ରତି ସାଧାରଣ ଜନତା ଏତେ ଆକୃଷ୍ଟ କାହିଁକି? ତା’ର ଉତ୍ତର ହେଲା ଅନାଗତ ଭବିଷ୍ୟତ୍ର ରୂପରେଖ ଜାଣିବା ପାଇଁ ମଣିଷର ସ୍ୱାଭାବିକ କୌତୂହଳ। ତିନି ଦିନ ଅପେକ୍ଷା କଲେ ହୁଏତ ନିର୍ବାଚନର ଫଳାଫଳ ଜାଣିହେବ, ଅଥଚ ସେହି ତିନି ଦିନ ପୂର୍ବରୁ ଯଦି କୌଣସି ଉପାୟରେ ଫଳଟି ଅନୁମାନ କରିହୁଏ, ତା’ଠୁ ଭଲ ବ୍ୟବସ୍ଥା କ’ଣ ଥାଇପାରେ? ବାହୁଡ଼ା ମତ ସର୍ବେକ୍ଷଣ ଭଳି କିଛି ଭବିଷ୍ୟବକ୍ତା ଓ ଜ୍ୟୋତିଷ ମଧ୍ୟ ନିର୍ବାଚନ ଫଳାଫଳ ସମ୍ପର୍କୀୟ ତାଙ୍କର ‘ଗଣନା’ ପ୍ରସ୍ତୁତ କରି ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିଥାଆନ୍ତି।
ବାହୁଡ଼ା ମତ ଆକଳନ ଏଇ କିଛି ଦଶନ୍ଧି ହେଲା ନିର୍ବାଚନର ଏକ ଅପରିହାର୍ଯ୍ୟ ଅଂଶ ହୋଇଯାଇଛି ସିନା, ତା’ର ଅନେକ ପୂର୍ବରୁ ଅନ୍ୟ କେତେକ କ୍ଷେତ୍ରରେ ଏଭଳି ପ୍ରକ୍ରିୟା ଚାଲୁଥିବାର ଏ ଲେଖକ ଦେଖିଛି। ସେତେବେଳେ ସିନେମା ହଲ୍ରେ ସିନେମା ଦେଖିବା ଥିଲା ଲୋକଙ୍କର ମନୋରଞ୍ଜନର ଏକ ବଡ଼ ମାଧ୍ୟମ। ପୁଣି ସିନେମା ଦେଖାଳିମାନେ ଥିଲେ ବିଭିନ୍ନ କିସମ ଓ ସ୍ବଭାବଗତ ବୈଚିତ୍ର୍ୟର। ସିନେମା ଦେଖାରେ ଥିଲା ସେମାନଙ୍କର ନିଜ ନିଜ ସ୍ୱତନ୍ତ୍ର ଚିନ୍ତାଧାରା। ଜଣେ ମଧ୍ୟବୟସ୍କ ସିନେମାପ୍ରେମୀ ଥିଲେ ଯିଏ କି ନୂଆ ଚଳଚ୍ଚିତ୍ରଟି ଆସିବାର ପ୍ରଥମ କିଛି ଦିନ କଟାଉଥିଲେ ତା’ ବିଷୟରେ ଗବେଷଣା ଓ ମାନସମନ୍ଥନ କରିବାରେ। ଆଉ ଏହି ଗବେଷଣା ପାଇଁ ସେ ହଲ୍ ବାହୁଡ଼ା ମତକୁ ଖୁବ୍ ଗୁରୁତ୍ୱ ଦେଉଥିଲେ। ସିନେମାଟି ଦେଖିସାରି ଫେରୁଥିବା ଦର୍ଶକମାନଙ୍କୁ ସେ ମନଯୋଗର ସହ ନିରୀକ୍ଷଣ କରୁଥିଲେ, ସେମାନଙ୍କ ପିଛା କରି ତାଙ୍କ ମତାମତ ଶୁଣୁଥିଲେ ଓ ଦରକାର ପଡ଼ିଲେ କିଛି ପ୍ରଶ୍ନ ପଚାରି ଚଳଚ୍ଚିତ୍ରଟିର ମୂଲ୍ୟାୟନ କରୁଥିଲେ। ଏହି ହଲ୍ ବାହୁଡ଼ା ଗବେଷଣା ପରେ ଯାଇ ସେ ସିନେମାଟି ଦେଖିବେ କି ନାହିଁ ତାହା ଠିକ୍ କରୁଥିଲେ।
ଚାକିରି ନିଯୁକ୍ତି ପାଇଁ ହେଉଥିବା ଇଣ୍ଟରଭିୟୁ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳୁଥିଲା ବୁଥ୍ ବାହୁଡ଼ା ସର୍ବେକ୍ଷଣ ଭଳି ପରିବେଶ। ଜଣେ ପ୍ରାର୍ଥୀ ସାକ୍ଷାତକାର ଦେଇ ସାରି ହଲରୁ ବାହାରିବା ମାତ୍ରେ ଅନ୍ୟ ଆଶାୟୀମାନେ ତାଙ୍କୁ ବେଢ଼ିଯିବେ ଓ ତାଙ୍କ ସାକ୍ଷାତକାରର ଟିକିନିଖି ବିବରଣୀ ସଂଗ୍ରହ କରିବା ଆରମ୍ଭ କରିଦେବେ। ଇଣ୍ଟରଭିୟୁ ନେଉଥିବା ପ୍ରତ୍ୟେକ ସଦସ୍ୟଙ୍କ ଆଚରଣ, ଜ୍ଞାନ, ପସନ୍ଦର ବିଷୟବସ୍ତୁ, ପ୍ରାର୍ଥୀକୁ ସ୍ବାଚ୍ଛନ୍ଦ୍ୟରେ ବା ଚାପରେ ରଖିବାର ଅଭିପ୍ରାୟ: ଏମିତି କେତେ କ’ଣ ପ୍ରଶ୍ନ ପଚାରି ବିଚରା ପ୍ରାର୍ଥୀ ଜଣକୁ ଅସ୍ତବ୍ୟସ୍ତ କରିପକାଇବେ ଆଶାୟୀମାନେ। ଆଉ କେତେ ଜଣ ତ, ‘‘ସେମିତି ନ କହି ଏମିତି କାହିଁକି କହିଲନି?’’ ବୋଲି ପ୍ରତିପ୍ରଶ୍ନ କରି ପ୍ରାର୍ଥୀ ଜଣକୁ ନିଜର ପ୍ରଦର୍ଶନ ଉପରେ ସନ୍ଦିହାନ କରି ପକାଇବେ!
ଉପର ବର୍ଣ୍ଣିତ ଦୁଇଟି ଯାକ ଦୃଷ୍ଟାନ୍ତରୁ ଏ କଥା ସ୍ପଷ୍ଟ ହୁଏ ଯେ ଅନୁଭବୀମାନଙ୍କ ଉପରେ ଆଶାୟୀମାନଙ୍କର ପ୍ରବଳ ବିଶ୍ୱାସ। ଯିଏ ଯାତ୍ରା କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚି ସାରିଛି ଓ ଏବେ ବାହୁଡ଼ା ପଥର ଯାତ୍ରୀ, ତା’ଠାରୁ ଅଧିକ ଜ୍ଞାନ ଆଉ କାହାର ବା ହେବ? ଏଇଥି ପାଇଁ ଲେଉଟାଣି ଯାତ୍ରା ସବୁବେଳେ ଲକ୍ଷ୍ୟ ସ୍ଥଳକୁ ଯାତ୍ରା ଅପେକ୍ଷା ଅଧିକ ଗୁରୁତ୍ୱ ରଖେ। ବାହୁଡ଼ା ବିଜୟରେ ଥାଏ ଅଧିକ ଉନ୍ମାଦନା, ଅଧିକ ଉଲ୍ଲାସ। ଲେଉଟି ଆସୁଥିବା ଚାଖି ଖୁଣ୍ଟିଆ ଲୋକଙ୍କ ମନରେ ଭରି ଦିଏ ନୂତନ ଆଶା। ବେଳେବେଳେ ଲେଉଟାଣି ଯାତ୍ରା ଇତିହାସ ରଚି ପକାଏ କାଳକାଳ ପାଇଁ। ଚନ୍ଦ୍ର ଅଭିଯାନରେ ବାହାରିଥିବା ‘ଆପୋଲୋ ୧୩’ ଚନ୍ଦ୍ରପୃଷ୍ଠରେ ଅବତରଣ କଲେ ଯେତିକି ସଫଳତା ପାଇ ଥାଆନ୍ତା, ତା’ଠୁ ଢେର ଗୁଣ ଅଧିକ ସାଫଲ୍ୟ ହାସଲ କରିପାରିଲା ଭଗ୍ନ ମହାକାଶ ଯାନଟିକୁ ଭୂପୃଷ୍ଠକୁ ଫେରାଇ ଆଣିପାରି। ରେଳଯାତ୍ରା ଭଳି ଜୀବନର ସବୁ ଯାତ୍ରାର ଦୁଇଟି ଭାଗ: ‘ଅପ୍’ ଓ ‘ଡାଉନ୍’। ‘ଅପ୍’ ଯାତ୍ରାରେ ଥାଏ ଅନ୍ୱେଷଣ ଓ ଆବିଷ୍କାର କରିବାର ରୋମାଞ୍ଚ, ଅଥଚ ‘ଡାଉନ୍’ ବା ଲେଉଟାଣି ରାସ୍ତାରେ ଥାଏ ଯାତ୍ରାଲବ୍ଧ ଅନୁଭବ ଓ ଘରକୁ ଫେରିବାର ଦୁର୍ବାର ଆକର୍ଷଣ। ଦୁଇ ପଟର ଯାତ୍ରା ଶେଷ କଲେ ଯାଇ ଯାତ୍ରା-ଚକ୍ର ସମ୍ପୂର୍ଣ୍ଣ ହୁଏ। ଭୋଟ ଦାନ କେନ୍ଦ୍ରରୁ ଫେରୁଥିବା ମତଦାତାମାନଙ୍କର ଏହି ସମ୍ପୂର୍ଣ୍ଣତା ଓ ଦୁର୍ମୂଲ୍ୟ ଅନୁଭବକୁ ପାଥେୟ କରି ଗଢ଼ା ଆଜିର ଯେତେସବୁ ବୁଥ୍ ବାହୁଡ଼ା ସର୍ବେକ୍ଷଣ।
ମୋ: ୯୪୩୭୦୮୯୬୫୫
ଚିନ୍ମୟ ଚେତନା: ବୁଥ୍ ବାହୁଡ଼ା
ଚିନ୍ମୟ ହୋତା
/sambad/media/post_attachments/wp-content/uploads/2024/05/shsfsfhsfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)