ଆମ ଚେତନାରେ ଭିଡ଼ ଜମାଇଥିବା ନିର୍ବାଚନ କାଳର ଅସଂଖ୍ୟ ଚିତ୍ରଗୁଡ଼ିକ ଭିତରୁ ଗୋଟିଏ ଭିଡିଓ ଦୃଶ୍ୟ କିନ୍ତୁ ଅନେକ ଦିନ ଧରି ଆମ ମନକୁ କବଳିତ କରି ରଖିବ ଓ ଆମକୁ ବିଚଳିତ କରିଚାଲିଥିବ। ଏହା ହେଲା ଏକ ଜନସଭାକୁ ସଂବୋଧିତ କଲା ବେଳେ ଜଣେ ବୟୋଜ୍ୟେଷ୍ଠ ରାଜନୀତିଜ୍ଞଙ୍କ ହାତକୁ ତାଙ୍କର ଉଚ୍ଚାଭିଳାଷୀ ସହଯୋଗୀ ଟାଣିବାର ଦୃଶ୍ୟ। ଭିଡିଓରେ ଦିଶୁଥିଲା ଏହି ବୟୋଜ୍ୟେଷ୍ଠ ରାଜନେତା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବାମ ହାତଟି ପୋଡିଅମ୍ ଉପରେ ଥରିବାକୁ ଆରମ୍ଭ କରି ଦେଇଛି, ଯାହାକୁ ଲୁଚାଇବାର ଉଦ୍ୟମ କରୁଥିଲେ ଏହି ଏକାନ୍ତ ବିଶ୍ବସ୍ତ ସହକାରୀ। ବୟସ୍କ ବ୍ୟକ୍ତିଙ୍କର ହସ୍ତ କଂପିବା ଏକ ସାଧାରଣ କଥା। ବୟସ ହେଲେ ଅନେକଙ୍କ କ୍ଷେତ୍ରରେ ତାହା ଦେଖା ଦେଇଥାଏ। କିନ୍ତୁ ନିଜ ଦଳର ସମଗ୍ର ନିର୍ବାଚନ ପ୍ରଚାର ପ୍ରକ୍ରିୟାକୁ ନିଜ ହାତ ମୁଠାରେ ରଖିଥିବା ଏହି ସହକାରୀଙ୍କୁ ଏହି ଦୃଶ୍ୟ ଅସ୍ବସ୍ତିକର ଲାଗିଲା ନିଶ୍ଚୟ; ଯେଉଁଥି ଲାଗି ସେ ଗୋଟିଏ ହାତରେ ମାଇକ୍ରୋଫୋନ୍ ଧରିଥିବା ଅବସ୍ଥାରେ ଆର ହାତଟିରେ ନେତାଙ୍କ କଂପମାନ ହସ୍ତଟିକୁ ପୋଡିଅମ୍ ଭିତରକୁ ଟାଣିନେଲେ। ସେହି ସହକାରୀଙ୍କ ଏହି ରୁକ୍ଷ ଆଚରଣର ଦୃଶ୍ୟଟି ନିମିଷକେ ବିଭିନ୍ନ ଗଣମାଧ୍ୟମ ଜରିଆରେ ପ୍ରସାରିତ ହୋଇଗଲା। ତହିଁରେ ଦୁଇଟି ହାତ ଦିଶିଲା- ଗୋଟିଏ ଅସହାୟ ଓ ଅନ୍ୟଟି ରୁକ୍ଷ।
ସହଯୋଗୀଙ୍କ ହାତ ବି ଚର୍ଚ୍ଚାକୁ ଆସିଲା ତାଙ୍କ ଭାଷଣ ଦେବା ବେଳର ଶାରୀରିକ ଭଙ୍ଗୀରୁ। ମାଇକ୍ରୋଫୋନ୍ ଧରିଥିବା ହାତଟିର କଚଟିକୁ ସେ ଅନ୍ୟ ହାତରେ ଜାବୁଡ଼ି ଧରି ଭାଷଣ ଦେଉଥିବା ବେଳେ ଲୋକେ ପ୍ରଶ୍ନ କଲେ ନେତାମାନେ କ’ଣ ବିନା ଠେସାରେ କିଛି ବି କରିପାରିବେ ନାହିଁ?
ନିର୍ବାଚନରେ ହାତର କରାମତି କେବଳ ଏତିକିରେ ସୀମିତ ନ ଥିଲା। କଂଗ୍ରେସର ହାତ ଚିହ୍ନ ଅନେକ କାଳ ପରେ ସାରା ଦେଶରେ କିଛିଟା ସଫଳତା ପାଇ ଚକିତ କରିଥିଲା। କଂଗ୍ରେସର ହାତ ଚିହ୍ନ ସେ ଦଳ ପାଇଁ ଅନେକ ମହତ୍ତ୍ବ ରଖେ, ହେଲେ ତା’ ପଛର କାହାଣୀ ହୁଏତ ଅନେକ ଭୋଟ ଦାତା ଜାଣି ନ ଥିବେ। ପୂର୍ବତନ କଂଗ୍ରେସ ନେତ୍ରୀ ଓ ଦେଶର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏମର୍ଜେନ୍ସି ପର ନିର୍ବାଚନରେ ଯେତେବେଳେ କ୍ଷମତାଚ୍ୟୁତ ହେଲେ, ସେତେବେଳେ ତାଙ୍କୁ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜ୍ୟର ଏକ ମନ୍ଦିର ଦର୍ଶନ କରେଇବାକୁ ନେଇଯାଇଥିଲେ। ପଲକ୍କଡ଼ ସ୍ଥିତ ଏହି ‘ହେମାମ୍ବିକା ମନ୍ଦିର’ ଥିଲା ନିଆରା, କାରଣ ଏଠାରେ ପୂଜିତ ହୁଏ ଦୁଇଟି ହାତର ଏକ ବିଗ୍ରହ, ଯାହାକି ଦେବୀ ପାର୍ବତୀଙ୍କର ବୋଲି ବିଶ୍ୱାସ ରହିଛି। ନଈ ପାଣିରେ ବୁଡ଼ି ଯାଉଥିବା ପାର୍ବତୀଙ୍କର ଏହି ଦୁଇ ହାତ ଦେଖି ପତି ଶିବ ପାର୍ବତୀଙ୍କୁ ରକ୍ଷା କରିଥିଲେ। ଏହି କିଂବଦନ୍ତି ଶୁଣିବା ପରେ ଇନ୍ଦିରା ଗାନ୍ଧୀଙ୍କୁ ଲାଗିଲା ହାତ ଦୁଇଟି ଯେମିତି ତାଙ୍କର ନିଜ ଅବସ୍ଥାକୁ ପ୍ରତିଫଳିତ କରୁଛନ୍ତି। ସେ ତତ୍କ୍ଷଣାତ୍ ଠିକ୍ କରିନେଲେ ଯେ ତାଙ୍କ ଦଳର ନିର୍ବାଚନୀ ସଂକେତ ହେବ ସେହି ହାତ। ଇନ୍ଦିରାଙ୍କ ନାତି ରାହୁଳ ଗାନ୍ଧୀ ଅବଶ୍ୟ କଂଗ୍ରେସର ହାତ ଚିହ୍ନକୁ ପ୍ରଭୁ ଶିବଙ୍କର ଅଭୟ ମୁଦ୍ରା ବୋଲି ବ୍ୟାଖ୍ୟା କରିଛନ୍ତି। ସେ ଯାହା ବି ହେଉ ହାତ ଆଜି କଂଗ୍ରେସର ପରିଚୟ। ଏଥରର ନିର୍ବାଚନରେ ଯେମିତି ହାତ ତା’ର ହୃତ ଗୌରବ ଫେରିପାଇଛି।
ଦେଶରେ କଂଗ୍ରେସର ସଫଳତା ଭଳି ଓଡ଼ିଶାରେ ବିଜେପି କରିଛି ବାଜିମାତ। ପଦ୍ମ ଦଳ ଅନେକ ବର୍ଷ ଧରି ଶଙ୍ଖ ଦଳ ସହ ଛାୟା ମୁଷ୍ଟିଯୁଦ୍ଧରେ ଲିପ୍ତ ରହି ନିଜ ହାତର ଶକ୍ତି ଅପଚୟ କରୁଥିବା ବେଳେ ହଠାତ୍ ଏଥର ସମୟର ଆହ୍ୱାନ ଅନୁସାରେ ବିଜେଡିର ହାତକୁ ମୋଡ଼ି କ୍ଷମତା କରାୟତ୍ତ କରିଛି। ସବୁ ‘ମୋ’ ‘ମୋ’ କହୁଥିବା ସରକାର ହାତକୁ ଆଜି ଖାଲି କରିଦେଇଛି। ଏବେ ଦେଖାଯାଉ ବିଜେପି ହାତରେ ପାଇଥିବା ସୁଯୋଗର କିଭଳି ସୁବ୍ୟବହାର କରୁଛି। ଆଶା ସେ ଦଳ ‘ହାତ ଅଳସେ ନିଶ ବଙ୍କା’ କଥାଟିକୁ ହେଜି ସେ ସୁଯୋଗକୁ ହାତଛଡ଼ା କରିବ ନାହିଁ, କି ‘ହାତେ ମାପି ଚାଖଣ୍ଡେ ଚାଲିବା’ ନ୍ୟାୟରେ ସବୁବେଳେ ପଛୁଆ ପଡ଼ିଯିବ ନାହିଁ।
ଶେଷରେ ନିର୍ବାଚନରେ ଭାଗ ନେଇଥିବା କୋଟି କୋଟି ଜନସାଧାରଣଙ୍କ ହାତ କଥା। ଏ ଭିତରେ ଭୋଟ ଦେବାର ଅନେକ ଦିନ ହେଲାଣି, କିନ୍ତୁ ଏ ପର୍ଯ୍ୟନ୍ତ ଆଙ୍ଗୁଳିରୁ ଭୋଟ କାଳି ଲିଭି ନାହିଁ। ସତେ ଯେମିତି ଏହି କାଳି ଭୋଟରଙ୍କୁ ମନେ ପକେଇ ଦେଉଛି ତା’ର ହାତର ଶକ୍ତି କଥା: ‘‘ଗଣତନ୍ତ୍ରର ଗୁରୁ ଦାୟିତ୍ୱଟି ତୋରି ହାତରେ ଯେ!’’ ସେହି ମଳିମୁଣ୍ଡିଆ ଲୋକଟି ଏତେ ବର୍ଷ ଧରି ସେ ଦାୟିତ୍ୱ ଭଲରେ ସଂପାଦନ କରି ଚାଲିଛି। ରୋଡ୍ ସୋ’ (ଆଗେ ଯାହାକୁ ଜନସଭା କୁହାଯାଉଥିଲା) ବେଳେ ଗାଡ଼ି ଉପରୁ ହାତ ହଲାଉଥିବା ନେତାମାନଙ୍କୁ ସେ ହାତ ହଲାଇ ସମ୍ମାନ ଜଣାଇଛି, କରତାଳି ମାରିଛି କିମ୍ବା କୌଣସି ଆଦର୍ଶ ପ୍ରତି ‘ଜିନ୍ଦାବାଦ’ ଅଥବା ‘ଲାଲ ସଲାମ’ ଜଣାଇଛି। ହେଲେ ଭୋଟ ବାକ୍ସ ପାଖରେ ସେ କେବଳ ତା’ର ବିବେକକୁ ପଚାରି ମତ ପ୍ରକାଶ କରିଛି, ତା’ ହାତରେ କିଛି ଟଙ୍କା ଗୁଞ୍ଜି ଦେଇଥିବା ନେତାର ପ୍ରରୋଚନାରେ ନୁହେଁ। ବିଜୟୀ ନେତା ଦୁଇ ହାତ ଟେକି ବିଜୟ ସଂକେତ ଦେଖାଉଥିବା ବେଳେ କିମ୍ବା ସଂବିଧାନ ଉପରେ ହାତ ରଖି ପଦର ଶପଥ ନେଉଥିବା ବେଳେ ସେ କରତାଳି ମାରି ଏ ସବୁକୁ ସ୍ୱାଗତ କରିଛି, ମାତ୍ର କେବେ ହେଲେ ନିଜର ଗୁରୁଦାୟିତ୍ୱକୁ ହାତଛଡ଼ା କରି ନାହିଁ।
ମୋ: ୯୪୩୭୦୮୯୬୫୫
ରାଜନୀତିରେ ହାତ: ଚିନ୍ମୟ ଚେତନା
ଚିନ୍ମୟ ହୋତା
/sambad/media/post_attachments/wp-content/uploads/2024/06/fhsfsfhhhf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)