‘କାର୍ଯ୍ୟ ଚାପରେ ଆତ୍ମହତ୍ୟା କଲା ରୋବଟ୍’: ସମ୍ବାଦପତ୍ରର ଏହି ଶିରୋନାମାଟି ଯେତିକି କୌତୂହଳପୂର୍ଣ୍ଣ ଥିଲା, ତା’ଠୁ ଅଧିକ ଥିଲା ଭୀତି ଉଦ୍ରେକକାରୀ। ଘଟଣାଟି ଏହିପରି: ଦକ୍ଷିଣ କୋରିଆର ଗୋଟିଏ ସହରର ପୌର ପରିଷଦରେ ଗୋଟିଏ ରୋବଟ୍ ପ୍ରଶାସନିକ ଅଧିକାରୀ ଭାବରେ କାର୍ଯ୍ୟ ତୁଲାଉଥିଲା। ପ୍ରତ୍ୟେକ ଦିନ ସକାଳ ୯ଟାରୁ ସନ୍ଧ୍ୟା ୬ଟା ଯାଏ ନିର୍ଘାତ ଖଟୁଥିଲା ବିଚରା ରୋବଟ୍। ହେଲେ କାର୍ଯ୍ୟ ଚାପରେ ସେ ଅଦ୍ଭୁତ ଆଚରଣ ସବୁ କରିବାକୁ ଲାଗିଲା, ଇତସ୍ତତଃ ଘୁରିବୁଲିବା ସହ ନିଜକୁ ଖଣ୍ଡ ଖଣ୍ଡ କରି ଭାଙ୍ଗିଦେଲା ଓ ସବୁଦିନ ପାଇଁ ଅଚଳ ହୋଇଗଲା। ଏହା ହୁଏତ ଥିଲା ସାରା ବିଶ୍ୱରେ ଘଟିଥିବା ପ୍ରଥମ ‘ରୋବଟ୍ ଆତ୍ମହତ୍ୟା’ ଘଟଣା।
ନିର୍ଜୀବ ବସ୍ତୁଗୁଡ଼ିକରେ ଆମେ ପ୍ରାଣ, ଆତ୍ମା କିମ୍ବା କୌଣସି ମାନବୀୟ ଆବେଗର ଆଶା ରଖୁନା, ଯଦିଓ ପଥରଟିଏ ବା କାଠ ଖଣ୍ଡଟିଏ ଭିତରେ ଆମେ ଈଶ୍ୱରଙ୍କ ସତ୍ତା ଖୋଜିଥାଉ। ଏହି ପଥର ଓ କାଠରେ ତିଆରି ମୂର୍ତ୍ତି ପାଖରେ ଆମେ ଆମ ହେପାଜତର ସମସ୍ତ ଦାୟିତ୍ୱ ସମର୍ପିଦେଇ ନିଜେ ଚିନ୍ତାମୁକ୍ତ ହୋଇଥାଉ। ଆଜିର ମଣିଷ ନିର୍ଜୀବ ଯନ୍ତ୍ର-ମଣିଷ ବା ‘ରୋବଟ୍’କୁ ନିଜ ଭାଗ୍ୟ ନିୟନ୍ତା କରିବା ପାଇଁ ତତ୍ପର। କୃତ୍ରିମ ବୁଦ୍ଧିମତ୍ତା ଦ୍ବାରା ଚାଳିତ ରୋବଟ୍ ଯେତେବେଳେ ମଣିଷର ସମସ୍ତ କାମ କରିପାରୁଛି, ତେବେ ଏହା ମଣିଷର ଭାବ, ଗୁଣ, ଏମିତିକି ଆବେଗଗୁଡ଼ିକର ବଶବର୍ତ୍ତୀ ନ ହେବ ବା କିପରି? ଚାପଗ୍ରସ୍ତ ମଣିଷ ଯେତେବେଳେ ଅବସାଦରୁ ମୁକ୍ତି ଖୋଜି ଖୋଜି ବେଳେବେଳେ ଆତ୍ମ ବିସର୍ଜନର ନିଷ୍ପତ୍ତି ନେଉଛି, ମଣିଷର ସମସ୍ତ ଗୁଣ ନକଲ କରୁଥିବା ଯନ୍ତ୍ର-ମଣିଷ ଚରମ ଅବସାଦଗ୍ରସ୍ତ ହେଲେ କାହିଁକି ସେପରି ନିଷ୍ପତ୍ତି ନ ନେବ?
ସେ ଯନ୍ତ୍ର-ମାନବକୁ ସୃଷ୍ଟି କରିଥିବା ବୈଜ୍ଞାନିକ ତାଙ୍କର ଉଦ୍ଭାବନରେ ମାନବ ସଦୃଶ ଆବେଗ ଭରି ପାରିଥିବାର ସଫଳତାରେ ହୁଏତ ଆତ୍ମସନ୍ତୋଷ ଲାଭ କରୁଥିବେ, ହେଲେ ସେ ସନ୍ତୋଷ ଭିତରେ ଉଙ୍କି ମାରୁ ଥାଇପାରେ ଏ ସମସ୍ତ ଘଟଣାର ଆଢୁଆଳରେ ଲୁକ୍କାୟିତ ଥିବା ଭୟଙ୍କର ସମ୍ଭାବନାଗୁଡ଼ିକ। ମାନବୀୟ ଆବେଗ ଲାଭ କରିବା ପରେ ଓ ବିଭିନ୍ନ ବିକଳ୍ପମାନଙ୍କୁ ତଉଲୁଥିବା ଯନ୍ତ୍ରଟି ଧୀରେ ଧୀରେ ମଣିଷ ତାକୁ ଦେଉଥିବା ‘କମାଣ୍ଡ’ ବା ନିର୍ଦ୍ଦେଶର ଭଲ ମନ୍ଦ ବା ନୈତିକତା ବିଚାର କରିବାର କ୍ଷମତା ମଧ୍ୟ ହାସଲ କରି ବସିବ। ଦିନେ ହୁଏତ ସେ ସାରା ମନବ ଜାତିକୁ ଏକ ଶତ୍ରୁ ପକ୍ଷ ହିସାବରେ ଦେଖିବା ଆରମ୍ଭ କରିଦେବ। ଶିବଙ୍କ ବର ଦ୍ୱାରା ବଳୀୟାନ ଭସ୍ମାସୁର ନିଜ ଅନୁଗ୍ରହକାରୀ ସେହି ଶିବଙ୍କୁ ଧ୍ୱଂସ କରିବାର ଇଚ୍ଛା ପୋଷଣ କଲା ଭଳି ମଣିଷର ବୁଦ୍ଧିମତ୍ତାକୁ ଅତିକ୍ରମ କଲା ପରେ ଭବିଷ୍ୟତ୍ର ରୋବଟ୍ ଯେ ଦିନେ ମାନବ ସମାଜକୁ ଧ୍ୱଂସ କରିବାକୁ ପଛେଇବ ନାହିଁ, ସେ ନେଇ ଅନେକ ବିଜ୍ଞାନୀ ଆଜି ନିଃସନ୍ଦେହ।
ନିଜ କାମକୁ ଅଧିକ ଦକ୍ଷତାର ସହ ଓ କମ୍ ସମୟରେ ସମ୍ପାଦନ କରିପାରିବ ବୋଲି ମଣିଷ ଯନ୍ତ୍ରପାତି ଉଦ୍ଭାବନ କରିଥିଲା। ଯନ୍ତ୍ର ଉପଯୋଗ କରିବାର ବଡ଼ କାରଣ ଏୟା ମଧ୍ୟ ଥିଲା ଯେ ଯନ୍ତ୍ର କେବେ ପ୍ରତିବାଦ କରେ ନାହିଁ, ତା’ର ସାଧ୍ୟ ମତେ କାର୍ଯ୍ୟ କରିଯାଏ। ଅପର ପକ୍ଷରେ ମଣିଷ ତା’ର ଆବେଗ, ଦୁର୍ବଳତା, ମାନସିକ ସ୍ଥିତି ସବୁକୁ କାର୍ଯ୍ୟକ୍ଷେତ୍ରକୁ ଘେନି ଆସେ। ଏହି ସବୁ ମାନସିକ ପ୍ରତିବନ୍ଧକ ଯୋଗୁଁ ତା’ର ଦକ୍ଷତା ମଧ୍ୟ ହ୍ରାସ ପାଏ। ସ୍ବିଜରଲାଣ୍ଡ୍ର ଲେଖକ ମ୍ୟାକ୍ସ ଫ୍ରିସ୍ଙ୍କ ଉକ୍ତି, ‘‘ଆମେ କର୍ମୀ ଖୋଜୁଥିଲୁ, ହେଲେ ଆମକୁ ମିଳିଲେ ମଣିଷମାନେ’’ ଏହି କଥାକୁ ସ୍ପଷ୍ଟ କରିଦିଏ ଯେ ସବୁ ମାଲିକ ସବୁବେଳେ ଚାହାନ୍ତି ଯେ ତାଙ୍କୁ ଯନ୍ତ୍ର ଭଳି ଦକ୍ଷ ଓ ପ୍ରତିବାଦ ବିହୀନ କର୍ମୀ ମିଳନ୍ତେ କି! କିନ୍ତୁ ଏହା କଦାପି ସମ୍ଭବ ହୁଏ ନାହିଁ, କାରଣ ପ୍ରତ୍ୟେକ କର୍ମୀ ନିଜ ସାଙ୍ଗରେ ନିଜର ମାନସିକତା ଓ ଆବେଗକୁ ଧରି କର୍ମକ୍ଷେତ୍ରକୁ ଆସିଥାଏ। ନିଯୁକ୍ତିଦାତାର ଏହି ଦ୍ବନ୍ଦ୍ୱକୁ ଅନେକଟା ଦୂର କରିଛି ଆଜିର କୃତ୍ରିମ ବୁଦ୍ଧିମତ୍ତା ଖଚିତ ରୋବଟ୍, ଯିଏ ବିନା ପ୍ରତିବାଦ ଓ କ୍ଳାନ୍ତିରେ ନିର୍ଦ୍ଦେଶ ପାଳନ କରିଚାଲେ। ଗୁଳିଗୋଳା ବର୍ଷଣମୁଖର ଯୁଦ୍ଧକ୍ଷେତ୍ର ହେଉ କି ନିଆଁ ଜଳୁଥିବା ଘର ହେଉ କି ସମୁଦ୍ରର ଅଭ୍ୟନ୍ତର ହେଉ; ରୋବଟ୍ ସେ ସବୁ ଇଲାକାକୁ ବିନା ଦ୍ବିଧାରେ ପ୍ରବେଶ କରିଥାଏ, ଯଦିଓ ଏଥିରେ ତା’ର ବିନାଶ ଅବଶ୍ୟମ୍ଭାବୀ ହୋଇଥାଏ; କାରଣ ତା’ର ମଣିଷ ଭଳି ଆବେଗ ଓ ଭାବନା ଶକ୍ତି ନାହିଁ। କିନ୍ତୁ ଏହି ଆଶ୍ୱାସନାକୁ ସଂଶୟଗ୍ରସ୍ତ କରିଛି ଦକ୍ଷିଣ କୋରିଆର ସେହି ‘ରୋବଟ୍’।
ସମଗ୍ର ସୃଷ୍ଟିରେ କେବଳ ମଣିଷ ବିଭିନ୍ନ ସୂକ୍ଷ୍ମ ଆବେଗର ଅଧିକାରୀ। ତେଣୁ ମଣିଷ ଯଦି କୌଣସି ପଶୁପକ୍ଷୀଙ୍କ ଆଚରଣରେ କିଛି ମାନବତୁଲ୍ୟ ଆବେଗର ଚିହ୍ନ ଆବିଷ୍କାର କରେ, ତେବେ ସେ ଉଲ୍ଲସିତ ହୁଏ। ହାତୀମାନେ ନିଜର ମୃତ ସମ୍ପର୍କୀୟମାନଙ୍କ ଦେହାବଶେଷ ପାଖକୁ ସମୟ ସମୟରେ ଫେରି ଶୋକ ପ୍ରକାଶ କରନ୍ତି, ସେମିତି କିଛି ଜାତିର ପକ୍ଷୀ ସାମୂହିକ ଭାବରେ ପ୍ରାଣ ବିସର୍ଜନ କରନ୍ତି ଇତ୍ୟାଦି। ନିଜର ଆବେଗକୁ ଅନ୍ୟ ଠାରେ ଦେଖିବାର ଆଗ୍ରହ ବେଳେ ବେଳେ ନିର୍ଜୀବ ବସ୍ତୁ ପାଖକୁ ମଧ୍ୟ ବ୍ୟାପିଯାଏ। ମୋର ଜଣେ ବନ୍ଧୁ ତାଙ୍କର ଗୋଟିଏ ପୁରୁଣା କାର୍ ବିକ୍ରି କରିବାର ଯୋଜନା ବାତିଲ କରିଦେଲେ, କାରଣ ତାଙ୍କୁ ଲାଗିଲା ଯେ କାର୍ଟି ତାଙ୍କୁ କାନ୍ଦି କାନ୍ଦି ନିଜ ଠାରୁ ଦୂରେଇ ନ ଦେବା ପାଇଁ ଅନୁନୟ କରୁଛି। ଏହି ଘଟଣାଟି ହୁଏତ ବନ୍ଧୁଙ୍କର ଅତି ସ୍ପର୍ଶକାତରତାର ପରିଚୟ ହୋଇପାରେ, କିନ୍ତୁ କୋରିଆର ରୋବଟ୍ ଠାରେ ଯାହା ଦେଖାଗଲା, ତାହା ମାନବୀୟ ଆବେଗର ପରିପ୍ରକାଶ, ମଣିଷ ଓ ପ୍ରଯୁକ୍ତିବିଦ୍ୟାର ସମ୍ପର୍କ କ୍ଷେତ୍ରରେ ଏକ ବିରାଟ ବିସ୍ମୟ ଚିହ୍ନ ଓ ପ୍ରଶ୍ନ ଚିହ୍ନ ହୋଇ ଠିଆ ହେବ।
ମୋ: ୯୪୩୭୦୮୯୬୫୫
ଚିନ୍ମୟ ଚେତନା: ରୋବଟ୍ର ଅପମୃତ୍ୟୁ
ଚିନ୍ମୟ ହୋତା