ସ୍ମାର୍ଟ ସହର ଭୁବନେଶ୍ୱର ଏବେ ଏକ ଅଭାବନୀୟ ସଙ୍କଟର ମୁହାଁମୁହିଁ, ଯାହା ହେଲା ଦୁର୍ଗନ୍ଧ। ସହରଟିର ପରିକଳ୍ପନା କରିଥିବା ତଥା ଏହାକୁ ଆଜି ଯାଏ ପରିଚାଳନା କରିଥିବା କର୍ତ୍ତୃପକ୍ଷ କେବେ ଭାବି ନଥିବେ ଯେ ଏମିତି ଏକ ପରିସ୍ଥିତି ଦିନେ ଭୁବନେଶ୍ୱରବାସୀଙ୍କୁ ସନ୍ତାପିତ କରିବ। ହେଲେ ଆଜି ଉତ୍କଟ ଦୁର୍ଗନ୍ଧରେ ଗନ୍ଧେଇଲାଣି ରାଜଧାନୀ! ଅଳିଆ ଡମ୍ପିଂୟାର୍ଡର ଦୁର୍ଗନ୍ଧ ସୁଲୁସୁଲିଆ ଥଣ୍ଡା ପବନରେ ଏବେ ସାରା ସହରକୁ ମାଡ଼ି ଚାଲିଛି। ଲୋକେ ଦୁର୍ଗନ୍ଧରେ ତ୍ରାହି ତ୍ରାହି ଡାକ ଦେଲେଣି। ଅଳିଆ ଗଦାରେ ବି.ଏମ୍.ସି. ଯେତେପ୍ରକାର କେମିକାଲ ପକାଇଲେ ବି ତାହା ଫଳପ୍ରଦ ହୋଇପାରୁନାହିଁ। ବିରୋଧୀ ଦଳ ସରକାରଙ୍କ ଦୁର୍ଗନ୍ଧ ନୀତି ବିରୋଧରେ ଲଗାତାର ପ୍ରତିବାଦ କରିଚାଲିଛନ୍ତି।
ହେଲେ ଗନ୍ଧ ଯେ ସମ୍ପୂର୍ଣ୍ଣ ଉଭେଇଯିବ ଏହା ଆଶା କରିବା ବୃଥା। ମଣିଷ ଜାତି ସାଙ୍ଗରେ ଏହି ଗନ୍ଧ ଜିନିଷଟିର ସମ୍ପର୍କ ଅତି ନିବିଡ଼। କୁହାଯାଏ ଯେ ମଣିଷର ପାଞ୍ଚଟି ଇନ୍ଦ୍ରିୟ ଭିତରୁ ଘ୍ରାଣେନ୍ଦ୍ରିୟଟି ନିର୍ଦ୍ଦିଷ୍ଟ ନୁହେଁ, ଏହି ଅର୍ଥରେ ଯେ ବିଭିନ୍ନ ବ୍ୟକ୍ତି ପାଖରେ ଏହାର ପ୍ରଭାବ ଅଲଗା ଅଲଗା। ପୁଣି ଏକଥା ବି ସତ ଯେ ପ୍ରାଣୀ ଜଗତରେ ମଣିଷର ଆଘ୍ରାଣ ଶକ୍ତି ସବୁଠୁ ଦୁର୍ବଳ। ଉଦାହରଣ ସ୍ୱରୂପ କୁକୁରର ଘ୍ରାଣ ଶକ୍ତି ମଣିଷ ଅପେକ୍ଷା ହଜାର ହଜାର ଗୁଣ ଅଧିକ ତୀବ୍ର। ତଥାପି ମଣିଷ ଆଦିମ କାଳରୁ ଗନ୍ଧକୁ ଗୁରୁତ୍ୱ ଦେଇଆସିଛି। ଦେଖୁନାହାନ୍ତି ଆମ ଭାଷାରେ ଗନ୍ଧ ସୂଚକ କେତେ କେତେ ଶବ୍ଦ ଭରି ରହିଛି। ସୁଗନ୍ଧ ପାଇଁ ବାସ, ବାସନା, ମହକ, ଚହଟ, ସୌରଭ, ସୁରଭି, ସୁବାସ, କସ୍ତୁରୀ, ଅଗୁରୁ ଓ ଅତର ଆଦି ସାଙ୍ଗକୁ ଦୁର୍ଗନ୍ଧ ପାଇଁ ବୋଇ, ପୂତିଗନ୍ଧ, ପୋଚ, ଆଇଁଷିଣିଆ, ରହଣିଆ, କଟୁ, ଗନ୍ଧିଆ ଏମିତି ଆହୁରି କେତେ। ଆମ ମନ୍ତ୍ରରେ ଏହାର ଉପସ୍ଥିତି (‘ସୁଗନ୍ଧିମ୍ ପୁଷ୍ଟି ବର୍ଦ୍ଧନମ୍’/ ମହାମୃତ୍ୟୁଞ୍ଜୟ ମନ୍ତ୍ର) ପୁଣି ଆମର ଢଗ ଢମାଳିରେ ମଧ୍ୟ ଏହାର ଅନୁପ୍ରବେଶ (‘ଯାହାକୁ ଯିଏ ରସିଲା, କିଆ ଫୁଲ ପରି ବାସିଲା’)।
ଅନେକ କାଳରୁ ପ୍ରମାଣ ମିଳିଛି ଯେ ମଣିଷ ଦୁର୍ଗନ୍ଧକୁ ହଟାଇ ସୁଗନ୍ଧ ଭିତରେ ରହିବାକୁ ସବୁବେଳେ ଚେଷ୍ଟିତ। ଦେହର ଗନ୍ଧକୁ ଆକର୍ଷଣୀୟ କରିବା ପାଇଁ ପୁରାତନ ସମୟରୁ ନାନା ପ୍ରକାରର ଅତର ଓ ଅନ୍ୟାନ୍ୟ ସୁବାସିତ ଦ୍ରବ୍ୟ ଉଦ୍ଭାବିତ ହେଉଛି। ଶରୀରରୁ ନିର୍ଗତ ବିଭିନ୍ନ ଗନ୍ଧ ଉପରେ ସେ ମଧ୍ୟ ମଣିଷ ଜାତି ଭିତରେ ସୃଷ୍ଟି କରିଛି ଏକ ଶ୍ରେଣୀ ବିଭାଗ। ଚର୍ମର ରଙ୍ଗ ଭଳି ମଣିଷର ଗନ୍ଧ ଉପରେ ପର୍ଯ୍ୟବସିତ ହୋଇଛି ଏହି ବୈଷମ୍ୟ। ଏହି ବିଷୟକୁ ନେଇ ନିର୍ମିତ ‘ପାରାସାଇଟ୍’ ନାମକ କୋରିଆ ଦେଶର ଏକ ଚଳଚ୍ଚିତ୍ର ୨୦୧୯ ମସିହାରେ ସାରା ବିଶ୍ୱରେ ଚହଳ ସୃଷ୍ଟି କରିଥିଲା ଓ ଶ୍ରେଷ୍ଠ ଚଳଚ୍ଚିତ୍ର ହିସାବରେ ଓସ୍କାର୍ ପୁରସ୍କାର ପାଇଥିଲା। ଆଜିକୁ ୨୫୦୦ ବର୍ଷ ତଳେ ରୋମ୍ ସାମ୍ରାଜ୍ୟରେ କୌଣସି ଉଚ୍ଚ ଶ୍ରେଣୀର ବ୍ୟକ୍ତିର ମୃତ୍ୟୁ ହେଲେ ମୃତ ଶରୀରରେ ନାନା ସୁବାସିତ ଦ୍ରବ୍ୟ ପ୍ରୟୋଗ କରାଯାଉଥିଲା ଓ ଦାହ ସମୟରେ ମଧ୍ୟ ଚିତା ଚାରି ପାଖରେ ଅତର ଛିଞ୍ଚି ଦିଆଯାଉଥିବାର ପ୍ରମାଣ ମିଳିଛି।
ଦୁର୍ଗନ୍ଧ ସହିତ ମଣିଷର ସଂଗ୍ରାମ ଅତି ପୁରାତନ ହେଲେ କ’ଣ ହେଲା, ଆଜିର ମଣିଷ ଯଦି କିଛି ଉପାୟରେ ଅତୀତକୁ ଯାତ୍ରା କରି କିଛି ଶହ ବର୍ଷ ତଳର କୌଣସି ନଗରୀରେ ପହଞ୍ଚି ପାରନ୍ତା ତେବେ ଦୁର୍ଗନ୍ଧରେ ତା’ର ନାକ ଫାଟି ପଡ଼ନ୍ତା। ରାସ୍ତାଗୁଡ଼ିକରେ ଘୋଡ଼ା, ଘୁଷୁରି, କୁକୁଡ଼ା ଇତ୍ୟାଦିଙ୍କର ମଳମୂତ୍ର ତଥା ଖୋଲା ନାଳନର୍ଦ୍ଦମାରୁ ନିର୍ଗତ ଗନ୍ଧ ଥିଲା ସେ ସମୟର ସହରଗୁଡ଼ିକର ସାଧାରଣ ଅବସ୍ଥା। ଅବଶ୍ୟ ଧନୀକମାନେ ନିର୍ଜନ ସ୍ଥାନରେ ନିଜର ପ୍ରକାଣ୍ଡ ବାସସ୍ଥାନ ସବୁ ନିର୍ମାଣ କରି ଓ ଦାମିକା ଅତର ଇତ୍ୟାଦି ବ୍ୟବହାର କରି ସେହି ଦୁର୍ଗନ୍ଧରୁ ଦୂରରେ ରହୁଥିଲେ।
ସେତେବେଳେ ବସବାସ କରୁଥିବା ଲୋକେ କିନ୍ତୁ ଏପରି କଟୁ ଗନ୍ଧମୟ ପରିବେଶରେ ବି ବିନା ଦ୍ବିଧାରେ ଚଳି ଯାଉଥିଲେ, କାରଣ ଘ୍ରାଣେନ୍ଦ୍ରିୟ ଅନେକଟା ମଣିଷର ମାନସିକତା ଦ୍ୱାରା ପରିଚାଳିତ। ଉପାୟ ନ ଥିଲେ ଦୁର୍ଗନ୍ଧ ମଧ୍ୟ ମଣିଷର ଦେହସୁହା ହୋଇଯାଏ। କିନ୍ତୁ ବେଳେ ବେଳେ କ୍ରମବର୍ଦ୍ଧିଷ୍ଣୁ ପୂତିଗନ୍ଧ ମାରାତ୍ମକ ରୂପ ନିଏ। ଆଜିର ଭୁବନେଶ୍ୱର ଭଳି ସେ ସମୟର ମହା ଶକ୍ତିଶାଳୀ ଇଂଲଣ୍ଡର ଗୌରବ ଲଣ୍ଡନ ମହାନଗରୀ ୧୮୫୮ ମସିହାରେ ଉତ୍କଟ ଦୁର୍ଗନ୍ଧରେ ବୁଡ଼ି ଯାଇଥିଲା। ବିରାଟ ଜନସଂଖ୍ୟାର ମଳ ଓ ଆବର୍ଜନାର ଭାରରେ ଚାପି ହୋଇ ବିଖ୍ୟାତ ଟେମ୍ସ ନଦୀ ପ୍ରତିବାଦ କରିଉଠିଥିଲା। ସେତେବେଳେ ଲଣ୍ଡନ ସହରର ସବୁ ନାଳ ଆସି ଅବାଧରେ ଟେମ୍ସ ନଦୀରେ ନିଷ୍କାସିତ ହେଉଥିଲେ। ନଦୀ କୂଳରେ ଅବସ୍ଥିତ ପାର୍ଲିଆମେଣ୍ଟର ସଦସ୍ୟମାନେ କାର୍ଯ୍ୟ କରିବାକୁ ଅକ୍ଷମତା ପ୍ରକାଶ କଲେ। ସଂସଦର ଯେଉଁ ପଟେ ଟେମ୍ସ ନଦୀ ପ୍ରବାହିତ ହେଉଥିଲା ସେ ଦିଗର ସମସ୍ତ ପରଦାଗୁଡ଼ିକୁ ଚୂନ ପାଣିରେ ଧୂଆ ଯାଉଥିଲା ଏହି ଆଶାରେ ଯେ ନଦୀର ଦୁର୍ଗନ୍ଧ ସଦସ୍ୟମାନଙ୍କ ପାଖରେ ପହଞ୍ଚିବ ନାହିଁ। ଅନେକ ଲଣ୍ଡନବାସୀ ଦୁର୍ଗନ୍ଧରୁ ରକ୍ଷା ପାଇବା ପାଇଁ ନଗରୀ ଛାଡ଼ି ଗାଁଗୁଡ଼ିକୁ ପଳାଇଲେ। ଲଣ୍ଡନର ଏହି ସଙ୍କଟ ଇତିହାସରେ ‘ମହା ଦୁର୍ଗନ୍ଧ’ (ଗ୍ରେଟ୍ ଷ୍ଟିଙ୍କ୍) ନାମରେ ସବୁଦିନକୁ ରହିଗଲା। ଆଜି ଭୁବନେଶ୍ୱରବାସୀ ହୁଏତ ‘ମହା ଦୁର୍ଗନ୍ଧ’ ଘଟଣାରୁ କିଛିଟା ସାନ୍ତ୍ୱନା ପାଇବେ।
ସେ ଯାହା ବି ହେଉ ଭୁବନେଶ୍ୱର ଦୁର୍ଗନ୍ଧ ଘଟନାର ପ୍ରେକ୍ଷାପଟରେ ଆଗାମୀ ଦିନରେ ହୁଏତ ଖବରକାଗଜମାନଙ୍କରେ ଏମିତି କିଛି ସମ୍ବାଦ ଶିରୋନାମା ପଢ଼ିବାକୁ ମିଳିବ: ବିଧାନସଭାର ଆଗାମୀ ଅଧିବେଶନ ଅସ୍ଥାୟୀ ଭାବରେ କୋରାପୁଟରେ ବସିବ; ଦୁର୍ଗନ୍ଧ ଦୂରୀକରଣ ପାଇଁ ସରକାର ‘ମୋ ଗନ୍ଧ’ ଯୋଜନା ଘୋଷଣା କଲେ; ଦୁର୍ଗନ୍ଧ ପାଇଁ ସ୍କୁଲ ସବୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବନ୍ଦ ଘୋଷଣା; ସ୍କୁଲ ପିଲାମାନଙ୍କୁ ଗ୍ରାମାଞ୍ଚଳ ଭ୍ରମଣରେ ନେବା ପାଇଁ ଶିକ୍ଷା ବିଭାଗର ନୂଆ ଯୋଜନା; ସୁବାସିତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେଲା; ଗନ୍ଧରୁ ରକ୍ଷା ପାଇବା ପାଇଁ ରାଜଧାନୀର ସବୁ ୱାର୍ଡରେ ସୁବାସିତ ଓ ବାତାନୁକୂଳ ଆଶ୍ରୟସ୍ଥଳ ନିର୍ମାଣ ହେବ।
ମୋ: ୯୪୩୭୦୮୯୬୫୫
ଚିନ୍ମୟ ଚେତନା: ଗନ୍ଧେଇଲାଣି ରାଜଧାନୀ!
ଚିନ୍ମୟ ହୋତା
/sambad/media/post_attachments/wp-content/uploads/2023/12/fhsfhfhfsfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)