ଭାରତରେ ପ୍ରତି ମାସ ପାଖାପାଖି ପାଞ୍ଚ ଲକ୍ଷ ସ୍କୁଟର ବିକ୍ରି ହୁଏ। ତେଣୁ ଆନ୍ଧ୍ରପ୍ରଦେଶର ଜନୈକ ମନ୍ଦିର ପୂଜକ ମୁରଲୀଧର ଆଚାର୍ଯ୍ୟଲୁ ଯେତେବେଳେ ଚିତ୍ତୁର ସହରର ଗୋଟିଏ ଦୋକାନକୁ ସ୍କୁଟର କିଣିବାକୁ ଗଲେ, ସେଥିରେ କିଛି ବିଶେଷତ୍ୱ ନଥିଲା। କିନ୍ତୁ, ତାଙ୍କର ଏହି ସାଧାରଣ ଇଚ୍ଛାଟି ବି ସହଜରେ ପୂରଣ ହୋଇ ପାରିନଥିଲା। ଅନେକ ଘାତ ପ୍ରତିଘାତ ପରେ ଯାଇ ପୂଜକ ମହାଶୟ ତାଙ୍କର ସ୍ୱପ୍ନର ଯାନଟି କିଣି ପାରିଥିଲେ। ଘଟଣାଟି ଥିଲା ଏହିପରି: ଆଚାର୍ଯ୍ୟଲୁ ସ୍କୁଟରଟିର ଦାମ ଦେବା ପାଇଁ ଗୋଟିଏ ବଡ଼ ବ୍ୟାଗରେ ଏକ ଲକ୍ଷ ତିରିଶ ହଜାର ଟଙ୍କାର କଏନ୍ ବା ମୁଦ୍ରା ସାଙ୍ଗରେ ଧରି ଯାଇଥିଲେ, ଯାହାକୁ ଦେଖି ଦୋକାନୀ ହତଭମ୍ବ ହୋଇ ଯାଇଥିଲେ ଓ ତାକୁ ଗ୍ରହଣ କରିବାକୁ ମନା କରି ଦେଇଥିଲେ। ଗ୍ରାହକ ଜଣକ ଏଥି ପାଇଁ ଜିଦ୍ ଧରିବାରୁ ମୁଦ୍ରାଗୁଡ଼ିକର ଗଣିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସେତେବେଳକୁ ଘଟଣାଟି ଏତେ କୌତୂହଳ ସୃଷ୍ଟି କରିସାରିଥିଲା ଯେ କିଛି ବ୍ୟକ୍ତି ମୁଦ୍ରା ଗଣା କାର୍ଯ୍ୟକ୍ରମର ଭିଡିଓ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରୁଥିବାର ଦେଖାଯାଇଥିଲା। ତେବେ, ସେ ଯାହା ହେଉ, ଶେଷରେ ପୂଜକ ମହାଶୟ ସ୍କୁଟରଟି ପାଇ ଖୁସି ମନରେ ଘରକୁ ଫେରିଥିଲେ। ଘଟଣାଟିର ଅବତାରଣା ଏଠି କରିବା ପଛରେ ରହିଛି ଖୁଚୁରା ମୁଦ୍ରାର ଦ୍ରୁତ ବଦଳୁଥିବା ରୂପରେଖ। ଅତୀତରେ ଆମର ଏହି ଈପ୍ସିତ ବସ୍ତୁଟି ଆଜି ସମ୍ପୂର୍ଣ୍ଣ ଅବାଂଛିତ।
ପିଲା ବେଳେ ଖେଳ ଛୁଟିରେ ପାଟି ସୁଆଦିଆ କିଛି ଖାଇବା ପାଇଁ ପକେଟରେ ପାଞ୍ଚ ପଇସା ଥିଲେ, ମନରେ ଯେଉଁ ଆତ୍ମବିଶ୍ୱାସ ଆସି ଯାଉଥିଲା, ତାହା ଆଜି ଅନେକ ଟଙ୍କାର ନୋଟ ଧରିଲେ ବି ମିଳୁନାହିଁ। ଖେଳ ଛୁଟି ହେଲେ ସ୍କୁଲ ବାହାରେ ଆମକୁ ଅପେକ୍ଷା କରି ରହିଥିବା ରଘୁଆର ଠେଲା ଗାଡ଼ିଠାରେ ଭିଡ଼ ଜମାଇ ମସଲାଦିଆ ଆଳୁ ଖାଇବାରେ ଯେଉଁ ମଜା ମିଳୁଥିଲା, ତା’ର ମୂଲ୍ୟ ଆଜି କିଏ ବା କଳନା କରିପାରିବ?
ଦିନେ ଶ୍ରେଣୀଗୃହରେ ଆମ ସାଙ୍ଗ ସୋମ ପଚାରିଲା, ‘‘ଆଜି ଖେଳଛୁଟି ପାଇଁ କେତେ ଆଣିଛି ଜାଣିଛ?’’ ସେଥିପାଇଁ ଯେ ଚିରାଚରିତ ପାଞ୍ଚ ପଇସି ଭିନ୍ନ ଆଉ କିଛି ତା’ ପକେଟରେ ଥାଇ ପାରେ, ସେ କଥା ଥିଲା ଆମ କଳ୍ପନାର ବାହାରେ! ତଥାପି ବୁଦ୍ଧିଆ ପିଲାମାନେ ଅନୁମାନ କଲେ ହୁଏତ ଆଜି ସେ ଦଶ ପଇସିଟିଏ କୋଉଠୁ ପାଇଯାଇଛି। କିନ୍ତୁ ସବୁ କଳ୍ପନାଜଳ୍ପନାର ଅନ୍ତ କରି ସେ ପକେଟରୁ ବାହାର କଲା ଚକଚକିଆ ଦଶ ଟଙ୍କିଆ ନୋଟଟିଏ। ଏହି ଧୂସର କାଗଜଟିଏ ବା କ’ଣ ମୂଲ୍ୟ ବହନ କରୁଥିବ, ତାହା ପାଞ୍ଚ ପଇସି ଉପରେ ଦୃଢ଼ ଆସ୍ଥା ରଖିଥିବା ଆମ ଭଳି ନିରୀହ ବାଳକମାନଙ୍କୁ ଅଜ୍ଞାତ ଥିଲା। ହେଲେ, ଖେଳ ଛୁଟି ବେଳେ ରଘୁଆ ସୋମ ହାତକୁ ବଢ଼ାଇଦେଉଥିବା ନଡ଼ିଆ-ବାଦାମ (ଠେଲାରେ ଉପଲବ୍ଧ ସବୁଠୁ ଆଭିଜାତ୍ୟପୂର୍ଣ୍ଣ ସାମଗ୍ରୀ)ରେ ପୂର୍ଣ୍ଣ ଠୁଙ୍ଗାଟିର ଆକାର ଦେଖି ସଭିଙ୍କର ଆଖି ଖୋସି ହୋଇଗଲା। ରଘୁଆ ପାଞ୍ଚ ପଇସା ବଦଳରେ ସେହି ବିଶେଷ ମିଷ୍ଟାନ୍ନଟିରୁ ଦୁଇ ଚାରି ଖଣ୍ଡ ଚିରା କାଗଜରେ ପକେଇ ଦେଇ ଆମ ହାତରେ ଗୁଞ୍ଜି ଦେଉଥିବା ବେଳେ ସୋମ ହାତରେ ଥିଲା ପୂରା ହୃଷ୍ଟପୁଷ୍ଟ ଏକ ମୋଟା କାଗଜର କାହାଳି, ଯାହା ତା’ର କୁନି ହାତରେ ଆହୁରି ବଡ଼ ଦିଶୁଥିଲା। ସୋମ ସେହି ବୃହତ୍କାୟ ଠୁଙ୍ଗାରୁ ଗୋଟିଏ ଗୋଟିଏ ପାଟିରେ ପକାଉ ଥିବା ବେଳେ ଆମକୁ କହିଥିଲା ଯେ ରଘୁଆ ତାକୁ ଟଙ୍କାକର ନଡ଼ିଆ-ବାଦାମ ଆଜି ଦେଇଛି ଓ ବାକି ନଅ ଟଙ୍କା ଫେରାଇ ନ ପାରିବାରୁ ମାସ ସାରା ତାକୁ ଜଳଖିଆ ଦେବ ବୋଲି କଥା ଦେଇଛି। ଚୁକ୍ତିଟି ଆମେ ବୁଝି ପାରୁଥିଲୁ, ହେଲେ ସୋମ ତା’ର ବିଶାଳ ଠୁଙ୍ଗାଟି ସହ ଧଇଁସଇଁ ହୋଇ ସଂଘର୍ଷ କରୁଥିଲେ ସୁଦ୍ଧା ଆମମାନଙ୍କର ସହଯୋଗ କାହିଁକି ଲୋଡ଼ୁ ନାହିଁ, ତାହା ଆମେ ବୁଝିପାରୁ ନଥିଲୁ। ଶେଷରେ ଫଳ ହେଲା ଓଲଟା। ଆମ ଭିତରୁ ଜଣେ ପିଲା ଜଳଖିଆ ଖାଇବାକୁ ଘରକୁ ଯିବା ବାହାନାରେ ସୋମ ଘରେ ଘଟଣାର ସବିଶେଷ ବିବରଣୀ ପେସ କରିଦେଲା। ହଠାତ୍, ଖେଳ ପଡ଼ିଆରେ ଆବିର୍ଭାବ ହେଲା ସୋମର ପିଉସୀଙ୍କର। ସେ ଉଭୟ ରଘୁଆ ଓ ସୋମ ଉପରେ ଯେଉଁ ଗାଳି ବର୍ଷଣ କଲେ, ତାହା ଆମେ ବେଶ୍ ଉପଭୋଗ କରିଥାନ୍ତୁ, ଯଦି ସେହି ସମୟରେ ଖେଳ ଛୁଟିର ସମାପ୍ତି ସୂଚକ ଘଣ୍ଟାଟି ବାଜି ଉଠି ନ ଥାନ୍ତା। ତେବେ, ଯାହା ବି ହେଉ ଘଟଣାର ତିନି ଦିନ ପରେ ସୋମ ଯେତେବେଳେ ପୁଣି ସ୍କୁଲକୁ ଫେରିଲା, ଆମେ ଜାଣିବାକୁ ପାଇଲୁ ଯେ ସମସ୍ତଙ୍କ ଭଳି ସେ ବି ଆଜି ପାଞ୍ଚ ପଇସିଟି ଆଣିଛି ଖେଳ ଛୁଟି ପାଇଁ। ଦଶ ଟଙ୍କିଆର ହଟହଟା ଦେଖିବା ପରେ ଖୁଚୁରା ପଇସା ଉପରେ ଆମର ଦୋହଲି ଯାଇଥିବା ଆସ୍ଥା ପୁନଃ ପ୍ରତିଷ୍ଠିତ ହେଲା ସେ ଦିନ।
ସେତେବେଳେ ପିଲାମାନେ ମାଟି କୁମ୍ପିରେ ପଇସା ସଞ୍ଚୟ କରୁଥିଲେ ସତ, ହେଲେ ବଡ଼ ଭାଇ ଭଉଣୀଙ୍କ କୁମ୍ପିରୁ କଣ୍ଟା ଦ୍ୱାରା ପଇସା ହରଣଚାଳ କରିନେବା ସାଧାରଣ କଥା ଥିଲା। ଯେଉଁ ଦିନ କିଛି ବିଶେଷ ଉଦ୍ଦେଶ୍ୟ ପାଇଁ କୁମ୍ପି ଭଙ୍ଗା ଯାଉଥିଲା ସେ ଦିନ ସଞ୍ଚୟକାରୀର ମଜା ଦେଖେ କିଏ! ମନ୍ଦିରରେ ଠାକୁର ଥାଳିରେ ବା ଦାନ ବାକ୍ସରେ ଭିକାରିର ଥାଳରେ କିମ୍ବା ପୋଲ ଉପରେ ଗଲା ବେଳେ ଟ୍ରେନରୁ ନଈ ପାଣିକୁ ପଇସା ଫିଙ୍ଗିବା ଆଦି ନିତିଦିନିଆ ଅଭ୍ୟାସ ଥିଲା। ବିଭିନ୍ନ କିସମର ପଇସା ସଂଗ୍ରହ କରିବା ବି କେତେକଙ୍କ ଅଭ୍ୟାସ ଥିଲା। ଧୀରେଧୀରେ ଖୁଚୁରା ପଇସା ହାଲୁକା ଓ ଛୋଟ ହେବାକୁ ଆରମ୍ଭ କଲା ଓ କମ୍ ମୂଲ୍ୟର ପଇସା ବଜାରରୁ ଅପସରି ଗଲା। ହନୁମାନ ପଇସାକୁ ନେଇ ଗାଁ ଗାଁରେ ହିଂସାକାଣ୍ଡ ଘଟିଲା। ଏମିତି ଖୁଚୁରାର ଭଲ ଦିନ ଚାଲିଗଲା ସବୁ ଦିନ ପାଇଁ। ଆଜି ନଗଣ୍ୟ ମୂଲ୍ୟ ପାଇଁ ଦୋକାନୀମାନେ ଏହାକୁ ନେବାକୁ ଅମଙ୍ଗ। ‘ଇଡି’ ଜବତ କରିଥିବା ନୋଟ ଗଣି ଗଣି ଅଧିକାରୀମାନେ ନୟାନ୍ତ ହେଉଥିଲା ବେଳେ ଖୁଚୁରା ଗଣିବାକୁ ବା କାହାର ସମୟ ଅଛି? ଆଜି ଯଦି କେବେ କିଏ ଖୁଚୁରା ପ୍ରତିବଦଳରେ ଜିନିଷ କିଣି ପାରିବ, ତେବେ ଆଚାର୍ଯ୍ୟଲୁ ମହାଶୟଙ୍କ ଭଳି ସେ ସମ୍ବାଦପତ୍ରରେ ଶିରୋନାମା ମଣ୍ଡନ କରି ପାରିବ।
ମୋ: ୯୪୩୭୦୮୯୬୫୫
ଚିନ୍ମୟ ଚେତନା: ଖୁଚୁରା ଉପାଖ୍ୟାନ
ଚିନ୍ମୟ ହୋତା
/sambad/media/post_attachments/wp-content/uploads/2024/02/fhsfhffshfh.jpg)