ନିକଟରେ ଆମେରିକାର ଦୁଇ ସୁନାମଧନ୍ୟ ଷ୍ଟାନ୍ଫୋର୍ଡ ଓ ମାରିଲ୍ୟାଣ୍ଡ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ସମ୍ପାଦିତ ଏକ ଗବେଷଣା ଅନୁସାରେ ଦିନକୁ ଘଣ୍ଟାଏ ଲେଖାଏଁ ପର ଚର୍ଚ୍ଚା ସବୁ ଦିଗରୁ ଲାଭଦାୟକ ହୋଇଥାଏ। ଗବେଷକମାନଙ୍କ ନିର୍ଯାସ ଅନୁସାରେ ପର ଚର୍ଚ୍ଚା ଆମକୁ ପାରିପାର୍ଶ୍ବିକ ପରିବେଶକୁ ବୁଝିବାରେ ସାହାଯ୍ୟ କରିଥାଏ। ଏହା ଦ୍ୱାରା ଜଣେ ବ୍ୟକ୍ତିର ସାମାଜିକ ଖ୍ୟାତି ପ୍ରସାରିତ ହୋଇଥାଏ, ଏହା ଲୋକଙ୍କୁ ସାମାଜିକ ସମ୍ପର୍କ ସ୍ଥାପନ କରିବାରେ ସାହାଯ୍ୟ କରେ, ଘନିଷ୍ଠତା ବଢ଼ାଏ ଏବଂ ସମବୟସ୍କମାନଙ୍କ ମଧ୍ୟରେ ମତ ବିନିମୟକୁ ଉତ୍ସାହିତ କରେ। ଜଣେ ବିଶେଷଜ୍ଞଙ୍କ କହିବା ଅନୁସାରେ ଉଭୟ ସକାରାତ୍ମକ ଓ ନକାରାତ୍ମକ ଚର୍ଚ୍ଚା ଗୁରୁତ୍ୱପୂର୍ଣ୍ଣ, କାରଣ ଜଣେ ନୂଆ ବ୍ୟକ୍ତି ସହ ମିଶିବା ଏବଂ ତାଙ୍କୁ ନିଜ ଗୋଷ୍ଠୀରେ ସାମିଲ କରିବା ଉଚିତ କି ନୁହେଁ ସେ ନେଇ ଜରୁରୀ ସୂଚନା ଏଭଳି ଚର୍ଚ୍ଚାରୁ ମିଳିଥାଏ। ଏହାର ଅର୍ଥ ସୀମା ଭିତରେ ଥିଲେ ଚୁଗୁଲି ବ୍ୟକ୍ତି ଓ ସମାଜ ପାଇଁ ହିତକର। ଭଲ କଥା, ହେଲେ ଏଇ କଥାକୁ ଏତେ ବୁଦ୍ଧିଆ ବିଶାରଦମାନେ ସମୟ ଓ ଅର୍ଥ ବିନିଯୋଗ କରି ପ୍ରମାଣିତ କରିବା କ’ଣ ଦରକାର ଥିଲା?
ଆଜିକାଲି ମଜାଳିଆ ଓ ଅବାନ୍ତର ଲାଗୁଥିବା ଏମିତି ଅନେକ ଗବେଷଣା ବିଷୟରେ ଶୁଣିବାକୁ ମିଳୁଛି। ଏଇ ଯେମିତି, ‘‘ବେଶୀ ଆରାମ କଲେ ମଣିଷ ପୃଥୁଳ ହୋଇଯିବାର ସମ୍ଭାବନା ରହିଛି’’, କିମ୍ବା ‘‘କଦଳୀ ଚୋପା ଉପରେ ପାଦ ପକାଇଲେ ପାଦ ଖସରି ଯାଏ’’ ଇତ୍ୟାଦି। ଗବେଷକ ଥରେ କଦଳୀ ଚୋପା ଉପରେ ପାଦ ପକାଇଦେଲେ ତ ସେ ତାଙ୍କର ନିଷ୍କର୍ଷ ପ୍ରମାଣ ସହ ପାଇ ଯାଆନ୍ତେ; ଏତେ ଗଭୀର ତତ୍ତ୍ୱ ଭିତରକୁ ଯିବାର ବା କି ଦରକାର? ସେ ଯାହା ବି ହେଉ ଏ ଆଲେଖ୍ୟର ବିଷୟବସ୍ତୁ ଗବେଷଣା ନୁହେଁ, ପର ଚର୍ଚ୍ଚା। ତେଣୁ ସେଠାକୁ ଫେରିବା ଉଚିତ ହେବ।
ପର ଚର୍ଚ୍ଚା ଯଦି ଲାଭଦାୟକ ବା ହିତକର ହୋଇ ନଥାନ୍ତା, ତେବେ ତାହା କାଳ କାଳ ଧରି ସବୁ ସମାଜରେ ଏତେ ଲୋକପ୍ରିୟ ହୋଇ ରହନ୍ତା କେମିତି ଟିକେ ଚିନ୍ତା କଲେ! ଦୁଇଟି ଗବେଷଣା (ପୁଣି ସେହି ଗବେଷଣା!)ର ନିଷ୍କର୍ଷରୁ ଜଣାପଡ଼ିଛି ଯେ ମଣିଷ ପିଲା ପାଞ୍ଚ ବର୍ଷ ବୟସରୁ ପର ଚର୍ଚ୍ଚା କରିବା ଆରମ୍ଭ କରିଦିଏ ତଥା ଆମମାନଙ୍କର ବାର୍ତ୍ତାଳାପର ଶତକଡ଼ା ଷାଠିଏ ଭାଗ ଯାଏ ପର ଚର୍ଚ୍ଚାରେ। ସବୁ ଧର୍ମ ଏହି ଗୁଣଟିର ଭର୍ତ୍ସନା କରିବା ସତ୍ତ୍ୱେ ମଣିଷ ସେ ସବୁ ନୀତିବାଣୀକୁ ଭ୍ରୂକ୍ଷେପ ନ କରିବା ସୂଚେଇ ଦିଏ ଯେ ଚୁଗୁଲି କରିବା ମଣିଷ ଜାତି ପାଇଁ ଏକ ଉପକାରୀ ଅଭ୍ୟାସ। ‘ପଦ୍ମ ପୁରାଣ’ରେ ଲେଖା ଅଛି ଯେଉଁମାନେ ପର ନିନ୍ଦା କରନ୍ତି ନାହିଁ, ସେମାନେ ହିଁ ପ୍ରକୃତ ବୈଷ୍ଣବ। ‘ମନୁ ସଂହିତା’ ନିର୍ଦ୍ଧାରିତ ଦଶଟି କାମଜ ଦୋଷ ମଧ୍ୟରୁ ପର ନିନ୍ଦା ଅନ୍ୟତମ। ଆମ ଦେଶର ପଞ୍ଚତନ୍ତ୍ର, ଲୋକ କଥା, ଢଗଢମାଳି ତଥା ବାବାମାନଙ୍କର ପ୍ରବଚନ ଇତ୍ୟାଦିରେ ଭରି ରହିଛି ପର ଚର୍ଚ୍ଚା ପ୍ରତିକୂଳ ଉପଦେଶାବଳୀ। ଖ୍ରୀଷ୍ଟ ଧର୍ମ ପର ଚର୍ଚ୍ଚାକୁ ତିରସ୍କାର କରେ। ବାଇବେଲରେ ଲେଖା ଅଛି ‘‘ଯେଉଁମାନେ ପର ଚର୍ଚ୍ଚା କରନ୍ତି ସେମାନେ ମୃତ୍ୟୁର ଯୋଗ୍ୟ’’ (ରୋମାନ୍ସ୍ ୧:୨୯)। କୁହନ୍ତୁ ନା, ଚତୁର୍ଦ୍ଦିଗରୁ ଏତିକି ତୀବ୍ର ବିରୋଧ ମଧ୍ୟ ଚୁଗୁଲି ପ୍ରତି ସାଧାରଣ ମଣିଷର ଦୁର୍ବାର ଆକର୍ଷଣକୁ ଟିକିଏ ବି କମାଇ ପାରିଛି କି?
ସଂଜ୍ଞା ଅନୁସାରେ ଦୁଇ ଜଣ ଲୋକ ଯଦି ତୃତୀୟ ଲୋକଟିର ଅନୁପସ୍ଥିତିରେ ତା’ର ବ୍ୟକ୍ତିଗତ ବିଷୟ ଆଲୋଚନା କରନ୍ତି, ତାହା ପର ଚର୍ଚ୍ଚାର ଶ୍ରେଣୀଭୁକ୍ତ। ଆଉ ଏମିତି ପରିସ୍ଥିତି ମିଳିଗଲେ ଅଧିକାଂଶ ଲୋକଙ୍କର ଚୁଗୁଲିର ଲାଳ ଟପଟପ ହୋଇ ବହିବା ଆରମ୍ଭ କରିଦିଏ।
ପର ଚର୍ଚ୍ଚା ପାଇଁ ଦୁର୍ବଳତା ସ୍ତ୍ରୀ ଜାତିର ଅଧିକ ବୋଲି ଏକ ପାରମ୍ପରିକ ଧାରଣା ରହିଆସିଛି। ଦୁଇ ଜଣ ମହିଳା ଏକତ୍ର ହେଲେ ଅନ୍ୟମାନଙ୍କର ଛିଦ୍ର ଖୋଜିବା ଆରମ୍ଭ ହୋଇଯାଏ ବୋଲି ଲୋକେ କହନ୍ତି। ‘ମାଇପି ବିଚାର’ ଭଳି ଶବ୍ଦ ପ୍ରୟୋଗ ହେଉ କି ‘ଏ ଘର ମାଉସୀ ସେ ଘର ପିଉସୀ’ ଭଳି ଢଗ ହେଉ, ପର ଚର୍ଚ୍ଚା ଓ ଛିଦ୍ରନ୍ବେଷଣର ଅପବାଦ ସବୁବେଳେ ମହିଳାଙ୍କ ମୁଣ୍ଡରେ ଲଦି ଦିଆଯାଏ। ଏହି ଧାରଣାକୁ ଆହୁରି ଦୃଢ଼ କରେ ଅକ୍ଷୟ ମହାନ୍ତିଙ୍କ ପ୍ରସିଦ୍ଧ ପଦ, ‘‘ମାଇପିଙ୍କ କାମ ହେଲା, ଖାଲି ମିଟିଙ୍ଗି, ମିଟିଙ୍ଗି, ମିଟିଙ୍ଗି।’’ ଅତୀତରେ ମହିଳାମାନେ ଚାକିରି ନ କରି ମୁଖ୍ୟତଃ ଗୃହ କର୍ମରେ ଲିପ୍ତ ରହୁଥିଲେ ଓ ସ୍ୱାମୀ ତଥା ପିଲାମାନେ ଅଫିସ ଓ ସ୍କୁଲକୁ ଯିବା ପରେ ସେମାନେ ହାତରେ କିଛି ସମୟ ପାଇଯାଉଥିଲେ। ସେହି ଅବକାଶ ସମୟର ମନୋରଞ୍ଜନ ଥିଲା ଏହି ଗପସପ। ଆଜି କିନ୍ତୁ ପୁରୁଷମାନେ ଏ ଗୁଣରେ ଆଉ ପଛରେ ପଡ଼ି ନାହାନ୍ତି। ଅଫିସଗୁଡ଼ିକର କ୍ୟାଣ୍ଟିନ ଆଜି ପର ଚର୍ଚ୍ଚାରେ ପୁରୁଣା ଦିନର ପୋଖରୀ ତୁଠ ଆଉ ସହରୀ ମହିଳାଙ୍କ କିଟି ପାର୍ଟି ସ୍ଥଳଠୁଁ ବି ବେଶୀ ଚଳଚଞ୍ଚଳ। ବସ୍, ବସ୍ଙ୍କ ପାଖ କର୍ମଚାରୀ ତଥା ତାଙ୍କ ପାଖ ହେବାକୁ ଚେଷ୍ଟାରତ ସହକର୍ମୀମାନଙ୍କ ବିଷୟରେ ଟାହିଟାପରାରେ କର୍ମଚାରୀଙ୍କ ଦିନଟି ଭଲରେ କଟିଯାଏ।
ପର ଚର୍ଚ୍ଚାର ସବୁଠୁ ବଡ଼ ପ୍ରୟୋଗ କ୍ଷେତ୍ର ରାଜନୀତି ଓ ଏହା ଉତ୍କର୍ଷ ଲାଭ କରେ ନିର୍ବାଚନ ସରଗରମ ଭିତରେ। ରାଜନୀତିର ଚଳଚଞ୍ଚଳତା ଓ କ୍ଷଣଭଙ୍ଗୁରତା ଭିତରେ ଅକାଳେ ବନ୍ଧୁ ହୁଏ ଶତ୍ରୁ, ଭାଇ ହୁଏ ପ୍ରତିଦ୍ୱନ୍ଦ୍ୱୀ; ତେଣୁ ନିଜ ଲୋକର ଗୋପନ କଥା ପରିଣତ ହୁଏ ପର ନିନ୍ଦାରେ। ମିଥ୍ୟା ଓ ଅର୍ଦ୍ଧସତ୍ୟକୁ ଆଧାର କରି ତିଆରି ହୁଏ ନୂଆ ନୂଆ ମସାଲାଦାର ମିଥ୍ୟା ଅପବାଦ। ଏସବୁ କାହାଣୀରେ ମସଗୁଲ ହୁଅନ୍ତି ସାଧାରଣ ଜନତା, ନୂଆ ନିନ୍ଦା ଶୁଣିବାକୁ ତାଙ୍କର କର୍ଣ୍ଣକଣ୍ଡୁ ଜାତ ହୁଏ। ଆଜିର ସାମାଜିକ ଗଣମାଧ୍ୟମ ଯୁଗରେ ପର ଚର୍ଚ୍ଚାର ଉତ୍ପାଦନ ଶୈଳୀ ଉନ୍ନତତର ଓ ଅଧିକ ତ୍ୱରାନ୍ୱିତ ହୋଇଛି। କାନ କୁହା କଥା ଧୀରେ ଧୀରେ ପରିଣତ ହୋଇଥାଏ ଗୁଜବରେ, ଆଉ ଏହା ବେଳେ ବେଳେ ଭୟଙ୍କର ରୂପ ମଧ୍ୟ ନେଇଥାଏ।
ମହିଳାମାନଙ୍କର ମନୋରଞ୍ଜନ, ରାଜନୀତିଜ୍ଞଙ୍କ ବୃତ୍ତି ଜନିତ ଆବଶ୍ୟକତା ଆଉ ଅଫିସ କର୍ମଚାରୀଙ୍କର କାର୍ଯ୍ୟ ଚାପରୁ ଉପଶମ- ବାସ୍ତବିକ ପର ଚର୍ଚ୍ଚା ସବୁ ବର୍ଗର ଲୋକଙ୍କ ପାଇଁ ଲାଭଦାୟକ ଥିଲା ଓ ରହିବ ମଧ୍ୟ। ଉପର ବର୍ଣ୍ଣିତ ଗବେଷକମାନେ ଜଣା କଥାକୁ ଦୋହରାଇ ଦେଲେ ଯାହା!
ମୋ: ୯୪୩୭୦୮୯୬୫୫
ଚିନ୍ମୟ ଚେତନା: ଲାଭଦାୟକ ପର ଚର୍ଚ୍ଚା
ଚିନ୍ମୟ ହୋତା
/sambad/media/post_attachments/wp-content/uploads/2024/04/gdjjgdgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)