ଆଉ ମାତ୍ର କେଇ ଘଣ୍ଟା ଭିତରେ ସଂସଦରେ ଏ ବର୍ଷର କେନ୍ଦ୍ର ବଜେଟ୍ ଉପସ୍ଥାପିତ ହେବ। ବଜେଟ୍ ପୂର୍ବରୁ ଏହାର ରୂପରେଖ ନେଇ କେତେ ବିଶାରଦଙ୍କ କଳ୍ପନାଜଳ୍ପନା, ଆଉ ବଜେଟ୍ ଘୋଷଣା ସମୟରେ ବ୍ୟୟବରାଦକୁ ନେଇ ଟିଭି, ଗଣମାଧ୍ୟମ ଆଉ ସଭାସମିତିରେ କେତେ ସବୁ ବିଶ୍ଳେଷଣ। ଅବଶ୍ୟ ଆମ ଦେଶର କୋଟି କୋଟି ସାଧାରଣ ଜନତାଙ୍କ ଭଳି ମୋର ମଧ୍ୟ ବଜେଟ୍ ସମ୍ବନ୍ଧୀୟ ଏହି ଦାନ୍ତଭଙ୍ଗା ଶବ୍ଦ ଓ ସଂଖ୍ୟାଗୁଡ଼ିକ ପ୍ରତି ବିଶେଷ ଆକର୍ଷଣ ନ ଥାଏ। ମୁଁ ଖବରକାଗଜରୁ ବିଶେଷ ଆଗ୍ରହର ସହ ପଢ଼େ ‘ଟଙ୍କାଟିଏ କେମିତି ଆସିବ ଓ କେମିତି ଖର୍ଚ୍ଚ ହେବ’, ‘ଗୃହିଣୀମାନଙ୍କ ପାଇଁ ଏଥର ବଜେଟ୍ରେ କ’ଣ ରହିଛି’ ଓ ‘ପାନ ମସଲା, ବିଡ଼ି ଓ ସିଗାରେଟ୍ ମହଙ୍ଗା ହେବ’ ଇତ୍ୟାଦି, କିମ୍ବା ଅତି ବେଶୀ ହେଲେ ଅର୍ଥମନ୍ତ୍ରୀ ତାଙ୍କ ଅଭିଭାଷଣରେ ‘ଚାଣକ୍ୟ ନୀତି’ର କେଉଁ ଶ୍ଳୋକ କିମ୍ବା ଊର୍ଦ୍ଦୁ ଶାୟରୀର କେଉଁ ପଦଗୁଡ଼ିକର ଉଦ୍ଧୃତି ଦେଲେ ଇତ୍ୟାଦି ଇତ୍ୟାଦି।
ଅର୍ଥନୀତିର ଆୟ ବ୍ୟୟ ସମ୍ବନ୍ଧୀୟ ଚର୍ଚ୍ଚାକୁ ଛାଡ଼ିଦେଲେ ବଜେଟ୍ ସମ୍ପର୍କୀୟ ଅନ୍ୟାନ୍ୟ ଖବର ସବୁ ମୋତେ ରୋଚକ ଲାଗେ। ଏଇ ଯେମିତି ନିମ୍ନ ଘଟଣାଟି। ୧୯୮୨ ମସିହାରେ ଅର୍ଥମନ୍ତ୍ରୀ ଥିବା ବେଳେ ସ୍ବର୍ଗତ ପ୍ରଣବ ମୁଖାର୍ଜୀ ଯେତେବେଳେ ତାଙ୍କର ସୁଦୀର୍ଘ ବଜେଟ୍ ଭାଷଣ ସାରିଲେ, ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ମନ୍ତବ୍ୟ ଦେଲେ, ‘ସବୁଠୁଁ ବାଙ୍ଗରା ଅର୍ଥମନ୍ତ୍ରୀ ସବୁଠାରୁ ଦୀର୍ଘ ବଜେଟ୍ ଭାଷଣ ଦେଇଛନ୍ତି।’ ଖର୍ବକାୟ ହେଲେ କ’ଣ ହେଲା, ପ୍ରଣବ ମୁଖାର୍ଜୀଙ୍କ ଠାରେ ଥିଲା ଦୀର୍ଘ ପଥ ଅତିକ୍ରମ କରିବାର କ୍ଷମତା, କାରଣ ସେହି ଘଟଣାର ଦୀର୍ଘ ପଚିଶ ବର୍ଷ ପରେ ମଧ୍ୟ ୨୦୦୯ରେ ଅର୍ଥମନ୍ତ୍ରୀ ହିସାବରେ ସେ ପୁଣି ଥରେ ଆଉ ଏକ ପୂର୍ଣ୍ଣାଙ୍ଗ ବଜେଟ୍ ପେସ କରିଥିଲେ।
ଏସବୁ ମଉଜିଆ କଥା ବ୍ୟତୀତ ବଜେଟ୍ ପ୍ରକ୍ରିୟାର ଯେଉଁ ଧରାବନ୍ଧା କାର୍ଯ୍ୟସୂଚିଟି ମୋତେ ବିଶେଷ ଅମୋଦିତ କରେ, ତାହା ହେଲା ପାରମ୍ପରିକ ‘ହାଲୁଆ ସମାରୋହ’। ଉତ୍ସବର ନାଁଟି ଏତେ ଅଜବ ଯେ ବଜେଟ୍ ଭଳି ଏକ ଗମ୍ଭୀର ପ୍ରକ୍ରିୟା ସହିତ ୟାର କିଛି ନେଣଦେଣ ଥିବ ବୋଲି ସହଜରେ ବିଶ୍ୱାସ ହୁଏନା; ହେଲେ ଏମିତି ଅଦ୍ଭୁତ ସଂଯୋଗ ହିଁ ଏହା ପ୍ରତି ସମସ୍ତଙ୍କର କୌତୂହଳକୁ ଏତେ କାଳ ଅତୁଟ ରଖିଛି। ଏକ ପରମ୍ପରା ଅନୁଯାୟୀ, ବଜେଟ୍ ପ୍ରସ୍ତୁତିର ଅନ୍ତିମ ଭାଗରେ ପ୍ରତି ବର୍ଷ ଏହି ‘ହାଲୁଆ ସମାରୋହ’ ଆୟୋଜିତ ହୋଇଥାଏ। ବଜେଟ୍ ପୂର୍ବରୁ ଏହି ସମାରୋହ ସୂଚିତ କରେ ଯେ ବଜେଟ୍ ଚୂଡ଼ାନ୍ତ ହୋଇଛି ଏବଂ ଏହାର ମୁଦ୍ରଣ କାର୍ଯ୍ୟ ଆରମ୍ଭ ହୋଇଛି। ଆମ ସଂସ୍କୃତିରେ କୌଣସି ଶୁଭକାମ ପୂର୍ବରୁ ‘ମୁହଁ ମିଠା’ କରିବାର ପରମ୍ପରାର ଏକ ନିଦର୍ଶନ ଏହି ‘ହାଲୁଆ ସମାରୋହ’, ହେଲେ କେବଳ ଗୋଟିଏ ବିଚ୍ୟୁତି ହେଲା ଏହି ଯେ ମୁହଁ ମିଠା କରିଥିବା ବ୍ୟକ୍ତିମାନଙ୍କ ଭିତରୁ ଅନେକ ସମାରୋହ ପରେ ‘ବନ୍ଦୀ’ ହୁଅନ୍ତି କିଛି ଦିନ ପାଇଁ। ବଜେଟ୍ ମୁଦ୍ରଣରେ ନିୟୋଜିତ କର୍ମଚାରୀ ଓ ତାଙ୍କୁ ତଦାରଖ କରୁଥିବା ଅଧିକାରୀମାନେ ବଜେଟ୍ର ଗୋପନୀୟତା ରକ୍ଷା ଉଦ୍ଦେଶ୍ୟରେ ଅର୍ଥ ବିଭାଗ ମନ୍ତ୍ରାଳୟ ତଳେ ଥିବା ବେସ୍ମେଣ୍ଟରେ ମୁଦ୍ରଣ ସରିବା ଓ ସଂସଦରେ ବଜେଟ୍ ଉପସ୍ଥାପିତ ହେବା ପର୍ଯ୍ୟନ୍ତ ‘ବନ୍ଦୀ’ର ଜୀବନ କାଟନ୍ତି। ଏହି ଲକ୍-ଇନ୍ କାଳରେ ସେମାନେ ଘରକୁ ଫେରିବା ତ ଦୂରର କଥା, କାହା ସହ ଟେଲିଫୋନ୍ ମାଧ୍ୟମରେ ମଧ୍ୟ ଯୋଗାଯୋଗ କରିପାରିବେ ନାହିଁ। ଏହି କଡ଼ା ନିୟମଗୁଡ଼ିକର କାରଣ ଗୋଟିଏ ଭୟ: କାଳେ ବଜେଟ୍ ଦେଖିଥିବା ବ୍ୟକ୍ତିମାନେ ଏହାକୁ ସମୟ ଆଗରୁ ପ୍ରଘଟ କରିଦେବେ। ଅବଶ୍ୟ ଏହି କଟକଣା ବଜେଟ୍ ଦେଖିଥିବା ଆଇ.ଏ.ଏସ୍. ଅଧିକାରୀମାନଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ ଓ ସେମାନେ ସବୁ ଦିନ ସୁରୁଖୁରୁରେ ଘରକୁ ଫେରିପାରନ୍ତି। ଏହି ପ୍ରକାର ଭେଦଭାବ ପଛରେ ହୁଏତ ରହିଛି ଆମର ସାମନ୍ତବାଦୀ ଚିନ୍ତାଧାରା।
ତେବେ କିସମ କିସମର ମିଷ୍ଟକର ଦେଶ ଭାରତର ଏହି ଗୁରୁତ୍ୱପୂର୍ଣ୍ଣ ସମାରୋହଟିରେ କାହିଁକି ହାଲୁଆକୁ ବଛାଗଲା। କାରଣ ହୁଏତ ଏୟା ଯେ ପରମ୍ପରା ଅନୁସାରେ ଅର୍ଥମନ୍ତ୍ରୀ ନିଜ ହାତରେ ମିଠା ଖାଦ୍ୟଟି ପ୍ରସ୍ତୁତ କରି ସମସ୍ତଙ୍କୁ ପରଷିବା କଥା। ଅନ୍ୟ ଯେ କୌଣସି ମିଠା ଠାରୁ ଏହା ପ୍ରସ୍ତୁତ କରିବା ସହଜ (ଯଦିଓ ଆଜିକାଲି ଅର୍ଥମନ୍ତ୍ରୀ ପ୍ରତୀକାତ୍ମକ ଭାବରେ କଡ଼େଇରେ ଚଟୁ ବୁଲାଇ ଦେଉଛନ୍ତି)। ପୁଣି ହାଲୁଆ ଲୋକପ୍ରିୟତାରେ କିଛି କମ୍ ନୁହେଁ। ପାରସ୍ୟ ବା ଆଜିର ଇରାନରୁ ସୃଷ୍ଟି ହୋଇଥିବା ମିଷ୍ଟକଟି ଭାରତ ବ୍ୟତୀତ ସମଗ୍ର ମଧ୍ୟ ପ୍ରାଚ୍ୟର ଏକ ଜନପ୍ରିୟ ଖାଦ୍ୟ। ପ୍ରସିଦ୍ଧ ବିଦୂଷକ ମୁଲ୍ଲା ନସିରୁଦ୍ଦିନଙ୍କ ହାଲୁଆ ପ୍ରତି ଦୁର୍ବଳତାକୁ ନେଇ ଅନେକ ମଜା କଥା ସବୁ ରହିଛି। ତେବେ ବଜେଟ୍ ପ୍ରକ୍ରିୟା ଯେମିତି ଶସ୍ତା ଜିନିଷ ହେଉ କି ବହୁମୂଲ୍ୟ ସାମଗ୍ରୀ- ସବୁକୁ ହିସାବରେ ରଖେ, ଠିକ୍ ସେମିତି ହାଲୁଆ ପିସ୍ତା, ବାଦାମ କିମ୍ବା ବିଶୁଦ୍ଧ ଘିଅ ଭଳି ଦାମିକା ଉପାଦାନ ଛଡ଼ା ଡାଲି କିମ୍ବା ଗାଜର ଭଳି ସାଧାରଣ ଜିନିଷ ଦ୍ୱାରା ମଧ୍ୟ ତିଆରି ହୋଇପାରେ।
ବଜେଟ୍ ପ୍ରକ୍ରିୟାଟି ଅନେକ ମାତ୍ରାରେ ପରମ୍ପରା ଆଶ୍ରିତ। ଆଗରୁ ଅର୍ଥମନ୍ତ୍ରୀମାନେ ବଜେଟ୍ ନଥିପତ୍ର ଗୋଟିଏ ବ୍ରିଫକେସରେ ସଂସଦ ଗୃହକୁ ଆଣୁଥିଲେ। ନିର୍ମଳ ସୀତାରମଣ ପ୍ରଥମ କରି ସେହି ପରମ୍ପରା ଭାଙ୍ଗି ଗୋଟିଏ ‘ଟ୍ୟାବ୍’ରେ ତାଙ୍କର ଭାଷଣର ଫାଇଲ ସଭାଗୃହକୁ ଆଣିଲେ। ତଥାପି ପରମ୍ପରାକୁ ସମ୍ମାନ ଦେଇ ସେ ଏକ ନାଲି କପଡ଼ାରେ ‘ଟ୍ୟାବ୍’ଟିକୁ ଘୋଡ଼ାଇଥିଲେ।
ଯାହାବି ହେଉ ହାଲୁଆ ପରଷିବା ପରମ୍ପରାଟି ଏତେ ବର୍ଷ ଧରି (କରୋନା କାଳରେ ଦୁଇ ବର୍ଷ ଛାଡ଼ି) ବଜେଟ୍ ସହିତ ଯୋଡ଼ି ହୋଇ ଚାଲିଆସୁଛି। ଦକ୍ଷିଣ ଭାରତୀୟ ମୂଳର ଅର୍ଥମନ୍ତ୍ରୀମାନେ (ଆଜିର ଅର୍ଥମନ୍ତ୍ରୀଙ୍କ ସମେତ) କେବେ ବି ‘ହାଲୁଆ କାହିଁକି? ପାୟସମ୍ କାହିଁକି ନୁହେଁ?’ ବୋଲି ପ୍ରଶ୍ନ କରିନାହାନ୍ତି କିମ୍ବା ଅନେକ ବଜେଟ୍ର ଉପସ୍ଥାପକ ପ୍ରଣବ ମୁଖାର୍ଜୀ କେବେ ‘ରସଗୋଲା ସମାରୋହ’ ପାଇଁ ପ୍ରସ୍ତାବ ଦେବାର ନଜିର ନାହିଁ। ଦେଖିବାକୁ ବାକି ରହିଲା କେବେ କେହି ଓଡ଼ିଆ ଅର୍ଥମନ୍ତ୍ରୀ ହୋଇ ‘ଛେନାପୋଡ଼ ସମାରୋହ’ ପ୍ରସ୍ତାବ ଦେଉଛନ୍ତି କି ନାହିଁ।
ମୋ:୯୪୩୭୦୮୯୬୫୫
ଚିନ୍ମୟ ଚେତନା: ଏକ ମିଠା ପରମ୍ପରା
ଚିନ୍ମୟ ହୋତା
/sambad/media/post_attachments/wp-content/uploads/2024/07/gjgdgjdgjd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)