ସେକ୍ସପିଅର୍ଙ୍କ ‘ମର୍ଚେଣ୍ଟ ଅଫ୍ ଭେନିସ୍’ ନାଟକଟି ଯେତିକି ବିଖ୍ୟାତ, ତା’ଠୁ ଅଧିକ ସୁପରିଚିତ ନାଟକରେ ଖଳନାୟକ ଭାବେ ଚିତ୍ରିତ ସାଇଲକ୍ ନାମକ କରଜଦାତା। ନାଟକଟି ଲେଖା ହେବା ଦିନରୁ ଜନମାନସରେ ଲୋଭ, ପ୍ରତିହିଂସା ଓ ଅମାନବିକତାର ମୂର୍ତ୍ତିମନ୍ତ ପ୍ରତୀକଟିଏ ହୋଇ ରହି ଯାଇଛି ସାଇଲକ୍ ଚରିତ୍ର। କାରଣ ତା’ର ପ୍ରତିଦ୍ୱନ୍ଦ୍ୱୀ ଆଣ୍ଟନିଓ ତା’ଠାରୁ ନେଇଥିବା ଋଣ ଠିକଣା ସମୟରେ ଶୁଝି ନ ପାରିଲେ ପ୍ରତିବଦଳରେ ଆଣ୍ଟନିଓର ଶରୀରରୁ ଏକ ପାଉଣ୍ଡ୍ ମାଉଁସ (‘ପାଉଣ୍ଡ୍ ଅଫ୍ ଫ୍ଲେସ୍’) କାଟି ନେବ ବୋଲି ସେ ସର୍ତ୍ତ ରଖିଥିଲା। ଆଣ୍ଟନିଓ ଠିକ୍ ସମୟରେ ଋଣ ଶୁଝିବାକୁ ଅସମର୍ଥ ହେବାରୁ ସାଇଲକ୍ ସତକୁ ସତ ବିଚାରାଳୟ ଯାଇ ସର୍ତ୍ତ ପୂରଣର ନ୍ୟାୟିକ ଦାବି ମଧ୍ୟ କରିଥିଲା। ଅବଶ୍ୟ ଘଟଣାର ପରିଣତି କ’ଣ ହେଲା ତାହା ଏହି ଆଲେଖ୍ୟର ବିଷୟବସ୍ତୁ ନୁହେଁ, ତେବେ ନିକଟରେ ଘଟିଥିବା ଏକ ଘଟଣା ଯୋଗୁଁ ଋଣ ପରିଶୋଧ ବାବଦକୁ ମଣିଷ ଶରୀରରୁ ମାଉଁସ କାଟିନେବାର ବର୍ବର ସମ୍ଭାବନା ମନକୁ ବିକ୍ଷୁବ୍ଧ କରି ପକାଇଥିଲା।
ସାରା ଦେଶକୁ ନିରାଶାରେ ଭରି ଦେଇଥିଲା ଅଲିମ୍ପିକ୍ସରେ ନିର୍ଦ୍ଦିଷ୍ଟ ସ୍ତର ଠାରୁ ୧୦୦ ଗ୍ରାମ୍ ଅଧିକ ଓଜନ ପାଇଁ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟଙ୍କ ଅଯୋଗ୍ୟ ଘୋଷିତ ହେବାର ସମ୍ବାଦ। ଧୀରେ ଧୀରେ ପଦାକୁ ଆସିଲା ଓଜନ ପରୀକ୍ଷା ଦେବାର ପୂର୍ବ ରାତିରେ ନିଜର ଓଜନ କମାଇବା ପାଇଁ ଏହି ପ୍ରତିଯୋଗୀଙ୍କ କେତେକ ବିପଦପୂର୍ଣ୍ଣ ପ୍ରଚେଷ୍ଟା ସଂପର୍କରେ। ଘଣ୍ଟା ଘଣ୍ଟା ଧରି ଖାଦ୍ୟ ଓ ପାନୀୟ ବିନା ବିଭିନ୍ନ ଶରୀର ଉତ୍ପୀଡ଼କ ବ୍ୟାୟାମ (ୱାର୍କଆଉଟ୍) କରିବା ଓ ସୌନା ପ୍ରକୋଷ୍ଠରେ ଦୀର୍ଘ ସମୟ ବସି ରହି ଦେହରୁ ଝାଳ ନିଗାଡ଼ି ଦେବାକୁ ଚେଷ୍ଟା କରିବା ତାଙ୍କ ପାଇଁ ଏକ ଦୁଃସ୍ୱପ୍ନ ଠାରୁ କିଛି କମ୍ ହୋଇ ନ ଥିବ; ବିଶେଷ କରି ଏମିତି ସମୟରେ ଯେତେବେଳେ ଓଜନ ଯନ୍ତ୍ରର କଣ୍ଟା କୌଣସିମତେ ବାଞ୍ଛିତ ସ୍ତର ପାଖରେ ପହଞ୍ଚୁ ନ ଥିବ। ଫୋଗାଟଙ୍କ ନୈରାଶ୍ୟ ଓ ଆତଙ୍କକୁ ବହୁଗୁଣିତ କରୁଥିବ ତାଙ୍କର କୋଚ୍ ଓ ଟିମ୍ ସଦସ୍ୟଙ୍କ ନିର୍ଦ୍ଦେଶ ଓ ତାଗିଦା, ତଥା ତାଙ୍କର ଅବଚେତନରେ ଥିବା ୧୪୨ କୋଟି ଦେଶବାସୀଙ୍କ ହୃଦୟ ଭାଙ୍ଗିଯିବାର ଆଶଙ୍କା।
ସେ ଦିନ ରାତ୍ରିର ଏହି ଚିତ୍ର ମୋ ମନରେ ଆଙ୍କି ଦେଇଥିଲା ପ୍ରାଚୀନ ରୋମ ସାମ୍ରାଜ୍ୟର କୋଲସିଅମ୍ ଭିତରର ଏକ କାଳ୍ପନିକ ଦୃଶ୍ୟ। ରୋମର ସଂଭ୍ରାନ୍ତ ଶ୍ରେଣୀ କୋଲସିଅମ୍ରେ ବସି ଉପଭୋଗ କରନ୍ତି ଗ୍ଲାଡିଏଟର୍ମାନଙ୍କ ଭିତରେ କିମ୍ବା ମଣିଷ ଓ ସିଂହ ଭିତରେ ରକ୍ତାକ୍ତ ଲଢ଼େଇର ଦୃଶ୍ୟ। ଲଢ଼େଇରେ ଯଦି ପରାଜିତ ଯୋଦ୍ଧାଟି ନ ମଲା, ତେବେ ଦର୍ଶକମାନେ ତାଙ୍କର ବୁଢ଼ା ଆଙ୍ଗୁଳି ତଳକୁ ମୁହଁାଇ ଇଙ୍ଗିତ କଲେ ବିଜୟୀ ଯୋଦ୍ଧା ଦର୍ଶକଙ୍କ ହର୍ଷୋଲ୍ଲାସ ଭିତରେ ତାକୁ ଅଚିରେ ହତ୍ୟା କରିବ। ମୁଁ କିନ୍ତୁ ସେ ଦିନ କାଳ୍ପନିକ କୋଲସିଅମ୍ରେ ଦେଖିଥିଲି ରୁଦ୍ଧ ପଡ଼ିଆରେ ବିଚାରୀ ଭିନେଶ ତାଙ୍କ ପରିସ୍ଥିତି ସହ ଯୁଦ୍ଧ କରି ଚାଲିଛନ୍ତି ଓ ଗ୍ୟାଲେରିରେ ବସି ତା’ଙ୍କ କୋଚ୍, ଡାକ୍ତର ଓ ଦେଶବାସୀ ରକ୍ତ ପାଇଁ ଚିତ୍କାର କରିଚାଲିଛନ୍ତି।
ମୁଁ ପୁଣି ଦେଖିଥିଲି ରକ୍ତ ପିପାସୁ ସାଇଲକ୍ମାନଙ୍କୁ। ସେମାନେ ଯେମିତି ସେମାନଙ୍କର ‘ପାଉଣ୍ଡ୍ ଅଫ୍ ଫ୍ଲେସ୍’ ଦାବି କରିବା ପାଇଁ ସେଠାରେ ପହଞ୍ଚି ଯାଇଥିଲେ। ସେମାନେ ଭିନେଶଙ୍କୁ କହୁଥିଲେ, ‘ଦେଶ ତୁମକୁ ଯଶ, ଅର୍ଥ ଓ ସୁଯୋଗର ଋଣ ଦେଇଛି, ଆଜି ସମୟ ଆସିଛି ତୁମର ରକ୍ତ ମାଂସ ଦେଇ ସେ ଋଣ ପରିଶୋଧ କରିବାର।’ ସେହି ସାଇଲକ୍ମାନେ ଆଉ କେହି ନୁହନ୍ତି, ସେମାନେ କ୍ରୀଡ଼ା କର୍ତ୍ତୃପକ୍ଷ, କୋଚ୍, ପଦକ ଆଶାକୁ ଆଶାତୀତ ଭାବରେ ବଢ଼ାଇ ଦେଉଥିବା ଗଣମାଧ୍ୟମ ଓ ସର୍ବୋପରି ଆପଣ ଓ ମୋ ଭଳି ସାଧାରଣ ଲୋକେ। ଖେଳାଳିଙ୍କର ଶହେ ଗ୍ରାମ୍ ଓଜନ କମେଇବାର ଶେଷ ଚେଷ୍ଟାରେ ଭିନେଶଙ୍କର ମୁଣ୍ଡର କେଶ ଓ ପୋଷାକ ମଧ୍ୟ କାଟି ଛୋଟ କରିଦିଆଯାଇଥିଲା। ଏହା ସାଇଲକ୍ର ‘ପାଉଣ୍ଡ୍ ଅଫ୍ ଫ୍ଲେସ୍’ ଦାବି ଠାରୁ କୋଉ କମ୍ ଯେ? ଭିନେଶଙ୍କ କୋଚ୍ଙ୍କ କହିବା ଅନୁସାରେ ସେ ଦିନ ରାତିରେ ସେହି ଖେଳାଳିଙ୍କ ଶାରୀରିକ ପ୍ରସ୍ତୁତି ତାଙ୍କୁ ମୃତ୍ୟୁର ଦ୍ୱାରଦେଶକୁ ନେଇ ଯାଇଥିଲା। ସୌଭାଗ୍ୟକୁ ସେମିତି କିଛି ଅଘଟଣ ଘଟି ନ ଥିଲା। ପରିଶେଷରେ କ୍ରୀଡ଼ା ବିଷୟକ ଅପିଲ ଶୁଣାଣିର ସର୍ବୋଚ୍ଚ କର୍ତ୍ତୃପକ୍ଷ ମଧ୍ୟ ଭିନେଶଙ୍କ ଆବେଦନକୁ ନାକଚ କରିଦେଲେ। ମାତ୍ର ଶହେ ଗ୍ରାମ୍ ପାଇଁ ପଦକ ହରାଇବା କଥାଟି ଆମ ଭାରତୀୟମାନଙ୍କୁ ଖୁବ୍ ବ୍ୟଥିତ କରିଛି। ହେଲେ କ୍ରୀଡ଼ା ପ୍ରତିଯୋଗିତାର କ୍ଷେତ୍ର ଏକ ନିର୍ମମ ମଞ୍ଚ। ଏକ ସେକେଣ୍ଡର ଶହେ ଭାଗରୁ କମ୍ ସମୟ ବ୍ୟବଧାନରେ ଦୌଡ଼ ଜିଣି ବିଜୟୀ ଇତିହାସ ସୃଷ୍ଟି କରେ ଅଥଚ ତା’ ପଛର ପ୍ରତିଯୋଗୀ ହଜିଯାଏ କେଉଁ ଭିଡ଼ ଭିତରେ।
ଏ ସମସ୍ତ ଘଟଣା ଭିତରେ କିନ୍ତୁ ମୋ ମନରେ ଗୋଟିଏ ପ୍ରଶ୍ନ ଆଜି ବି ଅସମାହିତ ଅବସ୍ଥାରେ ରହିଗଲା: ଅଲିମ୍ପିକ୍ସରେ ଯାହା ସବୁ ଘଟିଗଲା ତାହା କ’ଣ କ୍ରୀଡ଼ାର ପ୍ରକୃତ ମର୍ମ ବହନ କରୁଛି? ମୋ ଭଳି ଅନେକ ଲୋକ ହୁଏତ ପ୍ରଥମେ ଜାଣିବାର ସୁଯୋଗ ପାଇଥିବେ ଯେ ନିର୍ଦ୍ଧାରିତ ବର୍ଗଗୁଡ଼ିକରେ ସ୍ଥାନ ପାଇବା ପାଇଁ ଖେଳାଳିମାନେ ନିଜର ପ୍ରାକୃତିକ ଓଜନକୁ ବହୁ କଷ୍ଟ ସହି କୃତ୍ରିମ ଉପାୟରେ କମେଇ ବା ବେଢ଼ଇ ଥାଆନ୍ତି। ଭିନେଶଙ୍କ ହାରାହାରି ଓଜନ ପ୍ରାୟ ୫୭ କିଲୋ ହୋଇଥିବା ବେଳେ ସେ ୫୦ କିଲୋ ବର୍ଗରେ ଭାଗ ନେଉଥିଲେ। ଆମେ ପିଲା ଦିନରୁ ଶୁଣିଆସିଛୁ ଯେ କ୍ରୀଡ଼ା ପ୍ରତିଯୋଗିତାରେ ଜିତିବା ଅବା ହାରିବା ଠାରୁ ସେଥିରେ ଭାଗ ନେବା ହେଉଛି ବଡ଼ କଥା। ପୁଣି ଖେଳର ଶୃଙ୍ଖଳା ପାଳନ କରିବା, ସାଥୀ ପ୍ରତିଯୋଗୀଙ୍କ ପ୍ରତି ସହୃଦୟତା ଦେଖାଇବା ଓ ସମସ୍ତ ସ୍ୱଚ୍ଛତା ପ୍ରଦର୍ଶନ କରିବା ହେଉଛି ଖେଳାଳିମାନଙ୍କ ପ୍ରଥମ କର୍ତ୍ତବ୍ୟ, ବିଶେଷ କରି ଅଲିମ୍ପିକ୍ସ ଭଳି ଅନ୍ତର୍ଜାତୀୟ ସ୍ତରରେ। ପଦକର ତାଡ଼ନାରେ କୌଣସି ପ୍ରତିଯୋଗୀ ବା ଦେଶ ନୈତିକତାକୁ ଜଳାଞ୍ଜଳି ଦେଇପାରିବ ନାହିଁ।
ଖୁସିର କଥା ପଦକ ଜିତି ନ ଥିଲେ ବି ଭିନେଶଙ୍କ ପ୍ରତ୍ୟାବର୍ତ୍ତନ ପରେ ଦେଶବାସୀଙ୍କ ଭବ୍ୟ ସ୍ୱାଗତ ଯୋଗୁଁ ସେ ସ୍ୱଚ୍ଛନ୍ଦ ଅନୁଭବ କରିଛନ୍ତି ଓ କହିଛନ୍ତି, ‘ଏ ଭଲ ପାଇବା ହଜାରେ ସ୍ୱର୍ଣ୍ଣ ପଦକଠୁ ଭଲ।’
ମୋ: ୯୪୩୭୦୮୯୬୫୫
ଚିନ୍ମୟ ଚେତନା: ଶହେ ଗ୍ରାମ୍ର ବ୍ୟଥା
ଚିନ୍ମୟ ହୋତା
/sambad/media/post_attachments/wp-content/uploads/2024/08/sfhhsfhsfhf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)