ଚିନ୍ମୟ ହୋତା

Advertisment

ନିକଟରେ ରାଜ୍ୟର ଅଗ୍ନିଶମ ବିଭାଗ ଦ୍ୱାରା ଆୟୋଜିତ ପଦୋନ୍ନତି ପରୀକ୍ଷା ବେଳେ ଆଶାୟୀମାନଙ୍କର ପୃଥୁଳକାୟ ଶରୀରକୁ ନେଇ କେତେକ ଘଟଣା ରୋଚକ ଢଙ୍ଗରେ ଗଣମାଧ୍ୟମଗୁଡ଼ିକରେ ବର୍ଣ୍ଣିତ ହୋଇଛି। ଦୀର୍ଘ କାଳ ଧରି ଚାକିରି କରୁଥିବା କେତେକ ଅଶାୟୀଙ୍କର ଥନ୍ତଲ ପେଟ, ସେମାନଙ୍କ ପଦୋନ୍ନତି ପରୀକ୍ଷା ପାଇଁ ଧାର୍ଯ୍ୟ କରାଯାଇଥିବା ସର୍ବନିମ୍ନ ଶାରୀରିକ ଯୋଗ୍ୟତା ପୂରଣ କରିବାରେ ବାଧକ ସାଜିଥିଲା। କେତେ ଜଣ ପରୀକ୍ଷାର୍ଥୀ ନିର୍ଦ୍ଧାରିତ ସମୟ ଭିତରେ ନିର୍ଦ୍ଦିଷ୍ଟ ଦୂରତା ଦୌଡ଼ି ପାରି ନ ଥିଲେ ଓ ଆହୁରି ଅନେକେ ପହଁରି ପାରି ନ ଥିଲେ। ପାଣିରେ ଉବୁଟୁବୁ ହେଉଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ଜଣକୁ ତ ଡାକ୍ତରଖାନା ନେବାକୁ ପଡ଼ିଥିଲା। 
ଘଟଣାଟି ଦେଖଣାହାରିଙ୍କୁ ମନୋରଞ୍ଜନ ଯୋଗାଇ ଥାଇପାରେ, ହେଲେ ସାଧାରଣ ନାଗରିକମାନଙ୍କୁ ଅଗ୍ନି ବ୍ୟୁତ୍ପାତ ତଥା ଅନ୍ୟାନ୍ୟ ଦୁର୍ବିପାକରୁ ସୁରକ୍ଷା ଯୋଗାଉଥିବା କର୍ମଚାରୀମାନଙ୍କୁ ସର୍ବସାଧାରଣରେ ଏମିତି ଉପହାସର ପାତ୍ର କରାଯିବା ଏକ ଘୋର ଅନ୍ୟାୟ। ଅବଶ୍ୟ ସେମାନେ ନିଜର ଦୁରବସ୍ଥା ପାଇଁ ପଦୋନ୍ନତି ପରୀକ୍ଷା ଦୀର୍ଘ ଚଉଦ ବର୍ଷ ପରେ ହୋଇଥିବାରୁ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। କାରଣ ଠିକ୍‌ ସମୟରେ ପରୀକ୍ଷା ହେଉଥିଲେ ସେମାନେ ଫିଟ୍ ରହିଥାନ୍ତେ ଓ ପରୀକ୍ଷା ସୁରୁଖୁରରେ ପାସ୍ କରିପାରନ୍ତେ। କୋଟି କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ୱେ ଜଣେ ଅଲିମ୍ପିକ୍‌ ଖେଳାଳି ତାଙ୍କର ଓଜନ କମାଇ ନ ପାରି ଯଦି ଅଯୋଗ୍ୟ ଘୋଷିତ ହୋଇଗଲେ, ‘ମାର ମାର ଭଣ୍ଡାରିଆକୁ ମାର’ ନ୍ୟାୟରେ ଅଗ୍ନିଶମ ବିଭାଗର ହାବିଲଦାରମାନଙ୍କୁ କାହିଁକି ଏତେ ଅପଦସ୍ଥ କରାଯିବ? ମେଦ ବୃଦ୍ଧି ତ ନିଆଁ ପାଣିର କଥା ଭଳି ଅନିଶ୍ଚିତ ବିଷୟଟିଏ! 
କହିଲେ ଦେଖି ମେଦ ବହୁଳତାର ପ୍ରଭାବ ଆଜି କେଉଁ କ୍ଷେତ୍ରକୁ ବ୍ୟାପି ନାହିଁ? ଦେଖନ୍ତୁ ରାଜନୀତି କ୍ଷେତ୍ରଟିକୁ। ପାରମ୍ପରିକ ଭାରତୀୟ ନେତାଟିର କଥା ଚିନ୍ତା କଲେ ମନକୁ ଆସିଯାଏ ଶୁଭ୍ର ବସ୍ତ୍ର ଓ ଗାନ୍ଧୀ ଟୋପି ପରିହିତ ଥନ୍ତଲପେଟା ଚେହେରାଟିଏ। ସତେ ଯେମିତି ପୃଥୁଳ ଶରୀର ଜଣେ ରାଜନୀତିଜ୍ଞର ପରିଚୟ। ଥରେ ସେମିତି ଜଣେ ବିଶାଳ ବପୁଧାରୀ ନେତା ନିଜ ନିର୍ବାଚନ କ୍ଷେତ୍ରର କୌଣସି ଏକ ଅନୁନ୍ନତ ଓ ଅଗମ୍ୟ ଅଞ୍ଚଳକୁ ନିର୍ବାଚନ ପ୍ରଚାର ପାଇଁ ଯାଇଥିଲେ। ଜଣେ ଶୀର୍ଣ୍ଣ ଦେହଧାରୀ ବ୍ୟକ୍ତିକୁ ଦେଖି ନେତାଙ୍କ ମୁହଁରୁ ଆପଣ ଛାଏଁ ବାହାରିଗଲା, ‘ତୁମକୁ ଦେଖି ଲାଗୁଛି ଏ ଅଞ୍ଚଳରେ ମରୁଡ଼ି ପଡିଛି।’ ବ୍ୟକ୍ତିଟି ଦୁର୍ବଳ ଦେଖାଗଲେ କ’ଣ ହେଲା, ଥିଲା ପ୍ରତ୍ୟୁତ୍ପନ୍ନମତି। ତେଣୁ ତତ୍‌କ୍ଷଣାତ୍‌ ଉତ୍ତର ଦେଲା, ‘ଆଉ ଆପଣଙ୍କୁ ଦେଖି ଲାଗୁଛି ମରୁଡ଼ିର କାରଣ ଖୋଦ ଆପଣ।’
କ୍ଷମତା ରାଜନୀତି ସହିତ ମେଦବହୁଳତାର ସମ୍ପର୍କ ବହୁତ ଗଭୀର। ଇତିହାସର ପୃଷ୍ଠା ଓଲଟାଇଲେ ଜଣାଯାଏ ଅତି କମ୍‌ରେ ୨୮ ଜଣ ସମ୍ରାଟ, ରାଜା କିମ୍ବା ସମ୍ଭ୍ରାନ୍ତ ଚରିତ୍ରଙ୍କୁ ‘ଦି ଫ୍ୟାଟ୍’ ସଂବୋଧନ କରାଯାଉଥିଲା। ଇଂଲାଣ୍ଡର ଜଣେ ପୁରୁଣା ରାଜା ‘ଉଇଲିଅମ୍ ଦି କଂକରର୍’ ତ ଏତେ ପୃଥୁଳକାୟ ଥିଲେ ଯେ ତାଙ୍କର ମୃତ ଶରୀରକୁ କଫିନ୍‌ ଭିତରେ ପୂରେଇ ରଖିବାକୁ ଚେଷ୍ଟା କଲା ବେଳେ କଫିନଟି ଫାଟି ଯାଇଥିଲା। କିନ୍ତୁ ଏହି ରାଜା ଜଣକ ଯୁଦ୍ଧ ଲଢ଼ିବାରେ ଥିଲେ ଧୁରନ୍ଧର। ଅନେକ ଯୁଦ୍ଧରେ ନିଜେ ଭାଗ ନେଇ ସେ ଇଂଲାଣ୍ଡକୁ ବିଜୟୀ କରାଇଥିଲେ। ଜର୍ମାନୀର ଏକ ପ୍ରଦେଶର ଶାସକ ଫ୍ରେଡ୍‌ରିକ୍‌ ପ୍ରଥମ ଏତେ ମୋଟା ଥିଲେ ଯେ ଥରେ ସେ ଖାଇବା ସ୍ଥାନରୁ ଉଠିବା ପାଇଁ ଅସୁବିଧା ହେବାରୁ ସାମନାରେ ପଡ଼ିଥିବା ଟେବୁଲଟିକୁ କରତରେ କାଟିବାକୁ ପଡ଼ିଥିଲା। ଯଦି ଏହି ମୋଟା ଯୋଦ୍ଧା ଓ ବୀରମାନେ ଦୀର୍ଘ କାଳ ଧରି ଶାସନର ଭାର ସମ୍ଭାଳି ପାରୁଥିଲେ, ତେବେ ଆମର ଅଗ୍ନି ସେବା ବିଭାଗର କର୍ମଚାରୀମାନେ ତାଙ୍କର ଦାୟିତ୍ୱରେ କାହିଁକି ବା ଖିଲାପ କରନ୍ତେ? ରାଜନୀତି, ଶାସନ, ତଥା ଅନେକ ଅନ୍ୟ କ୍ଷେତ୍ରରେ ଶାରୀରିକ କଟକଣା ମାନ ନଥିବା ବେଳେ କିଛି ସେବା ପାଇଁ ଏହା ଅନିବାର୍ଯ୍ୟ ହେବା ଯୁକ୍ତିଯୁକ୍ତ କି? 
ଅନେକ ସଂସ୍କୃତିରେ ପତଳା ଚେହେରାକୁ ସୌନ୍ଦର୍ଯ୍ୟ ସହ ଯୋଡ଼ି ଦିଆଯାଇଛି ଏବଂ ସେହି କାରଣରୁ ମୋଟାପଣକୁ ଅବାଂଛନୀୟ ବୋଲି ଧରି ନିଆଯାଉଛି। ମେଦବହୁଳତାକୁ କୁତ୍ସିତ ରୂପ ଦେବା ଫଳରେ ଭୟଙ୍କର ସାମାଜିକ ବ୍ୟାଧିମାନ ସୃଷ୍ଟି ହେଉଛି। ଅନ୍ୟର ଶରୀର ଗଢ଼ଣକୁ ନେଇ ନେତିବାଚକ ମନ୍ତବ୍ୟ ଦେବା ବା ଉପହାସ କରିବା (ବଡି ସେମିଙ୍ଗ୍‌) ଆମ ସମାଜରେ ଏବେ ବି ଏକ ସାଧାରଣ ଘଟଣା, କିନ୍ତୁ ଏହାର ଶରବ୍ୟ ହେଉଥିବା ବ୍ୟକ୍ତିଟିର ମନରେ ଏହା କିପରି ଦୁଃପ୍ରଭାବ ଛାଡ଼ି ଯାଏ, ସେ କଥା କେହି ଭାବନ୍ତି ନାହିଁ। ସେଦିନ ଅଗ୍ନିଶମ କର୍ମଚାରୀଙ୍କ ଶାରୀରିକ ପରୀକ୍ଷା କ୍ଷେତ୍ରରେ ଯାହା ସବୁ ଘଟିଗଲା ତାହା ‘ବଡି ସେମିଙ୍ଗ୍‌’ର ଏକ ନଗ୍ନ ରୂପ ମାତ୍ର। 
ଆଜି ବି କିଛି ସଂସ୍କୃତି ଅଛନ୍ତି ଯେଉଁଠି ହୃଷ୍ଟପୁଷ୍ଟ ଓ ବିଶାଳ ଶରୀରକୁ ଅଧିକ ସମ୍ମାନ ଦିଆଯାଏ। ନାରୀମାନଙ୍କର କ୍ଷୀଣାଙ୍ଗୀ ହେବାର ଅଭିଳାଷ ପ୍ରାଚୀନ କାଳରୁ ରହି ଆସିଛି, ହେଲେ ଆଜି ଶରୀରକୁ ‘ସାଇଜ୍‌ ଜିରୋ’ କରିବାର ତାଡ଼ନାରେ ଅନେକ ଯୁବତୀ ଅକଥ୍ୟ ଶାରୀରିକ ଓ ମାନସିକ କଷ୍ଟ ଭୋଗୁଛନ୍ତି ଯାହା। ପତଳା ହେବା ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ଆଜି ଜିମ୍‌ଗୁଡ଼ିକ ଛତୁ ଫୁଟିଲା ଭଳି ବଢ଼ି ଚାଲିଛନ୍ତି। ପତଳା ହେବା ପାଇଁ କେତେ ଯେ ତଥାକଥିତ ‘ଅଭିନବ ଓ ଅବ୍ୟର୍ଥ ଉପାୟ’ମାନ ବାହାରି ଲୋକଙ୍କୁ ଲୁଟି ଚାଲିଛନ୍ତି ତା’ର ହିସାବ କିଏ ରଖୁଛି?
ଅବଶ୍ୟ, ମେଦ ନିୟନ୍ତ୍ରଣ କ୍ଷେତ୍ରରେ ଏକ ନୂତନ ଔଷଧର ଉଦ୍ଭାବନ ଓ ପ୍ରସାର ଆଜି ମାନବ ସମାଜକୁ ନୂତନ ଆଶାର ଆଲୋକ ଦେଖାଇଛି। ‘ଜି.ଏଲ୍‌.ପି.-୧’ ଶ୍ରେଣୀର ଏହି ଔଷଧ ମେଦ ବୃଦ୍ଧି ସମସ୍ୟାର ସ୍ଥାୟୀ ସମାଧାନ ବୋଲି ବିଶେଷଜ୍ଞମାନେ ସନ୍ତୁଷ୍ଟ। ପ୍ରତ୍ୟେକ ଆଠ ଜଣରେ ଜଣେ ଆମେରିକୀୟ ବର୍ତ୍ତମାନ ଏହି ଔଷଧ ଗ୍ରହଣ କରୁଛନ୍ତି ଓ ୨୦୨୬ ସୁଦ୍ଧା ଏହା ଭାରତରେ ମଧ୍ୟ ଉପଲବ୍‌ଧ ହେବ। ପ୍ରସଙ୍ଗ କ୍ରମେ ଉଲ୍ଲେଖ କରାଯାଇପାରେ ଯେ ଏହି ଶ୍ରେଣୀର ଔଷଧ ମେଦ ବୃଦ୍ଧି ବ୍ୟତିରକେ ମଧୁମେହ, କିଡ୍‌ନି ରୋଗ, ଅଲ୍‌ଝାଇମର୍ସ, ଷ୍ଟ୍ରୋକ୍‌, ବାର୍ଦ୍ଧକ୍ୟ ଜନିତ ରୋଗ, ନିଶା ଆସକ୍ତି ଓ ଅନେକ ଅନ୍ୟ ରୋଗର ରାମବାଣ ବୋଲି କୁହାଯାଉଛି।
ଗୋଟିଏ ଔଷଧ ପ୍ରୟୋଗ ଦ୍ୱାରା ଯଦି ଜଣକୁ ଶାରୀରିକ ଭାବେ ସୁନ୍ଦର କରାଯାଇପାରିଲା, ତେବେ ଅଗ୍ନିଶମ କର୍ମଚାରୀମାନଙ୍କୁ ସର୍ବସମକ୍ଷରେ ଏମିତି ଉପହସିତ କରାଯିବ କାହିଁକି?
ମୋ: ୯୪୩୭୦୮୯୬୫୫