ଚିନ୍ମୟ ହୋତା

Advertisment

ଏଥର ସାବିତ୍ରୀ ବ୍ରତ ବେଳେ ଗୋଟିଏ ମଜାଳିଆ ଭିଡିଓ ଦେଖିବାକୁ ମିଳିଲା। ଆଧୁନିକା ସ୍ତ୍ରୀଟି ବ୍ରତ ସାରି ତା’ର ସ୍ୱାମୀର ପାଦ ଛୁଇଁ ପ୍ରଣାମ କରିବା ପାଇଁ ପ୍ରସ୍ତୁତ ହେଉଛି ଓ ସ୍ୱାମୀଟି ଆନନ୍ଦ ମନରେ ଗୋଡ଼ଗୁଡ଼ିକୁ ଆଗକୁ ବଢ଼େଇ ଦଉଛି। ଏବେ ସ୍ତ୍ରୀ ଜଣକ ତା’ର ମୋବାଇଲ ଫୋନର କ୍ୟାମେରାରେ ସ୍ୱାମୀର ପାଦ ଦୁଇଟିର ଫଟୋ ଉଠାଉଛି ଓ ସେହି ପାଦର ଚିତ୍ରଟିକୁ ମୁଣ୍ଡରେ ଛୁଆଁଇ ପ୍ରଣାମ କରୁଛି। ଏହା ହେଲା ଆଜିର ଯୁଗୋପଯୋଗୀ ଇ-ମୁଣ୍ଡିଆ। ଏହି ପଦ୍ଧତିରେ ସର୍ବାଙ୍ଗକୁ ଭୂଇଁରେ ଲଗାଇବା ତ ଦୂରର କଥା, ଶରୀରକୁ ନୂଆଇଁବାକୁ ବି ପଡ଼ିବ ନାହିଁ। 
ଭିଡିଓଟି ବିଶୁଦ୍ଧ ବ୍ୟଙ୍ଗ ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ ଥିଲା, କିନ୍ତୁ ଏହା ଅବାନ୍ତର ନ ଥିଲା, କାରଣ ଏହା ଆମର ଚାଲିଚଳଣରେ ଘଟୁଥିବା କିମ୍ଭୂତକିମାକାର ପରିବର୍ତ୍ତନ ସବୁକୁ କଟାକ୍ଷ କରୁଥିଲା। ପୁରୁଣା ରୀତିନୀତିକୁ ଆମେ ଛାଡ଼ି ପାରୁନୁ, ତେବେ ସମୟ ଓ ଅନୁକୂଳ ପରିବେଶର ଅଭାବ ଦୃଷ୍ଟିରୁ ସବୁକୁ ଟିକେ କାଣ୍ଟଛାଣ୍ଟ କରିଦେଉଛୁ। ସବୁ କିଛି ଛୋଟ ଆକାରରେ ଆଉ ଚଟାପଟ କରିନେବାର ନିଶା ଆଜି ଯେତେବେଳେ ଆମକୁ ଘାରିଛି, ନିଷ୍ଠା ଟିକେ କମ୍ ପଡ଼ିଗଲେ କ’ଣ ବା ମହାଭାରତ ଅଶୁଦ୍ଧ ହୋଇଗଲା? ଛାଡ଼ନ୍ତୁ ସେ କଥା, ଆସିବା ପାଦ ଉପରକୁ।
ଯଦି ଆମ ଶରୀରର ବିଭିନ୍ନ ଅଙ୍ଗକୁ ବିଚାରକୁ ନେବା, ପାଦଠୁଁ ବଡ଼ ଜିନିଷ ବୋଧେ କିଛି ନାହିଁ। ନ ହେଲେ କ’ଣ ଭକ୍ତି ପ୍ରକାଶ କରିବାକୁ ହେଲେ ପ୍ରଥମେ ଖୋଜା ପଡ଼ନ୍ତା ସେହି ଗୋଡ଼ ଦିଓଟିକୁ? ସବୁ ଭକ୍ତଙ୍କ ଆଗ ଲୋଡ଼ା ସେହି ‘ପାଦପଦ୍ମ’, ଏମିତିକି ଯେଉଁ ଠାକୁରମାନଙ୍କର ପାଦ ନାହିଁ ସେମାନଙ୍କର ବି- ଏଇ ଯେମିତି ଆମ ଶ୍ରୀମନ୍ଦିରର ମୁଖ୍ୟ ଦିଅଁମାନଙ୍କର। ଆଗ ପାଦଧୂଳିକୁ ମୁଣ୍ଡରେ ଲଗାଇବା, ତା’ ପରେ ଯାଇ ଚକା ଆଖି ବା କଳା ବଦନକୁ ଚାହିଁ ବିହ୍ବଳିତ ହେବା। ସ୍ୱାସ୍ଥ୍ୟ ବିଜ୍ଞାନର ଦୁନିଆରେ ସିନା ପାଦର ମଇଳା ରୋଗ ବାହକ, କିନ୍ତୁ ଠାକୁର ଓ ନମସ୍ୟମାନଙ୍କର ଚରଣ ରେଣୁ ସବୁବେଳେ ସ୍ୱାସ୍ଥ୍ୟକର। ବିଶ୍ୱାସର ପୁଣି ନିଜସ୍ୱ ସ୍ୱତନ୍ତ୍ର ଗୁଣ ସବୁ ରହିଛି କି ନାହିଁ? 
ଯଦି ନ ଥାନ୍ତା ତେବେ ସ୍ୱୟଂ ଦେବତାମାନେ କ’ଣ ଭକ୍ତି ପ୍ରକାଶ କରିବା ପାଇଁ ଆଉ କାହାର ପାଦମାନ ଖୋଜୁଥାନ୍ତେ, କିମ୍ବା ଚରଣାମୃତ ଟିକେ ପିଇବା ପାଇଁ ଆତୁର ହେଉଥାନ୍ତେ? ଭଗବାନ ଶ୍ରୀକୃଷ୍ଣ ସିନା ସାଥୀ ସୁଦାମାଙ୍କ ପାଦ ଧୋଇବାର ସୁଯୋଗ ପାଇ ଯୁଗ ଯୁଗକୁ କଥା ରଖିଗଲେ, ହେଲେ ସବୁ ଦେବତାଙ୍କ ଭାଗ୍ୟରେ ତାହା ଜୁଟି ନ ଥାଏ। ନ ହେଲେ ରାମଙ୍କ ପାଦ ଧୋଇବା ପାଇଁ ବ୍ରହ୍ମା ଏତେ ଆତୁର ହୁଅନ୍ତେ ନା ସେ ପାଦ ଧୋଇ ନ ପାରି ଶିବଙ୍କୁ ଏତେ ବିଷାଦଗ୍ରସ୍ତ ହେବାକୁ ପଡ଼ିଥାନ୍ତା (‘‘ବ୍ରହ୍ମାରେ ଧୌତ ଯେ ପଦ, ନୋହିଛି ଶିବେ ବିଷାଦ/ନ ପାଇ ଚରଣାମୃତ ପାନକୁ ଇଚ୍ଛି’’)? ଖାଲି କ’ଣ ଦେବତା, ଅକିଞ୍ଚନ ପଶୁଙ୍କ ପାଦ ମଧ୍ୟ ଧରିବାକୁ ଈଶ୍ବରମାନେ ସଂକୋଚ କରିନାହାନ୍ତି। ଜରାସନ୍ଧକୁ ବଧ କରିବା ପାଇଁ ଶ୍ରୀକୃଷ୍ଣ ଗଧ ପାଦ ଧରିଥିଲେ। ପୁଣି କୁମ୍ଭୀର ମୁହଁରୁ ହାତୀକୁ ରକ୍ଷା କଲା ବେଳେ ସେ ହାତୀର ପାଦ ଧରିଛନ୍ତି (‘‘କୁମ୍ଭୀର ମୁଖୁଁ ବନମାଳି। ହସ୍ତୀ ଚରଣ ହସ୍ତେ ତୋଳି’’- ଭାଗବତ)। 
ଦେବତାମାନେ ଯଦି ଅନ୍ୟର ଚରଣ କମଳ ପାଇଁ ଏତେ ଆତୁର, ମଣିଷ ଏହି ଦିଗଟିକୁ ଅଣଦେଖା କରନ୍ତା କେମିତି? ତେଣୁ ଆଜି ସଭା, ସମିତି, ସମାରୋହ ସବୁଠି ‘‘ଦେହି ପଦ ପଲ୍ଲଵ ମୁଦାରମ୍’’ର ସ୍ୱର, ସମସ୍ତଙ୍କର ମୁଣ୍ଡିଆ ମାରିବା ପାଇଁ ପାଦ ଦରକାର। ମଣିଷ ଅନ୍ୟର ପାଦ ଧରି ସମ୍ମାନ ଜଣାଇବା କ୍ରିୟାଟି ସହିତ ନୂଆ ନୂଆ ଶୈଳୀମାନ ଯୋଡ଼ି ଚାଲିଲା ଓ ଏହାକୁ ଏକ କଳାର ରୂପ ପ୍ରଦାନ କଲା। ଦଣ୍ଡ ପରି ଭୂମିରେ ପଡ଼ି ପ୍ରଣାମ (ଦଣ୍ଡବତ), ଭୂମିରେ ମୁହଁମାଡ଼ି ‌େଯାଡ଼ହାତରେ ପ୍ରଣିପାତ (ଭୂମିଷ୍ଠ ପ୍ରଣାମ), ଆଠଗୋଟି ଅଙ୍ଗ, ଯଥା ହାତ, ପାଦ, ଜାନୁ, ଛାତି, ଚକ୍ଷୁ, ମସ୍ତକ, ବାକ୍ୟ ଓ ମନ ଲଗାଇ ପ୍ରଣାମ (ସାଷ୍ଟାଙ୍ଗ ପ୍ରଣାମ) ଇତ୍ୟାଦି। ଏସବୁ ଆପଣଙ୍କୁ ଯୋଗର ଜଟିଳ ଆସନ ଭଳି ଲାଗୁଥିଲେ ମଧ୍ୟ, ଏଗୁଡ଼ିକ ନିରୁତା ସମ୍ମାନ ପ୍ରଦର୍ଶନର ମୁଦ୍ରା ମାତ୍ର। 
ହେଲେ ମୁଣ୍ଡିଆ ପକାଇବାର ବିବିଧତା ଏଇ କେତୋଟି ମୁଦ୍ରାରେ ସୀମିତ ରହି ନାହିଁ। କେତେ ଜଣ ନିଜସ୍ୱ ବ୍ୟକ୍ତିଗତ ଶୈଳୀମାନ ଯୋଡ଼ି ପ୍ରକ୍ରିୟାଟିକୁ ଆହୁରି ବୈଚିତ୍ର୍ୟମୟ କରି ପକାଇଛନ୍ତି। ଯେମିତି ଅନେକ ସମୟ ଧରି ଗୋଡ଼ ନ ଛାଡ଼ିବା, ପାଦଗୁଡ଼ିକୁ ଶକ୍ତ ଭାବରେ ଜାବୁଡ଼ି ଧରିବା, ପାଦ ଛୁଇଁଲା ବେଳେ ଆବେଗରେ ବହି ଯାଇ କାନ୍ଦିବା ଇତ୍ୟାଦି। ଥରେ ଜଣେ ବାବାଙ୍କ ପ୍ରବଚନ ପରେ ଜଣେ ଶିଷ୍ୟ ସାଷ୍ଟାଙ୍ଗ ପ୍ରଣାମ କଲା ବେଳେ, ଉପରୋକ୍ତ ସମସ୍ତ ତିନିଟି ଯାକ ଶୈଳୀ ଏକ ସାଙ୍ଗରେ ପ୍ରୟୋଗ କରିଦେଲେ। ବାବାଙ୍କ ଆଖିରେ ଭୟ ସ୍ପଷ୍ଟ ଦେଖି ହେଉଥିଲା। ନିଜ ଗୋଡ଼କୁ ଛଡ଼ାଇବାକୁ ସମସ୍ତ ଚେଷ୍ଟା ବିଫଳ ହେଲାପରେ ସେ ନିଜର ସହକାରୀମାନଙ୍କୁ ଆଖିରେ ଇଙ୍ଗିତ କରି ଏହି ଭକ୍ତଙ୍କୁ ଅତିଶୟ ଭକ୍ତି ପ୍ରଦର୍ଶନରୁ ନିବୃତ୍ତ କରାଇଥିଲେ।
ଆଉ ଜଣେ ପ୍ରସିଦ୍ଧ ବାବା କିନ୍ତୁ ଏଭଳି ବିପଦରୁ ସୁରକ୍ଷିତ ଥିଲେ, କାରଣ ସେ ଦଶ ଫୁଟ ଉଚ୍ଚର ଗୋଟିଏ ମଞ୍ଚା ଉପରେ ବସି ଦର୍ଶନ ଦେଉଥିଲେ ଓ ସେହି ମଞ୍ଚାରୁ ଭକ୍ତର ମୁଣ୍ଡ ଉପରେ ନିଜର ପାଦ ରଖି ଆଶୀର୍ବାଦ ଦେଉଥିଲେ। ଯଦି କୌଣସି ଭକ୍ତ ଆବେଗର ବଶବର୍ତ୍ତୀ ହୋଇ ତାଙ୍କ ପାଦ ଜାବୁଡ଼ନ୍ତା, ତେବେ ବାବା ଗୋଇଠାଟିଏ ମାରି ମୁକୁଳି ଯିବାର ବିକଳ୍ପଟି ନିଜ ପାଖରେ ରଖିଥିଲେ।
ମୁଣ୍ଡିଆ ମରା ପ୍ରକ୍ରିୟାଟି କ୍ରମଶଃ ସଂକୁଚିତ ହୋଇ ଚାଲିଲା। ଆଜିର ସଂକ୍ଷିପ୍ତୀକରଣର ଯୁଗରେ ଏହା ଅତି ସହଜ ହୋଇ ଗଲାଣି। ନୂଆ ପିଢ଼ିର ମଣିଷମାନେ ଅଣ୍ଟାକୁ ଈଷତ ବଙ୍କାଇ, ଆଙ୍ଗୁଳି ବଢ଼ାଇ, ଆରାଧ୍ୟର ପାଦ ଛୁଇଁବାର ଏମିତି ଭଙ୍ଗୀ କରୁଛନ୍ତି, ଦେଖିଲେ ଲାଗେ ସେମାନେ ଯେମିତି ତଳେ ଖସି ପଡ଼ିଥିବା ପଇସା ଉଠାଇବାକୁ ଚେଷ୍ଟା କରୁଛନ୍ତି। ଆଉ ଅନେକ ସମୟରେ କମର ନ ବଙ୍କାଇ ହାତଟିକୁ ନମସ୍ୟର ପାଦ ଆଡ଼କୁ ବଢ଼ାଇ ଶୁନ୍ୟରେ ମୁଣ୍ଡିଆ ମରାଯାଇ ପାରୁଛି। 
ଏସବୁ ଯଦି ହୋଇ ପାରୁଛି, ଉପର ବର୍ଣ୍ଣିତ ଇ-ମୁଣ୍ଡିଆ ଆଗକୁ ବିଶେଷ ଭାବରେ ଲୋକପ୍ରିୟ ହେବ ନାହିଁ କାହିଁକି? 
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୮୯୬୫୫