ଚିନ୍ମୟ ହୋତା
ସୁଧୀର ବାବୁ ସେଦିନ ଖବରକାଗଜର ସଂପାଦକୀୟ ପୃଷ୍ଠାଟି ଖୋଲିଲେ। ଦିନଟି ଥିଲା ତାଙ୍କର ପାକ୍ଷିକ ସ୍ତମ୍ଭ ପ୍ରକାଶନର ବାର। ତେଣୁ ନିଜ ଲେଖାଟିକୁ ଯଥା ସ୍ଥାନରେ ଦେଖି ସେ ଖୁବ୍ ଆନନ୍ଦିତ ହେଲେ ଓ ଆମୂଳଚୂଳ ପଢ଼ି ପକାଇଲେ। ହେଲେ ଲେଖା ଶେଷରେ ଗୋଟିଏ ସୂଚନା ଦେଖି ତାଙ୍କ ଆଖି ସେଇଠି ଅଟକି ଗଲା। ବନ୍ଧନୀ ଭିତରେ ତିନିଟି ଶବ୍ଦ ଲେଖା ଯାଇଥିଲା, ‘ମତାମତ ଲେଖକଙ୍କ ନିଜସ୍ୱ’। ହଠାତ୍ ଏମିତି ସୂଚନାଟିଏ କାହିଁକି ଦିଆଗଲା? ମୋ ଲେଖାଟିରେ ତ କୌଣସି ରାଜନୈତିକ, କି ପ୍ରଶାସନିକ ବିଷୟ ଉଠାଯାଇନି; କାହାକୁ ଆକ୍ଷେପ କଲା ଭଳି କିଛି ଲେଖା ହୋଇନାହିଁ। ତାଙ୍କ ଆହ୍ଲାଦିତ ମନଟି ଟିକେ ଫିକା ପଡ଼ିଗଲା। ତାଙ୍କୁ ଲାଗିଲା ଯେମିତି ସଂପାଦକ ତାଙ୍କୁ ନିଜଠୁ ଦୂରେଇ ଦେଲେ, ଗୋଟିଏ ବିରାଟ ସମ୍ବାଦ ସଂସ୍ଥା ତାଙ୍କୁ ଏତେ ଦିନ ଯାଏ ଦେଇ ଆସିଥିବା ଅଭୟ ମୁଦ୍ରାଟି ଯେମିତି ଆଜି ଅପସରି ଗଲା। ଲାଗିଲା ଯେମିତି ସଂପାଦକ ତାଙ୍କୁ କହୁଛନ୍ତି, ‘ତୁମେ ଲେଖିଛ, ଏବେ ତୁମ କଥା ତୁମେ ବୁଝ।’
ଏମିତି ଚିନ୍ତାରେ ଘାଣ୍ଟି ହେଉଥିବା ସମୟରେ ସ୍ତ୍ରୀ ଚା’ ଧରି ପହଞ୍ଚିଲେ। ସବୁ ଥର ଭଳି ଏଥର ମଧ୍ୟ ସୁଧୀର ନିଜ ଲେଖା ତାଙ୍କୁ ଦେଖାଇଲେ, ଯିଏକି ଲେଖା ପଢ଼ିବା ପୂର୍ବରୁ ସିଧା ତଳେ ଲେଖାଥିବା ସୂଚନାଟି ଦେଖି ପଚାରିଲେ, ‘‘ଇଏ କ’ଣ ଲେଖା ହେଇଛି ଏଠି?’’ ଘରଣୀଙ୍କୁ ଏ ବିଷୟରେ କିଛି କହିବେନି ବୋଲି ସୁଧୀର ଆଗରୁ ମନସ୍ଥ କରିଥିଲେ, କାରଣ ସିଏ ତ କିଛି ବୁଝିବେନି, ସ୍ୱାମୀ ଯାହା କହିବେ ତା’ର ଓଲଟା କଥାଟା ଯୁକ୍ତି କରିବେ। ହେଲେ ସେ ନିଜେ ଯେତେବେଳେ କଥାଟା ଦେଖିସାରିଛନ୍ତି, ଆଉ ସେ ବିଷୟରେ ପଚାରୁଛନ୍ତି, ସୁଧୀର ଭାବିନେଲେ ଯେ ବୋଧେ କିଛି ସମର୍ଥନ ମିଳିଯିବ ଆଜି ସ୍ତ୍ରୀଙ୍କ ଆଡୁ।
କିନ୍ତୁ ସେ ଧାରଣା ଭୁଲ୍ ପ୍ରମାଣିତ ହେଲା ଯେତେବେଳେ ଘରଣୀ ସଂପାଦକଙ୍କ ପକ୍ଷ ନେଇ ଯୁକ୍ତି ବାଢ଼ିଲେ, ‘ସଂପାଦକଙ୍କ ଏଥିରେ ଭୁଲ୍ ରହିଲା କେଉଁଠି? ସେ ଠିକ୍ କାମ କରିଛନ୍ତି ତୁମକୁ ଚେତେଇ ଦେଇ। ଲେଖିବ ତୁମେ, ପ୍ରଶଂସା ଗୋଟାଇବ ତୁମେ, ଦି’ ଦିନ ଧରି ଫୋନ ପରେ ଫୋନ ପାଇ ଖୁସି ହେବ ତୁମେ, ଆଉ ତୁମ ଲେଖା ଯୋଗୁଁ କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ, ସଂପାଦକ କାହିଁକି ତୁମ ପାଇଁ ଦାୟୀ ହେବେ?’’
ସୁଧୀର ଏ କଥାରେ ବିଶେଷ ପ୍ରଭାବିତ ନ ହେବାରୁ ସ୍ତ୍ରୀ ତାଙ୍କୁ ପରିବା ଆଣିବାକୁ ବରାଦ କରିଦେଇ ସେଠୁ ବାହାରି ଗଲେ, ଆଉ ତାଗିଦ କରିଗଲେ ଯେ ଏଥର ଯେମିତି ଦେଖି ଚାହିଁ ଭଲ ପରିବା କିଣ, ପଚାସଢ଼ା ନୁହେଁ। ସୁଧୀର ସ୍ତ୍ରୀଙ୍କ ଠାରୁ କିଛି ସମର୍ଥନ ନ ପାଇ ଗାରୁଗାରୁ ହୋଇ ପରିବା ବ୍ୟାଗଟି ଧରି ଛକ ଦୋକାନକୁ ବାହାରିଗଲେ। ଭଲ ପରିବା କାହିଁକି ଦେଉନୁ ବୋଲି ଦୋକାନୀକୁ ବିରକ୍ତି ପ୍ରକାଶ କଲେ। ଦୋକାନୀ ରୋକଠକ ଶୁଣାଇଦେଲା, ‘ତମେ ତ ମୋ ହାତକୁ ଚିଠାଟା ଫିଙ୍ଗି ଦେଇ ହଡ଼ବଡ଼ ହେଉଛ ଯିବା ପାଇଁ। ମୋର କ’ଣ ଦଶଟା ହାତ ଯେ ସମସ୍ତଙ୍କୁ ସାଙ୍ଗେ ସାଙ୍ଗେ ଦେଇଦେବି? ଏଠି ଠିଆ ହେଇ ଫୋନ କରୁଛ, ଅଥଚ ପରିବା ବାଛିକି ନଉନ! ମୁଁ ତ ସବୁ ତୁମ ହାତପାଆନ୍ତାରେ ରଖିଛି, ବାଛିକି ନବ ବୋଲି। ତମ ପରିବା ଖରାପ ପଡ଼ିଲେ ତମେ ଦାୟୀ, ମୁଁ ନୁହେଁ।’’ ‘ଇଏ ବି ଶେଷକୁ ମୋତେ ଦାୟୀ କଲା’ ବୋଲି ଭାବି ସୁଧୀର ଘରକୁ ଫେରିଲେ।
ସ୍କୁଟି ଧରି ଘରକୁ ଫେରିବା ବେଳେ ଟ୍ରାଫିକ୍ ପାଖରେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଗଲେ ସୁଧୀର ବାବୁ। ସବୁଜ ସଙ୍କେତ ମିଳିବା ପରେ ସେ ଧୀରେସୁସ୍ଥେ ଆଗେଇବାକୁ ଆରମ୍ଭ କଲା ବେଳେ ତାଙ୍କ ସାମ୍ନାରେ ବାମ ପଟରୁ ଗୋଟେ ବାଇକ୍ ଖୁବ୍ ବେଗରେ ରାସ୍ତା ଅତିକ୍ରମ କରିଗଲା। ସୁଧୀରଙ୍କ ଦେହରେ ଗୋଟିଏ ଶିହରଣ ଖେଳିଗଲା ଓ ସେ ଠିଆ ହୋଇପଡ଼ି ସେ ବାଇକ୍ ଚାଳକକୁ ଉଚ୍ଚ ସ୍ୱରରେ ପାଟି କରିବାକୁ ଲାଗିଲେ। ଏଣେ ସିଏ ରାସ୍ତା ବନ୍ଦ କରି ଥିବାରୁ ପଛ ଗାଡ଼ିବାଲାମାନେ ଚିତ୍କାର କଲେ। ଟ୍ରାଫିକ୍ ପୁଲିସଟିଏ ପାଖକୁ ଆସିବାରୁ ସୁଧୀର ତାଙ୍କ ଅଭିଯୋଗ ଶୁଣାଇଲେ। ହେଲେ ପୁଲିସ ସେ କଥାକୁ କର୍ଣ୍ଣପାତ ନ କରି କହିଲା, ‘‘ପ୍ରଥମେ ରାସ୍ତାରୁ ହଟିଯାଅ, ତା’ ପରେ ଯୋଉ କଥା। ଜୀବନଟା ତୁମର ନା ସେ ପିଲାର? ନିଜ ଜୀବନ ବଞ୍ଚାଇବା ଦାୟିତ୍ୱ ତୁମର। ଏଠି ରାସ୍ତା ମଝିରେ ଠିଆ ହୋଇ ହାଲ୍ଲା କଲେ କିଛି ଲାଭ ହେବନି, ଭାଗୋ।’’
ଦିନ ସାରା ଭାରାକ୍ରାନ୍ତ ରହିଲା ସୁଧୀରଙ୍କ ମନ। ସନ୍ଧ୍ୟା ବେଳେ ସେ ମନ୍ଦିରକୁ ବାହାରିଲେ ଟିକିଏ ଶାନ୍ତିର ସନ୍ଧାନରେ। ଗୋଟିଏ ପ୍ରବଚନ ଚାଲୁଥିବାରୁ ସେଠି ପ୍ରବଳ ଭିଡ଼ ହୋଇଥିଲା, ଗାଡ଼ିକୁ ଅସ୍ଥାୟୀ ପାର୍କିଂ ସ୍ଥଳରେ ରଖିବାକୁ ପଡ଼ିଲା। ସେଠି ଅନେକ ଜାଗାରେ ଗୋଟିଏ ସୂଚନା ଫଳକ ଝୁଲୁଥିବାର ସୁଧୀରଙ୍କ ନଜରରେ ପଡ଼ିଲା। ଲେଖା ଥିଲା, ‘‘ନିଜ ଯାନବାହନ ନିଜ ଦାୟିତ୍ୱରେ ରଖନ୍ତୁ, ଏଥିପାଇଁ ମନ୍ଦିର କର୍ତ୍ତୃପକ୍ଷ ଦାୟୀ ହେବେ ନାହିଁ।’’ ସ୍କୁଟି ରଖି ସାରି ମନ୍ଦିର ପ୍ରାଙ୍ଗଣ ଭିତରେ ପଶିବାରୁ ଆଖିରେ ପଡ଼ିଲା ଆଉ ଏକ ନୋଟିସ, ‘‘ପକେଟ୍ମାରୁ ପ୍ରତି ସାବଧାନ। ନିଜ ଜିନିଷ ନିଜ ଦାୟିତ୍ୱରେ ରଖନ୍ତୁ।’’
ପ୍ରବଚନ ସ୍ଥଳରେ ପହଞ୍ଚି ସୁଧୀର ବାବୁ ଶୁଣିଲେ ଦସ୍ୟୁ ରତ୍ନାକର ମହର୍ଷି ବାଲ୍ମୀକିରେ ପରିଣତ ହେବାର କାହାଣୀଟି ବ୍ୟାଖ୍ୟା ହେଉଛି। ଦେବର୍ଷି ନାରଦଙ୍କ ପ୍ରରୋଚନାରେ ରତ୍ନାକର ଯେତେବେଳେ ନିଜର ପରିବାର ସଦସ୍ୟମାନଙ୍କୁ ସେମାନେ ତା’ର ପାପର ଭାଗିଦାର ହେବେ କି ନାହିଁ ବୋଲି ପଚାରିଥିଲା, ସମସ୍ତଙ୍କର ଉତ୍ତର ଥିଲା ସମାନ। ‘‘ପରିବାର ମୁଖ୍ୟ ହିସାବରେ ତୁମେ ଏସବୁ ପାପକର୍ମ କରି ତୁମର କର୍ତ୍ତବ୍ୟ କରୁଛ, ହେଲେ ଏହା ତୁମର କର୍ମ। ଆମେ ସେଥିରେ ଭାଗୀଦାର ହେବୁ ନାହିଁ।’’ ଏ କଥା ଦସ୍ୟୁଟିର ମନକୁ ବଦଳାଇ ପକାଇଲା ଓ ସେ ଜଣେ ଋଷି ହେବାର ବାଟ ଖୋଜିଲେ। ସୁଧୀରଙ୍କ ମନକୁ କଥାଟି ପାଇଲା: ନିଜ କର୍ମ ପାଇଁ ଜଣେ କେବଳ ନିଜେ ହିଁ ଦାୟୀ।
ବାସ୍, ଦିନର ବିଭିନ୍ନ ଘଟଣା ଓ ଏହି ପ୍ରବଚନର ଅନୁଭବ ପରେ ସୁଧୀର ବାବୁଙ୍କ ମନରେ ସକାଳୁ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱଟି ଆପଣାଛାଏଁ ଅପସରି ଯାଇଥିଲା।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୮୯୬୫୫