କାହାର କୋଉଥିରେ ଆଗ୍ରହ। ପ୍ରତ୍ୟେକ ଥର କୌଣସି ଅସାଧୁ ଅଧିକାରୀଙ୍କ ଘରେ ବା କାର୍ଯ୍ୟାଳୟରେ ଚଢ଼ଉ ପରେ ଲୋକେ ଖବରକାଗଜରୁ ନିଜର ଆଗ୍ରହ ମୁତାବକ ଅଲଗା ଅଲଗା ବିଷୟଗୁଡ଼ିକ ପ୍ରତି କୌତୂହଳ ଦେଖାନ୍ତି। କିଏ ଖୋଜେ କେତେ ଟଙ୍କା, କେତେ ସୁନା ଅଳଙ୍କାର କିମ୍ବା କେତେ ସୁନା ଇଟା ବାହାରିଲା ତ କିଏ ଖୋଜେ କେତୋଟି ପ୍ଲଟ୍ ଓ କୋଠା ଠାବ ହେଲା ଅଥବା କିଏ ପୁଣି ଖୋଜେ ବାବୁଙ୍କ ପୁରୁଣା କାରନାମାମାନ ଓ କେଉଁ ନେତାଙ୍କ ଶୁଭ ଦୃଷ୍ଟି ତାଙ୍କ ଉପରେ ରହିଛି ଇତ୍ୟାଦି।
ଏ ସବୁ ଖବର ପଢ଼ିଲା ବେଳେ ମୋ ନଜର କିନ୍ତୁ ଥାଏ ଜବତ କଳାଧନରୁ ସୃଷ୍ଟି ହେଉଥିବା କଳାକୃତି ଉପରେ। ଆପଣ ପଚାରି ପାରନ୍ତି କଳାଧନରୁ ପୁଣି କି କଳା?
ସମ୍ବାଦପାତ୍ରରେ ବା ଟିଭିରେ ଖବରଟି ସହିତ ସଂପୃକ୍ତ ଚିତ୍ର ବା ଦୃଶ୍ୟକୁ ମନେ ପକାନ୍ତୁ। ଜବତ ହୋଇଥିବା ଟଙ୍କା ଓ ସୁନାକୁ ଜବତକାରୀମାନେ କିପରି କଳାତ୍ମକ ଭାବେ କ୍ୟାମେରା ଆଗରେ ପରିବେଷଣ କରୁଛନ୍ତି! ଅଲଗା ଅଲଗା ରଙ୍ଗର ନୋଟର ବିଡ଼ାକୁ ଚକ୍ରାକାରରେ ସଜାଇ ରଖାଯାଏ, ସତେ ଯେମିତି ରଙ୍ଗୀନ ମୁରୁଜର ତିଆରି ଝୋଟି। ପୁଣି କେତେବେଳେ ତ୍ରିଭୁଜାକାର ତ କେତେବେଳେ ତାରାର ଆକାର ଧାରଣ କରିଥିବା ଜବତ ନୋଟ୍‌ ବିଡ଼ା ବା ମୁଦ୍ରାର ଏଭଳି ନକ୍‌ସା ଭିତରେ ସଜେଇ ହୋଇ ରହିଥାନ୍ତି ଜବତ ଅଳଙ୍କାର ବା ସୁନା ବିସ୍କୁଟ।
ତେବେ, କେବଳ ଜବତ ହୋଇଥିବା ଟଙ୍କା ବା ଅଳଙ୍କାର କାହିଁକି, ମାରଣାସ୍ତ୍ର ଜବତ କରୁଥିବା‌ ପୁଲିସ ଟିମ୍‌ ପାଖରେ ମଧ୍ୟ ଏହି କଳାପ୍ରବଣତା ଦେଖାଯାଏ। ଜଘନ୍ୟ ଅପରାଧୀ ଗ୍ୟାଙ୍ଗର ସଦସ୍ୟମାନଙ୍କୁ ଗିରଫ କରିବା ପରେ ତାଙ୍କଠୁ ଜବତ ହୋଇଥିବା ମାରଣାସ୍ତ୍ର ଓ ଗୁଳିଗୋଳାକୁ ସମ୍ମୁଖରେ ସଜାଇ ରଖି ପୁଲିସ ଓ ଅଧିକାରୀମାନେ କ୍ୟାମେରା ଆଗରେ ଉଭା ହୁଅନ୍ତି। ଏ ସବୁ ଦେଖିଲେ ମନେ ପଡ଼ିଯାଏ ରାଜାରାଜୁଡ଼ା ସମୟର ଶିକାରୀମାନେ ଶିକାର କରିଥିବା ମହାବଳର ଗୁଳିବିଦ୍ଧ ଶରୀରକୁ ତଳେ ଶୁଆଇଦେଇ ଉଠାଉଥିବା ଔପଚାରିକ ଫୋଟମାନ। ଶିକାର ହେଉ କି ଚଢ଼ଉ ହେଉ, ଏ ସବୁ ତ ଗଡ଼ ଜିଣିବା ସାଙ୍ଗେ ସମାନ, ତେଣୁ ଦୁନିଆକୁ ଏହି ସଫଳତା ସଗର୍ବ ଦେଖେଇବାରେ କ୍ଷତି କ’ଣ? ଆଉ ଯଦି ଦେଖାଉଛ, ତେବେ ସଜେଇ ବାଗେଇ ଦେଖାଇବାରେ ଭୁଲ୍ କେଉଁଠି? ତେଣୁ ଆମ ଆଖିରେ ପଡ଼େ ମାଧୁର୍ଯ୍ୟପୂର୍ଣ୍ଣ ଟଙ୍କା-ଫୁଲ କିମ୍ବା ବୁଲେଟ୍-ମାଳା ଇତ୍ୟାଦି। ସୁନ୍ଦର ଚିତ୍ରଟିଏ ଆଙ୍କି ସାରି ଚିତ୍ରକର ତା’ ତଳେ ନିଜ ନାମଟି ଲେଖିଦେଲା ଭଳି ବେଳେ ବେଳେ ଏ ଚଢ଼ଉ ଶିଳ୍ପୀମାନେ ତାଙ୍କ ବିଭାଗର ନାମ ମଧ୍ୟ ସେହି ଜବତ ସାମଗ୍ରୀ ବା ବୁଲେଟ୍‌ଗୁଡ଼ିକୁ ସଜାଇ ଲେଖି ଦିଅନ୍ତି, ଯେମିତିକି ‘ସି.ବି.ଆଇ.’ କିମ୍ବା ‘ଅମୁକ ରାଜ୍ୟର ପୁଲିସ’।
କଳାଧନ କିମ୍ବା ଅସ୍ତ୍ରଶସ୍ତ୍ରକୁ ନେଇ କଳା ସୃଷ୍ଟି କରିବାର ପ୍ରବଣତା ଖାପଛଡ଼ା ଲାଗୁଥିଲେ ହେଁ ତା’ ପଛରେ ରହିଛି ବଳିଷ୍ଠ ଯୁକ୍ତି। କାହାର ଅଚଳାଚଳ ସମ୍ପତ୍ତି ଉପରେ ଚଢ଼ଉ କରି ତା’ର ଗଣତି ଓ ମଣତି କରିବା ଏତେ ସହଜ କାମ ନୁହେଁ। ଗତ ବର୍ଷ ବଲାଙ୍ଗୀର ଜିଲ୍ଲାରେ ଗୋଟିଏ ମଦ ବେପାରୀ ଉପରେ ଚଢ଼ଉ ଦୀର୍ଘ ଛ’ ଦିନ ଧରି ଚାଲିଥିଲା। ଟଙ୍କା ଗଣି ଗଣି ଅଧିକାରୀମାନେ ଏତେ ହାଲିଆ ହୋଇପଡ଼ିଲେ ଯେ ଶେଷରେ ବ୍ୟାଙ୍କରୁ ଟଙ୍କା ଗଣା ମେସିନଗୁଡ଼ିକୁ ଆଣିବାକୁ ପଡ଼ିଲା। ତେଣୁ ଏମିତି ନିର୍ଘାତ ହାଡ଼ଭଙ୍ଗା ଓ ପ୍ରଶଂସାହୀନ ପରିଶ୍ରମରୁ କିଛିଟା ଉପଶମ ଆଣି ଦେଇଥାଏ ଏଭଳି କଳାର ସର୍ଜନା। ଯୁଗେ ଯୁଗେ ମଣିଷ ତା’ର ଅବସାଦ ଓ ବିଷଣ୍ଣତାରୁ ମୁକ୍ତି ଖୋଜିଛି ନୂତନ କିଛି ସୃଷ୍ଟି କରିବାର ପ୍ରଚେଷ୍ଟା ଭିତରେ।
ପୁଣି ଚଢ଼ଉ ଦଳର ସଦସ୍ୟମାନଙ୍କ ଭିତରେ ଥିବେ କିଛି କଳାପ୍ରିୟ କର୍ମଚାରୀ। ଚାକିରିର ରୁଟିନ ବନ୍ଧା ନିତ୍ୟ ନୈମିତ୍ତିକ ଜୀବନ ଭିତରେ ହୁଏତ ତାଙ୍କର ଅବହେଳିତ ସଉକଟି ସୁପ୍ତ ଅବସ୍ଥାରେ ପଡ଼ିରହିଥିବ। ଏ କଥା ସ୍ୱାଭାବିକ ଯେ ଚଢ଼ଉର ସଫଳତା ପରବର୍ତ୍ତୀ ଉଲ୍ଲାସ ଭିତରେ ସେହି ଅବଦମିତ ଝୁଙ୍କଟି ପୁଣି ମୁଣ୍ଡ ଟେକିଥିବ। କଳାଧନ ବା ‘ଡାର୍ଟି ମନି’କୁ ଯଦି କଳାର କାଉଁରି ପରଶରେ ନାନ୍ଦନିକତା ଦିଆଯାଇପାରିଲା ତାହା ସର୍ବଦା ସ୍ୱାଗତଯୋଗ୍ୟ।
କାର୍ଯ୍ୟ କ୍ଷେତ୍ରର ଶୃଙ୍ଖଳା ଭିତରେ ନିଜର ପ୍ରିୟ ସଉକଟିକୁ ବଞ୍ଚାଇ ରଖିବା କଷ୍ଟକର, କିନ୍ତୁ ଉପରୋକ୍ତ କଳାପ୍ରେମୀ କର୍ମଚାରୀମାନଙ୍କ ଭଳି କେତେ ଜଣ ନିଶ୍ଚୟ ସେ ଦିଗରେ ସଫଳତା ପାଆନ୍ତି। ଜଣେ ସେବାନିବୃତ୍ତ ସରକାରୀ ଉଚ୍ଚ ପଦାଧିକାରୀଙ୍କର ସୁନ୍ଦର ଲେଖା ପଢ଼ି ମୁଁ ତାଙ୍କୁ ପଚାରିଥିଲି, ‘ଏତେ ବର୍ଷର ଦାୟିତ୍ୱପୂର୍ଣ୍ଣ ଚାକିରି ଆପଣଙ୍କ ସୁନ୍ଦର ଶୈଳୀକୁ କିଛି ବି କ୍ଷତି କରିପାରିଲା ନାହିଁ। ଏହା କେମିତି ସମ୍ଭବ ହେଲା?’ ଉତ୍ତରରେ ସେ କହିଥିଲେ ଯେ ତାଙ୍କ ପାଖକୁ କୌଣସି ଫାଇଲ୍ ଆସିଲେ ସେ ତାଙ୍କର ମନ୍ତବ୍ୟ ଗୋଟିଏ ବା ଦୁଇଟି ଶବ୍ଦରେ ସୀମିତ ନ ରଖି ଲମ୍ବା ବାକ୍ୟମାନ ମନଖୋଲି ଲେଖି ପକାଉଥିଲେ। ଏଥି ପାଇଁ ଅଧସ୍ତନମାନେ ଅସନ୍ତୁଷ୍ଟ ହେଉଥିଲେ ସିନା, ହେଲେ ତାଙ୍କ ରଚନା ଶୈଳୀର କୌଣସି ଅବନତି ହେଲା ନାହିଁ।
କଳାଧନକୁ କଳାର ରୂପ ଦେବା ମନେ ପକାଇଦିଏ ସେକ୍‌ସପିଅର୍‌ଙ୍କ ଉକ୍ତି: ‘ଦେଆର୍ ଇଜ୍ ମେଥଡ୍ ଇନ୍ ମ୍ୟାଡ୍‌ନେସ୍’ ଅର୍ଥାତ୍ ପାଗଳାମି ଭିତରେ ବି କେଉଁଠି ଶୃଙ୍ଖଳିତ ପଦ୍ଧତିଟିଏ ଲୁଚି ରହିଥାଏ। ଜଣେ ଅସନ୍ତୁଳିତ ମାନସିକତାର ଉଚ୍ଚ ଅଧିକାରୀଙ୍କର ଅଧର୍ମ ବିତ୍ତ ସାଉଁଟିବାର ଉନ୍ମାଦନା ଶେଷରେ ପରିଣତ ହୁଏ ଚଢ଼ଉ ଶେଷର ଏହି ଶୃଙ୍ଖଳିତ କଳାରେ!
ମୋ: ୯୪୩୭୦୮୯୬୫୫