ଚଳନ୍ତି କ୍ରିକେଟ୍ ବିଶ୍ୱ କପ୍ ଖେଳଗୁଡ଼ିକୁ ଅଧିକରୁ ଅଧିକ ଲୋକପ୍ରିୟ କରିବା ପାଇଁ ଏଗୁଡ଼ିକର ସିଧା ପ୍ରସାରଣ କରୁଥିବା ଏକ ଟିଭି ଚ୍ୟାନେଲ ଏକ ରୋଚକ ବିଜ୍ଞାପନଟିଏ ଦେଖାଉଛି। ଦୀର୍ଘ ବାର ବର୍ଷ ହେଲା ମୃତ୍ୟୁ ବରଣ କରି ସାରି ଭୂତ ପାଲଟି ଯାଇଥିବା କେତେଜଣ କ୍ରିକେଟ୍ ପ୍ରେମୀଙ୍କ ଆତ୍ମା ଏଥର ଭାରତ ବିଶ୍ୱକପ୍ ବିଜୟୀ ହେବାର ଆଶାରେ କପ୍ଟି ରଖା ଯାଇଥିବା ସ୍ଥାନ ଚାରିପାଖରେ ଭାସି ବୁଲୁଛନ୍ତି। ଏତେ ବର୍ଷ ଧରି ଭାରତ ବିଶ୍ୱ କପ୍ ଜିତି ପାରି ନଥିବାରୁ ସେମାନେ ଭୂତ ଅବସ୍ଥାରୁ ମୁକ୍ତି ପାଉନାହାନ୍ତି ଓ ଏହି ପୃଥିବୀ ପୃଷ୍ଠରେ ଭାସି ବୁଲୁଛନ୍ତି। ଭାରତ ବିଶ୍ୱ କପ୍ ବିଜୟୀ ନ ହେବା ପର୍ଯ୍ୟନ୍ତ ଏହି ଅତୃପ୍ତ ଆତ୍ମାମାନେ ମୁକ୍ତି ନ ପାଇ ଏମିତି ଯନ୍ତ୍ରଣା ଭୋଗୁଥିବେ ବୋଲି ସେମାନେ କହୁଛନ୍ତି। ସେମାନଙ୍କ ଉପରେ ସବାର ହୋଇଥିବା ୱାର୍ଲଡ କପ୍ର ଭୂତ ଭାରତର ବିଜୟ ସହ ସେମାନଙ୍କ ପାଖରୁ ଉତୁରି ଯିବ ଓ ସେମାନେ ସବୁ ଦିନ ପାଇଁ ମୋକ୍ଷ ପାଇଯିବେ ବୋଲି ସେହି ଭୂତମାନଙ୍କର ଆଶା।
କ୍ରିକେଟ୍ରେ ଭାରତର ସଫଳତା ଭଳି ଏକ ସୁଖଦ ସନ୍ଦେଶ ପାଇଁ ଭୂତ ଆଧାରିତ ବିଜ୍ଞାପନଟି ତିଆରି କରିବା ଏକ ନିଆରା କଥା ନିଶ୍ଚୟ, ବିଶେଷ କରି ଆମ ଜୀବନରେ ଭୂତମାନଙ୍କର ଭୂମିକା ଧୀରେ ଧୀରେ ନିଷ୍ପ୍ରଭ ହୋଇ ଚାଲିଥିବା ସମୟରେ। କିଛି ଦଶକ ତଳ ପର୍ଯ୍ୟନ୍ତ ଭୂତମାନେ ଥିଲେ ମନୁଷ୍ୟ ଜଗତ୍ ସହ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ। ପିଲାଟି ଦିନରୁ ଭୂତ କଥା ଆମମାନଙ୍କ ମନରେ ପୂରାଇ ଦିଆ ଯାଉଥିଲା ଓ ସେଗୁଡ଼ିକ ଆମର ନିତିଦିନିଆ ବାସ୍ତବତାର ଅଂଶବିଶେଷ ହୋଇ ଯାଉଥିଲେ। ବିଗତ ପ୍ରାୟ ପଚାଶ ବର୍ଷ ହେଲା ଭୂତମାନଙ୍କ ସମ୍ବନ୍ଧରେ ଦେଖା ଦେଇଛି ନାନା ସନ୍ଦେହ। ନିଜର ପିଲାମାନଙ୍କୁ ଭୂତ କଥା କହୁଥିବା ବାପା ମା’ମାନଙ୍କୁ ‘ଅନ୍ଧବିଶ୍ୱାସୀ’ କିମ୍ବା ‘ପୁରୁଣାକାଳିଆ ଚିନ୍ତାଧାରାର’ ବୋଲି ଅନେକ ଅପବାଦର ଶରବ୍ୟ ହେବାକୁ ପଡୁଛି। ଜେଜେବାପା ଓ ଜେଜେମାମାନେ ଅତିଶୟ ସ୍ନେହରେ କାଳେ କୋମଳମତି ପିଲାମାନଙ୍କୁ ଭୂତ କଥା କହି ଡରୁଆ କରିଦେବେ, ସେହି ସମ୍ଭାବନାକୁ ଏଡ଼ାଇବା ପାଇଁ ଆଧୁନିକ ବାପା ମା’ମାନେ ବୁଢ଼ାବୁଢ଼ୀମାନଙ୍କୁ ସତର୍କ କରିଦେବା ସହ ପାଦେ ପାଦେ ଜଗୁଛନ୍ତି। ପୁଣି ଭୂତ ବିଶ୍ୱାସୀମାନଙ୍କୁ ହେତୁବାଦୀମାନଙ୍କର ଘନ ଘନ ଆକ୍ରମଣ ହେଉଛି। ବୈଜ୍ଞାନିକ ଚିନ୍ତାଧାରାର ଜୟଯାତ୍ରା ଆଗରେ ମଳିନ ପଡ଼ିଯାଇଛି ଭୌତିକ ଜଗତ୍ର ପ୍ରାଣବନ୍ତ କଳ୍ପନା।
ଅବଶ୍ୟ, ଭୂତମାନଙ୍କର ଖରାପ ଦିନ ଏମିତି ହଠାତ୍ ଆସି ପହଞ୍ଚି ଯାଇନାହିଁ, ଏହା ପର୍ଯ୍ୟାୟ କ୍ରମେ ହୋଇଛି। ପୁରୁଣା କାଳର ଭୂତମାନଙ୍କର ପରାକ୍ରମ ଓ ଆତଙ୍କ ହ୍ରାସ ପାଇବା ସଙ୍ଗେ ସଙ୍ଗେ ଆରମ୍ଭ ହୋଇଛି ଭୌତିକ ସାମ୍ରାଜ୍ୟର ଅଧୋପତନର ପର୍ବ। ଆଗରୁ ଧର୍ମ ଓ ସାହିତ୍ୟିକ ପରିକଳ୍ପନା ଭୂତମାନଙ୍କୁ କରିଥିଲା ରକ୍ତ ପିପାସୁ ଓ ସର୍ବଗ୍ରାସୀ। ନିଜର ଅନ୍ଧାରୁଆ ଦୁର୍ଗରେ ଥାଇ ଅଗନ୍ତୁକର ଗଳା ଫୁଟାଇ ରକ୍ତ ପିଇବା ଭଳି ବୀଭତ୍ସ କାର୍ଯ୍ୟରେ ଲିପ୍ତ ଥିଲେ ଏହି ଭୌତିକ ଚରିତ୍ରମାନେ। କାଳ କ୍ରମେ ଭୂତମାନେ କେଉଁ ଏକ ମୃତ ସାହେବର ପରିତ୍ୟକ୍ତ କୋଠି କିମ୍ବା ଦିବଂଗତ ଜମିଦାରର ନିର୍ଜନ ମହଲକୁ ସ୍ଥାନାନ୍ତରିତ ହୋଇ ଅନ୍ଧାର ରାତିରେ କିଛିଟା ଉପଦ୍ରବ କରିବା ଭିତରେ ନିଜକୁ ସୀମିତ କରିଦେଲେ। କିନ୍ତୁ, ଚାରିଆଡ଼େ ନିର୍ମାଣ ଶିଳ୍ପର ଦ୍ରୁତ ପ୍ରଗତି ଭିତରେ ଭୂତମାନଙ୍କର ଏହି ଶେଷ ଆଶ୍ରୟ ସାହେବ କୋଠି ବା ପରିତ୍ୟକ୍ତ ରାଜପ୍ରାସାଦଗୁଡ଼ିକ ଅଚିରେ ଧୂଳିସାତ ହୋଇଗଲେ। ଭୂତମାନଙ୍କର ଶେଷ ଆଶ୍ରା ହୋଇ ରହିଗଲା ଆମର ଗାଁ ଗଣ୍ଡାର ଗଛ ତୋଟା ଘେରା ଅନ୍ଧାରୁଆ ନିର୍ଜନ ଅଞ୍ଚଳ କିଛି।
କିନ୍ତୁ ଦୁଃଖର କଥା, ଭୂତଙ୍କର ଏହି ଶେଷ ଆଶ୍ରୟ ମଧ୍ୟ କାଳକ୍ରମେ ଅଶରୀରୀମାନଙ୍କୁ ତିଷ୍ଠି ରହିବା ପାଇଁ ଅନୁକୂଳ ପରିବେଶ ଯୋଗାଇ ପାରିଲା ନାହିଁ। ବିଦ୍ୟୁତ୍ ଆଲୋକର ଔଜ୍ଜ୍ବଲ୍ୟ ଗାଁର ଭୂତ ଉପଯୋଗୀ ସାନ୍ଦ୍ର ଅନ୍ଧକାରକୁ ସବୁ ଦିନ ପାଇଁ ହରଣ କରିନେଲା। ଲୋପ ପାଇଲା ଆମ୍ବ ତୋଟା, ଶ୍ମଶାନର ନିର୍ଜନତା ଓ ବଡ଼ ବଡ଼ ପୁରୁଣାକାଳିଆ ବର ଓ ଅଶ୍ବତ୍ଥ ଗଛସବୁ ଯେଉଁଗୁଡ଼ିକର ଡାଳ ଉପରେ ବ୍ରହ୍ମ ରାକ୍ଷସ ବିସ୍ତାର କରି ରହୁଥିଲା ନିଜର ବିଶାଳ ବପୁ।
କେବଳ ରହିବାର ବାସ ସ୍ଥାନ ନୁହେଁ, ଯେଉଁ ଗ୍ରାମବାସୀମାନଙ୍କର ବିଶ୍ୱାସକୁ ସାହାରା କରି ଭୂତ ପ୍ରେତମାନେ ସେମାନଙ୍କ ସାଙ୍ଗରେ ଦିନେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସହାବସ୍ଥାନ କରୁଥିଲେ, ସେଥିରେ ବି ଦେଖାଗଲା ବିରାଟ ପରିବର୍ତ୍ତନ। ପୁରୁଣା ସମୟରେ ଚାଷର ଅନିଶ୍ଚିତତା ଭିତରେ ଜୀବନ ଜୀବିକା ଲାଗି ଯୁଝୁଥିବା ଗାଉଁଲି ଲୋକଟି ତା’ର ଭାଗ୍ୟକୁ ସମର୍ପି ଦେଇଥିଲା ବିଭିନ୍ନ ଦେବଦେବୀ ଓ ଭୂତପ୍ରେତମାନଙ୍କ ଆଶୀର୍ବାଦ ବା ଅଭିଶାପ ଉପରେ। ଏବେ ତ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ କେତେ କେତେ ସରକାରୀ ସ୍କିମ୍ମାନ ଖଞ୍ଜା ହୋଇ ରହିଛି। ତେଣୁ ଏହି ଅଶରୀରୀ ଶକ୍ତି ସବୁ ଆଜି ଗାଁ ଲୋକଟି ପାଇଁ ଆଈମା’ କାହାଣୀରେ ପରିଣତ ହୋଇଗଲାଣି। ସେମାନଙ୍କ ସ୍ଥାନରେ ଏବେ ଗରୀବର ଭାଗ୍ୟର ଡୋରି ସରକାରୀ ବାବୁ ଓ ସରପଞ୍ଚ କିମ୍ବା ୱାର୍ଡମେମ୍ବରମାନଙ୍କ ହାତରେ।
ପରିବର୍ତ୍ତନଶୀଳ ପରିବେଶରେ ସୁଦୂର ଅତୀତର ଦୁର୍ଦ୍ଧର୍ଷ ଓ ରକ୍ତମୁଖା ଭୂତମାନେ ଆଜି ଅନେକ କ୍ଷେତ୍ରରେ ଅମାୟିକ ହୋଇଉଠିଲେଣି। ଏବେ ପ୍ରଦର୍ଶିତ ହେଉଥିବା ଆଉ ଏକ ବିଜ୍ଞାପନରେ ଛୋଟ ପିଲାଟି ଶୋଇ ଥିବା ଅବସ୍ଥାରେ ଖଟରୁ ଭୂଇଁରେ ପଡ଼ି ଯିବାର ଦୃଶ୍ୟ ଦେଖାଯାଉଛି। ପିଲାଟି ଉଠି ପଡ଼ି କହୁଛି, ‘ଜାଣିଛ? ମୋତେ ଭୂତ ବଞ୍ଚେଇ ଦେଲା।’
ଭୂତମାନଙ୍କର ଏହି ରୂପାନ୍ତରଣ ସମୟରେ ଆବିର୍ଭାବ ହୋଇଛି ଏକ ସମ୍ପୂର୍ଣ୍ଣ ନୂଆ ଭୂତ ଶ୍ରେଣୀର। ସବୁ ପ୍ରକାର ସରକାରୀ ଯୋଜନାର ହିତାଧିକାରୀମାନଙ୍କର ତାଲିକାରେ ଦେଖିବାକୁ ମିଳୁଛି ଅନେକ ଭୂତ ହିତାଧିକାରୀମାନଙ୍କ ଅନୁପ୍ରବେଶ। ସର୍ବଶେଷ ସମାଚାର ଅନୁସାରେ ଓଡ଼ିଶାରେ ଗତ ଚାରି ବର୍ଷରେ ସରକାର ପ୍ରଦାନ କରିଥିବା ଛାତ୍ର ମେଧା ବୃତ୍ତିରୁ ସାଢ଼େ ପନ୍ଦର କୋଟି ଟଙ୍କାର ବୃତ୍ତି ଯାଇଛି ଭୂତ ହିତାଧିକାରୀମାନଙ୍କ ଖାତାକୁ। ଦିନେ ଭୂତମାନଙ୍କୁ ସେମାନଙ୍କର ଚିରାଚରିତ ବାସସ୍ଥାନରୁ ବଞ୍ଚିତ କରିଥିବା ସମାଜ ବୋଧ ହୁଏ ଏହି ଭୂତ ହିତାଧିକାରୀମାନଙ୍କ ମାଧ୍ୟମରେ ବାସ୍ତୁହରା ଭୂତମାନଙ୍କର ପୁନର୍ବାସନ କରୁଛି।
ମୋ: ୯୪୩୭୦୮୯୬୫୫
ଚିନ୍ମୟ ଚେତନା: ଭୂତ କଥା
ଚିନ୍ମୟ ହୋତା