ଜିତଶତ୍ରୁ ମହାନ୍ତି
ବାୟୁ ବିନା ଦଣ୍ଡେ ବଞ୍ଚିବା ଅସମ୍ଭବ। ଶ୍ୱାସକ୍ରିୟା ମାଧ୍ୟମରେ ଆମ ଶରୀରକୁ ପବନର ପ୍ରବେଶ ଓ ପ୍ରସ୍ଥାନ ଏକ ଅବିଶ୍ରାନ୍ତ ପ୍ରକ୍ରିୟା। ଯେତେବେଳେ ଏହା ବନ୍ଦ ହୋଇଯାଏ ତତ୍କ୍ଷଣାତ୍ ଜୀବନର ପରିସମାପ୍ତି ଘଟିଥାଏ। ବାସ୍ତବରେ ଅମ୍ଳଜାନ ଆମର ପ୍ରାଣବାୟୁ। ପୃଥିବୀକୁ ଘେରି ରହିଥିବା ବାୟୁମଣ୍ଡଳ ଏହାର ଏକମାତ୍ର ପ୍ରାକୃତିକ ଉତ୍ସ। ତେଣୁ ବାୟୁର ସ୍ୱଚ୍ଛତା ଉପରେ ଆମର ସୁସ୍ଥତା ଏପରିକି ଆୟୁଷ ମଧ୍ୟ ନିର୍ଭରଶୀଳ।
ସର୍ବବ୍ୟାପୀ ବାୟୁ କେତେକ ଗ୍ୟାସର ସମାହାର ଯାହା ଅଦୃଶ୍ୟ କିନ୍ତୁ ସର୍ବଦା ଅନୁଭୂତ। ଦ୍ରାଘିମା ଓ ଅକ୍ଷାଂଶ ସହିତ ସ୍ଥାନୀୟ ଚାପ ଓ ତାପ ଦ୍ୱାରା ଏହା ପ୍ରଭାବିତ ଓ ପରିବର୍ତ୍ତନଶୀଳ। କିନ୍ତୁ ସାଧାରଣତଃ ନିର୍ମଳ ବାୟୁରେ ଯବକ୍ଷାରଜାନ ୭୮%, ଅମ୍ଳଜାନ ୨୧%, ଆର୍ଗନ ୦.୯%, ଅଙ୍ଗାରକାମ୍ଳ ୦.୦୪% ଓ ଅନ୍ୟାନ୍ୟ ଯଥା ହିଲିଅମ, ନିୟନ, ମିଥେନ, ଉଦ୍ଜାନ, ଆମୋନିଆ, ଓଜୋନ, କ୍ରିପ୍ଟନ, ଜେନନ ଓ ରାଡନ ଇତ୍ୟାଦି ଗ୍ୟାସ୍ ଅତି ସାମାନ୍ୟ ପ୍ରତିଶତରେ ରହିଥାଏ। ସ୍ୱଚ୍ଛ ବାୟୁ ଆମ ଶରୀର କୋଷ ପାଇଁ ଶକ୍ତିର ଉତ୍ସ। ଏହାଛଡ଼ା ପରାଗସଙ୍ଗମର ମାଧ୍ୟମ ହୋଇଥିବାରୁ ବାୟୁ ହେଉଛି ଆହାର ଉତ୍ପାଦନର ଓ ଜଳଚକ୍ରର ପ୍ରମୁଖ ମାଧ୍ୟମ। ମୋଟ ଉପରେ ବାୟୁ ଆମପାଇଁ ପ୍ରକୃତିର ବହୁମୂଲ୍ୟ ବରଦାନ।
ମାନବୀୟ କାର୍ଯ୍ୟକଳାପ ଯୋଗୁଁ ଅନିଷ୍ଟକାରୀ ଗ୍ୟାସ୍, ଧୂଆଁ, ଧୂଳିକଣା ଇତ୍ୟାଦି ବାୟୁରେ ମିଶି ଏହାର ଗୁଣବତ୍ତାକୁ କ୍ଷୁଣ୍ଣ କରିଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବାୟୁମଣ୍ଡଳରେ ଛଅଟି ପ୍ରମୁଖ ହାନିକାରକ ପଦାର୍ଥର ସ୍ୱାସ୍ଥ୍ୟ ଉପଯୋଗୀ ସୀମା ନିର୍ଦ୍ଧାରଣ କରିଛି। ଏହା ଅନୁସାରେ ୨.୫ ମାଇକ୍ରୋମିଟର ଆକାରର କଣିକା (ପିଏମ୍ ୨.୫) ଓ ୨.୫ ମାଇକ୍ରୋମିଟରରୁ ୧୦ ମାଇକ୍ରୋମିଟର ଆକାରର କଣିକା (ପିଏମ୍ ୧୦) ଘନ ମିଟର ପିଛା ବାର୍ଷିକ ହାରହାରି ସର୍ବାଧିକ ଯଥାକ୍ରମେ ୫ ଓ ୧୫ ମାଇକ୍ରୋଗ୍ରାମ୍ ରହିବା ବାଞ୍ଛନୀୟ। ସେହିପରି ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍, କାର୍ବନ ମନୋକ୍ସାଇଡ, ସଲଫର ଡାଇଅକ୍ସାଇଡ ଓ ଓଜୋନ ଘନମିଟର ପ୍ରତି ଦୈନିକ ହାରାହାରି ଯଥାକ୍ରମେ ୨୫, ୪, ୪୦ ଓ ୬୦ ମାଇକ୍ରୋଗ୍ରାମ୍ ଭିତରେ ରହିବା ସୁରକ୍ଷିତ ବୋଲି ବିଚାର କରାଯାଏ।
ଭାରତ ସରକାର ଉପରବର୍ଣ୍ଣିତ ୬ଟି ଉପାଦାନ ସହିତ ଆଉ ଦୁଇଟି ଯଥା- ଆମୋନିଆ ଓ ସୀସାକୁ ମିଶାଇ ମୋଟ ୮ଟି ମାନଦଣ୍ଡ ଆଧାରିତ ଜାତୀୟ ବାୟୁ ଗୁଣବତ୍ତା ନିର୍ଣ୍ଣୟ ନୀତି ନିର୍ଦ୍ଧାରଣ କରିଛନ୍ତି। ଏହି ପଦ୍ଧତି ଅନୁସାରେ କୌଣସି ସ୍ଥାନର ବାୟୁର ମାନ ନିରୂପଣ ପାଇଁ ଉପରୋକ୍ତ ୮ଟି ମାନଦଣ୍ଡ ମଧ୍ୟରୁ ସର୍ବନିମ୍ନ ୩ଟି ବିଷୟରେ ତଥ୍ୟ ଆବଶ୍ୟକ। ତନ୍ମଧ୍ୟରେ ପିଏମ୍ ୨.୫ କିମ୍ବା ପିଏମ୍ ୧୦ ଅନ୍ତର୍ଭୁକ୍ତ ହେବା ଅନିର୍ବାଯ୍ୟ। ଆମ ଦେଶରେ ପ୍ରାୟତଃ ପିଏମ୍ ୨.୫ର ପରିମାପକ ବାୟୁର ଗୁଣବତ୍ତାକୁ ଧାର୍ଯ୍ୟ କରିଥାଏ।
ବାୟୁକୁ ୬ଟି ଗୁଣବତ୍ତା ଶ୍ରେଣୀରେ ବିଭକ୍ତ କରାଯାଇଅଛି। ସେଗୁଡ଼ିକ ହେଲା ଉତ୍ତମ (୧-୫୦), ସନ୍ତୋଷଜନକ (୫୧-୧୦୦), ମଧ୍ୟମ ପ୍ରଦୂଷିତ (୧୦୧-୨୦୦), ଖରାପ (୨୦୧-୩୦୦), ଅତି ଖରାପ (୩୦୧-୪୦୦) ଓ ସାଂଘାତିକ (୪୦୧-୫୦୦)।
ସୁଇଜରଲ୍ୟାଣ୍ଡ୍ର ‘ଆଇକ୍ୟୁ ଏଆର୍’ ନାମକ ସଂସ୍ଥା ଦ୍ବାରା ପ୍ରକାଶିତ ୨୦୨୪ର ବାୟୁ ଗୁଣବତ୍ତା ରିପୋର୍ଟ ଅନୁସାରେ ଆମ ଦେଶରେ ପିଏମ୍ ୨.୫ର ମାତ୍ରା ନିର୍ଦ୍ଧାରିତ ସ୍ତରଠାରୁ ୧୦ ଗୁଣ ଅଧିକ, ତେଣୁ ଭାରତ ପଞ୍ଚମ ସର୍ବାଧିକ ପ୍ରଦୂଷିତ ଦେଶ ଭାବରେ ତାଲିକାଭୁକ୍ତ ହୋଇଛି। ମେଘାଳୟର ବର୍ଣ୍ଣିହାଟରେ ଏହାର ସ୍ତର ପୃଥବୀର ପ୍ରଦୂଷିତ ସହର ତାଲିକାର ଶୀର୍ଷରେ ଅଛି। ଶୀର୍ଷ ୨୦ଟି ପ୍ରଦୂଷିତ ସହର ମଧ୍ୟରେ ଆମ ଦେଶର ୧୩ଟି ସହର ଅଛି। ସେହିପରି ଓଡ଼ିଶାର ତାଳଚେର, ଅନୁଗୁଳ, ରାଉରକେଲା, କଟକ, ଭୁବନେଶ୍ୱର, କଳିଙ୍ଗନଗର, ବାଲେଶ୍ୱର, ବ୍ରଜରାଜନଗର, ବଡ଼ବିଲ, ଟେନ୍ସା, ବୀରମିତ୍ରପୁର, ବାରିପଦା, ରାଇରଙ୍ଗପୁର, ଚମ୍ପୁଆ, ନୟାଗଡ଼ ଓ ଝାରସୁଗୁଡ଼ା ଇତ୍ୟାଦି ଅତ୍ୟଧିକ ପ୍ରଦୂଷିତ ସହର ତାଲିକାରେ ସ୍ଥାନ ପାଇଛି।
ଅନେକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ ବାୟୁ ପ୍ରଦୂଷଣ ପାଇଁ କଣିକା ପଦାର୍ଥ ୯୦ ପ୍ରତିଶତ ଦାୟୀ। ବିଶେଷ କରି ଆମ ଶରୀରର ବିଭିନ୍ନ ଅଙ୍ଗରେ ସହଜରେ ଅନୁପ୍ରବେଶ କରିପାରୁଥିବା ପିଏମ୍ ୨.୫ ଅତ୍ୟନ୍ତ ସାଂଘାତିକ ଓ ମାରାତ୍ମକ।
ଦୂଷିତ ବାୟୁ ଆମର ଆଖି, ମସ୍ତିଷ୍କ, ଫୁସ୍ଫୁସ୍, ହୃତ୍ପିଣ୍ଡ, ପାକସ୍ଥଳୀ, ଯକୃତ, ବୃକ୍କ, ଅସ୍ଥି ପ୍ରଭୃତିକୁ କ୍ଷତିଗ୍ରସ୍ତ କରିଥାଏ। ବାର୍ଷିକ ସାରା ପୃଥିବୀରେ ପ୍ରାୟ ୮୧ ଲକ୍ଷ ଲୋକଙ୍କର ଏହି କାରଣରୁ ଅସମୟରେ ମୃତ୍ୟୁ ହେଉଛି। କେବଳ ଭାରତରେ ଗତ ଦଶନ୍ଧି (୨୦୦୯ରୁ ୨୦୧୯)ରେ ବାର୍ଷିକ ମୃତ୍ୟୁ ସଂଖ୍ୟା ୧୫ ଲକ୍ଷ ଥିଲା। ବର୍ତ୍ତମାନ ଏହା ପ୍ରାୟ ୨୦ ଲକ୍ଷ ବୋଲି ଆକଳନ ହୋଇଛି। ଏହାର ୮୦ ପ୍ରତିଶତ କେବଳ ପିଏମ୍ ୨.୫ ଯୋଗୁଁ ଘଟୁଛି। ବୟସ୍କ, ମହିଳା ଓ ୫ ବର୍ଷରୁ କମ୍ ଶିଶୁମାନେ ବହୁଳ ଭାବରେ ଏହାର ଶିକାର ହେଉଛନ୍ତି। ସ୍ୱାସ୍ଥ୍ୟ ଗବେଷଣା ପତ୍ରିକା ‘ଲାନ୍ସେଟ୍’ର ତଥ୍ୟ ଅନୁସାରେ ବାୟୁ ପ୍ରଦୂଷଣ ଯୋଗୁଁ ଭାରତୀୟମାନଙ୍କର ଆୟୁଷ ହାରାହାରି ୫.୨ ବର୍ଷ ହ୍ରାସ ପାଉଛି। କିନ୍ତୁ ବିଶ୍ୱ ସ୍ତରରେ ଏହା ୧.୮ ବର୍ଷ। ପ୍ରଦୂଷଣ କାରଣରୁ ବିଶ୍ୱ ଘରୋଇ ଉତ୍ପାଦ (ଜିଡିପି) ୧.୬ରୁ ୧.୮% ହ୍ରାସ ପାଉଛି।
ପ୍ରଦୂଷିତ ବାୟୁ ଉଭୟ ଜନସ୍ୱାସ୍ଥ୍ୟ ଓ ପରିବେଶ ଲାଗି ଘୋର ବିପଜ୍ଜନକ। ସ୍ୱଚ୍ଛ ଓ ସବୁଜ ଶକ୍ତି ଏ ସମସ୍ୟା ସମାଧାନର ଚାବିକାଠି। ନିର୍ମଳ ଘରୋଇ ଇନ୍ଧନ, କଠିନ ବର୍ଜ୍ୟବସ୍ତୁର ପରିବେଶ ଉପଯୋଗୀ ପରିଚାଳନା, ଉତ୍ପାଦନଭିତ୍ତିକ ଶିଳ୍ପ କ୍ଷେତ୍ରରେ ପର୍ଯ୍ୟାୟକ୍ରମେ ଅକ୍ଷୟ ଶକ୍ତି ଉତ୍ସ ଯଥା- ସୌର ଓ ପବନ ଶକ୍ତିର ବ୍ୟବହାର ବୃଦ୍ଧି, ପରିବହନ ପାଇଁ ବିଦ୍ୟୁତ୍ ଯାନକୁ ପ୍ରୋତ୍ସାହନ, ଉଦ୍ଯାନ ଶକ୍ତିକୁ ଅଗ୍ରାଧିକାର ଇତ୍ୟାଦି ଅପରିହାର୍ଯ୍ୟ। ଭାରତ ସରକାର ବହୁ ଆଗରୁ ଅର୍ଥାତ୍ ୨୦୧୬ ମସିହାରେ ରୋଷେଇ ପାଇଁ ବ୍ୟବହୃତ କାଠ, କୁଟା ଓ ଘଷି ଇତ୍ୟାଦିରୁ ଉତ୍ପନ କ୍ଷତିକାରକ ଗ୍ୟାସ୍ ଦ୍ୱାରା ପ୍ରପୀଡ଼ିତ ମହିଳାମାନଙ୍କର ସୁରକ୍ଷା ନିମନ୍ତେ ଉଜ୍ଜ୍ବଳା ଯୋଜନା ଆରମ୍ଭ କରିଥିଲେ। ଏହା ମାଧ୍ୟମରେ ୨୦୨୪ ସୁଦ୍ଧା ପ୍ରାୟ ୧୦ କୋଟିରୁ ଅଧିକ ଏଲ୍.ପି.ଜି. ଗ୍ୟାସ୍ ସିଲିଣ୍ଡର ବଣ୍ଟନ କରି ସାରିଲେଣି। ସେହିପରି ଜାତୀୟ ନିର୍ମଳ ବାୟୁ ଯୋଜନାକୁ ୨୦୧୯ରେ ଆରମ୍ଭ କରି ଦେଶର ୧୩୧ଟି ପ୍ରଦୂଷିତ ସହରର ବାୟୁର ମାନ ବୃଦ୍ଧି ପାଇଁ ପ୍ରୟାସ କରୁଛନ୍ତି। ଓଡ଼ିଶାର ୭ଟି ସହର ଯଥା- ତାଳଚେର, ଅନୁଗୁଳ, ଭୁବନେଶ୍ୱର, କଟକ, ବାଲେଶ୍ୱର, ରାଉରକେଲା ଓ କଳିଙ୍ଗନଗର ଏଥିରେ ଅନ୍ତର୍ଭୁକ୍ତ ହୋଇଛି। ‘ପ୍ରାଣ’ ନାମକ ଏକ ପୋର୍ଟାଲ ଜରିଆରେ ଏହାର କାର୍ଯ୍ୟକାରିତା, ନିରୀକ୍ଷଣ ଓ ଫଳାଫଳ ବିଷୟରେ ସର୍ବସାଧାରଣଙ୍କୁ ସୂଚନା ପ୍ରଦାନ କରୁଛନ୍ତି। ଦାୟିତ୍ୱବାନ ନାଗରିକ ଭାବରେ ବ୍ୟକ୍ତିଗତ ଉଦ୍ୟମ ସହିତ ସାମୂହିକ ସହଯୋଗ ଦ୍ୱାରା ବାୟୁମଣ୍ଡଳକୁ ପ୍ରଦୂଷଣମୁକ୍ତ କରିବା ଆମର ନୈତିକ କର୍ତ୍ତବ୍ୟ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୮୦୨୩୩