ବାବାଜୀ ଚରଣ ପଟ୍ଟନାୟକ
ଆଜି ପୃଥିବୀରେ ପରିବେଶ ଏମିତି ବିଗିଡ଼ିଯାଇଛି ଯେ, ମଣିଷ ଜଳବାୟୁରେ ଘଡ଼ିକେ ଘୋଡ଼ା ଛୁଟୁଥିବା ଭଳି ଅକଳ୍ପନୀୟ, ଅଣପାରମ୍ପରିକ ଅବସ୍ଥା ଉପଲବ୍ଧି କରୁଛି। ଏମିତି କାହିଁକି ହେଲା ବୋଲି ବୈଜ୍ଞାନିକଙ୍କଠୁ ଆରମ୍ଭ କରି ଦାର୍ଶନିକ ତଥା ସମାଜ ଚିନ୍ତକ ପର୍ଯ୍ୟନ୍ତ ସମସ୍ତେ ନାନାଦି କାରଣ ଦର୍ଶାଇଛନ୍ତି। ଏପରିକି, ଏମିତିକା ପରିବେଶ ଅବସ୍ଥା ଚର୍ଚ୍ଚା କରାଯିବା ପାଇଁ ‘ସମ୍ବାଦ ଗ୍ରୁପ୍’ ତରଫରୁ ଆୟୋଜନ କରାଯାଇଥିବା ‘ପୁନଶ୍ଚ ପୃଥିବୀ’ ଶୀର୍ଷକ ଷାଠିଏଦିନିଆ ସମ୍ମେଳନରେ ସବୁବର୍ଗୀୟ ବୁଦ୍ଧିଜୀବୀମାନେ ଉପସ୍ଥିତ ରହି ଘଟଣାର ଗୁରୁତ୍ବ ଓ ଭବିଷ୍ୟତ ଘେନି ନାନା ମତ ଉପସ୍ଥାପନ କରିଛନ୍ତି। ଏଭଳି ବୈଶ୍ବିକ ସଂକଟର ଗମ୍ଭୀରତାକୁ ଉପଲବ୍ଧି କରାଯାଇ ‘ସମ୍ବାଦ ଗ୍ରୁପ୍’ ତରଫରୁ ଏଭଳି କାର୍ଯ୍ୟକ୍ରମ ଆଗାମୀ ବାରବର୍ଷ ପର୍ଯ୍ୟନ୍ତ ଆୟୋଜନ କରାଯିବ ବୋଲି ଘୋଷଣା କରାଯାଇଛି। ପ୍ରାକୃତିକ ପରିବେଶ ଓ ଜଳବାୟୁରେ ଯେଉଁ ଅସ୍ବାଭାବିକତା ଆଜିର ମଣିଷ ପାଇଁ ସଂକଟଜନକ ଅବସ୍ଥା ସୃଷ୍ଟି କରିଛି, ତହିଁରୁ ମୁକ୍ତି ଅଥବା ତହିଁର ନିରାକରଣ ଉଚ୍ଚାରଣ (ଭାଷଣ) ବୈଠକୀରେ ନାହିଁ, ଅଛି ଆଚରଣ (ଶାରୀରିକ ଶ୍ରମ)ରେ, ପୁରାତନ ସାହିତ୍ୟରେ ଥିବା ଏ ସମ୍ବନ୍ଧୀୟ ଦିଗ୍ଦର୍ଶନ ଓ ବୈଜ୍ଞାନିକ ନିର୍ଦ୍ଦେଶାବଳୀର ସତର୍କ ମାନ୍ୟତାରେ।
ପରିବେଶ ଘେନି ବିବିଧ ବିଶେଷ ଚର୍ଚ୍ଚା ସମାଜରେ ଗଣ୍ୟବ୍ୟକ୍ତିମାନଙ୍କ ଦ୍ବାରା ଚଳୁଥିବା କାଳରେ, ଏ ଲେଖକର ସ୍ମୃତିରେ ଝଲସି ଉଠିଛି ବିଦ୍ୟାଳୟ ଜୀବନରେ ଛାତ୍ରାନୁଭବର କଥା। ୧୯୬୨ରୁ ୧୯୭୦ ଅର୍ଥାତ୍ ମାଟ୍ରିକ୍ ପାସ୍ କରିବା ପର୍ଯ୍ୟନ୍ତ ଏ ଲେଖକ ଗଁା ପରିବେଶରେ ଗଢ଼ିଉଠୁଥିବା ଯେଉଁ ଶିକ୍ଷାୟତନରେ ଛାତ୍ର ଥିଲା, ତାହା ସତ୍ୟବାଦୀ ବନବିଦ୍ୟାଳୟ ଢାଞ୍ଚାରେ ଚଳୁଥିଲା। ବର୍ଷା କାଳ ପାଇଁ ଧାଉଡ଼ିଏ ଚାଳଛପର ଘର, ଯହିଁରେ ବରଡ଼ା ପଟି ଥିଲା କାନ୍ଥ। ଅନ୍ୟ ସମୟରେ ଶିକ୍ଷକମାନଙ୍କ ଦ୍ବାରା ଆମମାନଙ୍କ ପଢ଼ାପଢ଼ି ହେଉଥିଲା, ପରିସରରେ ଥିବା ଅଶ୍ବତ୍ଥ ଗଛ ଓ ବାଉଁଶ ବଣ ଛାଇରେ। ବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରତ୍ୟହ ପ୍ରାର୍ଥନା ପୂର୍ବରୁ ଉପସ୍ଥିତ ହୋଇ ଗଛରୁ ପଡ଼ିଥିବା ପତ୍ର ଗୋଟାଇ ନିକଟସ୍ଥ ଖାଲରେ ପକାନ୍ତି। ବିଦ୍ୟାଳୟର ଘାସ ପଡ଼ିଆ ସବୁଜିମାରେ ଉଜ୍ଜ୍ବଳ ଦିଶେ। ଗଣେଶ ପୂଜା କି ସରସ୍ବତୀ ପୂଜା ପରଦିନ ପରିବେଶକୁ ଆମେସବୁ ସଫାସୁତୁରା କରୁଥିଲୁ। ବିଦ୍ୟାଳୟର ବଗିଚାରେ ଶ୍ରମ ଦେଇ ଫୁଲ ଫୁଟାଉଥିଲୁ, ଆଳୁ, ବାଇଗଣ, ଟମାଟୋ ଫଳାଉଥିଲୁ, ଶାଗ ବଢ଼ାଉଥିଲୁ। ଅର୍ଦ୍ଧଶତାବ୍ଦୀ ପରେ ପଛକୁ ଚାହିଁଲା ବେଳକୁ ସେ ମହେଶ୍ବର ଉ.ପ୍ରା., ମ.ଇ. ଓ ହାଇସ୍କୁଲ ଚେହେରା ଯାହା ସ୍ମୃତିରେ ଭାସୁଛି- ଏବେ ସବୁ କୋଠାମୟ। ସେ ଦିନର ଶିକ୍ଷକମାନେ ଆମମାନଙ୍କୁ ମାଟିମା’ର ପରିବେଶ ନିମିତ୍ତ ଯେଭଳି କର୍ମୀ-ପ୍ରହରୀ କରି ଗଢ଼ିଥିଲେ, ତହିଁର ବିନିଯୋଗ ଆମେ କେଉଁଠି କାହିଁ କରିବାର ସୁଯୋଗ ଅବା ପାଇଲୁ। ବିଦ୍ୟାଳୟ ସ୍ତରର ଅଭ୍ୟାସ ଭବିଷ୍ୟତର ବାବୁଆକି ଖୋଳ ଭିତରେ ଅପଚରା ରହିଗଲା। ପରିବେଶକୁ ସ୍ବଚ୍ଛ ରଖିବା ପାଇଁ କୈଶୋରରୁ ଯୌବନ କାଳ ପର୍ଯ୍ୟନ୍ତ ଗଁାରେ ଯେତେ ତାମିଲ ଓ ପୌରାଣିକ ଅନୁଜ୍ଞାର ପ୍ରଚଳନ ଥିଲା ଓ ଆୟତ୍ତକୁ ଆସିଥିଲା ତାହା ଭବିଷ୍ୟତରେ ଫସର ଫାଟିଗଲା। କୂଅରେ ଗହଣା ହଜେଇ ଗଡ଼ିଆରେ େଖାଜିବା ଭଳି, ଆଜିର ପ୍ରକୃତି ଓ ପାଣିପାଗର ଭୟଙ୍କରତାକୁ ସାମ୍ନା କଲାବେଳେ ଅନେକ ବାଟୁଳି ବାଜୁ ନ ଥିବା କଥାରେ କଥାରେ ବାଉଳି ହେଉଛନ୍ତି।
ଏକଦା ସତ୍ୟବାଦୀ ବନବିଦ୍ୟାଳୟର ଜଣେ ଛାତ୍ର ଫୁଲ ଗଛର ଡାଳ ଖଣ୍ଡେ ଭାଙ୍ଗିଦେଲେ। ତାଙ୍କ ପଛେ ପଛେ ଆସୁଥିବା ପ୍ରଧାନଶିକ୍ଷକ ଗୋଦାବରୀଶ ମିଶ୍ର ନିଜ ଧୋତିର ଧଡ଼ି ଚିରି, ଭଙ୍ଗା ଡାଳକୁ ମୂଳ ଡାଳସହ ଯୋଡ଼ିକରି ବାନ୍ଧିଦେଲେ। ତା’ପରେ କ’ଣ ଘଟିଲା, ତାହା ଆଲୋଚ୍ୟ ପ୍ରସଙ୍ଗ ପାଇଁ ଅପ୍ରାସଙ୍ଗିକ। ଗଁାଗଁାରେ ରାମଲୀଳା ହେଉଥିଲା, ରାମାୟଣ ପଢ଼ାଯାଉଥିଲା। ଲୋକେ ଶୁଣୁଥିଲେ- ଜଟାୟୁର ଶବ ସତ୍କାର ପାଇଁ ରାମଚନ୍ଦ୍ର ଲକ୍ଷ୍ମଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି; ବଣରୁ ହାତୀଶୁଣ୍ଢ ଭଙ୍ଗା-କାଠ ଆଣିବା ପାଇଁ। ଏମିତିରେ ଗଁା ଲୋକେ, ପାରିବେଶିକ ପ୍ରକୃତି ପ୍ରତି କେତେ ସତର୍କ ନ ହେଉଥିଲେ ସତେ! ସେ କାଳ ଯାଇଛି। ଶିଳ୍ପୀକରଣ ଓ ସହରୀକରଣ ଆଳରେ ପ୍ରକୃତି ଜଗତର ଖାଲି ବୃକ୍ଷାଦି କାହିଁକି, ପାହାଡ଼ାଦି ବି ବଳି ପଡ଼ିଛନ୍ତି। ଆକାଶର ମେଘଖଣ୍ଡମାନେ ଚରିବେ କେଉଁଠି?
ସ୍ବଚ୍ଛ ପରିବେଶ ପାଇଁ ସାରଳା ମହାଭାରତରେ ଅନେକ କାହାଣୀର ବର୍ଣ୍ଣନା ଅଛି। ତହିଁରୁ ଗୋଟିଏ ଶୁଣାଯାଉ। ଯୁଝେଷ୍ଠି ରାଜସ୍ବୟ ଯଜ୍ଞ କରୁଥାନ୍ତି। ଅନେକ ଦେଶରୁ ରାଜା, ପାରିଷଦ, ସୈନ୍ୟସାମନ୍ତ ଆସିଥାନ୍ତି। ସୈନ୍ୟସାମନ୍ତଙ୍କୁ ପତ୍ରରେ ବାଢ଼ି ଖାଇବାକୁ ଦିଆଯାଏ। ସେମାନେ ଖାଇସାରିବା ପରେ ଅଇଁଠାପତ୍ରଗୁଡ଼ିକୁ ପବନ ଉଡ଼ାଇ ନେଇ ଯମୁନା ନଦୀରେ ପକାଇଦିଏ। ଏକେତ ପରିବେଶ ପ୍ରଦୂଷିତ ହୁଏ, ଦ୍ବିତୀୟରେ ଭୀମଙ୍କ ପିତା ପବନ ଏ କାମ କରିବା ଯୁଝେଷ୍ଠିଙ୍କୁ ବାଧେ। ବିକଳ୍ପ ପାଇଁ ସହଦେବଙ୍କୁ ପଚାରନ୍ତି। ସହଦେବ କହନ୍ତି ମେରୁଶୂଳ ଋଷିଙ୍କ କଥା, ଯାହାଙ୍କ ଦୃଷ୍ଟିପାତରେ ସବୁକିଛି ଜଳି ପୋଡ଼ିଯାଏ। ବଦରିକା ଆଶ୍ରମରେ ଥିବା ମେରୁଶୂଳଙ୍କୁ ଆଣିବା ପାଇଁ କୃଷ୍ଣ ପଠାନ୍ତି ଭୀମଙ୍କୁ। ମେରୁଶୂଳଙ୍କୁ ଆଣିବାକୁ ଗଲାବେଳେ ବାଟରେ ଭୀମଙ୍କୁ ପବନ ଦେବତା ମେରୁଶୂଳର ରୂପ ଓ ତାଙ୍କ ଦୃଷ୍ଟିରୁ ପୋଡ଼ିଦେବା ଶକ୍ତି ଅବଗତ କରାଇ, ଋଷିଙ୍କ ଆଗକୁ ନ ଯିବାକୁ ପରାମର୍ଶ ଦେଲେ। ଭୀମ ତାଙ୍କ ପଛରେ ରହି ବାରୁଣାବନ୍ତକୁ ଯଜ୍ଞ ନିମିତ୍ତ ନିମନ୍ତ୍ରଣ କଲେ। ମୁନି ବାରୁଣାବନ୍ତ ପର୍ବତରେ ଆଖିବୁଜି ବସିଥାନ୍ତି। ସୈନ୍ୟମାନେ ଖାଇସାରିବା ପରେ ସେ କୃଷ୍ଣଙ୍କ ପରାମର୍ଶ ମତେ ଚାହାଁନ୍ତି। ପତ୍ରମାନ ପୋଡ଼ି ପାଉଁଶ ହୁଏ। ସେତିକିବେଳେ ବର୍ଷା ହୋଇ ପାଉଁଶ ସମୁଦ୍ରରେ ମିଶେ। ତା’ପରେ ଚାଣ୍ଡାଳମାନେ ‘‘ଗୋମୟ ପକାଇ ଛଡ଼ା ପହଁରା ଦ୍ୟନ୍ତି ତହିଁ।’’ ଏହି ‘ଛଡ଼ା ପହଁରା’ ହେଉଛି ‘ଛେରା ପହଁରା’। ଗୁଣ୍ଡିଚା ଓ ବାହୁଡ଼ା ଯାତ୍ରାରେ ଏବେ ଗଜପତି ରାଜା ନନ୍ଦିଘୋଷ, ଦେବଦଳନ, ତାଳଧ୍ବଜ ରଥରେ ଛେରା ପହଁରା କରିଥାନ୍ତି। ପୂର୍ବେ, କୁଆଡ଼େ, ରାଜା, ବାଇଶ ପାହାଚର କେତୋଟି ପାହାଚ ମଧ୍ୟ ଛେରା ପହଁରା କରୁଥିବା ଜଣାଯାଏ। ଓଡ଼ିଆ ସଂସ୍କୃତିରେ ଛେରା ପହଁରା ହେଉଛି ପରିବେଶ ସ୍ବଚ୍ଛ ରଖିବାର ପ୍ରତୀକ। ଏଇ ସ୍ବଚ୍ଛ ପରିବେଶର ନିୟାମିକା ଶ୍ରୀୟା ଚଣ୍ଡାଳୁଣୀ, ଲକ୍ଷ୍ମୀପୁରାଣରେ ଲକ୍ଷ୍ମୀଙ୍କୁ ତା’ ଘର ପ୍ରତି ଆକୃଷ୍ଟ କରାଇ ନାହିଁ କି?
ମୋ: ୯୪୩୭୩୧୯୯୧୪
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/18/cgqkSALCHpkwvndBIhYP.jpg)