ମାଧବୀ ପୁରି ବୁଚ୍ଙ୍କ ବିରୁଦ୍ଧରେ କଂଗ୍ରେସ ପାର୍ଟି ଆଣିଥିବା ଅଭିଯୋଗ ହେଉଛି ସବୁଠାରୁ ଅଧିକ ଭିତ୍ତିହୀନ ଓ ହାସ୍ୟାସ୍ପଦ। ଏହି ଅଭିଯୋଗ ଅନୁସାରେ ମାଧବୀ ‘ସେବି’ର ଅଧ୍ୟକ୍ଷା ଥାଇ ତାଙ୍କର ପୂର୍ବତନ ନିଯୁକ୍ତିଦାତା ‘ଆଇସିଆଇସିଆଇ ବ୍ୟାଙ୍କ୍’ ଠାରୁ ପାରିତୋଷିକ ଲାଭ କରିଚାଲିଥିଲେ। ସତକଥା ହେଲା ମାଧବୀ ସେଇ ବ୍ୟାଙ୍କ୍ର କର୍ମଚାରୀ ଥିବାବେଳେ ଯେଉଁ ‘ଷ୍ଟକ୍ ଅପ୍ସନ୍’ ଲାଭ କରିଥିଲେ, ପରବର୍ତ୍ତୀ ସମୟରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସେଇ ସୂତ୍ରରୁ ଆୟ କରିଥିଲେ, ଯେଉଁଥିରେ କୌଣସି ଅନିୟମିତତା ନାହିଁ।
ପୁଞ୍ଜିବାଦୀ ଅର୍ଥନୈତିକ ବ୍ୟବସ୍ଥା ହେଉଛି ଏକ ବଜାରଭିତ୍ତିକ ଅର୍ଥନୈତିକ ବ୍ୟବସ୍ଥା। ବଜାର ଯେଉଁ ଆଦର୍ଶକୁ ଅନୁସରଣ କରି କାର୍ଯ୍ୟ କରିଥାଏ ତାହା ହେଲା ସେଠାରେ ପ୍ରାଣମୂର୍ଚ୍ଛା ପ୍ରତିଯୋଗିତାରେ ମାତିଥିବା ପ୍ରତ୍ୟେକ ପ୍ରତିଦ୍ବନ୍ଦ୍ବୀର ସର୍ବାଧିକ ସ୍ବାର୍ଥ ସାଧନ। ଏଭଳି ବ୍ୟବସ୍ଥାର ଜଣାଶୁଣା ଦୁର୍ବଳତା ହେଲା ଏହା ଯେ ବ୍ୟକ୍ତି ସ୍ବାର୍ଥର ଏଭଳି ଅନ୍ଧ ଅନୁଧାବନ ଯୋଗୁଁ ସର୍ବଦା ସମୂହ ସ୍ବାର୍ଥ ବ୍ୟାହତ ହେବାର ଦୃଢ଼ ସମ୍ଭାବନା ରହିଥାଏ, ଯାହାକୁ ‘ବଜାର-ବିଫଳତା’ ରୂପେ ଅଭିହିତ କରାଯାଇଥାଏ। ଏହି ବଜାର-ବିଫଳତାରୁ ଅର୍ଥନୀତିକୁ ଉଦ୍ଧାର କରି ସମୂହ ସ୍ବାର୍ଥର ସୁରକ୍ଷା ପାଇଁ ତେଣୁ ନିୟନ୍ତ୍ରକ ଅନୁଷ୍ଠାନମାନଙ୍କର ଉଦ୍ଭାବନ କରାଯାଇଛି। (ଉଦାହରଣ ସ୍ବରୂପ ମୋବାଇଲ୍ ଫୋନ୍ ଉପଭୋକ୍ତାମାନଙ୍କର ସମୂହ ସ୍ବାର୍ଥ ସୁରକ୍ଷା ପାଇଁ ଆମ ଦେଶରେ ନିୟନ୍ତ୍ରକ ଅନୁଷ୍ଠାନ ‘ଟ୍ରାଇ’ ସ୍ଥାପନ କରାଯାଇଛି; ବିଦ୍ୟୁତ୍ ଉପଭୋକ୍ତାମାନଙ୍କର ସମୂହ ସ୍ବାର୍ଥ ସୁରକ୍ଷା ପାଇଁ ଆମ ରାଜ୍ୟରେ ‘ଓଇଆର୍ସି’ କାର୍ଯ୍ୟ କରିଥାଏ...)। ଅତଏବ ଏହି ଦୃଷ୍ଟିରୁ ବିଚାର କଲେ ଏକ ପୁଞ୍ଜିବାଦୀ ବଜାର ଖଳନାୟକ ହୋଇଥିବା ବେଳେ, ଏକ ନିୟନ୍ତ୍ରକ ସଂସ୍ଥା ହେଉଛି ନାୟକ।
ପୁଞ୍ଜିବାଦର ବିରୋଧୀମାନଙ୍କ ଦୃଷ୍ଟିରେ ନିୟନ୍ତ୍ରକ ସଂସ୍ଥାମାନେ ଉପଭୋଗ କରିଆସୁଥିବା ଏହି ନାୟକସୁଲଭ ପରିଚୟରେ ଓଲଟପାଲଟ ଘଟାଇ ଅର୍ଥନୈତିକ ଜଗତରେ ଏକ ଭୂ-କମ୍ପ ସୃଷ୍ଟି କରିଥିଲେ ଆମେରିକୀୟ ଅର୍ଥନୀତିଜ୍ଞ ଜର୍ଜ ଷ୍ଟିଗ୍ଲର୍ ଆଜକୁ ପ୍ରାୟ ଅର୍ଦ୍ଧଶତାବ୍ଦୀ ତଳେ। ୧୯୭୧ରେ ପ୍ରକାଶିତ ତାଙ୍କର ଯେଉଁ ଏକ ନିବନ୍ଧ ଏହି ଭୂ-କମ୍ପ ଘଟାଇଥିଲା, ତାହାର ଶୀର୍ଷକ ଥିଲା- ‘ଦି ଥିଓରି ଅଫ୍ ଇକୋନୋମିକ୍ ରେଗୁଲେସନ୍’ (‘ଅର୍ଥନୈତିକ ନିୟନ୍ତ୍ରଣ ତତ୍ତ୍ବ’)। ଏକ ରହସ୍ୟ ଉପନ୍ୟାସରେ ଯେପରି ଶେଷରେ ସର୍ବାଧିକ ସନ୍ଦେହମୁକ୍ତ ଚରିତ୍ରଜଣକ ହିଁ ପ୍ରକୃତ ଅପରାଧୀ ରୂପେ ଆବିର୍ଭୂତ ହୋଇଥାଏ, ଷ୍ଟିଗ୍ଲର୍ ସେହିପରି ତାଙ୍କର ଏହି ନିବନ୍ଧରେ ଦର୍ଶାଇଥିଲେ ଯେ ଉପଭୋକ୍ତାମାନଙ୍କର ସାମୂହିକ ସ୍ବାର୍ଥ ରକ୍ଷା କରିବା ନୁହେଁ, ଶିଳ୍ପ ବ୍ୟବସାୟର ସ୍ବାର୍ଥ ରକ୍ଷା କରିବା ହେଉଛି ନିୟନ୍ତ୍ରଣ ନୀତିର ଓ ନିୟନ୍ତ୍ରକମାନଙ୍କର କାର୍ଯ୍ୟର ଅସଲ ଉଦ୍ଦେଶ୍ୟ।
ପରବର୍ତ୍ତୀ ସମୟରେ ଅର୍ଥନୀତିରେ ନୋବେଲ୍ ପୁରସ୍କାର ଲାଭ କରିଥିବା ଷ୍ଟିଗ୍ଲର୍ଙ୍କର ଏହି ରହସ୍ୟ ରୋମାଞ୍ଚ କାହାଣୀ ଦୀର୍ଘ ଅର୍ଦ୍ଧଶତାବ୍ଦୀରୁ ଅଧିକ କାଳ ପରେ ବି ଆଦୌ ଲୋକପ୍ରିୟତା ହରାଇ ନାହିଁ, ତାହାର ସଦ୍ୟତମ ପ୍ରମାଣ ହେଉଛି ଭାରତରେ ସେଆର୍ ବଜାରର ସର୍ବୋଚ୍ଚ ନିୟନ୍ତ୍ରକ ସଂସ୍ଥା ‘ସିକ୍ୟୁରିଟିଜ୍ ଆଣ୍ଡ୍ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ’ (‘ସେବି’) ଓ ତାହାର ମୁଖ୍ୟ ମାଧବୀ ପୁରି ବୁଚ୍ଙ୍କୁ କେନ୍ଦ୍ରକରି ଦେଖାଦେଇଥିବା ବିବାଦମାନ। ଏ ପର୍ଯ୍ୟନ୍ତ ଯେଉଁ ତିନିଗୋଟି ଭିନ୍ନ ଭିନ୍ନ ପକ୍ଷ ବୁଚ୍ଙ୍କ ବିରୋଧରେ ଭିନ୍ନ ଭିନ୍ନ ଅନିୟମିତତା ଅଭିଯୋଗ ଆଣିଛନ୍ତି, ସେମାନେ ହେଲେ- ହିଣ୍ଡେନ୍ବର୍ଗ, ‘ସେବି’ର ଏକ କର୍ମଚାରୀ ଗୋଷ୍ଠୀ ଓ କଂଗ୍ରେସ ପାର୍ଟି।
ଏଥିମଧ୍ୟରୁ ଯାହାର ଅଭିଯୋଗ ଷ୍ଟିଗ୍ଲର୍ଙ୍କର କଥାବସ୍ତୁର ପ୍ରତିଧ୍ବନି ପରି ସର୍ବାଧିକ ପ୍ରତୀୟମାନ ହୋଇଥାଏ, ସିଏ ହେଉଛି ହିଣ୍ଡେନ୍ବର୍ଗ। ସ୍ମରଣଯୋଗ୍ୟ ଯେ ଏଥିପୂର୍ବରୁ ଏହି ଆମେରିକୀୟ ‘ସର୍ଟ ସେଲର୍’ ଭାରତୀୟ ଆଦାନୀ ଶିଳ୍ପଗୋଷ୍ଠୀ ବିରୋଧରେ ଏକ ଗୁରୁତର ଅଭିଯୋଗ ଆଣି ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ଯେ ଏହି ଗୋଷ୍ଠୀ ନିଜ କଂପାନିମାନଙ୍କର ସେଆର୍ ମୂଲ୍ୟରେ କୃତ୍ରିମ ଭାବରେ ବୃଦ୍ଧି ଘଟାଇ ଲାଭବାନ ହେବା ପାଇଁ ବିଭିନ୍ନ ଅସାଧୁ ଉପାୟମାନ ଅବଲମ୍ବନ କରି ଭାରତୀୟ ସେଆର୍ ବଜାରକୁ ପ୍ରଭାବିତ କରିଆସିଛି। ଏହି ଅଭିେଯାଗର ସତ୍ୟତା ପରୀକ୍ଷା କରିବା ପାଇଁ ଭାରତର ସୁପ୍ରିମ୍ କୋର୍ଟ ‘ସେବି’ ଉପରେ ଅନୁସନ୍ଧାନ ଦାୟିତ୍ବ ନ୍ୟସ୍ତ କରିଥିଲେ। ‘ସେବି’ ଅନୁସନ୍ଧାନ କରି ଆଦାନୀ ଗ୍ରୁପ୍କୁ ବସ୍ତୁତଃ କ୍ଲିନ୍ଚିଟ୍ ପ୍ରଦାନ କରିଛି, ଯାହାକୁ ସୁପ୍ରିମ୍ କୋର୍ଟ ଗ୍ରହଣ କରିଛନ୍ତି।
ଏହି ସମୟରେ ହିେଣ୍ଡନ୍ବର୍ଗ (ଯାହାକୁ ‘ସେବି’ ଉତ୍ତରଦାୟୀ କରିଛି) ‘ସେବି’ ବିରୁଦ୍ଧରେ ଓଲଟା ଅଭିଯୋଗ ଆଣିଛି ଯେ ଏହାର ମୁଖ୍ୟଙ୍କର ବ୍ୟକ୍ତିଗତ ସ୍ବାର୍ଥ ଜଡ଼ିତ ଥିବାରୁ ସେ ଆଦାନୀକୁ ସୁରକ୍ଷା ପ୍ରଦାନ କରିବାକୁ ଉଦ୍ୟମ କରିଛନ୍ତି। ସେତିକି ନୁହେଁ, ହିଣ୍ଡେନ୍ବର୍ଗ ମଧ୍ୟ ଅଭିଯୋଗ କରିଛି ଯେ ‘ସେବି’ ତା’ର ନିୟନ୍ତ୍ରଣ କ୍ଷମତା ବ୍ୟବହାର କରି ବୁଚ୍ଙ୍କ ସଂପୃକ୍ତି ଥିବା ଶିଳ୍ପକ୍ଷେତ୍ରକୁ ସାହାଯ୍ୟ କରିଛି। ପ୍ରମାଣ ସ୍ବରୂପ ହିଣ୍ଡେନ୍ବର୍ଗ ଦର୍ଶାଇଛି ଯେ ଗୌତମ ଆଦାନୀଙ୍କ ଭାଇ ବିନୋଦ ଆଦାନୀ ନିବେଶ କରିଥିବା ବିଦେଶସ୍ଥ ଏକ ଫଣ୍ଡ୍ରେ ମାଧବୀ ଓ ତାଙ୍କ ସ୍ବାମୀ ମଧ୍ୟ ପୁଞ୍ଜି ନିବେଶ କରିଥିଲେ। କିନ୍ତୁ ବୁଚ୍ଙ୍କ ସପକ୍ଷରେ ଏହା କୁହାଯାଇପାରେ ଯେ ଏହି ଫଣ୍ଡ୍ କେବଳ ଆଦାନୀ କଂପାନିମାନଙ୍କରେ ପୁଞ୍ଜି ନିବେଶ କରିଥିବାର କୌଣସି ପ୍ରମାଣ ନାହିଁ, ଏବଂ ସେମାନେ ମଧ୍ୟ ସେ ଫଣ୍ଡ୍ରୁ ପୁଞ୍ଜି ପ୍ରତ୍ୟାହାର କରିସାରିଛନ୍ତି।
ହିଣ୍ଡେନ୍ବର୍ଗର ଅନ୍ୟ ଏକ ଅଭିଯୋଗ ଅନୁସାରେ ‘ସେବି’ ଭାରତରେ ‘ରିଅଲ୍ ଇଷ୍ଟେଟ୍ ଟ୍ରଷ୍ଟ’ (‘ରେଇଟ୍ସ’)ମାନଙ୍କୁ ସହାୟକ ହେବା ଭଳି ନିୟମମାନ କାର୍ଯ୍ୟକାରୀ କରିଛି, ଯେତେବେଳେ ମାଧବୀଙ୍କ ସ୍ବାମୀ ଜଣେ ‘ରେଇଟ୍’ ପ୍ରମୋଟର୍ଙ୍କର ଉପଦେଷ୍ଟା ରୂପେ କାର୍ଯ୍ୟ କରୁଥିଲେ। ଏହା ହେଉଛି ସ୍ପଷ୍ଟ ରୂପେ ଏକ ଉଦ୍ଭଟ ଅଭିଯୋଗ। ପୃଥିବୀର ଦ୍ରୁତତମ ବର୍ଦ୍ଧିଷ୍ଣୁ ଅର୍ଥନୀତି ହୋଇଥିବା ଭାରତରେ କାର୍ଯ୍ୟାଳୟ ଓ ବ୍ୟବସାୟ ପ୍ରତିଷ୍ଠା ନିମିତ୍ତ ଗୃହ ନିର୍ମାଣ ଚାହିଦାରେ ଦ୍ରୁତ ବୃଦ୍ଧି ଘଟିବାରେ ଲାଗିଛି। ‘ସେବି’ ଯଦି ଏଥିରେ ସହାୟକ ନ ହୋଇ ବାଧା ସୃଷ୍ଟି କରନ୍ତା, ତାହା ଜାତୀୟ ସ୍ବାର୍ଥ ବିରୋଧୀ କାର୍ଯ୍ୟ ହୁଅନ୍ତା ତଥା ‘ସେବି’ ପକ୍ଷରେ କର୍ତ୍ତବ୍ୟରେ ଅବହେଳା ହୁଅନ୍ତା। ହିେଣ୍ଡନ୍ବର୍ଗ ଆଣିଥିବା ଅନ୍ୟ ଏକ ଅଭିଯୋଗ ଅନୁସାରେ ମାଧବୀ ବୁଚ୍ ‘ସେବି’ର ଅଧ୍ୟକ୍ଷା ରୂପେ ଦାୟିତ୍ବ ଗ୍ରହଣ କଲାପରେ ମଧ୍ୟ ସେ ଓ ତାଙ୍କ ସ୍ବାମୀ ଏକ କନ୍ସଲ୍ଟିଙ୍ଗ୍ ବ୍ୟବସାୟର ମାଲିକ ହୋଇରହିଥିଲେ। ତାଙ୍କର ନୂତନ ପଦ ପ୍ରଭାବରେ ତାଙ୍କର ଏହି ବ୍ୟବସାୟ ଲାଭବାନ ହୋଇଥିଲା କି ନାହିଁ, ତାହା ଅନୁସନ୍ଧାନସାପେକ୍ଷ।
ଇତିମଧ୍ୟରେ ‘ସେବି’ର କେତେକ କର୍ମଚାରୀ ବିତ୍ତ ମନ୍ତ୍ରଣାଳୟକୁ ଏକ ବେନାମି ପତ୍ର ମାଧ୍ୟମରେ ଜଣାଇଥିବା ଅଭିଯୋଗ ଅନୁସାରେ ମାଧବୀ ବୁଚ୍ କୁଆଡ଼େ ‘ସେବି’ର କର୍ମଚାରୀମାନଙ୍କ ପ୍ରତି ଘୋର ଦୁର୍ବବ୍ୟବହାର ପ୍ରଦର୍ଶନ କରିଥାନ୍ତି। ଏହାର ଅବଶ୍ୟ ଷ୍ଟିଗ୍ଲରୀୟ ଦୋଷ ସହିତ କୌଣସି ସଂପର୍କ ନାହିଁ, କିନ୍ତୁ କାର୍ଯ୍ୟାଳୟରେ ଏକ ସଭ୍ୟ ଓ ସକାରାତ୍ମକ କାର୍ଯ୍ୟ ସଂସ୍କୃତ ପ୍ରତିଷ୍ଠା କରିବା ଯେ ହେଉଛି ‘ସେବି’ ମୁଖ୍ୟଙ୍କର ସର୍ବନିମ୍ନ ଦାୟିତ୍ବ, ଏଥିରେ କେହି ଦ୍ବିମତ ହେବେ ନାହିଁ।
ମାଧବୀ ପୁରି ବୁଚ୍ଙ୍କ ବିରୁଦ୍ଧରେ କଂଗ୍ରେସ ପାର୍ଟି ଆଣିଥିବା ଅଭିଯୋଗ ହେଉଛି ସବୁଠାରୁ ଅଧିକ ଭିତ୍ତିହୀନ ଓ ହାସ୍ୟାସ୍ପଦ। ଏହି ଅଭିଯୋଗ ଅନୁସାରେ ମାଧବୀ ‘ସେବି’ର ଅଧ୍ୟକ୍ଷା ଥାଇ ତାଙ୍କର ପୂର୍ବତନ ନିଯୁକ୍ତିଦାତା ‘ଆଇସିଆଇସିଆଇ ବ୍ୟାଙ୍କ୍’ ଠାରୁ ପାରିତୋଷିକ ଲାଭ କରିଚାଲିଥିଲେ। ସତକଥା ହେଲା ମାଧବୀ ସେଇ ବ୍ୟାଙ୍କ୍ର କର୍ମଚାରୀ ଥିବାବେଳେ ଯେଉଁ ‘ଷ୍ଟକ୍ ଅପ୍ସନ୍’ ଲାଭ କରିଥିଲେ, ପରବର୍ତ୍ତୀ ସମୟରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସେଇ ସୂତ୍ରରୁ ଆୟ କରିଥିଲେ, ଯେଉଁଥିରେ କୌଣସି ଅନିୟମିତତା ନାହିଁ।
କିନ୍ତୁ ଏହା ସତ୍ତ୍ବେ ଏହା ମଧ୍ୟ ଅସ୍ବୀକାର କରାଯାଇପାରିବ ନାହିଁ ଯେ ‘ସେବି’କୁ ସମସ୍ତ ଷ୍ଟିଗ୍ଲରୀୟ ସନ୍ଦେହରୁ ମୁକ୍ତ କରିବା ପାଇଁ ଏହାର ମୁଖ୍ୟଙ୍କୁ କୌଣସି ଏକ ଉପଯୁକ୍ତ ସଂସ୍ଥା ସମ୍ମୁଖରେ ସ୍ପଷ୍ଟୀକରଣ ପ୍ରଦାନ କରିବାକୁ ହେବ। ଯେହେତୁ ‘ସେବି’ ହେଉଛି ଏକ ସ୍ବୟଂଶାସିତ ସର୍ବୋଚ୍ଚ ନିୟନ୍ତ୍ରକ ସଂସ୍ଥା, ପାର୍ଲିଆମେଣ୍ଟର ଏକ କମିଟି ହେଉଛି ଏକମାତ୍ର ଉପଯୁକ୍ତ ସଂସ୍ଥା ଯାହା ନିକଟରେ ‘ସେବି’ ମୁଖ୍ୟ ତାଙ୍କର ସ୍ପଷ୍ଟୀକରଣ ପ୍ରଦାନ କରିପାରିବେ। ଅର୍ଥନୀତିର ସ୍ବାର୍ଥ ଦୃଷ୍ଟିରୁ ଏଥିରେ ହେଳା କରାଯିବା ଉଚିତ ନୁହେଁ।