ଜିତଶତ୍ରୁ ମହାନ୍ତି
ପରିବେଶ ପରିମାପକ ଭାବରେ ଅଙ୍ଗାର ବା କାର୍ବନ ବିଶ୍ୱ ସ୍ୱୀକୃତ। ବାୟୁମଣ୍ଡଳରେ ଏହାର ପରିମାଣର ସିଧାସଳଖ ପ୍ରତିଫଳନ ପୃଥିବୀର ତାପମାତ୍ରାରେ ଦେଖିବାକୁ ମିଳେ। ଉତ୍ତପ୍ତୀକରଣରୁ ସମସ୍ତ ପରିବେଶ ସମସ୍ୟାର ସୃଷ୍ଟି। ସ୍ଥିତି ନିରୀକ୍ଷଣ, ପରିସ୍ଥିତି ନିୟନ୍ତ୍ରଣ ଓ ସଙ୍କଟ ନିବାରଣ ପାଇଁ ସମୟଭିତ୍ତିକ ସମୁଚିତ ପଦକ୍ଷେପ ନିମନ୍ତେ ଆଂଚଳିକ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏହାକୁ ଅହରହ ଆକଳନ କରାଯାଉଅଛି।
ଅଙ୍ଗାର ଏକ ଅଣଧାତବ ପଦାର୍ଥ। ଉଭୟ ମୌଳିକ ଓ ଯୌଗିକ ରୂପରେ ଉପଲବ୍ଧ। ହୀରା, ଗ୍ରାଫାଇଟ୍ ଓ କୋଇଲା ପ୍ରଭୃତି କଠିନ ମୌଳିକ ବସ୍ତୁ ହୋଇଥିବାବେଳେ ଅଙ୍ଗାରକାମ୍ଳ, ମିଥେନ୍, ହାଇଡ୍ରୋକାର୍ବନ ଓ ପରଫ୍ଲୁରୋକାର୍ବନ ଇତ୍ୟାଦି ଗ୍ୟାସ୍ ଓ ଜୀବାଂଶ ତୈଳ ହେଉଛନ୍ତି ଯୌଗିକ। ବ୍ରହ୍ମାଣ୍ଡରେ ପରିମାଣ ଦୃଷ୍ଟିରୁ ଉଦ୍ଜାନ, ହିଲିଅମ୍ ଓ ଅମ୍ଳଜାନ ପରେ ଏହା ଚତୁର୍ଥ ବହୁଳ। ସାଧାରଣ ତାପମାତ୍ରାରେ ନାନାବିଧ ଜୈବ ଯୌଗିକ ପଦାର୍ଥ ତିଆରି କରିବାରେ ଅସାଧାରଣ ଓ ଅନନ୍ୟ ଦକ୍ଷତା ଯୋଗୁଁ ଏହା ସବୁ ଜୀବସତ୍ତାର ଅଂଶବିଶେଷ। ମଣିଷ ଶରୀରର ୧୮.୫ ପ୍ରତିଶତ ହେଉଛି କାର୍ବନ। ଏହା ଆମର ହାଡ଼, ମାଂସ, ଚର୍ମ, କୋଷ ଏପରିକି ଗୁଣସୂତ୍ରର ପ୍ରମୁଖ ଉପାଦାନ। ବୃକ୍ଷଲତାର ପ୍ରାୟ ୫୦ ପ୍ରତିଶତ ଅଙ୍ଗାର। ତେଣୁ ଏହା ସମସ୍ତ ଜୀବନ୍ତ ବସ୍ତୁର ମୁଖ୍ୟ ଉପାଦାନ।
ଆହାର ଜୀବନଧାରଣ ଓ ଶାରୀରିକ ଅଭିବୃଦ୍ଧି ପାଇଁ ଅପରିହାର୍ଯ୍ୟ। ଉଦ୍ଭିଦ ନିଜର ଚାହିଦା ମେଣ୍ଟାଇବା ସହିତ ପ୍ରାଣୀମାନଙ୍କର ଯୋଗାଣକାରୀ ଭୂମିକା ନିର୍ବାହ କରେ। ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଆହରଣ କରି ଗଛଲତା ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି, ଯାହା ଖାଦ୍ୟ ଶୃଙ୍ଖଳର ମୂଳଦୁଆ। ଆମ ଖାଦ୍ୟର ସିଂହଭାଗ ଅଙ୍ଗାର ଆଧାରିତ ଶ୍ୱେତସାର। ସେହିପରି ପୁଷ୍ଟିସାର ଓ ସ୍ନେହସାର ମଧ୍ୟ ଅଙ୍ଗାରଯୁକ୍ତ। ପ୍ରାଣୀଜ ପୁଷ୍ଟିସାର ତୃଣଭୋଜୀ ଜୀବ ଅଥବା ଏମାନଙ୍କ ଖାଦକ ମାଂସାଶୀ ଜନ୍ତୁଙ୍କଠାରୁ ମିଳୁଥିଲେ ମଧ୍ୟ ଅଙ୍ଗାରରୁ ଏହାର ଉତ୍ପନ୍ନ। ସମସ୍ତ ବୈଜ୍ଞାନିକ ବିଶ୍ଳେଷଣରୁ ଜଣାପଡ଼ିଛି ଯେ ଅଙ୍ଗାର ବିନା ଆମ ଆହାର ଅକଳ୍ପନୀୟ।
ବାୟୁମଣ୍ଡଳରେ ଅଙ୍ଗାର ଯୌଗିକ ପଦାର୍ଥ ଯଥା- ଅଙ୍ଗାରକାମ୍ଳ, ମିଥେନ, ଫ୍ଲୁରୋକାର୍ବନର ମାତ୍ରା ବିପଦ ସୃଷ୍ଟି କରୁଛି। ତେଣୁ ପରିବେଶ ବିଜ୍ଞାନୀମାନେ ଅଙ୍ଗାରକାମ୍ଳ ସମତୁଲ୍ୟ ପରିମାଣକୁ ବିପଦ ତୀବ୍ରତାର ମାପଦଣ୍ଡ ଭାବେ ଗ୍ରହଣ କରିଛନ୍ତି। ସେଥିପାଇଁ କାର୍ବନ ପାଦଚିହ୍ନ ପଦ୍ଧତିରେ ବିଭିନ୍ନ ମାନବୀୟ କାର୍ଯ୍ୟକଳାପର ହାନିକାରକ ପ୍ରଭାବ ନିର୍ଦ୍ଧାରଣ କରାଯାଉଅଛି।
ପ୍ରାକ୍ ଶିଳ୍ପାୟନ ସମୟ ପର୍ଯ୍ୟନ୍ତ ବାୟୁର ପ୍ରାକୃତିକ ଉପାଦାନ ପରିମାଣ ପ୍ରାୟତଃ ଅପରିବର୍ତ୍ତିତ ଥିଲା। ବର୍ତ୍ତମାନ ସ୍ଥିତିରେ ସେଥିରେ ଘୋର ପରିବର୍ତ୍ତନ ଘଟିଛି। ଯଦିଓ ଯବକ୍ଷାରଜାନ ଓ ଅମ୍ଳଜାନର ସ୍ତର ସ୍ଥିର ଅଛି କିନ୍ତୁ ଅଙ୍ଗାରକାମ୍ଳ ଓ ମିଥେନ୍ ଅନବରତ କାୟା ବିସ୍ତାର କରିଚାଲିଛନ୍ତି। ଶିଳ୍ପ ବିପ୍ଳବ ପୂର୍ବରୁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ମାତ୍ରା ୨୮୦ ପିପିଏମ୍ ଥିବାବେଳେ ୨୦୨୫ରେ ୪୨୮ ପିପିଏମ୍ରେ ପହଞ୍ଚିଲାଣି। ଏହାର କାରଣ ଅନେକ ଓ ବହୁବିଧ। ତନ୍ମଧ୍ୟରେ କୋଇଲାଭିତ୍ତିକ ବିଦ୍ୟୁତ୍ ଶକ୍ତି ଉତ୍ପାଦନ, ଜୀବାଶ୍ମ ତୈଳର ଅତ୍ୟଧିକ ବ୍ୟବହାର, ଆଧୁନିକ ବିଳସପୂର୍ଣ୍ଣ ଜୀବନଚର୍ଯ୍ୟା, ଉନ୍ନତୀକରଣ ଓ ଯାନ୍ତ୍ରିକୀକରଣ ପ୍ରଭୃତି ପ୍ରଧାନ। ପ୍ରକୃତି ପରିଚାଳିତ ଅଙ୍ଗାର ଚକ୍ରରେ ଆମ କାର୍ଯ୍ୟଶୈଳୀର ଅବାଞ୍ଛିତ ଓ ଅତ୍ୟଧିକ ହସ୍ତକ୍ଷେପ ଫଳରେ ଆବଦ୍ଧ ଅଙ୍ଗାର ମୁକୁଳିଯାଇ ଚାରିଆଡ଼େ ଜହର ଖେଳେଇ ଦେଇଛି। ମାଟି ତଳେ ଥିବା କୋଇଲା, ତୈଳ ଓ ପ୍ରାକୃତିକ ଗ୍ୟାସ ଭଣ୍ଡାର ଖନନ କରିବା ଫଳରେ ଗଚ୍ଛିତ ଅଙ୍ଗାର ମୁକ୍ତ ହୋଇ ବିନାଶର ତାଣ୍ଡବ ରଚୁଛି।
ବର୍ତ୍ତମାନ ବିଶ୍ୱରେ ବାର୍ଷିକ ମୁଣ୍ଡପିଛା ହାରହାରି ୪ ଟନ୍ ଅଙ୍ଗାର ପଦଚିହ୍ନକୁ ୨୦୫୦ ସୁଦ୍ଧା ଅଧା ଅର୍ଥାତ୍ ୨ ଟନ୍ କରିବାକୁ ପଡ଼ିବ, ନଚେତ ପ୍ୟାରିସ୍ ରାଜିନାମା ଅନୁଯାୟୀ ତାପମାତ୍ରା ବୃଦ୍ଧିକୁ ୧.୫ ଡିଗ୍ରି ସେଲସିଅସ୍ରେ ସୀମିତ ରଖିବାର ଲକ୍ଷ୍ୟ ହାସଲ ହୋଇପାରିବ ନାହିଁ। ଉତ୍ତପ୍ତୀକରଣ, ଜଳବାୟୁ ପରିବର୍ତ୍ତନ, ସମୁଦ୍ର ସ୍ତର ବୃଦ୍ଧି, ସାଗର ଅମ୍ଳୀକରଣ, ପାଣିପାଗ ଅନିୟମିତା, ବାତ୍ୟା ବିଭୀଷିକା, ବନ୍ୟା ବିତ୍ପାତ, ମରୁଡ଼ି ପ୍ରକୋପ, ବନାଗ୍ନି, ଗ୍ରୀଷ୍ମପ୍ରବାହ, ଜାତି ବିଲୋପ, ଜୈବ ବିବିଧତା ନଷ୍ଟ, ପରିବେଶ ପ୍ରଦୂଷଣ, ସ୍ୱାସ୍ଥ୍ୟ ସମସ୍ୟା, ଖାଦ୍ୟ ଓ ଜଳ ଅଭାବ ଓ ସର୍ବୋପରି ଅସ୍ୱାଭାବିକ ଧନଜୀବନ ହାନି ଇତ୍ୟାଦି ଦିନକୁ ଦିନ ପ୍ରକଟିତ ହେବାରେ ଲାଗିଛି। ଏହାକୁ ପ୍ରତିହତ କରା ନ ଗଲେ ୨୦୩୦ ସୁଦ୍ଧା ଅତିରିକ୍ତ ୧୦ କୋଟି ଲୋକ ଦରିଦ୍ର ଓ ନିସ୍ବ ହୋଇଯିବେ। ୨ରୁ ୩ ଡିଗ୍ରି ସେଣ୍ଟିଗ୍ରେଡ୍ ତାପମାତ୍ରା ବଢ଼ିଲେ ଅର୍ଦ୍ଧାଧିକ ସ୍ଥଳ ଓ ସାମୁଦ୍ରିକ ଜୀବ ଲୋପ ପାଇବେ। ମରୁଡ଼ି ୪ ଗୁଣ ଓ ବନାଗ୍ନି ୨ ଗୁଣ ବଢ଼ିବ।
ଅଙ୍ଗାର ଅନୁପ୍ରବେଶରେ ଅବନତି, ଅପସାରଣରେ ଅଗ୍ରଗତି ଓ ଆବଦ୍ଧୀକରଣରେ ଅଧିକ ଅବଧି ଭଳି ତ୍ରିମୁଖୀ ପଦକ୍ଷେପ ସାମ୍ପ୍ରତିକ ସମସ୍ୟା ସମାଧାନର ସର୍ବସମ୍ମତ ସୂତ୍ର। ଏହାକୁ ସାମନ୍ତରାଳ ଭାବରେ ଏକା ସମୟରେ କାର୍ଯ୍ୟକାରୀ କରିବା ଅତ୍ୟନ୍ତ ଆବଶ୍ୟକ। ବାୟୁମଣ୍ଡଳକୁ ଅଙ୍ଗାରଯୁକ୍ତ ପଦାର୍ଥ ନିର୍ଗମନ ହ୍ରାସ କରିବାକୁ ହେଲେ ସବୁଜଗୃହ ଗ୍ୟାସ୍ ଉତ୍ସକୁ ନିୟନ୍ତ୍ରଣ କରିବା ଦରକାର। ପରିବେଶ ଅନୁକୂଳ ଜୀବନଯାପନ, କାର୍ବନ ଉତ୍ପନ୍ନକାରୀ ବସ୍ତୁର ସର୍ବନିମ୍ନ ବ୍ୟବହାର କରିବା ଉଚିତ। ଏହାସହିତ ବର୍ତ୍ତମାନର ମାତ୍ରାଧିକ ଅଙ୍ଗାରର ନିଷ୍କାସନ ଓ ଦୀର୍ଘସ୍ଥାୟୀ ସଂରକ୍ଷଣ ନିହାତି ଜରୁରି। ଭୂତାତ୍ତ୍ବିକ ଓ ବୈଷୟିକ ପ୍ରଣାଳୀରେ କଳକାରଖାନ, ଶକ୍ତି ଉତ୍ପାଦନ କେନ୍ଦ୍ର ଓ ପ୍ରାକୃତିକ ଗ୍ୟାସ୍ କ୍ଷେତ୍ରରୁ ନିର୍ଗତ ଗ୍ୟାସ୍କୁ ପ୍ରତ୍ୟକ୍ଷ ବନ୍ଦୀକରଣ ଓ ସଂକୋଚନ ପ୍ରକ୍ରିୟାରେ ତରଳ ପଦାର୍ଥରେ ପରିଣତ କରି ଭୂଗର୍ଭରେ ଥିବା କୋଇଲା ଓ ତୈଳ ଭଣ୍ଡାରରେ ଛଡ଼ାଯାଇଥାଏ।
ଧରିତ୍ରୀର ୯୦ ପ୍ରତିଶତରୁ ଅଧିକ ଅଙ୍ଗାରକୁ ସାଇତି ରଖିଛି ସାମୁଦ୍ରିକ ପରିସଂସ୍ଥା। ସ୍ଥଳଭାଗର ସବୁଜ ସମ୍ପଦ ବିଶେଷ କରି ଜଙ୍ଗଲ ବେଶ୍ ଉପଯୋଗୀ ଓ ପ୍ରଭାବଶାଳୀ। ଅରଣ୍ୟର ଅଙ୍ଗାର ଆହରଣ ଅତୁଳନୀୟ। ଏହା ବିଶ୍ୱର ମୋଟ ଅଙ୍ଗାରକାମ୍ଳ ନିର୍ଗମନର ୪୦ ପ୍ରତିଶତକୁ ଶୋଷଣ କରୁଛି। ଭାରତର ଜଙ୍ଗଲରେ ଗଚ୍ଛିତ ଅଙ୍ଗାରର ପରିମାଣ ୭୨୮୫.୫ ମିଲିଅନ୍ ଟନ୍। ସର୍ବଭାରତୀୟ ସ୍ତରରେ ଏହାର ପରିମାଣ ଦୃଷ୍ଟିରୁ ଅରୁଣାଚଳ ପ୍ରଦେଶ ପ୍ରଥମ, ମଧ୍ୟପ୍ରଦେଶ ଦ୍ୱିତୀୟ, ଛତିଶଗଡ଼ ତୃତୀୟ ଓ ମହାରାଷ୍ଟ୍ର ଚତୁର୍ଥ। ଆମ ରାଜ୍ୟ ଓଡ଼ିଶା ୪୩୩ ମିଲିଅନ ଟନ୍ ଅଙ୍ଗାର ସାଇତି ରଖି ପଞ୍ଚମ ସ୍ଥାନରେ ଅଛି। ୨୦୩୦ ସୁଦ୍ଧା ୨.୫ରୁ ୩ ବିଲିଅନ ଟନ୍ ଅଙ୍ଗାରକାମ୍ଳ ସମତୁଲ୍ୟ ଅଙ୍ଗାର କୁଣ୍ଡ କ୍ଷମତା ବୃଦ୍ଧିପାଇଁ ଆମ ଦେଶ ବିଶ୍ୱ ସମୁଦାୟକୁ ପ୍ରତିଶ୍ରୁତି ପ୍ରଦାନ କରିଛି। ଏ ପର୍ଯ୍ୟନ୍ତ ଏହା ୨.୨୯ ବିଲିଅନ ଟନ୍ ବଢ଼ିସାରିଲାଣି, ଯଦି ଏହି ହାରରେ ବ୍ୟତିକ୍ରମ ନ ଘଟେ ଭାରତ ଏହାକୁ ଶୀଘ୍ର ହାସଲ କରିବ। ଏକ ଘନମିଟର କାଠରେ ଗୋଟିଏ ଟନ୍ ଅଙ୍ଗାର ରଖିବା କ୍ଷମତା ଗଛର ଅଛି। ତେଣୁ ଉଭୟ ବନାଞ୍ଚଳ ଓ ବୃକ୍ଷାଞ୍ଚଳର ସୁରକ୍ଷା, ସଂରକ୍ଷଣ ଓ ଅଭିବୃଦ୍ଧି ଏକାନ୍ତ କାମ୍ୟ। ଅଙ୍ଗାର ବିପଦରୁ ଅରଣ୍ୟ ହିଁ ଆମକୁ ଆଶ୍ୱସ୍ତି ଦେଇପାରିବ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୮୦୨୩୩
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/11/sfsfsxcxc-2025-09-11-02-18-30.jpg)