ମନୋଜ ପରିଡ଼ା

Advertisment

କଲେଜରେ ପଢ଼ିଲା ବେଳେ ମୁଁ ସାଇକେଲ ମାରି ସବୁ ସନ୍ଧ୍ୟାରେ ଭୁବନେଶ୍ୱର ପୁରୁଣା ବସଷ୍ଟାଣ୍ଡ ଆଡ଼େ ଚାଲିଯାଏ। ଉଦ୍ଦେଶ୍ୟ ବହୁମୁଖୀ- ‘କମ୍ପିଟିସନ ସକ୍‌ସେସ ରିଭ୍ୟୁ’ ମାଗାଜିନ ଅଥବା ଆଇଏଏସ୍‌ ପରୀକ୍ଷା ପାଇଁ ପୁରୁଣା ବର୍ଷର ପ୍ରଶ୍ନାବଳୀ କିଣା, ‘ଏମ୍ପ୍ଲଏମେଣ୍ଟ ନ୍ୟୁଜ’ ଉପରେ ମାଗଣାରେ ଆଖିବୁଲା ତଥା କିଛି ପୁରୁଣା ସାଙ୍ଗମାନଙ୍କ ସହ ଖଟି। ଏବେ କିନ୍ତୁ ସେ ଯୁଗ ନାହିଁ, ବସଷ୍ଟାଣ୍ଡ ଉଠି ଗଲାଣି, ବହୁ ଦୂରକୁ। ପୁରୁଣା ଦୋକାନ କେତେଟି ଶ୍ରୀହୀନ ହୋଇ ପଛ ଆଡ଼କୁ ଉଠି ଆସିଛନ୍ତି। ସେଠି ନା ଅଛି ବସିବାକୁ ଜାଗା, ନା ଅଛି ପ୍ରକୃତିର ଦୌରାତ୍ମ୍ୟରୁ ରକ୍ଷା ପାଇବାର ସାଧନ, ତଥାପି ସବୁ ସନ୍ଧ୍ୟାରେ ଏବେ ବି ସେଠି ଗହଳ ଚହଳ। କିଛି ଲେଖକ, ପାଠକ, ଅବ୍ୟାହତି ନେଇଥିବା ପ୍ରଶାସକ ବା ଠିକାରେ ନିଯୁକ୍ତ ଅଧ୍ୟାପକ ମିଳିଯାଆନ୍ତି, ମେଳି କରିବାକୁ।
କିଛି ଦିନ ତଳେ ଜୟଦେବ ଭବନରେ ହେଉଥିବା ଏକ ଅସରନ୍ତି ଭାଷଣ ସଭାରୁ ବାହାରି ଚାଲି ଚାଲି ସେହି କୋଣଠେସା ବହି ଦୋକନ ଅଂଚଳକୁ ଚାଲି ଆସିଲି। ସେଠି ଦେଖା ହେଲେ କିଛି ସାହିତ୍ୟପ୍ରେମୀ ବନ୍ଧୁ ଏବଂ କହିଲେ କଲିକତା ବା ଦିଲ୍ଲୀ ପରି ଆମର ଏଠି ‘ଇଣ୍ଡିଆ କଫି ହାଉସ’ଟିଏ ହୁଅନ୍ତା କି? କଥାଟି ମନକୁ ପାଇଲା। ଏଠି ଏତେ ଖୋଲା ଜାଗା, ପୁଣି ସହରର କେନ୍ଦ୍ର ସ୍ଥାନରେ ଅବସ୍ଥିତି, କିନ୍ତୁ ଏବେ ଏହା କେବଳ ଅଳିଆ ଆବର୍ଜନା ତଥା କିଛି ନିର୍ଭୁକ କୁକୁରଙ୍କ ବିଶ୍ରାମ ସ୍ଥଳ ହୋଇରହିଛି। ଆମ ନୂଆ ସରକାର ଓଡ଼ିଆ ଅସ୍ମିତା ପ୍ରେମୀ ତଥା ଉତ୍କଳୀୟ ସାହିତ୍ୟ, ସଂସ୍କୃତି, ପୂଜ୍ୟପୂଜା ନିମନ୍ତେ ସମର୍ପିତ। ତେଣୁ ନିମ୍ନ ପ୍ରସ୍ତାବଟି ଉତ୍‌ଥାପନ କରିବାର ସମୟ ଏବେ ପ୍ରକୃଷ୍ଟ।
୧୯୩୬ ମସିହାରେ ବ୍ରିଟିସ ସରକାରଙ୍କ ସମୟରେ ସରକାର ବାପୁଡ଼ାଙ୍କୁ ଏକ ବୁଦ୍ଧି ଜୁଟିଲା, ଗୋରା ସାହେବମାନେ ଦେଖିଲେ ଏଇ ଦେଶୀ ଲୋକଗୁଡ଼ା ଚା’ ପିଇବାରେ ଧୁରନ୍ଧର କିନ୍ତୁ କଫି ପିଇବାର ଅଭ୍ୟାସ ନାହିଁ, ତେଣୁ ପ୍ରଥମେ ମୁମ୍ବାଇର ଚର୍ଚ୍ଚଗେଟ୍ ଠାରେ କଫି ସେସ୍ କମିଟି ଦ୍ୱାରା ପ୍ରଥମ ‘ଇଣ୍ଡିଆ କଫି ହାଉସ’ର ସ୍ଥାପନ କରାଗଲା, ମାତ୍ର ଚାରି ବର୍ଷରେ ସାରା ଦେଶରେ ପଚାଶଟି ‘କଫି ହାଉସ’ର ଶାଖା ଖୋଲିଗଲା, ସ୍ୱାଧୀନତା ପରେ ଏସବୁ ଭାରତ ସରକାରଙ୍କ ଅଧୀନସ୍ଥ କଫି ବୋର୍ଡ ଦ୍ୱାରା ନିୟନ୍ତ୍ରିତ ହେଲେ। ଆର୍ଥିକ କ୍ଷତି ହେବାରୁ କଫିବୋର୍ଡଗୁଡ଼ିକ ୧୯୫୫ ଆଡ଼କୁ, ସେଠାରେ କାମ କରୁଥିବା କର୍ମଚାରୀମାନଙ୍କୁ ଚାକିରିରୁ ହଟାଇବା ଆରମ୍ଭ କଲେ। ଏହାର ବିରୋଧରେ କେରଳର ବିଖ୍ୟାତ କମ୍ୟୁନିଷ୍ଟ ନେତା ଏ. କେ. ଗୋପାଲନ ସଂଗ୍ରାମ ଚଳାଇଲେ ଏବଂ କଫି ହାଉସଗୁଡ଼ିକୁ ସେଠାରେ କାର୍ଯ୍ୟ କରୁଥିବା କର୍ମଚାରୀ ସଂଘଗୁଡ଼ିକୁ ସମବାୟ ସୂତ୍ରରେ ଚଳାଇବାକୁ ଅନୁମତି ଦେବାକୁ ସରକାରଙ୍କୁ ଚାପ ପକାଇଲେ। ସଂଗ୍ରାମ ସଫଳ ହେଲା। କର୍ମଚାରୀ ସମବାୟ ସମିତି ଦ୍ୱାରା ପ୍ରଥମ କଫି ହାଉସ ୧୯୫୭ ମସିହାରେ ବାଙ୍ଗାଲୋର ଓ ଦିଲ୍ଲୀରେ ଖୋଲିଗଲା। ନୂତନ ନାମକରଣ ହେଲା ‘ଇଣ୍ଡିଆନ କଫି ହାଉସ’। କାଳକ୍ରମେ ଏହା ପଣ୍ଡିଚେରୀ, ତ୍ରିସୁର, ଲକ୍ଷ୍ନୌ, ନାଗପୁର, ଜବଲପୁର, ପୁନା ତଥା କଲିକତା ଆଦି ସହରରେ ସ୍ଥାପିତ ହୋଇ ଖୁବ୍ ଲୋକପ୍ରିୟ ହେଲା। ଏବେ ପ୍ରାୟ ୧୩ଟି ସମବାୟ ସଂସ୍ଥା ଦ୍ୱାରା ୪୦୦ରୁ ଅଧିକ ‘ଇଣ୍ଡିଆନ କଫି ହାଉସ’ ସୁରୁଖୁରୁରେ ଚାଲିଛି।
ଏହା କେବଳ କଫି ବିକ୍ରୟର ମାଧ୍ୟମ ହୋଇ ରହି ନାହିଁ; ସହରର ସବୁ ବର୍ଗର ଲୋକ, ସାହିତ୍ୟିକ, କବି, ସାମ୍ବାଦିକ, କଳାକାର, ଛାତ୍ର ଜମା ହୁଅନ୍ତି ଏହି କଫି ହାଉସରେ। ସେହିପରି କୁଜିନେତା, ବିଦ୍ରୋହୀ ବା ବହିଷ୍କୃତ ଛାତ୍ରନେତା, ଅସଫଳ ପ୍ରେମିକ ତଥା ସେବା ନିବୃତ ଅଧ୍ୟାପକ ଓ ପ୍ରଶାସକ ମଧ୍ୟ ଏହିପରି ସ୍ଥାନର ଶୋଭାବର୍ଦ୍ଧନ କରନ୍ତି। କେତେକ ପତ୍ନୀ ପ୍ରପୀଡ଼ିତ ଭଦ୍ରଲୋକ ମଧ୍ୟ ସୁଲଭ ମୂଲ୍ୟରେ ପ୍ରାପ୍ତ ଜଳାହାର ନିମନ୍ତେ କଫି ହାଉସର ଚିରସ୍ଥାୟୀ ଗରାଖ ହୋଇଥାନ୍ତି।
କଲିକତାର କଲେଜଷ୍ଟ୍ରିଟ୍ ଠାରେ ଥିବା ‘କଫି ହାଉସ’ଟିର ଐତିହାସିକ ମହତ୍ତ୍ୱ ରହିଛି। ସେଠାରେ ସୁଭାଷ ବୋଷ, ସତ୍ୟଜିତ୍ ରାୟ, ଅମର୍ତ୍ୟ ସେନ ଆଦି ମହାରଥିଙ୍କ ଠାରୁ ଆରମ୍ଭ କରି ଅଗଣିତ ମାଓବାଦୀ, ନକ୍ସଲବାଦୀ, ଛାତ୍ରନେତା, ଲେଖକ, କଳାକାର ନିଜ ନିଜର ଚିନ୍ତାଧାରା ବ୍ୟାଖ୍ୟା ତଥା ବିଚାର ବିମର୍ଶ କରୁଥିଲେ। ଦିଲ୍ଲୀର କନ୍ନଟପ୍ଲେସରେ ଥିବା ‘କଫି ହାଉସ’ ମଧ୍ୟ ଲୋକପ୍ରିୟ ଥିଲା। ଯେତେବେଳେ ବାହାରେ କଫି ୧୦ ଟଙ୍କାରେ ମିଳୁଥିଲା, କଫି ହାଉସରେ ମାତ୍ର ୩୫ ପଇସାରେ ତାହା କିଣାଯାଇ, ଘଂଟା ଘଂଟା ଧରି ରାଜନୀତି ଚର୍ଚ୍ଚା କରାଯାଇ ପାରୁଥିଲା। ଜରୁରୀକାଳୀନ ସ୍ଥିତି ସମୟରେ ଇନ୍ଦିରା ଗାନ୍ଧୀ ସେହି ‘କଫି ହାଉସ’ଟିକୁ ଭାଙ୍ଗି ଦେଇଥିଲେ, ପରେ ଅବଶ୍ୟ ଏହା ମୋହନ ସିଂ ପ୍ଲେସରେ ନବକଳେବର ପ୍ରାପ୍ତ ହୋଇଛି। 
‘କଫି ହାଉସ’ର ମୂଳମନ୍ତ୍ର ହେଲା ଶିକ୍ଷିତମାନଙ୍କ ଆଡ୍‌ଡା। ପ୍ରସିଦ୍ଧ ବଙ୍ଗାଳୀ ଗାୟକ ମନ୍ନା ଦେ ଜନପ୍ରିୟ କଫି ହାଉସ ଉପରେ ଗୋଟିଏ ଗୀତ ବି ଗାଇଛନ୍ତି- “କଫି ହାଉସେର ସେଇ ଆଡ୍‌ଡାଟା, ଆଜ୍ ଆର୍ ନେଇ...।”
‘କଫି ହାଉସ’ର ମୁଖ୍ୟ ଆକର୍ଷଣ ହେଲା ସାଧାରଣ ପରିପାଟୀ, ସୁଲଭ ପାନୀୟ, ରଙ୍ଗଛଡ଼ା ଚେୟାର ଟେବୁଲ, ପୁରୁଣା କାନ୍ଥ ଘଂଟା, କିଛି ପୁରାତନ ତୈଳଚିତ୍ର, ସିଗାରେଟର ଗନ୍ଧ, ଯୁବକଯୁବତୀଙ୍କ ଅନିୟନ୍ତ୍ରିତ କୋଳାହଳ, କିଛି ପ୍ରୌଢ଼ଙ୍କର ସମ୍ବାଦପତ୍ରରେ ବକ ଧ୍ୟାନ, କିଛି ଅସଫଳ ରାଜନେତାଙ୍କ ଆସ୍ଫାଳନ ଇତ୍ୟାଦି। ଆଜିକାଲି ଅବଶ୍ୟ ମୋବାଇଲ ଯୁଗରେ ହୁଏତ ଏସବୁ ପରିବେଶ ପରିବର୍ତ୍ତିତ ହୋଇଯିବ। ପୁଣି ଯଦି ବାତାନୁକୁଳିତ ‘କଫି ହାଉସ’ଟିଏ ସ୍ଥାପନ ହୁଏ, ତେବେ ସିଗାରେଟପ୍ରେମୀ ବନ୍ଧୁମାନେ ଅବଶ୍ୟ ଦୁଃଖିିତ ହେବେ, କିନ୍ତୁ ସାହିତ୍ୟ, ରାଜନୀତି, କଳା, ସଂସ୍କୃତି ଆଦିର କକ୍‌ଟେଲ୍ ଚର୍ଚ୍ଚା ନିମନ୍ତେ ଏକ ‘କଫି ହାଉସ’ ଅପରିହାର୍ଯ୍ୟ। ଏହା ଜ୍ୟେଷ୍ଠ ଓ କନିଷ୍ଠ ଲେଖକ, କଳାକାର, ବୁଦ୍ଧିଜୀବୀମାନଙ୍କର ଏକ ମିଳନ ମଂଚ ହୋଇପାରିବ। ଉପଯୁକ୍ତ ପରିବେଶ ରହିଲେ, ଶିକ୍ଷିତା, ବୁଦ୍ଧିଦୀପ୍ତା ମହିଳାମାନେ ମଧ୍ୟ ସାମିଲ ହୋଇ ସାମାଜିକ, ସାଂସ୍କୃତିକ ଚର୍ଚ୍ଚା କରିପାରିବେ।
ସରକାର ଖଟିଖିଆମାନଙ୍କ ପାଇଁ ଯଦି ଅଗଣିତ ପାଞ୍ଚଟଙ୍କିଆ ଆହାର କେନ୍ଦ୍ର ଖୋଲି ପାରୁଛନ୍ତି, ତେବେ ଦୁଇଟଙ୍କିଆ କଫି ହାଉସଟିଏ, ସହରର ମଧ୍ୟ ସ୍ଥଳରେ ଖୋଲିବାରେ ଅସୁବିଧା କେଉଁଠି? ପୁରୁଣା ବସଷ୍ଟାଣ୍ଡର ପଶ୍ଚାତ୍ ଭାଗରେ ଥିବା ପରିତ୍ୟକ୍ତ ଖାଲି ସ୍ଥାନଟିର ସଦ୍‌ବ୍ୟବହାର କରି, ‘ଓଟିଡିସି’ ଅଥବା କୌଣସି ଏକ ସରକାରୀ ନିଗମ ଦ୍ୱାରା ଏହା ପ୍ରାରମ୍ଭ ହେଉ। ପରବର୍ତ୍ତୀ କାଳରେ ଏହା ‘ଇଣ୍ଡିଆନ କଫି ହାଉସ ଚେନ’କୁ ପରିଚାଳନା ନିମନ୍ତେ ଦିଆଯାଇପାରେ। ଏବେ ସରକାର ଆମ କୋରାପୁଟ କଫିର ପ୍ରଚାର ପ୍ରସାର ନିମନ୍ତେ ନିରନ୍ତର ପ୍ରୟାସ କରୁଛନ୍ତି। ଆମର ଏହି ‘କଫି ହାଉସ’ ଏଥିରେ ସହଯୋଗ କରିପାରିବ। ଏତଦ୍‌ବ୍ୟତୀତ ଭୁବନେଶ୍ୱର ‘କଫି ହାଉସ’ ଏକ ସାଂସ୍କୃତିକ ଖଟିରେ ରୂପାନ୍ତରିତ ହୋଇ ଆମ ଓଡ଼ିଆ ଅସ୍ମିତାର ପ୍ରତ୍ୟାବର୍ତ୍ତନରେ ମଧ୍ୟ ପ୍ରମୁଖ ଭୂମିକା ନେବ ବୋଲି ଆଶା ଓ ବିଶ୍ୱାସ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୭୮୬୭୦୦୨୦୨୪