ଗତ ସପ୍ତାହରେ ନ୍ୟୁଜ୍ ଚାନେଲ୍ଗୁଡ଼ିକରେ ‘ଦାନା’ ବାତ୍ୟା ସଂପର୍କରେ ପ୍ରସାରିତ ଖବରକୁ ନେଇ ବହୁ ଦର୍ଶକ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ବାତ୍ୟାର ପ୍ରକୋପକୁ ବଢ଼େଇଚଢ଼େଇ ଦେଖାଗଲା ବୋଲି ଅଭିଯୋଗ ଆଣିଥିଲେ। ଏ ନେଇ ଇଣ୍ଟରନେଟ୍ରେ ଶହଶହ କମେଣ୍ଟ ଏବଂ ମିମ୍ସ୍ ଦେଖିବାକୁ ମିଳିଥିଲା। ଯେବେ ଯେବେ ବନ୍ୟା ଓ ବାତ୍ୟା ଭଳି ଦୁର୍ବିପାକର ଖବର ଆସେ, ଜୀବନଜୀବିକା ଧ୍ବସ୍ତବିଧ୍ୱସ୍ତ ହେବାର ଆଶଙ୍କା ଉପୁଜେ, ସେତେବେଳେ ବେପରୁଆ ହେବା ପରିବର୍ତ୍ତେ ନେଡ଼ି ଗୁଡ଼ କହୁଣୀକୁ ବହିଯିବା ଆଗରୁ ସାବଧାନ ଓ ସତର୍କ ରହିବା ଶ୍ରେୟସ୍କର। ହାତରେ ଉଷୁମ୍ ଚା’କପ୍ ଧରି, ଘରେ ଟିଭି ସାମ୍ନାରେ ବସି ‘ଏ ନ୍ୟୁଜ୍ ବାଲା ବାତ୍ୟାକୁ ନେଇ ଅଧିକ ଡରାଉଛନ୍ତି’ ବୋଲି କମେଣ୍ଟ କରିବା ଖୁବ ସହଜ। କିନ୍ତୁ ଏଭଳି ସଙ୍ଗିନ ସ୍ଥିତିରେ ସରକାରଙ୍କ ତରଫରୁ ଜାରି ହେଉଥିବା ଗୁରୁତ୍ବପୂର୍ଣ୍ଣ ସୂଚନାଠାରୁ ଆରମ୍ଭ କରି ପାଣିପାଗ ବିଭାଗର ପୂର୍ବାନୁମାନ, ବିଭାଗୀୟ ନିର୍ଦ୍ଦେଶ ଏବଂ ଶେଷରେ କ୍ଷତିଗ୍ରସ୍ତ ଜନତାଙ୍କ ସ୍ୱର ସରକାରଙ୍କ ପାଖରେ ପହଞ୍ଚାଇବା ପର୍ଯ୍ୟନ୍ତ ଅଣନିଃଶ୍ୱାସୀ ହୋଇ ଗଣମାଧ୍ୟମ ଖଟିଚାଲିଥାଏ। ଏହାକୁ ଅଣଦେଖା କରିବା ଆଦୌ ସମୀଚୀନ ନୁହେଁ। ହଁ, ଏକଥା ସତ ଯେ କୌଣସି ସମ୍ବେଦନଶୀଳ ତଥା ଦୁଃଖଦ ଘଟଣାର ରିପୋର୍ଟିଂ ବା ପ୍ରସାରଣ ସମୟରେ ଗଣମାଧ୍ୟମ ଯେତିକି ସାବଧାନତା ଅବଲମ୍ବନ କରିବା କଥା ଅନେକ ସମୟରେ ସେଥିରେ ଅନିଚ୍ଛାକୃତ ଅଭାବ ରହିଯାଏ। ଏହା ଅବଶ୍ୟ ଦାୟିତ୍ବପୂର୍ଣ୍ଣ ସମ୍ବାଦିକତାର ପରିପନ୍ଥୀ।
ସମାଜ ଗଠନରେ, ଜନତାଙ୍କ ସ୍ୱରକୁ ଶାଣିତ କରିବାରେ, ନ୍ୟାୟ ପ୍ରଦାନ କରାଇବାରେ, ଅନ୍ୟାୟକୁ ରୋକିବାରେ, ବ୍ୟବସ୍ଥାରେ ଥିବା ଦୋଷଦୁର୍ବଳତାକୁ ସାମ୍ନାକୁ ଆଣିବାରେ ଗଣମାଧ୍ୟମର ଏକ ଶକ୍ତିଶାଳୀ ଭୂମିକା ରହିଛି। ଏଥିଲାଗି ଗଣମାଧ୍ୟମରେ କାମ କରିବା ଭିତରେ ଅନେକ ସମୟରେ ମୁଁ ଏହାର ଏକ ଅଂଶ ଭାବରେ ଗର୍ବ ଅନୁଭବ କରେ। କିନ୍ତୁ କେବେକେବେ ସେଇ ଗଣମାଧ୍ୟମର ଅସମ୍ବେଦନଶୀଳ ରୂପ ଓ କାଣ୍ଡଜ୍ଞାନହୀନ ଉପସ୍ଥାପନାକୁ ଦେଖି ଲଜ୍ଜିତ ହୋଇଛି। କିଛି ବର୍ଷ ତଳର ଏହି ଘଟଣା ମୋ ମନରେ ଗଭୀର ଛାପ ପକାଇଥିଲା। ୨୦୨୦ ମସିହାରେ ବର୍ଷୀୟାନ୍ ଅଭିନେତା ବିଜୟ ମହାନ୍ତିଙ୍କ ମୃତ୍ୟୁ ସମ୍ବାଦକୁ ଏକ ନିର୍ଦ୍ଦିଷ୍ଟ ଚାନେଲ୍ ଯେପରି ଢଙ୍ଗରେ ପ୍ରସାରଣ କଲା, ତାହା ମୋ ମନକୁ କ୍ଷତାକ୍ତ କରିଦେଇଥିଲା। ବିଜୟ ମହାନ୍ତି ଓଡ଼ିଶାର ଘରେ ଘରେ ପରିଚିତ। ନିଜର ଯାଦୁକରୀ ଅଭିନୟ ଏବଂ ଓଡ଼ିଆ ସିନେମାକୁ ଅବଦାନ ପାଇଁ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ ଥିଲେ ସେ।
ସେଦିନ ବିଜୟ ମହାନ୍ତିଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ଓଡ଼ିଆ ସିନେମାଜଗତ ସ୍ତବ୍ଧ ହୋଇଯାଇଥିଲା। ତାଙ୍କ ଘର ଅଭିନେତାଅଭିନେତ୍ରୀ, ଲେଖକ, ପ୍ରଯୋଜକ, ନିର୍ଦ୍ଦେଶକ ଓ ପ୍ରଶଂସକଙ୍କ ଭିଡ଼ରେ ଲୋକାରଣ୍ୟ ହୋଇଯାଇଥିଲା। ସାରା ଓଡ଼ିଶା ଟେଲିଭିଜନ୍ ପରଦାରେ ତାଙ୍କ ଶେଷଦର୍ଶନ କରୁଥିଲା। ପରିବାର ଲୋକ ତଥା ଜଣାଶୁଣା ବ୍ୟକ୍ତିତ୍ୱ ସେମାନଙ୍କର ଅନୁଭୂତି ବଖାଣୁଥିଲେ। ସେଇ ଭିତରେ ଗୋଟିଏ ନ୍ୟୁଜ୍ ଚାନେଲ୍ର ସାମ୍ବାଦିକ ବିଜୟ ମହାନ୍ତିଙ୍କ ମାଆଙ୍କ ନିକଟରେ ପହଞ୍ଚିଯାଇଥିଲେ। ବୟସାଧିକ୍ୟ ହେତୁ ଭୀଷଣ ଦୁର୍ବଳ ଦେଖାଯାଉଥାନ୍ତି ବିଜୟବାବୁଙ୍କ ମାଆ। ତାଙ୍କ ମୁହଁ ପାଖରେ ବୁମ୍ ଲଗାଇ ହଠାତ୍ ପ୍ରଶ୍ନକଲେ- ବିଜୟ ଆଉ ନାହାନ୍ତି... କ’ଣ କହିବ ତାଙ୍କ ବିଷୟରେ? କ’ଣ ରହିବ ପ୍ରଥମ ପ୍ରତିକ୍ରିୟା? କିଛି ବୁଝିପାରୁ ନଥିଲେ ସେ। କୋହ ସମ୍ଭାଳି ପାରିଲେନି, କଇଁକଇଁ ହୋଇ କାନ୍ଦିଉଠିଲେ। ମନେହେଉଥିଲା, ପୁଅର ମୃତ୍ୟୁ ସମ୍ପର୍କରେ ଯେମିତି ସେ ଜାଣିନାହାନ୍ତି।
ଏହି ଦୃଶ୍ୟଟି ବାସ୍ତବିକ ହୃଦୟ ବିଦାରକ ଥିଲା। ମୁଁ ଜାଣିନି ବିଜୟବାବୁଙ୍କ ପରିବାର ଏ ଖବର କେମିତି ତାଙ୍କ ମାଆଙ୍କ ପାଖରେ ପହଞ୍ଚାଇଥାଆନ୍ତେ, କିନ୍ତୁ କୌଣସି ମାଆ ଏପରି ଢଙ୍ଗରେ ନିଜ ପୁଅର ମୃତ୍ୟୁ ଖବର କୌଣସି ଗଣମାଧ୍ୟମ ପ୍ରତିନିଧିଠାରୁ ପାଇବା ଆଦୌ ସମୀଚୀନ ନୁହେଁ! ନିଃସନ୍ଦେହ ଯେ ଏହା ଦାୟିତ୍ବହୀନ ଖବର ପରିବେଷଣର ଏକ ନମୁନା। କିନ୍ତୁ ଦୁର୍ଭାଗ୍ୟର ବିଷୟ, ଏହା ଏକମାତ୍ର ଘଟଣା ନୁହେଁ, ଏଭଳି ରାଶିରାଶି ଉଦାହରଣ ରହିଛି। ଏଠି ମୁଁ ସେ ଚାନେଲ୍ କିମ୍ବା ସାମ୍ବାଦିକଙ୍କୁ ଦାୟୀ କରୁନାହିଁ। ଏମିତି ହୁଏତ ମୋ ଚାନେଲ୍ରେ ବି ଘଟିଥାଆନ୍ତା। କାରଣ ସାମଗ୍ରିକ ଭାବରେ ଗଣମାଧ୍ୟମ ଶିଳ୍ପ ହିଁ ଆଜି ଏ ରୋଗର ଶିକାର- ସମସ୍ତେ ଗୋଟିଏ ଲାଉର ମଞ୍ଜି। ଏହା କ’ଣ କେବଳ ସେ ସାମ୍ବାଦିକଙ୍କର ଭୁଲ୍? ନା। କାରଣ ଅଧିକାଂଶ ସମୟରେ ସାମ୍ବାଦିକମାନେ ସେଇ ଢଙ୍ଗରେ କାମ କରିଥାନ୍ତି, ଯେମିତି ତାଙ୍କର ଉଚ୍ଚପଦସ୍ଥ ଅଧିକାରୀ ତାଙ୍କୁ ନିର୍ଦ୍ଦେଶ ଦେଇଥାଆନ୍ତି। ଏକଥା ମଧ୍ୟ କାହାକୁ ଅଛପା ନୁହେଁ। ଯଦି ସେ କରି ନଥାନ୍ତେ ତ ଆଉ କେହି କରିଦେଇ ଥାଆନ୍ତେ! ଏହା କ’ଣ ତା’ହେଲେ ଚାନେଲ୍ ଚଳାଉଥିବା ସମ୍ପାଦକ, ଅଧିକାରୀ ବା ଚାନେଲ୍ ପରିଚାଳକମାନଙ୍କ ଭୁଲ୍? ସମ୍ପୂର୍ଣ୍ଣ ଭାବରେ ସେମାନଙ୍କୁ ବି ଦାୟୀ କରାଯାଇପାରିବ ନାହିଁ। ଖବର ପ୍ରସାରଣ ସଂସ୍ଥାର ବ୍ୟବସାୟ ଆଜିକାଲି ଏତେ ଜଟିଳ ଓ ପ୍ରତିଦ୍ବନ୍ଦ୍ବିତାମୂଳକ ହୋଇଗଲାଣି, ଯେଉଁଠାରେ ବେପାର ଆଉ ଟିଆର୍ପି ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଅଧିକ ଟିଆର୍ପି, ଅଧିକ ବ୍ୟବସାୟ। ବଞ୍ଚି ରହିବା ଏଠି ବଡ଼ କଷ୍ଟ। ଟିଆର୍ପିର ଦୌଡ଼ରେ କେବେକେବେ ଚାନେଲ୍ମାନେ ଦର୍ଶକମାନଙ୍କୁ ଆକୃଷ୍ଟ କରିବାର ଲାଳସାରେ ଏପରି କରିବା ବି ନୂଆ କଥା ନୁହେଁ।
ଯେତେବେଳେ କୌଣସି ନିର୍ଦ୍ଦିଷ୍ଟ ଚାନେଲ୍କୁ ଅଧିକା ଲୋକ ଦେଖିବେ, ସେତେବେଳେ ତା’ର ଟିଆର୍ପି ବଢ଼ିବ। ଆମେ ଦେଖୁଛୁ ନାଟକୀୟ, ମସଲାଯୁକ୍ତ, ଅସମ୍ବେଦନଶୀଳ ଖବର ପ୍ରସାରଣକୁ ବହୁଳ ସଂଖ୍ୟାରେ ଦର୍ଶକ ଦେଖୁଛନ୍ତି। କେଉଁଠି ନା କେଉଁଠି ଦର୍ଶକ ମଧ୍ୟ ସମ୍ବେଦନଶୀଳତାକୁ ଭୁଲିଯାଉଛନ୍ତି। ତା’ହେଲେ ଭୁଲ୍ କାହାର? ସତକଥା ହେଉଛି- ଏ ପ୍ରଶ୍ନର କୌଣସି ନିର୍ଦ୍ଦିଷ୍ଟ ଉତ୍ତର ନାହିଁ। ଏହା କୌଣସି ଗୋଟିଏ ଲୋକର ଭୁଲ୍ ନୁହେଁ। ଏହା ଏକ ପାପଚକ୍ର। ମୁଁ କିନ୍ତୁ ଆଶାବାଦୀ- ଦିନ ଆସିବ, ଗଣମାଧ୍ୟମ ନିଜର ସୀମା ନିର୍ଦ୍ଧାରଣ କରିବ ଏବଂ ବ୍ୟକ୍ତିଗତ ଗୋପନୀୟତାକୁ ଉଚିତ ସମ୍ମାନ ଦେବ। ଖବର ସଂଗ୍ରହ ଓ ପ୍ରସାରଣ ସମୟରେ ଯଥେଷ୍ଟ ଦାୟିତ୍ୱବାନ୍ ରହିବ। ଏସବୁ ସେତେବେଳେ ସମ୍ଭବ ହେବ, ଯେବେ ଦର୍ଶକ ଏହାର ମୂଲ୍ୟ ବୁଝିବେ ଓ ଭଲ ସମ୍ବାଦକୁ ଅଣଦେଖା କରିବାର ଦଣ୍ଡ ଦେବା ପରିବର୍ତ୍ତେ ନିଜର ସ୍ନେହ, ସମର୍ଥନ ଓ ବିଶ୍ୱାସର ପୁରସ୍କାର ଦେବେ।
ତନୟା ପଟ୍ଟନାୟକ
ସଂପାଦକ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/10/27/PtPH95e9zxu1lj5oi4YD.jpg)