ଅାମ ରାଜ୍ୟ ଖଣିଜ ସଂପଦରେ ଭରା ଓ ଏକ ଖଣି ପ୍ରଧାନ ରାଜ୍ୟ ଭାବେ ଜଣାଶୁଣା। କିନ୍ତୁ ଖଣି କହିଲେ ଆମେ ଲୁହାପଥର ବା କୋଇଲା ବା କ୍ରୋମାଇଟ୍ ଆଦି କଥା ବୁଝୁ। କିନ୍ତୁ ରତ୍ନ ପଥର ଖଣିର ଉପଲବ୍ଧତାରେ ଆମ ରାଜ୍ୟ ଯେ ରାଜସ୍ଥାନ ପରେ ଭାରତରେ ଦ୍ବିତୀୟ ଏ ଧାରଣା କାହାର ଅଛି କି? ଏହାର ଉତ୍ତର ନାସ୍ତି ବାଚକ। ଏହାର କାରଣ ଆମ ରାଜ୍ୟରେ ରତ୍ନ ପଥର ଖଣି ଖନନ ବା ଶିଳ୍ପର ବିକାଶ ଦିଗରେ ବିଶେଷ କୌଣସି କାର୍ଯ୍ୟ କରାଯାଉନାହିଁ।
ଭାରତର ରତ୍ନ ପଥର ବା ‘ଜେମ୍ ଷ୍ଟୋନ୍’ର ଆମଦାନି ହାରାହାରି ୫୨୯ ନିୟୁତ ଡଲାର (ପାଖାପାଖି ୪,୨୩୨ କୋଟି ଟଙ୍କା) ହୋଇଥିବା ବେଳେ ଆମ ଦେଶରୁ ପ୍ରାୟ ୭୪୬ ନିୟୁତ ଡଲାର (୫,୯୬୮ କୋଟି ଟଙ୍କା) ମୂଲ୍ୟର ‘ଜେମ୍ ଷ୍ଟୋନ୍’ ବିଦେଶକୁ ରପ୍ତାନି କରାଯାଇଥାଏ। ପୃଥିବୀରେ ଅନେକ ପ୍ରକାରର ରତ୍ନପଥର ଉପଲବ୍ଧ ହେଉଥିବା ବେଳେ ବ୍ୟାବସାୟିକ ଦୃଷ୍ଟିକୋଣରୁ ବିଚାର କଲେ ପାନ୍ନା (ଇମେରାଲଡ୍), ପୋଖରାଜ (ୟେଲୋ ସଫାୟାର), ମାଣିକ୍ୟ (ରୁବି), ଚନ୍ଦ୍ରପଥର (ମୁନଷ୍ଟୋନ), ଗୋମେଦ (ହେସୋନାଇଟ), ନୀଲମ୍ (ବ୍ଲୁ ସଫାୟାର), ହୀରା (ଡାଇମଣ୍ଡ), ରକ୍ତ ମଣି (ଗାର୍ନେଟ) ଇତ୍ୟାଦିର ଚାହିଦା ଅଧିକ। ସରକାରୀ ସର୍ଭେ ଅନୁସାରେ ଓଡ଼ିଶାର କଳାହାଣ୍ଡି, କୋରାପୁଟ, କନ୍ଧମାଳ, ମୟୂରଭଞ୍ଜ, ବଲାଙ୍ଗୀର, ଅନୁଗୁଳ ଏବଂ କେନ୍ଦୁଝର ଇତ୍ୟାଦି ଜିଲ୍ଲାେର ଅେନକ ରତ୍ନପଥର ଖଣି ରହିଛି। କିନ୍ତୁ ତହିଁରୁ ଅନେକ ଖଣି କାର୍ଯ୍ୟକ୍ଷମ ଅବସ୍ଥାରେ ନାହିଁ। ଓଡ଼ିଶା ସରକାରଙ୍କ ଅଧୀନସ୍ଥ ‘ଓଡ଼ିଶା ମାଇନିଙ୍ଗ କର୍ପୋରେସନ୍’ ବା ‘ଓ.ଏମ୍.ସି.’ର ଆନୁଆଲ ରିପୋର୍ଟ ବା ବାର୍ଷିକ ବିବରଣୀ ଅନୁସାରେ ବିଗତ ୬ ବର୍ଷ ହେଲାଣି ଓ.ଏମ୍.ସି. ଅଧୀନରେ ଥିବା କୌଣସି ଗୋଟାଏ ବି ରତ୍ନପଥର ଖଣିରେ ଖନନ କାର୍ଯ୍ୟ ହୋଇ ନାହିଁ। ‘ଇକୋନୋମିକ ସର୍ଭେ ଅଫ ଓଡ଼ିଶା’ରେ ଥିବା ତଥ୍ୟ ଅନୁସାରେ ୨୦୧୭-୧୮ ଏବଂ ୨୦୧୮-୧୯ରେ ଓ.ଏମ୍.ସି.ର ମାତ୍ର ଗୋଟିଏ ରତ୍ନ ପଥର ଖଣି କାର୍ଯ୍ୟକ୍ଷମ ଥିଲା ବେଳେ ୨୦୧୯-୨୦ରେ ୪ଟି ଖଣି କାର୍ଯ୍ୟ କରୁଥିଲା। କିନ୍ତୁ ୨୦୨୦-୨୧ରେ କୌଣସି ଗୋଟାଏ ହେଲେ ରତ୍ନପଥର ଖଣି ଚଳନ୍ତି ଅବସ୍ଥାରେ ନ ଥିଲା ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଅର୍ଥାତ୍ ୨୦୨୧-୨୨ରେ ମାତ୍ର ଗୋଟିଏ ଖଣିରେ କାମ ଚାଲୁଥିଲା। ଓଡ଼ିଶା ସରକାରଙ୍କର ଏକ ତୁଙ୍ଗ ସଂସ୍ଥା ଓ.ଏମ୍.ସି.ର ରତ୍ନ ପଥର ଖଣିଗୁଡ଼ିକର ସ୍ଥିତି ଯଦି ଏପରି ଦୟନୀୟ, ତେବେ ରତ୍ନ ପଥର ବ୍ୟବସାୟ ସଂଦର୍ଭରେ ଆମ ରାଜ୍ୟର ପରିସ୍ଥିତି ବାବଦରେ ସହଜରେ ଅନୁମାନ କରାଯାଇପାରିବ। ଏହି ପରିପ୍ରେକ୍ଷୀରେ ୨୦୧୬ରେ ହୋଇଥିବା ଅଷ୍ଟ୍ରେଲିଆର ‘କ୍ରଫୋର୍ଡ ସ୍କୁଲ ଅଫ ପବ୍ଲିକ ପଲିସି’ ଏବଂ ‘ଆଇ.ଆଇ.ଏମ୍.’ କଲିକତାର ଏକ ମିଳିତ ଗବେଷଣାତ୍ମକ ରିପୋର୍ଟ ପ୍ରଣିଧାନଯୋଗ୍ୟ, ଯହିଁରେ କଳାହାଣ୍ଡିରେ ଥିବା ରତ୍ନପଥର ଖଣି ଉପରେ ବିସ୍ତୃତ ଉଲ୍ଲେଖ ରହିଛି। ତା’ ଅନୁସାରେ ଓଡ଼ିଶାରେ ଅଧିକାଂଶ ରତ୍ନପଥର ଖଣି ସେଇ ଅଂଚଳର ଉଭୟ ପ୍ରଭାବଶାଳୀ ଏବଂ ଛୋଟଛୋଟ ଖଣି ମାଫିଆଙ୍କ କବ୍ଜାରେ ତଥା ବିକ୍ଷିପ୍ତ ଅବସ୍ଥାରେ ରହିଛି, ଯାହା ସମ୍ବନ୍ଧରେ ସରକାରୀ ଭାବେ ନଥି-ପ୍ରମାଣ ନାହିଁ। ୨୦୧୫ର କେତେକ ପ୍ରକାଶିତ ତଥ୍ୟ କହିଥାଏ ଯେ ଝାଡ଼ଖଣ୍ଡ ଏବଂ ଓଡ଼ିଶା ସୀମା ଦେଇ ମାସକୁ ଆନୁମାନିକ ୩୫ ଲକ୍ଷ ଟଙ୍କାର ପାନ୍ନା ପଥରର ଚୋରା ଖନନ ଏବଂ ଚାଲାଣ ହୋଇଥାଏ, ଯାହା କୁଆଡ଼େ ସ୍ଥାନୀୟ ମାଓବାଦୀଙ୍କ କାର୍ଯ୍ୟକଳାପରେ ଲାଗିଥାଏ। କେବଳ ସେତିକି ନୁହେଁ, ଏହି ସବୁ ରତ୍ନପଥର ଖଣିରେ ସରକାରୀ ‘ଗାଇଡ୍ଲାଇନ’ ଅନୁସାରେ ଶ୍ରମିକମାନେ କାର୍ଯ୍ୟ କରି ନ ଥାଆନ୍ତି। ସୁତରାଂ, ସରକାରୀ ଦୃଷ୍ଟିର ବୃଷ୍ଟିଛାୟା ଅଞ୍ଚଳରେ ରହିଥିବା ରତ୍ନ ପଥର ଖଣିମାନଙ୍କ କାରବାର ନେଇ ଅନେକ କିଛି ଜଣାପଡ଼ି ନ ଥାଏ।
ଏକ ବିଡ଼ମ୍ବନା ହେଲା ଏୟା ଯେ ରତ୍ନ ପଥର କାରବାରରେ ଆମ ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧି ନାହିଁ ବୋଲି କହିଲେ କିଛି ଭୁଲ୍ ହେବ ନାହିଁ। ସବୁଠୁଁ ଦୁଃଖର କଥା, ଗୋଟେ ପଟେ ଆମ ରାଜ୍ୟରେ ରତ୍ନପଥରକୁ ନେଇ ସରକାରଙ୍କ ନୀତି ନିରବ ତଥା ଦୁର୍ବଳ, ଅଥଚ ଆର ପଟେ ରାଜ୍ୟରୁ ପ୍ରାୟ ୨ ଲକ୍ଷ ଯୁବକ ଗୁଜରାଟର ସୁରତରେ ହୀରା ତଥା ଜେମ୍ ଷ୍ଟୋନ କାରଖାନାରେ ନିୟୋଜିତ ଅଛନ୍ତି। ଉଲ୍ଲେଖ ଥାଉ ଯେ ଗୁଜରାଟରେ ରତ୍ନପଥର ଖଣି ନାହିଁ ବୋଲି କହିଲେ ଚଳେ, ଅଥଚ ଗୁଜରାଟ ସରକାର ଜେମ୍ ଷ୍ଟୋନ କାରଖାନାରେ ଭାରତରେ ଅଗ୍ରଣୀ।
ତେଣୁ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠେ, ଅନ୍ୟାନ୍ୟ ଖଣି ଭଳି ରତ୍ନ ପଥର ଖଣି ସକାଶେ ରାଜ୍ୟ ସରକାରଙ୍କ ଠାରେ ଖଣି ଖନନ, ବିଶୋଧନ, ବ୍ୟବସାୟ, ଦକ୍ଷତା ବିକାଶ ବା ‘ସ୍କିଲ ଡେଭେଲପମେଣ୍ଟ’ ଇତ୍ୟାଦି ନେଇ ରାଜ୍ୟ ସରକାରଙ୍କ ଠାରେ କୌଣସି ନିର୍ଦିଷ୍ଟ ଦିଗ, ନୀତି ଓ ଯୋଜନା ଦୃଶ୍ୟମାନ ହୋଇ ନ ଥାଏ କାହିଁକି? ଅପର ପକ୍ଷରେ ଦେଶର ଅନ୍ୟ ରାଜ୍ୟ ଏଥିରେ ବହୁ ଆଗୁଆ। ଏହି ପ୍ରେକ୍ଷାପଟରେ ରତ୍ନ ପଥରକୁ ଭିତ୍ତି କରି ରାଜସ୍ଥାନ ସରକାରଙ୍କର ନୀତି ବାବଦରେ ଆଲୋଚନା କରାଯାଇପାରେ। ରାଜସ୍ଥାନରେ ପ୍ରାୟ ୪୫୦ରୁ ଅଧିକ ବର୍ଗ କିଲୋମିଟର ପରିମିତ ଅଞ୍ଚଳରେ ରତ୍ନପଥର ଖଣିମାନ ରହିଛି ଏବଂ ପ୍ରାୟ ସମସ୍ତ ଖଣି କାର୍ଯ୍ୟକ୍ଷମ ଅବସ୍ଥାରେ ଅଛି। ଏହି ଖଣିର ଖନନକୁ ଦୀର୍ଘକାଳୀନ ଲିଜ ଆକାରରେ ଅନେକ ନାମୀ ଘରୋଇ କମ୍ପାନିକୁ ଦିଆଯାଇଛି ଏବଂ ଏହାର କାରବାର ନିର୍ଦ୍ଦିଷ୍ଟ ସରକାରୀ ଗାଇଡ୍ଲାଇନ ଅନୁସାରେ ହୋଇଥାଏ। ରାଜସ୍ଥାନରେ ମୁଖ୍ୟତଃ ପାନ୍ନା, ଟୋପାଜ ଏବଂ ରୁବି ମିଳିଥାଏ ଯାହାର ଶୋଧନ (ପଲିସିଂ) ପାଇଁ ସେଠାରେ ଘରୋଇ କାରଖାନାମାନ ରହିଛି। ଉଲ୍ଲେଖ ଥାଉ କି ‘ଜେମ୍ ଷ୍ଟୋନ୍ କଟିଙ୍ଗ ଏବଂ ପଲିସିଂ’ରେ ରାଜସ୍ଥାନର ଜୟପୁର ହେଉଛି ଭାରତର ସର୍ବବୃହତ୍ ସହର। ‘ଇଣ୍ଡିଆନ ମିନେରାଲ୍ସ ଇୟର ବୁକ୍’ରେ ପ୍ରକାଶିତ ତଥ୍ୟ ଅନୁସାରେ ଭାରତରେ ଏ ଯାବତ୍ ୫୫.୮୭ ଟନ୍ର ପାନ୍ନା ଖଣିର ସନ୍ଧାନ ମିଳିଛି, ଯାହା ମଧ୍ୟରେ ରଜମନ୍ଦ ଏବଂ ଅଜମେର ଜିଲ୍ଲାର ୨୨୧ ବର୍ଗ କିଲୋମିଟର ବ୍ୟାପୀ ପାନ୍ନା ଖଣି ଅନ୍ୟତମ। ଏଥିରେ ସଘନ ଖଣି ଖାନନ କାର୍ଯ୍ୟ ଚାଲିଛି। କେବଳ ତାହା ନୁହେଁ, ବିଶ୍ୱର ସବୁଠାରୁ ଅଧିକ ପାନ୍ନା (ଇମେରାଲ୍ଡ) ଉତ୍ପାଦନ କରୁଥିବା ଜାମ୍ବିଆ ଏବଂ ବ୍ରାଜିଲରେ ‘କଟିଙ୍ଗ ଏବଂ ପଲିସିଂ’ର ବିଶ୍ବ ସ୍ତରୀୟ ଦକ୍ଷତା ନ ଥିବାରୁ ତାହାର ଫାଇଦା ମଧ୍ୟ ରାଜସ୍ଥାନ ଉଠାଇ ପାରିଛି। ଜାମ୍ବିଆର ପାନ୍ନା ଖଣିରୁ ନିଲାମ ହେଉଥିବା ପାନ୍ନା ସିଧାସଳଖ ଆସେ ରାଜସ୍ଥାନର ଫ୍ୟାକ୍ଟ୍ରିଗୁଡ଼ିକୁ। େସଠାରେ କଟିଙ୍ଗ ଏବଂ ପଲିସିଂ ପରେ ଆମେରିକାର ନାମୀଦାମୀ ପାନ୍ନା ବ୍ୟବସାୟ ସଂସ୍ଥା ‘ରିଏଲ ଜେମ୍ ଇଙ୍କ’କୁ ତାହା ବିକ୍ରି କରାଯାଏ। ଉଲ୍ଲେଖ ଥାଉ କି ‘ରିଏଲ ଜେମ୍ ଇଙ୍କ’ ଏ ସବୁ ପାନ୍ନାକୁ ଦୁବାଇ, ହଂକଂ, ଆମେରିକା, ବ୍ୟାଙ୍କକ ଏବଂ ଇଟାଲୀ ଇତ୍ୟାଦି ଦେଶରେ ଚଢ଼ା ଦରରେ ବିକ୍ରି କରିଥାଏ। ଏହା ଏକ ଉଦାହରଣ ମାତ୍ର। ଏଥିରୁ ସ୍ପଷ୍ଟ କିଭଳି ରାଜସ୍ଥାନର ଦକ୍ଷତା ବିଶ୍ବ ପରିଚିତି ଲାଭ କରିବା ସହିତ ସ୍ଥାନୀୟ ଲୋକ ତଥା ରାଜ୍ୟ ସକାେଶ ଅର୍ଥ ଉପାର୍ଜନର ମାଧ୍ୟମ ସାଜିଛି। ଏହା ଉପଲବ୍ଧି କରି ରାଜସ୍ଥାନ ସରକାର ରତ୍ନପଥର ଖଣି ଏବଂ ବ୍ୟବସାୟ ସକାେଶ ଅନେକ ପ୍ରୋତ୍ସାହନମୂଳକ ପଦକ୍ଷେପ ନେଇଛନ୍ତି, ଯେମିତି କି ଅଧିକାଂଶ ରତ୍ନପଥର ଖଣିକୁ ଉପଯୁକ୍ତ ରାସ୍ତା, ନିରବଚ୍ଛିନ୍ନ ବିଦ୍ୟୁତ୍ ଏବଂ ଜଳ ଯୋଗାଣର ସୁବିଧା କରାଯାଇଛି। ଏହା ବ୍ୟତୀତ ରତ୍ନପଥର ମହଜୁଦ ଥିବା ଅଧିକାଂଶ ଅଞ୍ଚଳରେ ‘ଜେମ୍ ଷ୍ଟୋନ୍ ପାର୍କ୍’ ଗଠନ କରାଯାଇଛି ଏବଂ ‘ସୋ ରୁମ୍’, ‘ୱାର୍କସପ’ ଏବଂ ‘ରିସାଇକ୍ଲିଂ ପ୍ଲାଣ୍ଟ’ ଇତ୍ୟାଦିର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏ ଯାବତ ରାଜସ୍ଥାନରେ ୨ଟି ବଡ଼ ବଡ଼ ‘ଜେମ୍ ଷ୍ଟୋନ ପାର୍କ’ ତଥା ‘ସ୍ପେସାଲ ଇକୋନୋମିକ ଜୋନ୍’ ଅଛି। ରତ୍ନପଥର ଖଣି ଖନନ ଏବଂ ବ୍ୟବସାୟ ସକାଶେ ସେଠାରେ ଅସଂଖ୍ୟ ସ୍ଥାନୀୟ ଲୋକଙ୍କୁ ‘ଜେମ୍ ଷ୍ଟୋନ କଟିଙ୍ଗ ଏବଂ ପଲିସିଂ’ର ବିଧିବଦ୍ଧ ପ୍ରଶିକ୍ଷଣ ଦିଆଯାଉଛି। କିନ୍ତୁ ଓଡ଼ିଶାରେ ରତ୍ନପଥର ଖଣି ଏବଂ ବ୍ୟବସାୟକୁ ନେଇ ଏ ଯାବତ୍ ଏଭଳି ପଦକ୍ଷେପ ବା ଆଗ୍ରହ ପରିଦୃଷ୍ଟ ହୋଇପାରିନାହିଁ।
ଓଡ଼ିଶାର ବଲାଙ୍ଗୀର ଜିଲ୍ଲାର ବୀରମହାରାଜପୁର ପଟି ବା ବେଲ୍ଟରେ ପ୍ରଚୁର ପରିମାଣରେ ପାନ୍ନା ଅଛି। କିନ୍ତୁ ‘ମିନେରାଲ୍ସ ଇୟର ବୁକ୍, ୨୦୧୯’ ଅନୁସାରେ ରାଜସ୍ଥାନ ଭଳି ଉଦ୍ୟମ ଓଡ଼ିଶାରେ ହୋଇନାହିଁ। ‘ଜେମ୍ ଷ୍ଟୋନ୍’ ଶିଳ୍ପ ସକାଶେ ଏ ଯାବତ ଓଡ଼ିଶାକୁ କୌଣସି ଜାତୀୟ ସ୍ତରର ପୁଞ୍ଜି ଆସିନାହିଁ କିମ୍ବା ସରକାରୀ ପ୍ରୋତ୍ସାହନରେ ବିଦେଶୀ ସଂସ୍ଥା ସହ କୌଣସି ରାଜିନାମା ମଧ୍ୟ ହୋଇନାହିଁ। ଏଥି ନେଇ କୌଣସି ଯୋଜନାର ନାମଗନ୍ଧ ମଧ୍ୟ ନାହିଁ। କିଛି ବର୍ଷ ତଳେ ଓଡ଼ିଶାରେ ‘ଜେମ୍ ଷ୍ଟୋନ ପାର୍କ’କୁ ନେଇ ଏକ ‘ସ୍ପେସାଲ ଇକୋନୋମିକ ଜୋନ’ ଖୋଲିବା ପାଇଁ ଜାତୀୟ ସ୍ତରର କେତେକ ନାମୀ କମ୍ପାନି ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ। ଏଇସବୁ କମ୍ପାନି ମହାରାଷ୍ଟ୍ର, ଆନ୍ଧ୍ର ଏବଂ ପଶ୍ଚିମବଙ୍ଗରେ ସମୁଦାୟ ୭ଟି ‘ଜେମ୍ ଷ୍ଟୋନ ପାର୍କ’ ଖୋଲି ନିଜସ୍ୱ କାରବାର କରୁଛନ୍ତି, ଯହିଁରେ ସେହି ସବୁ ରାଜ୍ୟ ସରକାର ଏବଂ ସ୍ଥାନୀୟ ଲୋକେ ଉପକୃତ ହେଉଛନ୍ତି। ଏଣେ ‘ଛତିଶଗଡ଼ ଫ୍ୟୁଚରିଷ୍ଟିକ୍ ଇନ୍ଫ୍ରାଷ୍ଟ୍ରକ୍ଚର ଡେଭେଲପମେଣ୍ଟ କମ୍ପାନି’ ଓଡ଼ିଶାେର ‘ଜେମ୍ ଷ୍ଟୋନ ପାର୍କ’ ପ୍ରତିଷ୍ଠା ନେଇ ପାଖାପାଖି ୨୫୦ କୋଟି ଟଙ୍କା ପୁଞ୍ଜି ନିବେଶରେ ଏକ ‘ସ୍ପେସାଲ ଇକୋନୋମିକ ଜୋନ’ ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲେ ସୁଦ୍ଧା ଏ ଯାବତ୍ ଏ ଦିଗରେ କୌଣସି ଆଗ୍ରହ ନ ଥିଲା ପରି ମନେହୁଏ। ରତ୍ନ ପଥର ଶିଳ୍ପକୁ ନେଇ ଓଡ଼ିଶାରେ ଏ ଯାବତ୍ ଆଖିଦୃଶିଆ କୌଣସି ‘ସ୍କିଲ ଡେଭେଲମେଣ୍ଟ ଇନ୍ଷ୍ଟିଚ୍ୟୁଟ’ ନାହିଁ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଣେ, ‘ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା’ର ସହାୟତାରେ ରାଜସ୍ଥାନରେ ୬ଟି ଟ୍ରେନିଂ ସେଣ୍ଟର ଖୋଲା ଯାଇଛି, ଅଥଚ ଆମ ରାଜ୍ୟରେ ଏତେ ପରିମାଣର ରତ୍ନପଥର ଥାଇ ସୁଦ୍ଧା ଜେମ୍ ଷ୍ଟୋନ୍ ଆଧାରରେ ଗୋଟିଏ ହେଲେ ବି ଦକ୍ଷତା ବିକାଶ ଟ୍ରେନିଂ ଇନ୍ଷ୍ଟିଚ୍ୟୁଟ ନାହିଁ। ଆମ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ୩ଟି, ଅବିଭକ୍ତ ଆନ୍ଧ୍ରରେ ୧୦ଟି, ତାମିଲନାଡୁରେ ୨ଟି, ଝାଡ଼ଖଣ୍ଡରେ ୩ଟି ଟ୍ରେନିଂ ସେଣ୍ଟର ରହିଛି। ଏକ ବିଡ଼ମ୍ବନା ହେଲା ଏୟା ଯେ ରତ୍ନ ପଥର କାରବାରରେ ଆମ ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧି ନାହିଁ ବୋଲି କହିଲେ କିଛି ଭୁଲ୍ ହେବ ନାହିଁ। ସବୁଠୁଁ ଦୁଃଖର କଥା, ଗୋଟେ ପଟେ ଆମ ରାଜ୍ୟରେ ରତ୍ନପଥରକୁ ନେଇ ସରକାରଙ୍କ ନୀତି ନିରବ ତଥା ଦୁର୍ବଳ, ଅଥଚ ଆର ପଟେ ରାଜ୍ୟରୁ ପ୍ରାୟ ୨ ଲକ୍ଷ ଯୁବକ ଗୁଜରାଟର ସୁରତରେ ହୀରା ତଥା ଜେମ୍ ଷ୍ଟୋନ କାରଖାନାରେ ନିୟୋଜିତ ଅଛନ୍ତି। ଉଲ୍ଲେଖ ଥାଉ ଯେ ଗୁଜରାଟରେ ରତ୍ନପଥର ଖଣି ନାହିଁ ବୋଲି କହିଲେ ଚଳେ, ଅଥଚ ଗୁଜରାଟ ସରକାର ଜେମ୍ ଷ୍ଟୋନ କାରଖାନାରେ ଭାରତରେ ଅଗ୍ରଣୀ।
ଆମ ରାଜ୍ୟର ରତ୍ନପଥର ପୁଞ୍ଜିକୁ ଭିତ୍ତି କରି ଅନେକ ଶିଳ୍ପ ହୋଇପାରନ୍ତା। ଆଞ୍ଚଳିକ ଲୋକଙ୍କୁ ନିଯୁକ୍ତି ମଧ୍ୟ ମିଳିପାରନ୍ତା। ଅବଶ୍ୟ, ଏହା ମଧ୍ୟ ସତ୍ୟ ଯେ ବିଗତ ବର୍ଷ ମାନଙ୍କରେ କଳାହାଣ୍ଡି, ବଲାଙ୍ଗୀର, ମୟୂରଭଞ୍ଜ ଇତ୍ୟାଦି ଜିଲ୍ଲାରେ ରତ୍ନପଥର ଖଣି ଖନନ ବିରୋଧରେ ରାଜ୍ୟ ସରକାର ଆଞ୍ଚଳିକ ଲୋକମାନଙ୍କର ରୋଷର ଶିକାର ମଧ୍ୟ ହୋଇଛନ୍ତି। କିନ୍ତୁ ଏଥିରେ ହତୋତ୍ସାହିତ ନ ହୋଇ ସରକାର ନିଜର ନୀତିରେ ସୁଧାର ଆଣିବା ଆବଶ୍ୟକ। ମୁଖ୍ୟତଃ, ଏହି ଖନନ ଓ ଶିଳ୍ପ କାର୍ଯ୍ୟରେ ଆଞ୍ଚଳିକ ଲୋକଙ୍କୁ ନିଯୁକ୍ତି ଦେବା ସହ ସେମାନଙ୍କୁ ବ୍ୟାବସାୟିକ ଆୟର ଅଂଶୀଦାର କରିବା ଦିଗରେ ସରକାର ଚିନ୍ତା କରି ପାରନ୍ତି। ତା’ ଛଡ଼ା ନକଲି ରତ୍ନପଥର କାରବାରକୁ ନିରୁତ୍ସାହିତ କଲା ଭଳି ପଦକ୍ଷେପମାନ ମଧ୍ୟ ନେବାକୁ ହେବ। ରାଜସ୍ଥାନରେ ଯେ କୌଣସି ରତ୍ନପଥର କିଣିବା ପୂର୍ବରୁ ରାଜ୍ୟରେ ଥିବା ସରକାରୀ ଲାବୋରାଟୋରିରେ ତାହାର ଖାଣ୍ଟିପଣର ତଦାରଖ ପରେ ପ୍ରମାଣ ପତ୍ର ଦିଆଯାଏ। ତେଣୁ ଏଭଳି ଏକ ସ୍ୱତନ୍ତ୍ର ଗାଇଡ୍ଲାଇନର ବ୍ୟବସ୍ଥା କରାଯାଇପାରେ। ତେଣୁ, ସରକାର ଏ ଦିଗରେ ଧ୍ୟାନ ଦିଅନ୍ତୁ ଏବଂ ରତ୍ନ ପଥର ବ୍ୟବସାୟରେ ଓଡ଼ିଶା ଲାଗି ରହିଥିବା ସମ୍ଭାବନାକୁ ପାରୁପର୍ଯ୍ୟନ୍ତ ଉପଯୋଗ କରନ୍ତୁ।
ମୋ: ୯୭୯୧୧୨୧୦୬୮