ଆଜି ପବିତ୍ର ଜନ୍ମାଷ୍ଟମୀରେ ରାଜ୍ୟର ପ୍ରତ୍ୟେକ ହିନ୍ଦୁ ଧର୍ମାବଲମ୍ବୀଙ୍କ ଘରେ ଏବଂ ରାଧାକୃଷ୍ଣ ଓ ଜଗନ୍ନାଥ ମନ୍ଦିରମାନଙ୍କରେ ଯେଉଁ ପରିମାଣରେ ଫୁଲ ଲାଗିବ, ସେ ସବୁରୁ କେତେ ଅଂଶ ଆମ ରାଜ୍ୟରେ ଉତ୍ପାଦିତ ହୁଏ? ପୁଣି କେବଳ ପୂଜା ପାର୍ବଣ ବା ମନ୍ଦିର ଓ ଘର ଦିଅଁ ପୂଜା ନୁହେଁ, ବିଭିନ୍ନ ସାମାଜିକ ଏବଂ ପାରିବାରିକ ଉତ୍ସାବନୁଷ୍ଠାନ ଏବଂ ସଭାସମିତିରେ ଆମ ରାଜ୍ୟରେ ପ୍ରତିଦିନ ଯେଉଁ ପରିମାଣର ଫୁଲ ବ୍ୟବହୃତ ହୋଇଥାଏ, ସେଥିରୁ ଆମ ରାଜ୍ୟର ଫୁଲ ଚାଷୀଙ୍କ ଭାଗ କେତେ? ଏବେ ଫୁଲ ବ୍ୟବସାୟର ଆକାର ଅତି ଦ୍ରୁତ ବେଗରେ ବୃଦ୍ଧି ପାଉଥିବାରୁ ଏଭଳି ପ୍ରଶ୍ନର ଉତ୍ତର ଖୋଜାଯିବା ଆବଶ୍ୟକ।
ଉପଲବ୍‌ଧ ତଥ୍ୟ ମୁତାବକ ଭାରତୀୟ ଖୁଚୁରା ବଜାରରେ ଫୁଲର ଚାହିଦା ବାର୍ଷିକ ପ୍ରାୟ ୨୩% ହାରରେ ବୃଦ୍ଧି ପାଉଛି। କେବଳ ସେତିକି ନୁହେଁ ଭାରତୀୟ ଫୁଲର ଚାହିଦା ବାହାର ଦେଶ ବିଶେଷ କରି ମାଲେସିଆ, ସିଙ୍ଗାପୁର, ବ୍ରିଟେନ, ନିଉଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆରେ ଖୁବ୍‌ ଅଧିକ, ଯହିଁରେ ଭାରତୀୟ ଗୋଲାପ ଏକ ମୁଖ୍ୟ ସ୍ଥାନ ଅଧିକାର କରିଥାଏ। ସରକାରୀ ତଥ୍ୟ ଅନୁସାରେ ୨୦୨୧-୨୨ ବର୍ଷରେ ଭାରତ ପ୍ରାୟ ୮୬୦ କୋଟି ଟଙ୍କାର ଗୋଲାପ ଫୁଲ ରପ୍ତାନି କରିଥିଲା। ମଜାର କଥା ହେଲା ‘ଆସୋଚାମ୍’ର ରିପୋର୍ଟ ଅନୁସାରେ କେବଳ ‘ଭାଲେଣ୍ଟାଇନ୍‌ସ ଡେ’ରେ ଭାରତ ପ୍ରାୟ ୪୫ କୋଟି ଟଙ୍କାର ଗୋଲାପ ଫୁଲ ରପ୍ତାନି କରିଥିଲା। କିନ୍ତୁ ସେହି ଆସୋଚାମ୍ ରିପୋର୍ଟ କହିଛି ଯେ ବିଦେଶରେ ଭାରତୀୟ ଗୋଲାପ ଫୁଲର ଚାହିଦା ତୁଳନାରେ ଯୋଗାଣ ବହୁତ କମ୍‌। ଉଲ୍ଲେଖ ଥାଉ କି ଅନ୍ତର୍ଜାତୀୟ ବଜାରରେ ଭାରତୀୟ ଫୁଲର ଅଂଶ ମାତ୍ର ୦.୬%, ଯାହା ନୈରାଶ୍ୟଜନକ। ସରକାରୀ ତଥ୍ୟାନୁସାରେ ଭାରତୀୟ ଫୁଲର ଚାହିଦା ବାର୍ଷିକ ୨୦ରୁ ୩୦ ପ୍ରତିଶତ ହାରରେ ବୃଦ୍ଧି ପାଉଥିବା ବେଳେ ଦେଶରେ ହେକ୍ଟର ପିଛା ଫୁଲ ଅମଳର ହାରାହାରି ବୃଦ୍ଧିର ହାର ହେଉଛି ମାତ୍ର ୩ ପ୍ରତିଶତ।

Advertisment

ଏବେ ଆମ ରାଜ୍ୟର ସ୍ଥିତି ଉପରେ ଦୃଷ୍ଟି ପକାଇବା। ଓଡ଼ିଶାର ଜଳବାୟୁ ଗୋଲାପ, ମଲ୍ଲୀ, ଚମ୍ପା, ଗେଣ୍ଡୁ ଏବଂ ପଦ୍ମ ଫୁଲ ଚାଷ ପାଇଁ ଅନୁକୂଳ। କିନ୍ତୁ ଓଡ଼ିଶା ‘ହର୍ଟିକଲଚର’ ବା ଉଦ୍ୟାନ ବିଭାଗର ସର୍ବେକ୍ଷଣ ରିପୋର୍ଟ ଅନୁସାରେ ରାଜ୍ୟରେ ଦୈନିକ ଫୁଲ ଚାହିଦା ୫ରୁ ୬ କୋଟି ଟଙ୍କାର ହୋଇଥିଲା ବେଳେ ମାତ୍ର ୧୦%ରୁ ୨୦% ରାଜ୍ୟର ଚାଷୀ ଯୋଗାଣ କରୁଛନ୍ତି। ସୁତରାଂ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ କର୍ଣ୍ଣାଟକର ଫୁଲ ସେହି ଅଭାବ ପୂରଣ କରୁଛନ୍ତି। ଓଡ଼ିଶା ସରକାରଙ୍କ ‘ଡାଇରେକ୍ଟରେଟ ଅଫ ହର୍ଟିକଲଚର’ର ତଥ୍ୟ ଅନୁସାରେ ଏବେ ରାଜ୍ୟରେ ମାତ୍ର ୪୧ ହେକ୍ଟର ଜମିରେ ଗୋଲାପ ଫୁଲ ଚାଷ କରାଯାଉଛି, ଅଥଚ ପ୍ରାୟ ୧୦୦ ହେକ୍ଟର ଜମିରେ ଗୋଲାପ ଫୁଲ ଚାଷ କରାଯାଇ ପାରନ୍ତା ଏବଂ ଆନ୍ତର୍ଜାତିକ ବଜାରରେ ଗୋଲାପ ଫୁଲର ଚାହିଦା ବାର୍ଷିକ ୨୦% ହିସାବରେ ବୃଦ୍ଧି ପାଉଥିବାରୁ ଗୋଲାପ ଫୁଲ ଚାଷୀମାନେ ଏହାର ଲାଭ ଉଠାଇ ପାରନ୍ତେ। କିନ୍ତୁ ଏହା ମଧ୍ୟ ଏକ ବାସ୍ତବତା ଯେ ଏ ଦିଗରେ ଓଡ଼ିଶା ସରକାରଙ୍କ ବିଶେଷ କୌଣସି ପରିକଳ୍ପନା କିମ୍ବା ଯୋଜନା ନାହିଁ।

ସତ କହିଲେ, ଆମ ରାଜ୍ୟରେ ‘ଫ୍ଲୋରିକଲଚର’ ବା ଫୁଲ ଚାଷ ଏବଂ ବ୍ୟବସାୟକୁ ନେଇ ଉତ୍ତମ ବ୍ୟବସ୍ଥା ନାହିଁ। ଉଦାହରଣ ସ୍ବରୂପ ଏଠାରେ ଗୋଟିଏ ହେଲେ ବିଧିବଦ୍ଧ ଏବଂ ସୁବ୍ୟବସ୍ଥିତ ଫୁଲ ମଣ୍ଡି ନାହିଁ। ଏହାର ଅର୍ଥ ଚାଷୀ କିମ୍ବା ଉଦ୍ୟୋଗୀ ନିଜେ ଗରାଖ ପାଖରେ ପହଞ୍ଚି ଫୁଲ ବିକ୍ରି ନ କ‌େଲ ବ୍ୟବସାୟ ଚାଲିବ ନାହିଁ। ଫୁଲର ନିଲାମ ବା ‘ଅକ୍‌ସନ୍‌’ ବିକ୍ରି ବ୍ୟବସ୍ଥା ବା ପରିକଳ୍ପନା ଆମ ରାଜ୍ୟ ସରକାରଙ୍କ ପାଖରେ ନାହିଁ। ଆସାମ ଓ କେରଳରେ ଉତ୍ପାଦିତ ଚା’ ଏବଂ କଫି ନିଲାମ ବିକ୍ରି ବ୍ୟବସ୍ଥାରୁ ବିପୁଳ ଲାଭ ପାଉଛି, ଯେଉଁ ପଦ୍ଧତି ଆମ ରାଜ୍ୟ ସରକାର ଅନୁସରଣ କରି ପାରନ୍ତେ, ଯାହା ସହିତ ଫୁଲ ଚାଷ ଏବଂ ବିକ୍ରି ଏକ ପେସାଦାରି ରୂପ ପାଆନ୍ତା। ଏହା ବ୍ୟତୀତ ଏକ ସୁଗମ ‘ମାର୍କେଟିଂ ଚ୍ୟାନେଲ’ ବା ‘ବଜାର ବ୍ୟବସ୍ଥା’ର ପରିକଳ୍ପନା କରାଯାଇପାରନ୍ତା ଏବଂ ଏ ଦିଗରେ ଉଭୟ ସରକାରୀ ଓ ବେସରକାରୀ ଉଦ୍ୟୋଗ ସୂତ୍ରରୁ ଆଗ୍ରହ ପ୍ରକାଶ ପାଇବା ଉଚିତ। ଫୁଲ ଶୀଘ୍ର ମଉଳି ଯାଉଥିବାରୁ ତାହାର ସଂରକ୍ଷଣ ଲାଗି ‘ମଲ୍‌ଟି କମୋଡିଟି ଓ ମଲ୍‌ଟି ପର୍ପସ୍‌’ ଶୀତଳ ଭଣ୍ଡାରର ଆବଶ୍ୟକତା ପଡ଼ିଥାଏ, ଆମ ରାଜ୍ୟରେ ଯାହାର ଅଭାବ ଅଛି। ଶୀତଳ ଭଣ୍ଡାରର ଅଭାବ ହେତୁ ଅମଳ ପରେ ଚାଷୀମାନେ ବହୁତ କମ୍‌ ଦରରେ ମଧ୍ୟସ୍ଥି ବା ଦଲାଲମାନଙ୍କୁ ସେ ସବୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି, ଯାହାକୁ ଅଭାବୀ ବିକ୍ରି ବୋଲି ମଧ୍ୟ କୁହାଯାଇପାରେ। ତା’ ଛଡ଼ା ଫୁଲ ଚାଷ‌େର ଅମଳ ବୃଦ୍ଧି ଲାଗି ଆଧୁନିକ ପ୍ରଣାଳୀର ଉପଯୋଗ କରାଯାଉଛି, ଯେଉଁ ଦିଗଦର୍ଶନ କୃଷି ବିଜ୍ଞାନୀ ବା ଉଦ୍ୟାନ ବିଜ୍ଞାନୀମାନେ ଦେଇ ପାରିବେ। ଆମ ରାଜ୍ୟ କିନ୍ତୁ ଏକ ବ୍ୟତିକ୍ରମ, ଯେଉଁଠି ଫୁଲ ଚାଷ ପାରଂପରିକ ପୁରୁଣା ପଦ୍ଧତିରେ ହେଉଛି। ତେଣୁ ଫୁଲ ଚାଷରେ ଉନ୍ନତି କଳ୍ପେ ଅଧିକ କୃଷି ବା ଉଦ୍ୟାନ ବିଶେଷଜ୍ଞଙ୍କ ନିଯୁକ୍ତି ଆବଶ୍ୟକ ତଥା କୃଷକମାନଙ୍କ ପ୍ରଶିକ୍ଷଣର ବ୍ୟବସ୍ଥା ମଧ୍ୟ କରାଯିବା ଉଚିତ। କେବଳ ସେତିକି ନୁହେଁ, ଆମ ରାଜ୍ୟରେ ଫୁଲ ଚାଷ ଏକ ଅବ୍ୟବସ୍ଥିତ ସ୍ଥିତିରେ ଥିବାରୁ ବ୍ୟାଙ୍କ ସହାୟତା ବା ସମବାୟ ସଂପୃକ୍ତି ଅଥବା ଘରୋଇ ପୁଂଜି ନିବେଶ ଲାଗି ବାତାବରଣଟି ଅନୁକୂଳ ହୋଇ ପାରୁନାହିଁ। ଏବେ ଅନେକ ପ୍ରତିଷ୍ଠିତ ଉଦ୍ୟୋଗପତି ‘ଅର୍ଗାନିକ ଫାର୍ମିଙ୍ଗ’ ବା ‘ଜୈବ ଚାଷ’ରେ ପୁଂଜି ନିବେଶ କରୁଛନ୍ତି, ଅଥଚ ଫୁଲ ଚାଷ ପ୍ରାୟତଃ ଅନାଗ୍ରହର ଶିକାର ହେଉଛି। ଅବଶ୍ୟ, କେନ୍ଦ୍ର ସରକାରଙ୍କର ‘ଜାତୀୟ ଉଦ୍ୟାନ କୃଷି ମିସନ’ ଜରିଆରେ ଚାଷୀମାନଙ୍କୁ ଗୋଲାପ, ଗ୍ଲାଡିଓଲି, ଝରାଫୁଲ ଏବଂ ରଜନୀଗନ୍ଧା ଚାଷ ପାଇଁ ୦.୧ ହେକ୍ଟର ପିଛା ୪୦୦୦ରୁ ୬୦୦୦ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଦିଆଯାଉଛି। ରାଜ୍ୟ ଉଦ୍ୟାନ ବିଭାଗ ଦ୍ୱାରା ୨୦୨୨ ମସିହାରେ ପ୍ରକାଶିତ ପୁସ୍ତିକା ଅନୁସାରେ ଓଡ଼ିଶା ରାଜ୍ୟ ସରକାର କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ବୌଦ୍ଧ, ଝାରସୁଗୁଡ଼ା ଓ ଭଦ୍ରକ ଭଳି ‘ଜାତୀୟ ଉଦ୍ୟାନ ମିସନ’ ବାହାରେ ରହିଯାଇଥିବା ୬ଟି ଜିଲ୍ଲାରେ କେବଳ ଗେଣ୍ଡୁ ଫୁଲ ଚାଷ ଲାଗି ଏକ ଯୋଜନା କରିଛନ୍ତି। ଯେଉଁଥି ଲାଗି ସର୍ବାଧିକ ଆର୍ଥିକ ସହାୟତା ୧୬୦୦୦ ଟଙ୍କା, ଯାହା ପରିମାଣ ଦୃଷ୍ଟିରୁ ଅତ୍ୟନ୍ତ କମ୍‌। ତା’ ସହିତ ଏଥିରେ ଯେଉଁ ସର୍ତ୍ତମାନ ରହିଛି, ତାହା ନିରୁତ୍ସାହଜନକ, ଯେମିତି କି ଚାଷ କେବଳ ଜମି ମାଲିକଙ୍କ ଦ୍ବାରା ହେବା ଦରକାର। ଏହାର ଅର୍ଥ ଆମ ରାଜ୍ୟର ସଂଖ୍ୟାଧିକ ଜମିରେ ଚାଷ କରୁଥିବା ଭାଗ ଚାଷୀମାନେ ଏଥିରେ ଅନ୍ତର୍ଭୁକ୍ତ ହୋଇପାରିବେ ନାହିଁ। କେବଳ ସେତିକି ନୁହେଁ, ‘କଣ୍ଟ୍ରାକ୍ଟ ଫାର୍ମିଙ୍ଗ’ ପାଇଁ ଇଚ୍ଛୁକ ଉଦ୍ୟୋଗୀମାନେ ମଧ୍ୟ ଏହି ସବୁ ଯୋଜନାରୁ ବଞ୍ଚିତ ହେଉଛନ୍ତି।

ଗୋଲାପ, ମଲ୍ଲୀ ଏବଂ ରଜନୀଗନ୍ଧା ଇତ୍ୟାଦି ଫୁଲ ସବୁ ଅତର ବା ‘ପରଫ୍ୟୁମ୍‌’ ଏବଂ ଆୟୁର୍ବେଦୀ ଔଷଧ ତିଆରିରେ ଲାଗିଥାଏ। ଉପଲବ୍‌ଧ ତଥ୍ୟ ଅନୁସାରେ ୨୦୨୧-୨୨ ମସିହା ସୁଦ୍ଧା ଇ-କମର୍ସକୁ ବାଦ ଦେଇ ଭାରତୀୟ ବଜାରରେ ଅତର ବ୍ୟବସାୟ ପ୍ରାୟ ୧୮୫୦ କୋଟି ଟଙ୍କାର ହୋଇଥିଲା, ଯାହା ୨୦୨୪ ମସିହା ସୁଦ୍ଧା ଇ-କମର୍ସ ବ୍ୟବସାୟକୁ ମିଶେଇ ୧୪,୦୦୦ କୋଟି ଟଙ୍କାରେ ପହଞ୍ଚିବ ବୋଲି ଆକଳନ କରାଯାଉଛି। ଅନେକ ବାଣିଜ୍ୟ ବିଶେଷଜ୍ଞଙ୍କ ଆକଳନ ଅନୁସାରେ ଅତର ବ୍ୟବସାୟ ବାର୍ଷିକ ୧୫% ଚକ୍ର ବୃଦ୍ଧି ହାରରେ ବଢ଼ିବାର ଆଶା ରହିଛି। ଅନ୍ତର୍ଜାତୀୟ ବଜାରରେ ଅତର ବ୍ୟବସାୟର ଆକାର ୨୦୨୨ରେ ଥିଲା ପ୍ରାୟ ୩୩.୫ ବିଲିଅନ ଆମେରିକୀୟ ଡଲାର ଯାହାକି ଆଗାମୀ ପାଞ୍ଚ ବର୍ଷରେ ବାର୍ଷିକ ୬% ଚକ୍ରବୃଦ୍ଧି ହାରରେ ବଢ଼ିବାର ସମ୍ଭାବନା ରହିଛି। ଅତର ବ୍ୟବସାୟର ଲାଭ ଫୁଲ ଚାଷୀମାନଙ୍କୁ ଯିବା ସ୍ବାଭାବିକ, କାରଣ ସୁବାସିତ ଫୁଲ ହିଁ ଏହାର ପ୍ରମୁଖ କଞ୍ଚାମାଲ। ତେଣୁ ଫୁଲ ଚାଷୀମାନଙ୍କ ସକାଶେ ଏକ ପ୍ରଶସ୍ତ ଦିଗବଳୟ ରହିଛି ଏହା କହିବା ବାହୁଲ୍ୟ ମାତ୍ର।

ଏଇ ପରିପ୍ରେକ୍ଷୀରେ ପ୍ରାୟ ସାତ ଦଶନ୍ଧି ତଳର ଅର୍ଥାତ୍‌ ୧୯୫୪ ମସିହାର ଏକ ବିଷୟ ସ୍ମରଣକୁ ଆସେ। ସେହି ବର୍ଷ ‘ମେନ୍ଥଲ ମିନ୍‌ଟ’ ନାମକ ଏକ ଦ୍ରବ୍ୟ ବଜାରକୁ ଆସିଲା, ଯାହା ଫଳରେ କନୌଜ ସ୍ଥିତ ‘ଫ୍ରାଗ୍ରାନ୍‌ସ ଏଣ୍ଡ ଫ୍ଲେଭର ଡେଭେଲାପମେଣ୍ଟ ସେଣ୍ଟର’ ପକ୍ଷରୁ ‘ମିନ୍‌ଟ’ ବା ପୋଦିନା ତେଲକୁ ଭିତ୍ତି କରି ତାହାର ବିଭିନ୍ନ ଉପଯୋଗିତା ଲାଗି ଖସଡ଼ା ପ୍ରସ୍ତୁତ କରାଗଲା। ୨୦୦୭ ମସିହାରେ ଏହି ସେଣ୍ଟର ଏବଂ ଭାରତୀୟ କମୋଡିଟି ବ୍ୟବସାୟର ତୁଙ୍ଗ ସଂସ୍ଥା ‘ଏମ୍.ସି.ଏକ୍‌ସ’ର ମିଳିତ ଉଦ୍ୟମରେ ‘ମିନ୍‌ଟ’ ଚାଷୀମାନେ ୨୦ରୁ ୩୦%ର ଲାଭ ପାଇଲେ ଏବଂ ମିନ୍‌ଟ ତେଲ ବ୍ୟବସାୟ ଏକ ନୂତନ ଦିଗନ୍ତ ଲାଭ କଲା। ଏହି ଉଦ୍ୟମ ଫଳରେ ଭାରତୀୟ ଚାଷୀ ବାର୍ଷିକ ୪୦,୦୦୦ ଟନ ମିନ୍‌ଟ ତେଲ ଉତ୍ପାଦନ କରି ବିଶ୍ୱ ବଜାରରେ ୯୦% ଭାଗ ଅଧିକାର କରି ନେଇଥିଲେ ଏବଂ ଉତ୍ତରପ୍ରଦେଶ, ବିହାର ଓ ମଧ୍ୟପ୍ରଦେଶର ଚାଷୀ ଏହା ଦ୍ବାରା ଅନେକ ଲାଭବାନ ହୋଇଥିଲେ। କୃଷି ଉତ୍ପାଦକୁ ନେଇ ସଫଳ ବ୍ୟବସାୟର ଏହି ଉଦାହରଣ ଅନେକ ସ୍ଥାନରେ ଅନୁସରଣୀୟ ହେବା ଉଚିତ। ମୂଳ କଥା ହେଲା ଫୁଲ ଚାଷ ଏବଂ ବ୍ୟବସାୟ ଉଭୟ ଲାଭଜନକ। କିନ୍ତୁ ଏହା ଅଧିକ ଧ୍ୟାନ, ସରକାରୀ ପ୍ରୋତ୍ସାହନ, ସଚେତନତାର ପ୍ରସାର, ଭିତ୍ତିଭୂମିରେ ଉନ୍ନତି ଆଦିକୁ ଲୋଡ଼ି ଥାଏ। ଆମ ରାଜ୍ୟ ସରକାର ଏ ଦିଗରେ ଦୃଷ୍ଟି ଦେଲେ ଆମ ଫୁଲ ଚାଷୀମାନେ ଆମ ରାଜ୍ୟର ଚାହିଦା ପୂରଣ କରିବା ସହିତ ଅନ୍ୟାନ୍ୟ ରାଜ୍ୟ ଏପରିକି ବିଦେଶର ଚାହିଦା ପୂରଣ କରି ପାରନ୍ତେ ଏବଂ ସେମାନଙ୍କ ଆୟକୁ ବହୁଗୁଣିତ କରି ପାରନ୍ତେ।
ମୋ: ୯୭୯୧୧୨୧୦୬୮