ପ୍ରୀତୀଶ ଆଚାର୍ଯ୍ୟ

Advertisment

ଅଭିନେତା ଆମିର ଖାଁ (ଜନ୍ମ-୧୯୬୫) ନିକଟରେ ଏକ ସାକ୍ଷାତ୍‌କାରରେ କହୁଥିଲେ, ପିଲାଦିନେ ତାଙ୍କର ପଢ଼ା ଠାରୁ ଅଧିକ ଆଗ୍ରହ ଥିଲା ଟେନିସ ଖେଳରେ; ମହାରାଷ୍ଟ୍ର ରାଜ୍ୟ ପାଇଁ ମଧ୍ୟ ସେ ଟେନିସ ଖେଳିଥିଲେ। ତାଙ୍କ ଖେଳ ପଛରେ ପ୍ରେରଣାର ସ୍ରୋତ ଥିଲେ ମା’ ଜୀନତ ହୁସେନ, ଯିଏ ନା କେବେ ଟେନିସ ଖେଳିଥିଲେ ନା ପଡ଼ିଆରେ ପୁଅର ଖେଳ ଦେଖିଥିଲେ। ପୁଅ ଖେଳ ସାରି ଯେତେ ବିଳମ୍ବରେ ଘରକୁ ଫେରୁ ପଛକେ ସେ ଶୋଇ ନ ପଡ଼ି ସର୍ବଦା ଅପେକ୍ଷା କରି ରହୁଥିଲେ, କେବେ ଖେଳ ପାଇଁ ବିରକ୍ତ ହେଉ ନ ଥିଲେ। ପଢ଼ା ବଦଳରେ ଟେନିସ ପ୍ରତି ‘ଅଯଥା’ ଆକର୍ଷଣ ପାଇଁ ମା’ ତିରସ୍କାର କରୁ ନ ଥିଲେ; ବରଂ ପୁଅ ଯେତେବେଳେ ଖେଳକୁ ନେଇ ବେଳ-ଅବେଳରେ ଖୁସିରେ ଗପେ ମା’ ଆଗ୍ରହରେ ଶୁଣୁଥିଲେ। ତାଙ୍କର ପ୍ରିୟ ଥିଲା ଚା’; ମ୍ୟାଚ ସାରି ବିଳମ୍ବିତ ରାତିରେ ଘରକୁ ଫେରୁଥିବା ପୁଅକୁ ଖେଳର ପରିଣାମ ବାବଦରେ ପଚାରୁଥିଲେ ଏବଂ ଖୁସିରେ ଚା’ ପରଷି ପୁଅ ଠାରୁ ଟେନିସ ପଡ଼ିଆରେ ତା’ କୃତିତ୍ୱ ବାବଦରେ ମନଯୋଗ ଦେଇ ଶୁଣୁଥିଲେ। 
ଏହା ଥିଲା ବାଳକ ଆମିରଙ୍କ ପାଇଁ ପ୍ରେରଣା, କାରଣ ତାଙ୍କ ଲାଗି ଉତ୍ସାହ ଓ ଖୁସିର କାରଣ ହେଲା ତାଙ୍କ ଟେନିସ-କୃତିତ୍ୱ ଶୁଣିବାକୁ ମା’ ଅଛନ୍ତି। ମା’ଙ୍କ ଖୁସି ଯେ ପୁଅ ସକୁଶଳ ଖୁସି ମନରେ ଘରକୁ ଫେରିଛି। ମା’ଙ୍କର ଆଉ ଅଧିକ କିଛି ଲୋଡ଼ା ନାହିଁ! ଏହା ହିଁ ସନ୍ତାନ ପାଇଁ ଅଭିଭାବକର ତ୍ୟାଗ, ଦାୟିତ୍ବ ଓ ଉତ୍କୃଷ୍ଟ ପ୍ରତିପାଳନର ଦୃଷ୍ଟାନ୍ତ।
ଥରକର କଥା। ସେତେବେଳେ ଆମିର ୧୧-୧୨ ବର୍ଷର ଆଦ୍ୟ କୈଶୋରରେ। ମ୍ୟାଚ ଜିଣି ରାତି ଅଧରେ ଘରକୁ ଫେରିଲେ; ‘ଗେଟ୍’ର କଲିଂବେଲରେ ହାତ ନ ଦେଉଣୁ ମା’ ପୂର୍ବବତ୍‌ କବାଟ ଖୋଲିଲେ; ମା’ ନ ପଚାରୁଣୁ ପୁଅ ଅତି ଉତ୍ସାହରେ ତା’ର କୃତିତ୍ୱ ବିଷୟରେ କହିଲା। ମା’ ଚା’ ତିଆରି କଲେ; ଏବଂ ତିଆରି ହେଲା ପୁଅକୁ ବିସ୍ତାରରେ ତା’ ବିଜୟ-ଗାଥା ବଖାଣିବା ଲାଗି ସୁଯୋଗ। କଥା ମଝିରେ ମା’ ହଠାତ ଭାବାନ୍ତରିତ ହୋଇ ପଚାରିଲେ, ‘ପୁଅ, ଏବେ ତୋର ପ୍ରତିଯୋଗୀ ସାଙ୍ଗ ବି ତ ତା’ ଘରକୁ ଫେରିଥିବ! ମ୍ୟାଚରେ ତା’ ହାରିଯିବା କଥା ଶୁଣି ତା’ ମା’ଙ୍କ ମନ କେତେ ଦୁଃଖ ହେଉ ନ ଥିବ? ହାର-ଜିତର ଊର୍ଦ୍ଧ୍ବରେ ରହି ତୁମେ ଦୁଇ ଜଣ ଏକା ସ୍ତରରେ ମ୍ୟାଚକୁ ଉପଭୋଗ କରିଥିଲେ, ତାହା କେତେ ସୁଖକର ହୋଇ ନଥାନ୍ତା?’ ଆମିରଙ୍କ ମା’ ନା ଉକ୍ତ ‘ସାଙ୍ଗ’କୁ ଚିହ୍ନିଥିଲେ, ନା ତା’ ମା’ଙ୍କ ସହିତ ପରିଚିତ ଥିଲେ! ପୁଅକୁ ଜ୍ଞାନ ଦେବା ଅର୍ଥରେ ବି ସେ ପ୍ରଶ୍ନଟିକୁ ପଚାରି ନ ଥିଲେ। ଅନ୍ୟ ଜଣେ ମା’ର ଦୁଃଖକୁ ହୃଦୟଙ୍ଗମ କରି ସେ ବ୍ୟଥିତ ହେଉଥିଲେ; କିନ୍ତୁ ଏଣେ ପୁଅକୁ ଅଭିପ୍ରେରିତ କରିବା ଲାଗି ଏକ ‘ସମାବେଶୀ ବିକଳ୍ପ’ର ଉପସ୍ଥାପନ ମଧ୍ୟ କରିଥିଲେ। ଯେ କୌଣସି ଖେଳରେ ହାର-ଜିତ ଅନିବାର୍ଯ୍ୟ ହୋଇଥିଲେ ହେଁ ତାହା କେମିତି କାହାକୁ ହେଲେ ହାରିବାର କଷ୍ଟ ନ ଦେଇ କେବଳ ଆନନ୍ଦର ଉତ୍ସ ହେବ ତାହା ଥିଲା ମା’ଙ୍କ ଭାବନା। ସାକ୍ଷାତ୍‌କାରରେ ଆମିର କହୁଛନ୍ତି, ଏହା କେବଳ ତାଙ୍କ ମା’ କାହିଁକି, ସମସ୍ତ ମାତୃଜାତିର ଚରିତ୍ର। ସୃଷ୍ଟି ପାଇଁ ତା’ର ତ୍ୟାଗ କେବଳ ସ୍ୱ-ସନ୍ତାନ-କୈନ୍ଦ୍ରିକ ହୋଇ ନ ପାରେ; ଅଜାଣତରେ ସୁଦ୍ଧା ତାହା ଅନ୍ୟର ହୃଦୟରେ ପୀଡ଼ା ପହଞ୍ଚାଇ ଆନନ୍ଦ ଖୋଜେନା; ଆନନ୍ଦ ପାରସ୍ପରିକ ଓ ସର୍ବଗ୍ରାହୀ ହେଉ ବୋଲି ଜଣେ ମା’ ଚାହିଥାଏ। ସେଥିପାଇଁ ମା’ ଓ ଧରିତ୍ରୀ ସମାର୍ଥବୋଧକ! ଆମିର କହନ୍ତି ଯେ ସେ ଦିନର ଘଟଣାଟି ତାଙ୍କ ଜୀବନରେ ଯୁଗାନ୍ତକାରୀ ସାବ୍ୟସ୍ତ ହେଲା। ଅନ୍ୟର ଦୁଃଖରେ ସହମର୍ମୀ ହେବା ଠାରୁ ଅଧିକ ଆତ୍ମୋପଲବ୍‌ଧି ଆଉ କିଛି ନାହିଁ; ହସ-ଖୁସି ପାରସ୍ପରିକ ହେଲେ ଯେ ଯଥାର୍ଥତା ପାଏ, ଏହା ତାଙ୍କ ପାଇଁ ହେଲା ଗୁରୁବାଣୀ! 
ପ୍ରକୃତରେ ଏଥିରେ ରହସ୍ୟୋଦ୍‌ଘାଟନ କଲା ଭଳି କିଛି ନାହିଁ; ଏହା ଏକ ସାଧାରଣ ସତ୍ୟ। ପ୍ରାଚୀନ କାଳରୁ ଏହାର ଅବତାରଣା ରହିଛି। ଜୈନ ପରମ୍ପରାରେ ଦିଗାମ୍ବରମାନେ ‘କ୍ଷମାବାଣୀ’ ନାମରେ ଏବଂ ଶ୍ୱେତାମ୍ବରମାନେ ‘ପର୍ଯ୍ୟୁଶାନ’ ନାମକ ଉତ୍ସବର ଶେଷ ଦିବସରେ, ଅନ୍ତତଃ ବର୍ଷକୁ ଦିନେ ଜାଣତ-ଅଜାଣତରେ ବ୍ୟକ୍ତିଗତ ଭାବେ ଅନ୍ୟକୁ ଦେଇଥିବା କଷ୍ଟ ପାଇଁ କ୍ଷମା ଭିକ୍ଷା କରନ୍ତି; ‘ହୋଲି’, ‘ଦିପାବଳୀ’, ‘ଇଦ୍’, ‘ନବବର୍ଷ’ରେ ମିଳନ ଓ ଶୁଭକାମନା ପଛରେ ଅନ୍ୟର ଦୋଷତ୍ରୁଟିକୁ ଭୁଲିଯିବାର ମହତ ଉଦ୍ଦେଶ୍ୟ ରହିଥାଏ। ଏହାର ବିଶଦ ଅର୍ଥ ହେଲା, ମାତୃତ୍ୱ ଭାବ ସୁଲଭ ସହମର୍ମିତାର ପ୍ରସ୍ରବଣ ହେଉଛି ମାନବ ସମାଜ ଲାଗି ସ୍ବାଭାବିକ ଓ ସହଜାତ ଏବଂ ପାରଂପରିକ ଉତ୍ସବମାନ ହେଉଛନ୍ତି ତା’ର ପ୍ରମାଣ। ଏହା ଆମ ପ୍ରାଚୀନ ପରମ୍ପରାର ଏକାତ୍ମବାଦ, ଯେଉଁଠି ଅନ୍ୟ ଠାରେ ନିଜକୁ ଏବଂ ନିଜ ଠାରେ ଅନ୍ୟକୁ ଦେଖିବାର ପ୍ରଜ୍ଞା ନିହିତ ଥାଏ। 
ନିକଟରେ ରିଲିଜ ହୋଇଥିବା ଆମିର ଖାଁଙ୍କ ହିନ୍ଦୀ ଚଳଚ୍ଚିତ୍ର ‘ସୀତାରେ ଜମିଁ ପର୍’ରେ ଏଭଳି ଭାବର ସୁନ୍ଦର ପ୍ରତିଫଳନ ରହିଛି। ସ୍ପେନିସ ସିନେମା ‘ଚାମ୍ପିଅନ’ର ଛାୟାରେ ନିର୍ମିତ ଏହି ଚଳଚ୍ଚିତ୍ର ଉଭୟ ଶିକ୍ଷାପ୍ରଦ ଓ ଶୁଦ୍ଧ ମନୋରଞ୍ଜନର ଭରପୂର। ଏହା ‘ବୌଦ୍ଧିକତା-ବାଧିତ’(ନ୍ୟୁରୋଡାଇଭର୍ଜେଣ୍ଟ) ମାନଙ୍କ ସମସ୍ୟା ନେଇ ସହମର୍ମୀ ହେବାକୁ ସଜାଗ କରାଏ। ଏଭଳି ବ୍ୟକ୍ତିମାନଙ୍କ ଏକ ବାସ୍କେଟବଲ୍ ଟିମର କୋଚ ହୋଇ ଆମିରଙ୍କ ଦ୍ବାରା ଅଭିନୀତ ‘ଖୁରାନା’ ନାମକ ଚରିତ୍ର ସେମାନଙ୍କ ସମସ୍ୟାକୁ ହୃଦବୋଧ କରୁଥିବା ବେଳେ ତାଙ୍କ ନିଜ ବ୍ୟକ୍ତିତ୍ୱ ମଧ୍ୟ ପରିଷ୍କୃତ ହେଉଥିବା ଉପଲବ୍‌ଧି କରୁଛନ୍ତି। ଶେଷ ଦୃଶ୍ୟରେ, ବାସ୍କେଟବଲ୍‌ର ଫାଇନାଲ ମ୍ୟାଚର ଅନ୍ତିମ ମୁହୂର୍ତ୍ତରେ ଟିମର ପରାଜୟ ଘଟିବା ସତ୍ତ୍ବେ ସିନେମାଟି ଦୁଃଖାନ୍ତକ ହୋଇନାହିଁ, କାରଣ ପରାଜୟ ସତ୍ତ୍ବେ ବୌଦ୍ଧିକତା-ବାଧିତ ଖେଳାଳିମାନଙ୍କ ଉଲ୍ଲାସ ଓ ଉତ୍ସାହ ଆଦୌ ଊଣା ହୋଇନାହିଁ; ସ୍ୱଭାବଗତ ଭାବେ ସେମାନେ ଖେଳିବାରେ ଆନନ୍ଦ ଖୋଜୁଛନ୍ତି। ହାର-ଜିତର ଊର୍ଦ୍ଧ୍ବରେ ଏହା ସେମାନଙ୍କ ଆତ୍ମୋପଲବ୍‌ଧି! ଏହା ଦ୍ବାରା ଉପରକୁ ସ୍ୱସ୍ଥ ଦିଶୁଥିବା ‘କୋଚ’ ଖୁରାନା ସ୍ୱ-ଅନ୍ତରର ଜଡ଼ତାକୁ ସେହି ‘ବୌଦ୍ଧିକତା-ବାଧିତ’ମାନଙ୍କ ଦୃଷ୍ଟିରେ ଦେଖି ପରାଜୟ ସତ୍ତ୍ବେ ହର୍ଷ ଓ ଉଲ୍ଲାସ ପଛର ରହସ୍ୟକୁ ଆବିଷ୍କାର କରିଛି। ସେ ଅଧିକ ମାନବୋଚିତ ହୋଇଛି।
ଏଭଳି ସହମର୍ମୀ ହେବା ଏବଂ ତା’ ଜରିଆରେ ମାନବୀୟ ସତ୍ୟ ଉପଲବ୍‌ଧି କରିବା ଦିଗରେ ପ୍ରେରଣା ମା’ଙ୍କ ଠାରୁ ଆସିପାରେ କିମ୍ବା ସମାଜ ପ୍ରତି ଅଙ୍ଗୀକାରବଦ୍ଧ ଜଣେ ଅଭିନେତା ବା କୌଣସି କଳାକାର ଅଥବା ବୁଦ୍ଧ-ଜୈନଙ୍କ ଭଳି ଯୁଗପୁରୁଷଙ୍କ ଠାରୁ ଆସିପାରେ। ଏମାନେ କେବଳ ମାଧ୍ୟମ ମାତ୍ର; ତା’ର ଅବଲୋକନ ଏବଂ ନିଜ ଅନ୍ତରରେ ତା’ର ଅବାଧ ଆବାଗମନ ହେଉଛି ଆତ୍ମୋପଲବ୍‌ଧି, ପରମୋଲ୍ଲାସ!
(ମତାମତ ଲେଖକଙ୍କ ନିଜସ୍ବ)
[email protected]