ପ୍ରୀତୀଶ ଆଚାର୍ଯ୍ୟ
‘ଭିସା ପାଇଁ ପ୍ରତୀକ୍ଷା’ (ୱେଟିଙ୍ଗ ଫର୍ ଏ ଭିସା) ହେଉଛି ଡ. ଭୀମରାଓ ଆମ୍ବେଦକରଙ୍କର (୧୮୯୧-୧୯୫୬) ଏକ ଆତ୍ମଜୀବନୀମୂଳକ ପୁସ୍ତକ। ସଂକଳନ ଅବଧି ୧୯୩୫-୩୬ରେ; ଯଦିଓ ପ୍ରକାଶନ ୧୯୯୦ରେ। ଏଥିରେ ବର୍ଣ୍ଣିତ ମୋଟ ଛ’ଟି ଉପାଖ୍ୟାନରୁ ଚାରିଟି ହେଲା ଆମ୍ବେଦକରଙ୍କ ଜୀବନାନୁଭୂତି। ସମାଜରେ ‘ଅଛୁଆଁ’ ଜାତି ପ୍ରତି ରହିଥିବା କ୍ରୂରତା ଓ ଅମାନବିକତାକୁ ଏହା ଦେଖାଏ। ‘ଅଛୁଆଁ’ ଜାତି ଆଜି ଦଳିତ ନାମରେ ପରିଚିତ। ଆମ୍ବେଦକରଙ୍କ ଉଲ୍ଲେଖ ଅନୁଯାୟୀ କେବଳ ହିନ୍ଦୁ ସମାଜରେ ନୁହେଁ, ଜାତି ବ୍ୟବସ୍ଥା ନ ଥିବା ଖ୍ରୀଷ୍ଟ ଓ ମୁସଲିମ ସମାଜରେ ମଧ୍ୟ ଦଳିତ ପ୍ରତ୍ୟାଖ୍ୟାତ; ତାକୁ ‘ଅସ୍ପୃଶ୍ୟ’, ‘ତଳ’ ବୋଲି ମନେ କରାଯାଏ। ଏହା ଭାରତରେ ଜାତି ବ୍ୟବସ୍ଥାର ଗାଢ଼ ମୂଳକୁ ଦେଖାଏ। ଏମିତିରେ ପ୍ରାଚୀନ ପ୍ରାଚ୍ୟ ସଂସ୍କୃତି ଅନେକ ଦିଗରୁ ମହାନ, ହେଲେ ତା’ର ଜାତି ବ୍ୟବସ୍ଥା ଏବଂ ତହିଁରେ ଥିବା ଅସ୍ପୃଶ୍ୟତା ଏହି ମହାନତାକୁ ନ୍ୟୂନ କରିଦିଏ। ଶିଷ୍ଟଜନଙ୍କ ବିଚାର-ଆଲୋଚନାରେ ଏହି ଗର୍ହିତ ସତ୍ୟକୁ କୌଣସି ବୃଥା ଆବରଣ ଦେବା କଥା ନୁହେଁ, ବରଂ ତାହାର ପର୍ଦ୍ଦାଫାଶ କରାଯିବା କଥା। ନୋହିଲେ, ତା’ର ଉନ୍ମୂଳନର ସମ୍ଭାବନା କ୍ଷୀଣ ଏବଂ ଆମ ଏହା ଦ୍ବାରା ସଂସ୍କୃତିର ମହାନତା ଆଗରେ ପ୍ରଶ୍ନଚିହ୍ନ ସୃଷ୍ଟି ହେବ ବୋଲି ଆମ୍ବେଦକର ମନେ କରୁଥିଲେ। ସେହି ଦୃଷ୍ଟିରୁ ‘ଭିସା ପାଇଁ ପ୍ରତୀକ୍ଷା’ର ମହତ୍ତ୍ବ ସର୍ବକାଳୀନ!
ଦଳିତ ‘ମାହାର’ ଜାତିରେ ଜନ୍ମିତ ଭୀମରାଓ ଥିଲେ ସେନାରେ କାର୍ଯ୍ୟରତ ଜଣେ ସୁବେଦାରଙ୍କ ପୁଅ। ହେଲେ ସ୍କୁଲରେ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ମାଟି ଘଡ଼ାରୁ ତାଙ୍କୁ ନିଜେ ଡଙ୍କିରେ କାଢ଼ି ପାଣି ପିଇବା କିମ୍ବା ବସିବା ଲାଗି ସହପାଠୀ ବସୁଥିବା ପାଲ ମନା ଥିଲା; ଘରୁ ପାଲ ନେଇ ଅଲଗା ବସିବାକୁ ପଡୁଥିଲା ଓ ଶୋଷ ହେଲେ ସ୍କୁଲ ପିଅନ ତାଙ୍କ ଆଞ୍ଜୁଳାରେ ଉପରୁ ଡଙ୍କିରେ ପାଣି ଢାଳି ଦେଉଥିଲା। କେବେ ପିଅନ ନ ଥିଲେ, ବାଳକ ଭୀମରାଓକୁ ଦିନ ସାରା ଶୋଷରେ ରହିବାକୁ ପଡ଼େ। ଏହା ଅସହ୍ୟ ଓ ଅପମାନସୂଚକ ବୋଲି ଭୀମରାଓ ଜାଣୁଥିଲେ, ହେଲେ ଅଭିଯୋଗ କଲେ ମା’ କହନ୍ତି, ‘ଏହା ସତ, ହେଲେ ସ୍କୁଲ ନ ଗଲେ ତୁ କେବେ ହେଲେ ଏହି ଜାତି ଅପମାନରୁ ନିସ୍ତାର ପାଇବୁ ନାହିଁ; ଶିକ୍ଷିତ ହେଲେ ସମସ୍ତ ‘ଅଛୁଆଁ’ ବର୍ଗ ପାଇଁ ମୁକ୍ତିର ବାଟ ଖୋଜିପାରିବୁ।’ ମା’ଙ୍କ କଥାକୁ ଗୁରୁମନ୍ତ୍ର କରି ଭୀମରାଓ ଶିକ୍ଷାଲାଭକୁ ସର୍ବଦା ପ୍ରାଥମିକତା ଦେଲେ। ଦ୍ୱିତୀୟ ଘଟଣାର ଅବଧି ୧୯୧୮; ସେତେବେଳକୁ ଭୀମରାଓ ବରୋଦା ରାଜ୍ୟରୁ ଛାତ୍ର ବୃତ୍ତି ପାଇ ଆମେରିକାରେ ତିନି ବର୍ଷ ଓ ଲଣ୍ଡନରେ ବର୍ଷେ ପାଠ ପଢ଼ି ଦୁଇଟି ବିଷୟରେ ପିଏଚ୍ଡି ଡିଗ୍ରି ହାସଲ କରି ସାରିଥିଲେ ଓ ବରୋଦା ରାଜ୍ୟ ପ୍ରଶାସନରେ ଉଚ୍ଚ ପଦରେ ଅବସ୍ଥାପିତ ଥିଲେ। ବରୋଦାରେ ରହଣି ପାଇଁ ଯେତେବେଳେ ସେ ବସା ଖୋଜିଲେ, ‘ଅଛୁଆଁ’ ବୋଲି କେହି ତାଙ୍କୁ ଭଡ଼ାରେ ଘର ଦେଲେନି। ଛୁଆଁ ଜାତିର ତାଙ୍କର ଜଣେ ବନ୍ଧୁ କହିଲେ, ସେ ନିଜ ଘରେ ବନ୍ଧୁଙ୍କୁ ରଖିପାରିବେନି, କାରଣ ତାଙ୍କ ପତ୍ନୀ ଜାତି ବାରନ୍ତି ଓ ‘ଅଛୁଆଁ’ ଜାତିର ଅତିଥି ଦେଖି ଚାକରାଣୀ କାମକୁ ଆସିବନି। ଆମ୍ବେଦକରଙ୍କ ଖ୍ରୀଷ୍ଟିଆନ ବନ୍ଧୁ ମଧ୍ୟ ସମାନ ଧରଣର କାରଣ ଦର୍ଶାଇ ମନା କଲେ। ଶେଷରେ ଏକ ପାର୍ସୀ ହୋଟେଲରେ ଗୋଟିଏ ପାର୍ସୀ ଛଦ୍ମ ନାମରେ ସେ ଏକ ‘ରୁମ୍’ ପାଇେଲ। ହେଲେ, ସେ ‘ଅଛୁଆଁ’ ବୋଲି ଜଣାପଡ଼ିବାରୁ ଦଳେ ପାର୍ସୀ ଯୁବକ ଆସି ଧମକ ଦେଲେ, ‘ଶୀଘ୍ର ହୋଟେଲ ଛାଡ଼; ‘ଅଛୁଆଁ’କୁ ହୋଟେଲରେ ରଖିବା ମନା’।
୧୯୩୪ ବେଳକୁ ଆମ୍ବେଦକର ସାରା ଭାରତରେ ଏକ ପରିଚିତ ନାଁ। ତା’ ସତ୍ତ୍ବେ ସେତେବେଳେ ଘଟିତ ଏକ ଅନୁଭୂତିର ଉଲ୍ଲେଖ କରି ଆମ୍ବେଦକର ଲେଖିଛନ୍ତି, ତାଙ୍କର କିଛି ସାଙ୍ଗ ମିଶି ଔରଙ୍ଗାବାଦ ବୁଲିବାକୁ ଯାଇଥିଲେ। ଦେହରେ ଧୂଳି ଲାଗିଥିବାରୁ ଏକ ପାଣିଟାଙ୍କିରେ ସେମାନେ ଧୁଆଧୁଇ ହେଲେ। ଏହା ଦେଖି ଜଣେ ମୁସଲମାନ ଦୌଡ଼ି ଆସି ପାଟି କଲା, ‘ଧେଢ଼ମାନେ’ (ଅସ୍ପୃଶ୍ୟ ପାଇଁ ଏକ ଗାଳି) ପାଣିକୁ ମାରା କରିଦେଲେ। ପାଟି ଶୁଣି ସାଙ୍ଗେ ସାଙ୍ଗେ ଦଳେ ମୁସଲିମ ଲୋକ ଜୁଟିଗଲେ ଓ ଅକଥ୍ୟ ଭାଷାରେ ଗାଳିଗୁଲଜ କଲେ। ଏହି ଅନୁଭୂତିରୁ, ଆମ୍ବେଦକରଙ୍କ ଲାଗି ସ୍ପଷ୍ଟ ହେଲେ ଯେ ଜାତିପ୍ରଥା ନ ଥିବା ଧର୍ମରେ ମଧ୍ୟ ଦଳିତ ‘ତଳେ’ ଓ ‘ଅଛୁଆଁ’! ୧୯୨୯ରେ, ବମ୍ବେ ସରକାର ଦଳିତ ନିର୍ଯାତନାର ଏକ ତଦନ୍ତ କମିଟିର ସଭ୍ୟ ଭାବରେ ବାରିଷ୍ଟର ଆମ୍ବେଦକରଙ୍କୁ ନିଯୁକ୍ତ କଲେ। ତଦନ୍ତ ବେଳେ ସେ ଚାଲିଶଗାଁଓ ନାମକ ଏକ ଗାଁରେ ସ୍ଥାନୀୟ ଦଳିତମାନଙ୍କ ଆଗ୍ରହରେ ରାତ୍ରି ରହଣି ପାଇଁ ରାଜି ହେଲେ। ରାଜରାସ୍ତାରୁ ଉଦ୍ଦିଷ୍ଟ ଗାଁକୁ ଟାଙ୍ଗା ଗାଡ଼ିରେ ଯିବାକୁ ପଡ଼େ। ହେଲେ, ଆମ୍ବେଦକର ଦଳିତ ବୋଲି ତାଙ୍କୁ ନେବାକୁ କୌଣସି ଟାଙ୍ଗାବାଲା ରାଜି ହେଲେ ନାହିଁ। ଶେଷରେ କିଛି ଦଳିତ ଲୋକ ଟାଙ୍ଗାଟିଏ ଭଡ଼ାରେ ଆଣି ଅତିଥିଙ୍କୁ ଗାଁକୁ ଆଣିଲେ। କିନ୍ତୁ ଟାଙ୍ଗା ଚାଳନାରେ ସେମାନେ ଅନଭିଜ୍ଞ ଥିଲେ। ବାଟରେ ଟାଙ୍ଗା ଓଲଟି ଗଲା ଓ ଆମ୍ବେଦକରଙ୍କ ଗୋଡ଼ ଗୁରୁତର ଭାବେ ଜଖମ ହେଲା। ଜଣେ ସାଧାରଣ ଟାଙ୍ଗାବାଲା ପୁଣି ବମ୍ବେ ସରକାର ଦ୍ୱାରା ନିଯୁକ୍ତ ଜଣେ ନାଁକରା ବାରିଷ୍ଟରଙ୍କୁ ନିଜ ଟାଙ୍ଗାରେ ବସାଇବାକୁ ମନା କଲା; କାରଣ- ଆମ୍ବେଦକର ଦଳିତ।
ଦୁଇଟି ଅନ୍ୟର ଅନୁଭୂତିକୁ ମଧ୍ୟ ଆମ୍ବେଦକର ନିଜ ପୁସ୍ତକରେ ସ୍ଥାନିତ କରିଛନ୍ତି। ଗୋଟିକରେ, ଜଣେ ଦଳିତ ଶିକ୍ଷକ ଡାକ୍ତରଙ୍କୁ ‘ଫିଜ’ ଯାଚି ମଧ୍ୟ ନିଜ ପତ୍ନୀ ପାଇଁ ଚିକିତ୍ସା ପାଇବାରୁ ବଞ୍ଚିତ ହେଲେ, କାରଣ ଡାକ୍ତର ବାବୁଙ୍କ ସର୍ତ୍ତ- ସେ ଦଳିତ ସାହିକୁ ଯିବେ ନାହିଁ କି ଶିକ୍ଷକଙ୍କ ରୋଗିଣା ସ୍ତ୍ରୀକୁ ଛୁଇଁବେ ନାହିଁ। ଶେଷରେ ଗୁରୁତର ଭାବେ ଅସୁସ୍ଥ ରୋଗୀକୁ ସାହି ବାହାରକୁ ଅଣାଗଲା; ଜ୍ୱର ମାପିବା ପାଇଁ ରୋଗୀ ମୁହଁରୁ ଥର୍ମୋମିଟରକୁ ଶିକ୍ଷକ ଜଣେ ମୁସଲମାନ ବ୍ୟକ୍ତିକୁ ଦେଲେ ଓ ତା’ ଠାରୁ ଡାକ୍ତରବାବୁ ନେଇ ଜ୍ୱର ଦେଖିଲେ। ରୋଗ ଥିଲା ନିମୋନିଆ। ଏହାପରେ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେଲା। ହେଲେ, ଦ୍ୱିତୀୟ ଥର ଆଉ ଡାକ୍ତର ବାବୁ ‘ଭିଜିଟ’ କଲେ ନାହିଁ; ଫଳରେ ରୋଗୀ ପ୍ରାଣ ହରାଇଲେ। ସମସ୍ତ ରୋଗୀ-ଚିକିତ୍ସାର ଶପଥ ନେଇ ଡାକ୍ତରୀ ପାଠ ସମ୍ପନ୍ନ କରିଥିବା ଡାକ୍ତର ମଧ୍ୟ ସେହି ମାନସିକତା ଗ୍ରସ୍ତ। ‘ଭିସା ପାଇଁ ପ୍ରତୀକ୍ଷା’ ପୁସ୍ତକର ଶେଷ ଉପାଖ୍ୟାନ ହେଲା ଗୁଜରାଟର ଖେଡ଼ା ଜିଲ୍ଲାର ବର୍ଷାଡ଼ ଗାଁର। ଦଳିତ ‘ଭଙ୍ଗୀ’ ଜାତିର ଜଣେ ପଟୱାରି କାମରେ ସେଠି ନିଯୁକ୍ତି ପାଇଲେ। ହେଲେ, ତାଙ୍କୁ ରହିବା ସକାଶେ ଭଡ଼ା ଘର ମିଳିଲା ନାହିଁ। ଗାଁର ଅନ୍ୟ ଦଳିତ ମଧ୍ୟ ଉଚ୍ଚ ଜାତିର ଭୟରେ ତାଙ୍କୁ ସାହାଯ୍ୟ କଲେ ନାହିଁ। ଉଚ୍ଚ ଜାତିର ଲୋକଙ୍କ ଯୁକ୍ତି ଯେ ଜଣେ ଦଳିତ ଯଦି ଏଭଳି ଚାକିରି କରିବ, ସେମାନେ ଯିବେ କୁଆଡ଼େ? ଶେଷରେ ବାଧ୍ୟ ହୋଇ ଦଳିତ ଜଣକ ଚାକିରିରୁ ଇସ୍ତାଫା ଦେଲେ। ଶିକ୍ଷାଗତ ଯୋଗ୍ୟତା ଥିବା ସତ୍ତ୍ବେ ତାଙ୍କୁ ଚାକିରି ଛାଡ଼ିବାକୁ ପଡ଼ିଲା।
ଆମ୍ବେଦକର ଯେଉଁ କେତୋଟି ଘଟଣାର ଉଲ୍ଲେଖ କରିଛନ୍ତି, ସେଗୁଡ଼ିକ ଅସାମାନ୍ୟ ମନେ ହୁଏ ନାହିଁ; ନିଜ ଆଖପାଖରେ ମଧ୍ୟ ଆମେ ତା’ର ପ୍ରତ୍ୟକ୍ଷ କରନ୍ତି। ପୁସ୍ତକଟି ଲିଖିତ ହେବାର ୯୦ ବର୍ଷ ପରେ ଆଜି ଦଳିତମାନଙ୍କ ପ୍ରତି ଆମ ମନୋଭାବ କେତେ ବଦଳିଛି, ଆମେ ନିଜେ ତା’ର ଆକଳନ କରିପାରିବା। କେବଳ ଜନ୍ମ ଆଧାରରେ ଜଣକୁ ଅଛୁଆଁ ମନେ କରିବା କ’ଣ ବିଜ୍ଞାନସମ୍ମତ, ତର୍କସମ୍ମତ ଓ ଔଚିତ୍ୟ ଦୃଷ୍ଟିରୁ ଯଥାର୍ଥ ହୋଇପାରେ?
(ମତାମତ ଲେଖକଙ୍କ ନିଜସ୍ବ)
[email protected]