ଓଡ଼ିଶାରେ ମୁସଲିମ ହେଲେ ରାଜ୍ୟର ମୋଟ ଜନସଂଖ୍ୟାର ମାତ୍ର ଦୁଇ ପ୍ରତିଶତରୁ ଅଳ୍ପ ଅଧିକ। କୁହାଯାଏ, ୧୫୬୮ରେ ବଙ୍ଗ ସୁଲତାନ ସୁଲେମାନ କର୍ରାନୀଙ୍କ ଓଡ଼ିଶା ଆକ୍ରମଣ ସମୟରେ ତାଙ୍କ ସେନାପତି କଳାପାହାଡ଼ ଏଠାକାର ଅନେକ ମନ୍ଦିର ଲୁଣ୍ଠନ ଓ ଧ୍ବଂସ କଲେ। ସେତେବେଳେ କିଛି ମୁସଲମାନ ଓଡ଼ିଶା ଆସି ଏଠାରେ ସ୍ଥାୟୀ ଭାବରେ ରହିଗଲେ। ପ୍ରାୟତଃ ସେମାନେ ବ୍ୟବସାୟୀ ଏବଂ କାଜି ଓ ମୌଲବୀ ଗୋଷ୍ଠୀର। ସମୟ କ୍ରମେ କିଛି ସ୍ଥାନୀୟ ଲୋକ ଧର୍ମାନ୍ତରିତ ହେଲେ। ବହିରାଗତ ମୁସଲିମଙ୍କ ତୁଳନାରେ ଏହି ମୂଳ ଓଡ଼ିଶା ନିବାସୀ ଧର୍ମାନ୍ତରିତ ମୁସଲିମଙ୍କ ସଂଖ୍ୟା ଅଧିକ। ସମ୍ଭବତଃ, ବଙ୍ଗର ସୀମାବର୍ତ୍ତୀ ହେବା କାରଣରୁ ଭଦ୍ରକରେ ଅଧିକାଂଶ ମୁସଲିମ ରହିଗଲେ। ଭଦ୍ରକ ସହରରେ ସେମାନଙ୍କ ସଂଖ୍ୟା ମୋଟ ସହର ବାସିନ୍ଦାଙ୍କ ୩୯ ପ୍ରତିଶତରୁ ଊଣା ନୁହେଁ, ଯଦିଓ ସମଗ୍ର ଜିଲ୍ଲାକୁ ଗଣତି ପରିସରକୁ ନେଲେ ସେଠାରେ ମୁସଲିମ ସଂଖ୍ୟା ସାତ ପ୍ରତିଶତରୁ ଅଧିକ ନୁହେଁ।
ଏହିଭଳି ଅଧିକ ସଂଖ୍ୟକ ହିନ୍ଦୁ ଓ ମୁସଲିମ ବସବାସ କରୁଥିବା କାରଣରୁ ଭଦ୍ରକ ସହରରେ ଏକ ନୂଆ ସଂସ୍କୃତିର ଜନ୍ମ ଓ ବିବର୍ତ୍ତନ ଘଟିଛି; ତହିଁରେ କାଁଭାଁ ସଂଘାତ ଏବଂ ଅଧିକାଂଶ ଅଂଶରେ ସଂପ୍ରୀତି ରହିଛି। ଆଧୁନିକ ଇତିହାସକୁ ଦେଖିଲେ ‘ଭଦ୍ରକ ସର୍ବଦା ସାଂପ୍ରଦାୟିକ ସଦ୍ଭାବର ପ୍ରତୀକ ବୋଲି କହିବା’ ଠିକ୍ ହେବ ନାହିଁ। ୧୯୨୬ରେ ଏଠାରେ ସାଂପ୍ରଦାୟିକ କଳହ ଦେଖିବାକୁ ମିଳିଥିଲା। ସମ୍ଭବତଃ, ଏହା ଥିଲା ଓଡ଼ିଶାର ପ୍ରଥମ ସାଂପ୍ରଦାୟିକ ଦଙ୍ଗା, ଯାହା କଟକ, ସମ୍ବଲପୁର, ସୋର ଏବଂ ବାଲେଶ୍ବରକୁ ମଧ୍ୟ ସଂପ୍ରସାରିତ ହୋଇଥିଲା। ନିକଟ ଅତୀତରେ ୧୯୯୧ ଏବଂ ୨୦୧୭ରେ ଭଦ୍ରକ ସାଂପ୍ରଦାୟିକ ଦଙ୍ଗା ଦେଖିଛି। କିନ୍ତୁ କଳହ ତୁଳନାରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଓ ସଂପ୍ରୀତିର ପ୍ରୟାସ ଅଧିକ ଦେଖିବାକୁ ମିଳିଥାଏ। ଏଭଳି ଏକ ସାଂସ୍କୃତିକ ପ୍ରୟାସର ପ୍ରତୀକ ହେଲା ଭଦ୍ରକର ‘ମୋଗଲ୍ ତାମ୍ସା’, ଯାହାକୁ ନେଇ ଆଜିର ଏହି ଆଲୋଚନା।
୧୭୦୪ରୁ ୧୭୨୮ ଥିଲା ବଙ୍ଗରେ ମୁର୍ସିଦ କୁଲିଙ୍କ ଶାସନର କାଳଖଣ୍ଡ। ସେତେବେଳେ ଓଡ଼ିଶା ଥିଲା ବଙ୍ଗ ଅଧୀନରେ ଏବଂ ମୁର୍ସିଦ କୁଲିଙ୍କ ଜାମାତା ଥିଲେ ଓଡ଼ିଶାର ‘ନାଏବ ନଜିମ୍’ ବା ସର୍ବୋଚ୍ଚ ପ୍ରଶାସନିକ ଅଧିକାରୀ। ୧୭୦୭ରେ ଔରଙ୍ଗଜେବଙ୍କ ମୃତ୍ୟୁ ପରେ ମୁର୍ସିଦ କୁଲି ୧୭୧୩ରେ ବଙ୍ଗକୁ ଏକ ସ୍ବାଧୀନ ରାଜ୍ୟ ବୋଲି ଘୋଷଣା କଲେ, ଯଦିଓ ମୋଗଲ ଶାସନ ସହିତ ତାଙ୍କର ଔପଚାରିକ ସମ୍ବନ୍ଧ ଛିନ୍ନ ହୋଇ ନ ଥିଲା। ମୁର୍ସିଦ କୁଲି ଔରଙ୍ଗଜେବଙ୍କ ଭଳି ମୌଳବାଦୀ ନ ଥିଲେ। ବରଂ ସେ ଥିଲେ ଆକବରଙ୍କ ଭଳି ଉଦାରବାଦୀ। ସେ ନିଜ ଦାୟିତ୍ବରେ ଔରଙ୍ଗଜେବଙ୍କ ଅନେକ ହିନ୍ଦୁ-ବିରୋଧୀ ନୀତିକୁ ପରିହାର କରିଥିଲେ ଏବଂ ବଙ୍ଗକୁ ସ୍ବାଧୀନ ଘୋଷଣା କରିବା ଉତ୍ତାରୁ ଉଦାରବାଦୀ ପରଂପରାକୁ ଅଧିକ ପରିପୁଷ୍ଟ କରିଥିଲେ। ତାଙ୍କ ନିଦ୍ଦେର୍ଶରେ ଓଡ଼ିଶାରେ ମନ୍ଦିର ଲୁଣ୍ଠନ ବନ୍ଦ ରହିଲା; ସୁଜାଉଦ୍ଦିନ କଟକରେ କଦମ ରସୁଲର ନିର୍ମାଣ କରାଇଲେ, ଯାହା ଉଭୟ ମସଜିଦ ଓ ସୁଫି ଦରଗାହ ତଥା ମନ୍ଦିର ଓ ମସଜିଦ କଳାର ସମନ୍ବିତ ଭାସ୍କର୍ଯ୍ୟର ପ୍ରତୀକ ହେଲା। ଉଭୟ ଧର୍ମର ଅନୁଗାମୀମାନେ କଦମ ରସୁଲକୁ ଦର୍ଶନ ପାଇଁ ଆସିଲେ। ସତ୍ୟପୀର ବା ସତ୍ୟନାରାୟଣ ପୂଜା ମଧ୍ୟ ଏହି ସମୟରେ ଏକ ସମନ୍ବିତ ଧାର୍ମିକ ପରଂପରା ରୂପେ ପ୍ରସାର ଲାଭ କଲା।
ଏହି ସମୟରେ ଭଦ୍ରକରେ ‘ମୋଗଲ ତାମସା’ ନାଟ୍ୟ ପରଂପରାର ଜନ୍ମ ହୋଇଥିଲା। ସାଂପ୍ରଦାୟିକ ସଂପ୍ରୀତିର ଆହ୍ବାନକୁ ଅନୁଭବ କରି ବଂଶୀବଲ୍ଲଭ ଗୋସ୍ବାମୀ ଏହାର ପରିକଳ୍ପନା ଏବଂ ମଞ୍ଚାୟନ କରାଇଥିଲେ, ଯାହା ସେହି ଅଞ୍ଚଳରେ ଖୁବ୍ ଲୋକପ୍ରିୟ ହୋଇଥିଲା। ନାଟକର ବୈଶିଷ୍ଟ୍ୟ ହେଲା, ଉଭୟ ହିନ୍ଦୁ ଓ ମୁସଲିମ ଧାର୍ମିକ ପରଂପରାର ଜୟଗାନ ଏବଂ ସାମନ୍ତବାଦୀ ଆଭିଜାତ୍ୟର ପରିହାସ। ଏଥିପାଇଁ ନାଟକରେ ହିନ୍ଦୁ ସନ୍ନ୍ୟାସୀ, ମୁସଲିମ ଫକିର, ମିର୍ଜା ସାହେବ, ଓଡ଼ିଆ ଗ୍ରାମୀଣ ଲୋକେ ଆଦି ଭଳି ଚରିତ୍ରମାନ ରହିଥାନ୍ତି। ନାଟକ ମନୋରଂଜନଧର୍ମୀ। କିଏ ଓଡ଼ିଆ ମିଶ୍ରିତ ଊର୍ଦ୍ଦୁ କହୁଛି, ତ ଆଉ କେଉଁ ଚରିତ୍ର ପାର୍ସୀ ସାଙ୍ଗରେ ସଂସ୍କୃତିକୁ ମିଶ୍ରିତ କରି କଥୋପକଥନ କରୁଛି। ସାଂସ୍କୃତିକ ଏବଂ ଧାର୍ମିକ ସମନ୍ବୟ ସାଙ୍ଗରେ ନାଟକରେ ଭାଷାର ସମନ୍ବୟ ମଧ୍ୟ ଦେଖିବାକୁ ମିଳେ। ଏଥିରେ ଓଡ଼ିଆ ବ୍ୟତୀତ ପାର୍ସୀ, ଊର୍ଦ୍ଦୁ, ଆରବୀ, ବଙ୍ଗଳା ଓ ସଂସ୍କୃତର ବ୍ୟବହାର କରାଯାଏ। ଏହା ନାଟକକୁ ହାସ୍ୟୋଦ୍ଦୀପକ ଓ ଅଧିକ ମନୋରଂଜନଧର୍ମୀ କରେ। ସେହିଭଳି ଅନ୍ୟୂନ ଛ’ କିସମର ବାଦ୍ୟ ଯନ୍ତ୍ରର ବ୍ୟବହାର (ଭାୟୋଲିନ୍, ପଖୋଉଜ, ଯୋଡ଼ି-ତରଙ୍ଗ, ଗିନି ସାଙ୍ଗରେ ହାର୍ମୋନିଅମ୍ ଓ ତବଲା) ନାଟ୍ୟକାରଙ୍କ ସମାବେଶୀ ନାଟ୍ୟ-ଦୃଷ୍ଟିକୁ ମଧ୍ୟ ଦର୍ଶାଏ। ସେ ଏଭଳି ଏକ ସାମାଜିକ ସଂରଚନା, ନାଟକ ମାଧ୍ୟମରେ କରନ୍ତି, ଯେଉଁଠି ସାଧାରଣ ଚାକର ପିଲା ମଧ୍ୟ ସଂସ୍କୃତ କହିବ ଏବଂ ମୁସଲିମ ଫକିର ଶିବ ବନ୍ଦନା ଗାଇବେ; ‘ମିର୍ଜା ସାହେବ’ ଆଭିଜାତ୍ୟ ବର୍ଗର ପ୍ରତୀକ ହେବା ସତ୍ତ୍ବେ ପାର୍ସୀ ସାଙ୍ଗରେ ଓଡ଼ିଆ କହିବ। ‘ମୋଗଲ ତାମ୍ସା’ ଦେଖୁଥିବା ଦର୍ଶକ ଧର୍ମୀୟ, ବର୍ଗୀୟ, ଏବଂ ଆଞ୍ଚଳିକ ଭିନ୍ନତାରୁ ଊର୍ଦ୍ଧ୍ବକୁ ଉଠି ଏଥିରୁ ରସ ଆସ୍ବାଦନ କରିଥାଏ। ବଂଶୀବଲ୍ଲଭ ‘ମୋଗଲ ତାମସା’କୁ ୧୭୨୮ ମସିହାରେ ଲେଖିଥିଲେ ବୋଲି ଉଲ୍ଲେଖ ରହିଛି। ସମ୍ଭବତଃ ତାକୁ ସେ ଅନେକାନେକ ମଂଚରେ ପ୍ରଦର୍ଶିତ କଲା ପରେ ତାଳପତ୍ର ପୋଥିର ପାଣ୍ଡୁଲିପିରେ ସାଇତି ରଖିଥିଲେ। କିନ୍ତୁ ଲୋକକଳାରେ ଦେଖାଯାଇଥାଏ ଯେ ଅଭିନେତା ଅଭିନୟ କଲା ବେଳେ ଅନେକ ସମୟରେ ସ୍ବତନ୍ତ୍ର ହୋଇ ସଂଳାପ ବା ଡାଏଲଗ କହିଥାଏ, ଯାହା ନାଟକକୁ ସ୍ବାଭାବିକ ତଥା ଅଧିକ ଉପଭୋଗ୍ୟ କରେ। ୧୭୨୭ ମସିହାରେ ବଙ୍ଗ ନବାବ ମୁର୍ସିଦ କୁଲିଙ୍କର ଦେହାନ୍ତ ହେଲା। କିନ୍ତୁ ଏହା ପରେ ମଧ୍ୟ ‘ମୋଗଲ ତାମସା’ ନାଟକ ରୂପରେ ବଂଚି ରହିଲା। କିନ୍ତୁ, ତାଳପତ୍ରେର ଲିଖିତ ପାଣ୍ଡୁଲିପି ନଷ୍ଟ ହୋଇଗଲା। ଗବେଷକ କୃଷ୍ଣଚରଣ ବେହେରା ଭଦ୍ରକ କଲେଜରେ ଅଧ୍ୟୟନ ବେଳେ ପାଣ୍ଡୁଲିପିର ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସେ ଅଭିନେତାମାନଙ୍କ ଦ୍ବାରା ମୁଖସ୍ଥ ଡାଏଲଗକୁ ରେକର୍ଡିଂ ଏବଂ ହାତରେ ଲେଖି ପୁଣି ଥରେ ସଂପୂର୍ଣ୍ଣ ପାଣ୍ଡୁଲିପିର ପୁନଃ-ସ୍ଥାପନ କଲେ, ଏବଂ ୧୯୬୬ରେ ତାକୁ ଛପାଇଲେ। ସେହି ଦୃଷ୍ଟିରୁ ୨୫୦ ବର୍ଷ ପରେ ‘ମୋଗଲ ତାମସା’ର ପାଠୋଦ୍ଧାର ଏକ ମହାନ କାର୍ଯ୍ୟ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ତେବେ, ଆଜି ଅନ୍ୟ ଲୋକକଳାଗୁଡ଼ିକ ଭଳି ‘ମୋଗଲ ତାମସା’ ମଧ୍ୟ ଅବହେଳିତ ସ୍ଥିତିରେ। ତା’ ସତ୍ତ୍ବେ ତାକୁ ଭଦ୍ରକର ଓଡ଼ିଶା ପ୍ରତି ଏକ ଅପୂର୍ବ ଉପହାର ବୋଲି କହିବା ଆଦୌ ଅଯଥାର୍ଥ ହେବ ନାହିଁ।
[email protected]