ସାହିତ୍ୟ ଏକାଡେମୀର ସାମ୍ବିଧାନିକ ସଙ୍କଟ
ଭାଗୀରଥି ମହାସୁଆର
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ବାବଦରେ ଆଲୋଚନା କଲା ବେଳେ େଯଉଁ ପ୍ରଶ୍ନଟି ଉଠିଥାଏ, ତାହା ଏକାଡେମୀର ୧୯୯୬ରେ ପ୍ରଣୀତ ନୂତନ ପୁରସ୍କାର ନିୟମାବଳୀର ବୈଧତାକୁ ନେଇ। ନିୟମାନୁଯାୟୀ ୧୯୯୬ର ନିୟମାବଳୀ ସରକାରୀ ମ˚ଜୁର ପାଇନାହିଁ ବୋଲି ଅଭିଯୋଗ ଉଠିଲା ଏକାଡେମୀ ପରିଚାଳନା ମଣ୍ତଳୀରେ ୨୦୨୨ ମସିହାରେ। ଏ ବିଷୟରେ ଏକାଡେମୀର ନଥିପତ୍ରରେ କ’ଣ ଅଛି, ତାହା ମଧୢ ଆଲୋଚିତ ହୋଇଥିବ। ପରିଚାଳନା ପରିଷଦ ଦ୍ବାରା ପ୍ରସ୍ତୁତ ନିୟମାବଳୀ ସାଧାରଣ ପରିଷଦର ଅନୁମୋଦନ ପରେ ସରକାରଙ୍କ ମ˚ଜୁରି ପାଇଁ ଯାଏ। ଏହା ହୋଇଛି କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ତେବେ ୧୯୯୬ରୁ ଏହାକୁ କାର୍ଯ୍ୟକାରୀ କରାଯାଇ ଆସୁଛି। ୨୦୦୦ ମସିହାର ପୁରସ୍କାରକୁ ନେଇ ହାଇକୋର୍ଟରେ ମକଦ୍ଦମା ହୋଇଥିଲା। ଅର୍ଜିରେ ଥିଲା ଚଳିତ ନିୟମ (୧୯୯୬ରୁ ପ୍ରଚଳିତ) ଅନୁଯାୟୀ ୪ ଗୋଟି ପୁରସ୍କାର ନିର୍ଣ୍ଣୟ ହୋଇନାହିଁ। ଏଥିରେ ସରକାର ଓ ଏକାଡେମୀ ନିଜ ନିଜ ପକ୍ଷ ରଖି ଆଫିଡେଭିଟ୍ ଦେଇଛନ୍ତି। କେହି କହିନାହାନ୍ତି ଏହା ମ˚ଜୁରିପ୍ରାପ୍ତ ନିୟମାବଳୀ ନୁହେଁ ବୋଲି। କୋର୍ଟ ଏ ମକଦ୍ଦମାର ଫୈସଲା କରିନାହାନ୍ତି। ପରବର୍ତ୍ତୀ ବର୍ଷଗୁଡ଼ିକରେ କୋର୍ଟରୁ ଅନ୍ତରୀଣ ଆଦେଶ ଆଣି ପୁରସ୍କାର ପ୍ରଦାନ କରାଯାଉଛି। ସେ ଆଦେଶରେ ଯେଉଁ ନିୟମାବଳୀ ଅନୁସରଣ କରିବାକୁ କୁହାଯାଇଛି, ତାହା ପରିଷଦରେ ଉପସ୍ଥାପିତ ହୋଇ ଆଲୋଚନା ହେବା ଉଚିତ ଥିଲା। କାରଣ ବର୍ତ୍ତମାନ ସେହି ଅନ୍ତରୀଣ ଆଦେଶ ହିଁ ନିୟମ।
Sambad is now on WhatsApp
Join and get latest news updates delivered to you via WhatsApp
ଯେ ପର୍ଯ୍ୟନ୍ତ ଉକ୍ତ ମକଦ୍ଦମାର ଚୂଡ଼ାନ୍ତ ଫଳ ପ୍ରକାଶିତ ହୋଇନାହିଁ, ଅନ୍ୟ କୌଣସି ନିୟମ ପ୍ରଣୟନ, ମ˚ଜୁରି ବା ନାକଚ ଇତ୍ୟାଦି କୋର୍ଟଙ୍କ ବିନାନୁମତିରେ ହୋଇପାରିବ ନାହିଁ ବୋଲି ଆମ ସାଧାରଣ ଜ୍ଞାନ କହୁଛି। ସେ ପରିପ୍ରେକ୍ଷୀରେ ବିଚାରାଧୀନ ମକଦ୍ଦମାରେ ଯେଉଁ ନିୟମାବଳୀ ଆବେଦନକାରୀ, ସରକାର ଓ ଏକାଡେମୀ ଉପସ୍ଥାପନ କରିଛନ୍ତି ଏବ˚ ଯାହା ଅନୁଯାୟୀ କୋର୍ଟ ପରବର୍ତ୍ତୀ ବର୍ଷଗୁଡ଼ିକର ପୁରସ୍କାର ଦେବାକୁ ଅନୁମତି ଦେଇଛନ୍ତି, ସେ ନିୟମାବଳୀର ବୈଧତା ଚର୍ଚ୍ଚା କେତେ ଦୂର ଆଇନାନୁମୋଦିତ ଏବ˚ ତାକୁ ପ୍ରଶ୍ନ କରିଥିବା ଏକାଡେମୀ କର୍ତ୍ତୃପକ୍ଷ କେତେ ଦୂର କ୍ଷମତାପ୍ରାପ୍ତ, ତାହା ବିଚାରଣୀୟ। ଉପରେ ଉପରେ ଭାସିଗଲେ ହେବ ନାହିଁ କିମ୍ବା ନିଜକୁ ଚର୍ଚ୍ଚିତ କରିଥିବାରୁ ଆତ୍ମପ୍ରସାଦ ଲାଭ କଲେ ଚଳିବ ନାହିଁ।
ସୌଭାଗ୍ୟ ବା ଦୁର୍ଭାଗ୍ୟବଶତଃ ଏ ଲେଖକ ଏକାଡେମୀର ପରିଚାଳନା ମଣ୍ତଳୀରେ ସଭ୍ୟ ଥିଲା ୨୦୧୭ରୁ ୨୦୨୦ ପର୍ଯ୍ୟନ୍ତ। ଏ ସମୟ କାଳରୁ ଅର୍ଦ୍ଧାଧିକ କରୋନା ଚାଟି ଦେଇଥିଲା। ଆମ ପାଇଁ ମଧୢ ଚାରି ବର୍ଷର ପୁରସ୍କାର ବାକିଆ ଥିଲା। ଆମ ଅମଳର ପୁରସ୍କାର ଚୟନ ବେଳେ ମଧୢ ଏଇ ନିୟମାବଳୀ ତଥା ଏହା ନ୍ୟାୟାଳୟ ବିଚାର ପରିସରରେ ଥିବା କଥା କୁହାଯାଇଥିଲା। ତଦନୁଯାୟୀ ୨୦୦୧ରୁ ଧାରାବାହିକ ପୁରସ୍କାର ଦିଆଯିବା କଥା ଆମେ ଦେଖିଥିଲୁ। ଆମେ ସେହି ଅନୁସାରେ କାର୍ଯ୍ୟ କରିଥିଲୁ। ୨୦୧୬ ପର୍ଯ୍ୟନ୍ତ ପୁରସ୍କାର ସ୍ଥିରୀକୃତ ଓ ପ୍ରଦାନ ପ୍ରକ୍ରିୟା ଚାଲିଥିଲା। ୨୦୧୭ ଓ ୨୦୧୮ର ପ୍ରାଥମିକ ଯାଞ୍ଚ ପ୍ରକ୍ରିୟା ଚାଲିଥିଲା। କରୋନା ସକାଶେ ନିୟମ ଅନୁସରଣ କରି ୨୦୧୯ର ପୁସ୍ତକ ଆହ୍ବାନ ପ୍ରକ୍ରିୟା ହୋଇ ପାରି ନ ଥିଲା। ୨୦୨୦ ମଝିରେ କାର୍ଯ୍ୟ କାଳ ଶେଷ ହେଉଥିବାରୁ ସେ ବର୍ଷ ପାଇଁ ପୁସ୍ତକ ଆହ୍ବାନ ଆମ ଅଧିକାରଭୁକ୍ତ ନ ଥିଲା। ତେଣୁ ୨୦୧୭ରୁ ୨୦୨୧ (୫ ବର୍ଷ)ର ପୁରସ୍କାର ବାକି ରହିଲାଣି।
ସବୁଠୁ ବଡ଼ କଥା ଏହି ପୁରସ୍କାର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖିବାର ବୀଜ ବପନ କରାଗଲା। ସରକାର ନିରବ/ନିଷ୍ପକ୍ଷ ଅଭିନୟ କରୁଛନ୍ତି।
ବୟୋଜ୍ୟେଷ୍ଠ ସାହିତ୍ୟିକଙ୍କ ସମ୍ବର୍ଦ୍ଧନାର ଉଦ୍ଦେଶ୍ୟ ହେଉଛି, ଯେଉଁମାନେ ସାହିତ୍ୟ ସାଧନା କରି କରି ବାର୍ଦ୍ଧକ୍ୟରେ ଉପନୀତ ଏବ˚ ସହରୀ ସାହିତ୍ୟିକମାନଙ୍କ ଦୃଷ୍ଟି ଆକର୍ଷଣ କରି ପାରିନାହାନ୍ତି, ସେମାନଙ୍କ ସମ୍ବର୍ଦ୍ଧନା। ଏଥିରେ ସାହିତ୍ୟ ସାଧନା ଓ ବୟସ ମୁଖ୍ୟ ପ୍ରସଙ୍ଗ। ବିଶିଷ୍ଟ ସାହିତ୍ୟ ପ୍ରତିଭାମାନେ ତ ଅନେକ ପୁରସ୍କାର, ସମ୍ବର୍ଦ୍ଧନା ଓ ଉପାୟନ ପାଉଛନ୍ତି! ରାଜ୍ୟର କୋଣ ଅନୁକୋଣର ବରିଷ୍ଠ ସାହିତ୍ୟିକଙ୍କୁ ଚିହ୍ନି ରଖିବା ପାଇଁ କେଉଁ ଦକ୍ଷ ବ୍ୟକ୍ତିଟି ସକ୍ଷମ? ଏଣୁ ଏକାଡେମୀ କେବେ ଠାରୁ ରାଜ୍ୟରେ ବିକ୍ଷିପ୍ତ ସାଧାରଣ ପରିଷଦ ସଭ୍ୟଙ୍କ ଠାରୁ ପ୍ରସ୍ତାବ/ପରାମର୍ଶ ମଗାଇ ସେଥିରୁ ଯୋଗ୍ୟଙ୍କୁ ବାଛୁଛି। ସମ୍ବିଧାନ କହିଛି ଯେ ସମ୍ପାଦକ ଏପରି ତାଲିକା ତିଆରି କରିବେ। କେଉଁ ପ୍ରକାରେ କରିବେ, କିଛି ନିର୍ଦ୍ଦେଶ ଅଛି କି? ସାଧାରଣ ପରିଷଦ ସଭ୍ୟଙ୍କ ପ୍ରସ୍ତାବ ନେଇ ତାଲିକା କରିବାକୁ ସମ୍ବିଧାନରେ ବାରଣ ଅଛି କି? ଏଣୁ ପ୍ରଚଳିତ ପ୍ରକ୍ରିୟାଟି ସାମ୍ବିଧାନିକ। ସାଧାରଣ ପରିଷଦ ସଭ୍ୟଙ୍କ ଗୋଟିଏ ନାମ ଚୟନ ଠିକ୍ ଅଛି। ସମସ୍ତ ପ୍ରସ୍ତାବ କାର୍ଯ୍ୟକାରୀ ପରିଷଦ ତର୍ଜମା କରି ବ୍ୟକ୍ତି ମନୋନୟନ କରିବା ଠିକ୍ ଅଛି। ଏସବୁ ତାଲିକା ସମ୍ପାଦକଙ୍କ ଦସ୍ତଖତରେ ହେଉଥିବା ମଧୢ ଠିକ୍ ଅଛି। କେବଳ ବ୍ୟାବହାରିକ କାରଣରୁ ନାକକୁ ବୁଲେଇ ଛୁଆଁ ହୋଇଛି।
ଏଠାରେ କୌଣସି ବିପରୀତ ମନ୍ତବ୍ୟ ଦେବାକୁ ଆମେ ଚାହୁନାହୁଁ। ତେବେ ମନ କହୁଛି କହିବା ପାଇଁ ଯେ ଗଳ୍ପ/କବିତା ରଚନାର (ଏକାଡେମୀ) ପରିଚାଳନା ଦକ୍ଷତା ପର୍ଯ୍ୟବସିତ ନୁହେଁ। ଏଥିପାଇଁ ନେତୃତ୍ବପଣ ବା ନାୟକୀୟତା ଆବଶ୍ୟକ। ଖଳନାୟକ ଘର ଚଳାଏ ନାହିଁ। ଘର ଚାବି ପଡ଼େ, ଛପର ହୋଇପାରେନି, କବାଟ ଝରକାରେ ଉଇ ଲାଗେ। ସେମିତି ଆଇନ ବା ସମ୍ବିଧାନର ସ˚ଶୋଧନ ପିଲାଙ୍କ ନୋଟ୍ଖାତା ସ˚ଶୋଧନ ନୁହେଁ। ଆଜି ଏକାଡେମୀ ଯେଉଁ ପରିସ୍ଥିତିରେ ପହଞ୍ଚିଛି, ସେଥିପାଇଁ ସରକାରଙ୍କ ଅନାଗ୍ରହ ଦାୟୀ। ଏହା ଆମେ ଏକାଡେମୀ ସଦସ୍ୟ ଥିବା ବେଳେ ମଧୢ ଖବରକାଗଜ ପ୍ରବନ୍ଧରେ କହିଥିଲୁ।
ଚଳିତ ଏକାଡେମୀ କର୍ମକର୍ତ୍ତା ଓ ପରିଚାଳନା ମଣ୍ତଳୀ ଆମର ଆଦରଣୀୟ। କାରଣ ଏମାନେ ଓଡ଼ିଶା ସରକାରଙ୍କର କଷ୍ଟ ଲବ୍ଧ ସନ୍ତାନ। ଖାଲିଥିବା ଉପସଭାପତି ପଦ, ପରେ ଖାଲି ହେବା ସଭାପତି ପଦ ଇତ୍ୟାଦି ପାଇଁ ୪ ଥର ପ୍ରସ୍ତାବ ଯାଇ ବିଧିମତେ ସରକାରଙ୍କ ଗର୍ଭାଧାନ ହୋଇଥିଲା। ଗାଉଁଲି ଭାଷାରେ ତାହା ପେଟରେ ମିଳେଇ ଗଲା। ସନ୍ତାନ ପ୍ରସବ ହେଲା ନାହିଁ। ବହୁ କଷ୍ଟରେ ବର୍ତ୍ତମାନର କର୍ମକର୍ତ୍ତା ଏକାଡେମୀକୁ ମିଳିଛନ୍ତି। ଏମାନଙ୍କର ଦ୍ବିତୀୟ ବର୍ଷର କାର୍ଯ୍ୟକାଳ ଚାଲିଛି। ବାକି ସମୟତକ ଏମାନେ କି କାମ କରିବେ? ପୁରସ୍କାର ତ’ ଦେବେ ନାହିଁ। ନୂଆ ନିଷ୍ପତ୍ତି ନେବେ ନାହିଁ। ପୁରୁଣା କାମ, ଯାହା ପଡ଼ି ରହିଛି, ତାକୁ ଆଡ଼ ଆଖିରେ ଚାହୁଁନାହାନ୍ତି ମଧୢ। ଏମାନେ କ’ଣ କଲେଣି, କରୁଛନ୍ତି ବା କରିବେ?
ଆଜିର ଚତୁର ପଦକ୍ଷେପ ହେବ ଏକାଡେମୀ ଉଠେଇ ଦେବା ଓ କର୍ମଚାରୀମାନଙ୍କୁ ବିଦା କରିଦେବା। ତେବେ ଆମର ଏଇ ଓଡ଼ିଆ ପ୍ରସ୍ତାବକୁ ଓଡ଼ିଶା ସରକାରରେ କେହି ବୁଝି ପାରିବେ ତ?
ମୋ: ୯୬୫୮୨୩୭୩୧୪