ଅଭିରାମ ବିଶ୍ବାଳ
କୁହାଯାଏ ଯେ ସାଧାରଣତଃ ପୁଅମାନେ ମା’ମାନଙ୍କର ଅଧିକ ପ୍ରିୟ ହୋଇଥିଲା ବେଳେ ବାପାମାନଙ୍କର ଅଧିକ ପ୍ରିୟ ସେମାନଙ୍କର ଝିଅମାନେ। ସେଇଥି ପାଇଁ ହୁଏତ ଗେହ୍ଲୀ ଝିଅ, ଅଲିଅଳୀ ଝିଅ ଓ କନ୍ୟା ରତ୍ନ ଆଦିର ଅବତାରଣା କରାଯାଇଥାଏ! ଏ ସବୁର ଆଉ କେତେ ଦିଗ ମଧ୍ୟ ରହିଛି। ଆଦର୍ଶ ବାପ-ଝିଅ ସଂପର୍କର ସ୍ବରୂପଟି କ’ଣ ଓ କେମିତିଆ? ସେଭଳି ଲେଖିଲା ବେଳେ ଜଣେ ଝିଅ ଲେଖିକା ହୋଇଯାଏ ନା ଝିଅ ଭାବେ ଲେଖେ? ନିଜ ନିଜର ପିତାମାନଙ୍କ କଥା କହିଲା ବେଳେ ଝିଅମାନଙ୍କର ଏକ ‘ଡଟର୍ସ ପରସ୍ପେକ୍ଟିଭ’ ବା ‘କନ୍ୟା ଦୃଷ୍ଟିକୋଣ’ ଅଥବା କନ୍ୟା ଦୃଷ୍ଟିଭଙ୍ଗୀ ଥାଏ କି?
ନିକଟ ଅତୀତରେ ତିନି ଜଣ ଅତି ଜଣାଶୁଣା ମହିଳା ସେମାନଙ୍କର ବେଶ୍ ପ୍ରସିଦ୍ଧ ବାପାଙ୍କୁ ନେଇ ଲେଖିଥିବା/ସଂପାଦନ ଓ ସଂକଳନ କରିଥିବା ତିନିଟି ପୁସ୍ତକ ଲୋକାର୍ପିତ ହୋଇଯାଇଛି। ଓଡ଼ିଆ ଭାଷା-ସାହିତ୍ୟର ପ୍ରାକ୍ତନ ପ୍ରଫେସର ଓ ଲେଖିକା ସଂଘମିତ୍ରା ମିଶ୍ରଙ୍କ ପୁସ୍ତକଟିର ନଁା ହେଲା- ‘‘ସଂଗ୍ରାମୀ ବଂଶୀଧର: ଇତିହାସର ହଜିଲା ଖିଅ’’ (ରତ୍ନଚିରା ପବ୍ଲିକେସନ୍ସ, ୨୦୨୫)। ସଂଗ୍ରାମୀ ବଂଶୀଧର ମିଶ୍ର ହେଉଛନ୍ତି ସଂଘମିତ୍ରାଙ୍କ ପିତା। ପ୍ରାଣୀବିଜ୍ଞାନୀ, ନୃତ୍ୟଶିଳ୍ପୀ ଓ ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରିୟମ୍ବଦା ମହାନ୍ତି ହେଜମାଦିଙ୍କ ବହିର ଶୀର୍ଷକ ହେଉଛି- ‘‘ଭିନ୍ନ ଜଣେ ମଣିଷ’’ (ଶିକ୍ଷାସନ୍ଧାନ, ୨୦୨୫)। ପୁସ୍ତକଟି ପ୍ରିୟମ୍ବଦାଙ୍କ ପିତା ଯନ୍ତ୍ରୀ ଭାଗବତ ଚରଣ ମହାନ୍ତିଙ୍କୁ ନେଇ।
ତୃତୀୟ ପୁସ୍ତକଟି ହେଲା ତାଙ୍କ ଜୀବନର ବିଭିନ୍ନ ପର୍ଯ୍ୟାୟରେ ଅର୍ଥଶାସ୍ତ୍ର, ଅଧ୍ୟାପନା, ରାଜନୀତି, ସମାଜସେବୀ, ସାଂସ୍କୃତିକ କର୍ମପ୍ରବଣତା, ଓଡ଼ିଶା ମହିଳା ଆୟୋଗ, ସ୍ବେଚ୍ଛାସେବୀ ସଂଗଠନ, ଲେଖାଲେଖି ଓ ଭାବ ସଂଗୋଷ୍ଠୀ ଆଦି ସହ ସଂପୃକ୍ତ ହୋଇଥିବା ଲୋପାମୁଦ୍ରା ମହାନ୍ତିଙ୍କ ରଚିତ- ‘‘ଲୋକା ପୁଅ ସୁରିଆ’’ (ବିକେ କ୍ଲାସିକ୍ସ, ୨୦୨୫)। ସୁରିଆ ଅନ୍ୟ କେହି ନୁହନ୍ତି; ଏଇ ଦୈନିକ ଖବରକାଗଜର ପ୍ରଥମ ସଂପାଦକ ଏବଂ ସାହିତ୍ୟ-ରାଜନୀତି-ସାମ୍ବାଦିକତା ତ୍ରିବେଣୀ ଜଗତର ପ୍ରବାଦ ପୁରୁଷ ସୁରେନ୍ଦ୍ର ମହାନ୍ତି। ଆଉ ଲୋକା ହେଲେ ସୁରେନ୍ଦ୍ର ବାବୁଙ୍କ ବାପା, ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଗଁା ସତ୍ୟଭାମାପୁର ପାଖ ଆଉ ଏକ ଗ୍ରାମ ପୁରୁଷୋତ୍ତମପୁରର ଲୋକନାଥ ମହାନ୍ତି। ପୁସ୍ତକର ଉନ୍ମୋଚନ ଉତ୍ସବରେ ସୁରେନ୍ଦ୍ରଙ୍କ କନ୍ୟା ଲୋପାମୁଦ୍ରା ଯାହା କହିଥିଲେ ତା’ର ମର୍ମାର୍ଥ ଥିଲା ମୋଟାମୋଟି ପ୍ରାୟ ଏଇଆ- ‘‘ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଭକ୍ତମାନେ ଗଭୀର ଶ୍ରଦ୍ଧା, ସମ୍ମାନ ଓ ଅନୁରାଗରେ କାଳିଆ ଏବଂ ମଣିମା ସମ୍ବୋଧନ କରନ୍ତି। ମୁଁ ମୋ ବାପାଙ୍କୁ ସୁରିଆ ଓ ତାଙ୍କ ବାପାଙ୍କୁ ଲୋକା ଭାବେ ଉପସ୍ଥାପନ କରିଛି। ବାହାରୁ ଅନେକଙ୍କୁ କେବେ କେବେ ନଡ଼ିଆ ଭଳି ଟାଣ ଓ କଠୋର ଲାଗୁଥିବା ମୋ ପିତା ପ୍ରକୃତରେ ଭିତରେ ଥିଲେ ସାଲେପୁରର ବିକଳି କର ରସଗୋଲା ଭଳି ନରମ ଆଉ କୋମଳ।’’ ଏମିତିରେ ତ ଅନେକ ସମୟରେ ଶୁଣିବାକୁ ଓ ଜାଣିବାକୁ ମିଳେ ଯେ ପିଲାମାନେ ନିଜର କେତେକ ଅତି ଆତ୍ମୀୟ ଗୁରୁଜନଙ୍କୁ ‘ତୁ’ ସମ୍ବୋଧନ କରନ୍ତି, ଯେଉଁଥିରେ କିନ୍ତୁ ଅବଜ୍ଞା ତଥା ଅସମ୍ମାନବୋଧର ଚିହ୍ନବର୍ଣ୍ଣ ନ ଥାଏ।
ବ୍ୟକ୍ତି ସୁରେନ୍ଦ୍ରଙ୍କୁ ଜାଣିବାର ଅନ୍ୟତମ ଶ୍ରେଷ୍ଠ ମାଧ୍ୟମ ହେଲା ତାଙ୍କ ଆତ୍ମଜୀବନୀ ‘‘ପଥ ଓ ପୃଥିବୀ’’ର ସାହାଯ୍ୟ ନେବା, ଯାହା ପ୍ରଥମେ ପ୍ରକାଶିତ ହୋଇଥିଲା ୧୯୮୬ ମସିହାରେ ଇଷ୍ଟର୍ଣ୍ଣ ମିଡିଆ ତରଫରୁ। ଅବଶ୍ୟ ପୁସ୍ତକଟିରେ ସୂଚିତ କରାଯାଇଛି ଯେ ତାହା ଜୀବନ ସ୍ମୃତି ବୋଲି। କହିହେବ ଆତ୍ମଜୀବନୀ ମଧ୍ୟ ଜଣେ ଲୋକର ନିଜ ଜୀବନର ସ୍ମୃତିଚାରଣ ଏବଂ ସେ ସ୍ମୃତିଚାରଣ ଆଧାରିତ ଲିଖନ। ‘‘ପଥ ଓ ପୃଥିବୀ’’ ବାହାରିବାର ପ୍ରାୟ ୪୦ ବର୍ଷ ପରେ ସୁରେନ୍ଦ୍ରଙ୍କ କନ୍ୟା ଲେଖିଥିବା ପୁସ୍ତକଟିରୁ କେତେ କ’ଣ ନୂଆ ଓ ଅଧିକା କଥା ଜାଣିହୁଏ, ଯାହା ଅନ୍ୟତ୍ର ମିଳେ ନାହିଁ। ଏମିତିରେ ତ ସୁରେନ୍ଦ୍ର ବାବୁ ତାଙ୍କ ଆତ୍ମଜୀବନୀରେ ନିଜ ପରିବାରର ଚେରମୂଳ- ବାପା ଓ ଶ୍ବଶୁର ପ୍ରଭୃତିଙ୍କ- ବାବଦରେ ଯେତେ ଲେଖିଛନ୍ତି, ସେତେ ଲେଖି ନାହାନ୍ତି ନିଜ ଡାଳପତ୍ର ବା ପିଲାପିଲିଙ୍କ ବିଷୟରେ। ନିଜ ପିଲାପିଲି ଓ ପରିବାର ସଂପର୍କରେ ବହିରେ ଠାଏ ସିଏ ଲେଖିଛନ୍ତି ଏମିତି- ରାଜନୈତିକ ଜୀବନର ଚାହିଦାରେ ପୂରା ଗୋଟିଏ ମାସ କେବେ ଘରେ ରହିବା ମୋ ପକ୍ଷରେ ସମ୍ଭବ ହୋଇପାରି ନ ଥିଲା। ନାତିନାତୁଣୀମାନେ ମୋତେ ଅଚିହ୍ନା ଅଚିହ୍ନା ବାରନ୍ତି! ସେଥିପାଇଁ ମୋ ଘରେ ମୋତେ ପରିହାସ କରାଯାଏ, ‘ଚିଫ୍ ଗେଷ୍ଟ’ ବୋଲି!
ଏହି ‘ମୁଖ୍ୟ ଅତିଥି’ ସମ୍ବୋଧନ ଆରମ୍ଭ କରିଥିଲେ ସୁରେନ୍ଦ୍ର ବାବୁଙ୍କ ପତ୍ନୀ ରେଣୁକା ଦେବୀ ଯେଉଁ କଥା ଲୋପାମୁଦ୍ରା ନିଜ ବହିରେ ଲେଖିଛନ୍ତି। ଲୋପାମୁଦ୍ରାଙ୍କୁ ତାଙ୍କ ବାପା ସୁରେନ୍ଦ୍ର ଡାକୁଥିଲେ ଛବି। ଆଉ ଛବି ସୁରେନ୍ଦ୍ରଙ୍କୁ ସମ୍ବୋଧନ କରୁଥିଲେ ‘ବାପା ମ’। ମୁଖ୍ୟ ଅତିଥି ଓ ବାପା ମ ଛଡ଼ା ନିଜ ଘରେ ସୁରେନ୍ଦ୍ର ବାବୁଙ୍କର ଅନ୍ୟ ଅନେକ ନଁା ଥିଲା। ଯଥା: ବାପା, ବାବୁ, ତପି, େଜଜେ ଓ ବିକୁ ଅଜା। କୁନି ପିଲାଏ ପୂରା ଉଚ୍ଚାରଣ କରିପାରୁ ନ ଥିଲେ ବିସ୍କିଟ ବା ବିସ୍କୁଟ; ତେଣୁ କହୁଥିଲେ ବିକୁ। ସୁରେନ୍ଦ୍ର ବାବୁ ସେମାନଙ୍କୁ ନିୟମିତ ବିସ୍କୁଟ ଆଣି ଦେଉଥିଲେ। ସେଇଥି ପାଇଁ ସିଏ ବିକୁ ଅଜା। ସୁରେନ୍ଦ୍ର ମହାନ୍ତିଙ୍କ କଟକ ତୁଳସୀପୁର ବାସଭବନର ନଁା ଶିବାନୀ। ପୃଷ୍ଠଭୂମି କ’ଣ? ଲୋପାମୁଦ୍ରାଙ୍କ ବଖାଣ ମୁତାବକ ୧୯୬୨ ରଥ ଦିନ ଘର ପ୍ରତିଷ୍ଠା। ସୁରେନ୍ଦ୍ର ବାବୁଙ୍କ ପତ୍ନୀ କହିଥିଲେ ଘରର ନଁାରେ ମୋ ନଁା ରହିବନି- ରହିବ ଶିବାନୀ। କାରଣ ସୁରେନ୍ଦ୍ର ବାବୁ ଶ୍ରୀଜଗନ୍ନାଥଙ୍କୁ ଯେମିତି ଭକ୍ତି କରନ୍ତି, ମା’ ଦୁର୍ଗାଙ୍କୁ ମଧ୍ୟ ସେତିକି ଭଲ ପାଆନ୍ତି ଓ ଭକ୍ତି କରନ୍ତି। ଶିବାନୀ ଦୁର୍ଗାଙ୍କର ଅନ୍ୟ ନାମ। ତେଣୁ ଘରର ନାମ ରହିଲା ଶିବାନୀ।
କଥାକାର ଅଖିଳମୋହନ ପଟ୍ଟନାୟକ ଥିଲେ ସୁରେନ୍ଦ୍ର ମହାନ୍ତିଙ୍କ ପରମ ମିତ୍ର। ପରେ ଦୁହେଁ ସମୁଦି ହେଲେ। ଭୁବନେଶ୍ବରର ରଥ ରୋଡ୍ରେ ଅଖିଳ ବାବୁଙ୍କ ନିଜ ବସା ‘ବାଲିଘର’ ଛାତ ଉପରେ ପୁନେଇଁ ରାତିରେ ଜମୁଥିଲା ସଂଗୀତର ଆସର, ଯେଉଁଠି ଆସି ଯୋଗ ଦେଉଥିଲେ ଅନେକ ବିଶିଷ୍ଟ ବ୍ୟକ୍ତି। ଦେବଦାସ ଛୋଟରାୟ ଗୀତ ଲେଖୁଥିଲେ ଓ ସ୍ବର ଦେଉଥିଲେ ଅକ୍ଷୟ ମହାନ୍ତି। ଅଖିଳମୋହନ ଭଲ ପାଆନ୍ତି ଅକ୍ଷୟ ମହାନ୍ତିଙ୍କ ସଂଗୀତକୁ। ସେଠାରେ ବି ଉପସ୍ଥିତ ରହୁଥିଲେ ସୁରେନ୍ଦ୍ର।
ବାପାଙ୍କ ପରାମର୍ଶ ମୁତାବକ ଲୋପାମୁଦ୍ରା ଯାଇ ପଢ଼ିଥିଲେ ବରୋଦାର ଆର୍ଯ୍ୟକନ୍ୟା ମହାବିଦ୍ୟାଳୟରେ। ସେଠି ତାଙ୍କ ପୋଷାକ ସମେତ ଅନ୍ୟ ଜିନିଷପତ୍ରରେ ଲେଖା ହୋଇଥିଲା: େଲାପାମୁଦ୍ରା-ସୁରେନ୍ଦ୍ର-ଓଡ଼ିଶା। ହଜି ଯିବାର ଭୟ ତ ଅନ୍ୟତମ ପ୍ରମୁଖ କାରଣ। ତା’ ସାଙ୍ଗକୁ ଯୋଡ଼ା ଲୋପାମୁଦ୍ରାଙ୍କ ଦୁଇ ପ୍ରମୁଖ ପରିଚୟ: ପୂଜ୍ୟ ପିତାଙ୍କ ସୁରେନ୍ଦ୍ର ନାମଟି ଏବଂ ନିଜ ରାଜ୍ୟ ଓଡ଼ିଶା। ବହିରେ କନ୍ୟା ଲୋପାମୁଦ୍ରା ପିତା ସୁରେନ୍ଦ୍ରଙ୍କୁ ମନେ ପକାଇ ଲେଖିଛନ୍ତି- ମୋ ବାପା ଗୁରୁ ପରି ଯେଉଁ ଉପଦେଶ ଦେଇଥିଲେ, ତାହା ସତରେ ଏବେ ମୋତେ ବଞ୍ଚିବା ପାଇଁ ପ୍ରେରଣା ଓ ସାହସ ଯୋଗାଉଛି। ତାଙ୍କ ବାପା ତାଙ୍କୁ ଉଭୟ ଉତ୍ସାହିତ କରି ଓ ଚଢ଼େଇ ଦେଇ କହିଥିଲେ- ଆକାଶରେ ଉଡ଼ ମାଆ, କିନ୍ତୁ ନଟେଇଟା କାହା ହାତରେ ଦେବୁନି। ଫୁଲ ହୋଇ ଗଛରେ ଫୁଟିବୁ, ଜଗନ୍ନାଥଙ୍କ ପାଦ ତଳକୁ ଯିବୁ ସିନା ଡ୍ରଇଂ ରୁମ୍ରେ ଫୁଲ ହୋଇ ରହିବୁନି। ଆହୁରି ଲୋପାମୁଦ୍ରା ଲେଖିଛନ୍ତି- ମୁଁ ଦେଖିଛି ମୋ ଗେହ୍ଲା ବାପାଙ୍କୁ ବନ୍ଧୁ ଭାବରେ। x x ମୋ ବାପା ହିଁ ନିଜେ ନିଜର ଷ୍ଟାଇଲ।
ଶ୍ରୀଯୁକ୍ତ ସୁରେନ୍ଦ୍ର ମହାନ୍ତି ତାଙ୍କ ଝିଅ ଲୋପାମୁଦ୍ରାଙ୍କୁ ଭଲ ଓ ଖରାପ ଗୁଣ କ’ଣ ବୁଝେଇ ଏମିତି କହିଥିଲେ- ଦେଖ ମାଆ, ବୈଶାଖର ଖରାରେ ନର୍ଦ୍ଦମା ପାଣି ବାଷ୍ପ ହୋଇ ଉପରକୁ ଚାଲିଗଲା। ଅଳିଆ ଆବର୍ଜନା ବା ପଙ୍କତକ ରହିଗଲା ସେଠି। x x x ଖରାପ ଗୁଣଗୁଡ଼ିକ ନର୍ଦ୍ଦମାର ପଙ୍କ ପରି, ସେ ସବୁ ମନକୁ ନବନି କି ଶିଖିବାର ଚେଷ୍ଟା କରିବନି। ପୁଣି ଲେଖାଲେଖି ନେଇ ବିଶାରଦ ମନ୍ତ୍ର ଦେଇ ଝିଅ ଲୋପାମୁଦ୍ରାଙ୍କୁ ବାପା ସୁରେନ୍ଦ୍ର କହିଥିଲେ- ତୁ ନିଶ୍ଚୟ ଭଲ ଲେଖିବୁ। କିନ୍ତୁ ଲେଖିବାକୁ ହେଲେ ଅନୁଭୂତି ସାଉଁଟିବାକୁ ପଡ଼ିବ। ବହୁତ ପଢ଼ିବାକୁ ପଡ଼ିବ ଏବଂ ଜଣେ ତପସ୍ବୀ ପରି ସାହିତ୍ୟ ସାଧନା କରିବାକୁ ପଡ଼ିବ।
ରାଜନୀତି ଓ ସାମ୍ବାଦିକତା କ୍ଷେତ୍ରକୁ ମଧ୍ୟ ଆସିଥିବା ସୁରେନ୍ଦ୍ର ଅନେକ ଅବସରରେ କହିଛନ୍ତି ଏବଂ ଆତ୍ମଜୀବନୀରେ ଲେଖିଛନ୍ତି- ସିଏ ମୂଳତଃ ସାହିତ୍ୟର ଯାହା ତାଙ୍କୁ ପ୍ରକୃତ ଆତ୍ମସନ୍ତୋଷ ଦିଏ ଓ ନିଜକୁ ସର୍ବାଧିକ ବ୍ୟକ୍ତ କରିବାରେ ସହାୟକ ହୁଏ। ଏକଚାଳିଶ ବର୍ଷ ତଳେ ପ୍ରଥମେ ଯେତେବେଳେ ‘ସମ୍ବାଦ’ ବାହାରିଥିଲା ୪.୧୦.୧୯୮୪ରେ ସେଥିରେ ସଂପାଦକ ସୁରେନ୍ଦ୍ର ଲେଖିଥିଲେ ତିନିଟି ଗଦ୍ୟ ରଚନା- ସଂପାଦକୀୟ ‘‘ସୁପ୍ରଭାତ’’, ଅଗ୍ରଲେଖ ‘‘ଉତ୍କଳରେ ଦୁର୍ଗାପୂଜାର ବୈଶିଷ୍ଟ୍ୟ ଓ ପରମ୍ପରା’’ ଏବଂ ବହୁଚର୍ଚ୍ଚିତ ଶେଷସ୍ତମ୍ଭରେ ‘‘ଓଡ଼ିଆ ଭାଷା ଓ ଆମେ’’। ଗଦ୍ୟ ଓ ଗଣତନ୍ତ୍ରର ସଂପର୍କ ସମ୍ବନ୍ଧରେ ଥରକୁ ଥର ଚମତ୍କାର ଢଙ୍ଗରେ ଆଲୋକପାତ କରିଛନ୍ତି ଏଇ କାଗଜର ପ୍ରାଣପ୍ରତିଷ୍ଠାତା ସୌମ୍ୟରଂଜନ ପଟ୍ଟନାୟକ। ଲୋପାମୁଦ୍ରାଙ୍କ ବହିଟି ବି କହୁଛି ସୁରେନ୍ଦ୍ର ଥିଲେ ମୁଖ୍ୟତଃ ଗଦ୍ୟ ଲେଖକ।
ନିଜ ନିଜର ଅତି ଆତ୍ମୀୟଙ୍କ ଉପରେ ରଚିତ ଜୀବନୀ କେତେ ମୂଲ୍ୟାୟନଭିତ୍ତିକ ଓ କେତେ ଚରିତାମୃତଧର୍ମୀ, ତାହା ବିତର୍କର ବିଷୟ ନିଶ୍ଚୟ। ଏପରିକି ଟଲଷ୍ଟୟଙ୍କ ସାନ ଝିଅ ଆଲେକଜାଣ୍ଡ୍ରା ଟଲଷ୍ଟୟ, ତାଙ୍କ ପୁସ୍ତକ ‘ଟଲଷ୍ଟୟ: ଏ ଲାଇଫ୍ ଅଫ୍ ମାଇଁ ଫାଦର’ରେ ଏବଂ ରସେଲଙ୍କ ଏକମାତ୍ର ଝିଅ କାଥାରିନ ତାଇତ୍ ଲେଖିଥିବା ବହି ‘ମାଇଁ ଫାଦର- ବର୍ଟ୍ରାଣ୍ଡ୍ ରସେଲ’ରେ ନିଜ ନିଜର ପିତାଙ୍କ ପ୍ରତି ଏକା ଆଭିମୁଖ୍ୟ ପୋଷଣ କରିନାହାନ୍ତି। ପୁଣି ଅରୁନ୍ଧତୀ ରାୟ ତାଙ୍କ ମା’ଙ୍କ ଉପରେ ଏବେ ଏବେ ଲେଖିଥିବା ବହି ‘ମଦର ମେରୀ କମ୍ସ ଟୁ ମି’ରେ କ’ଣ ଖାଲି ମୂଲ୍ୟାୟନ ଅଛି?
ଓଡ଼ିଶାର ଅତି କମ୍ରେ ଅାଉ ତିନି ଜଣ ପିତାଙ୍କ ସମ୍ବନ୍ଧରେ ସେମାନଙ୍କ ଝିଅ ଗୁରୁତ୍ବପୂର୍ଣ୍ଣ ପୁସ୍ତକମାନ ଲେଖିଛନ୍ତି- ଶୈଳବାଳା ଦାସଙ୍କ ବହି ମଧୁବାବୁଙ୍କ ଉପରେ, ଅଜଣା ବା ଅଳ୍ପ ଜଣା ଆଉ ଜଣେ ସଂଘମିତ୍ରା ମିଶ୍ର ତାଙ୍କ ପିତା ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ରଙ୍କ ସମ୍ବନ୍ଧରେ ଏବଂ ନିବେଦିତା ମହାନ୍ତି ନିଜ ବାପା ବିପିନ ବିହାରୀ ଚୌଧୁରୀଙ୍କୁ କେନ୍ଦ୍ର କରି। ସରଳ, ପ୍ରାଞ୍ଜଳ, ସାବଲୀଳ, ଗତିଶୀଳ, ତଥ୍ୟବହୁ, ଓ ଆବେଗାପ୍ଳୁତ ‘ଲୋକା ପୁଅ ସୁରିଆ’ରେ ଲୋପାମୁଦ୍ରା ଯାହା ଇଙ୍ଗିତ ଦେଇଛନ୍ତି, ତାହା ହେଲା ସୁରେନ୍ଦ୍ରଙ୍କ ଉପରେ ପୁସ୍ତକଟି ଶେଷ ନୁହେଁ; ଅନ୍ୟତମ ପ୍ରଚେଷ୍ଟା- ଆଗକୁ ନିଶ୍ଚୟ ନୂତନ କିଛି ସିଏ ବଖାଣିବେ। ନ ହେଲେ ସିଏ ଲେଖି ନଥାନ୍ତେ- ଫୁଲ ଗଛଟି ମରିନି କି ମୋ କଥାଟି ସରିନି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସିଏ ଲେଖିଛନ୍ତି- ବାପା କେବେ ଅାଦେଶ ଦେଇ ନାହାନ୍ତି, କି ଉଚ୍ଚ ଆସନରେ ବସି ଉପଦେଶ ଦେଇ ନାହାନ୍ତି। ପାଖରେ ବସି ବନ୍ଧୁଟିଏ ପରି ଜୀବନର ଅଙ୍କାବଙ୍କା ବାଟରେ କେମିତି ଚାଲିବାକୁ ହେବ, ସେ କଥା ବୁଝାଉଥିଲେ। ଏମିତି ଅନେକ ସ୍ମୃତି ଓ ଅନୁଭବ ଖଚିତ ଏ ବହିଟି ଚମତ୍କାର କନ୍ୟା ଦୃଷ୍ଟିଭଙ୍ଗୀ ଓ ଦୃଷ୍ଟିକୋଣ ସଂପନ୍ନ ଏକ ଗୁରୁତ୍ବପୂର୍ଣ୍ଣ ସୃଷ୍ଟି।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୩୦୭୦୭୯