ଅଭିରାମ ବିଶ୍ବାଳ

ସବୁ ପର୍ବ ବା ଉତ୍ସବର ଜୀବନ ଦର୍ଶନ ଭିତରେ ଗୁନ୍ଥିଗାନ୍ଥି ହୋଇ ରହିଥାଏ ରୀତି ଓ ନୀତି, ଆଚାର ଓ ବିଚାର, ଉତ୍ପତ୍ତି ଓ ପାଳନ ଏବଂ ପରମ୍ପରା ଓ ପରିବର୍ତ୍ତନ ଆଧାରିତ କେତେ ନା କେତେ ତଥ୍ୟ, ତତ୍ତ୍ବ, କାହାଣୀ, କିଂବଦନ୍ତି ଓ ଅବବୋଧ। ପଶ୍ଚିମ ଓଡ଼ିଶାର ପ୍ରମୁଖ କୃଷିଭିତ୍ତିକ ଗଣପର୍ବ ଭାବେ ପରିଗଣିତ ନୂଅଁାଖାଇ ଏଭଳି ଏକ ବାତାବରଣ ସୃଷ୍ଟି କରେ, ଯେତେବେଳେ ସାଧାରଣତଃ ସଭିଏଁ ଏକାଠି ହୋଇଥାନ୍ତି ଘରେ; ରାସ୍ତାଘାଟ ଓ ଦୋକାନ ବଜାର ଶୂନଶାନ ଲାଗୁଥାଏ; ଭ୍ରାନ୍ତ ଧାରଣା ଜନ୍ମି ପାରେ ସତେ ଯେମିତି ଅଘୋ‌ଷିତ ଅହିଂସ କର୍ଫ୍ୟୁ ବାହାରେ; ଭିଡ଼ କିନ୍ତୁ ଗୃହାଙ୍ଗନରେ- କୁଟୁମ୍ବର ଯିଏ ଯୁଆଡ଼େ ଥିଲେ ବି ଛୁଟି ଆସିଥାନ୍ତି ନିଜ ନିଜର ଘରକୁ ସେମିତି କିଛି ଅସୁବିଧା ନ ଥିଲେ। ଅବଶ୍ୟ ଯେଉଁମାନେ ପ୍ରବାସରୁ କୌଣସି ନା କୌଣସି କାରଣରୁ ଆସି ପାରନ୍ତିନି ସେମାନଙ୍କୁ ଏକ ଦ୍ବିତୀୟ ସୁଯୋଗ ମିଳେ ଦଶହରା ସମୟରେ।
ଗଣେଶ ଚତୁର୍ଥୀ ପରଦିନ ଭାଦ୍ରବ ପଞ୍ଚମୀରେ ପାଳିତ ହେଉଛି ଏବେ ନୂଅଁାଖାଇ। ଅନେକ ଅନେକ ଦଶନ୍ଧି ଆଗରୁ ପଶ୍ଚିମ ଓଡ଼ିଶାର ଭିନ୍ନ ଭିନ୍ନ ଅଞ୍ଚଳରେ ଏକ ଦିନରେ ସମ୍ଭବ ହୋଇପାରୁ ନ ଥିଲା ନୂଅଁାଖାଇ ପାଳନ। ବିଂଶ ଶତାବ୍ଦୀର ଷଷ୍ଠ ଦଶକରେ ପ୍ର‌ଥମେ ଉଠିଥିଲା ନୂଅଁାଖାଇର ଗୋଟିଏ ନିର୍ଦ୍ଦିଷ୍ଟ ଅବସର କଥା। ୧୯୯୧ ମସିହାରେ ହିଁ ସେଭଳି ଅଭିଳାଷ ଓ ଆବଶ୍ୟକତାର ଯଥାର୍ଥତା ସ୍ବୀକୃତ ହେଲା ଯେତେବେଳେ ଠିକ୍ ହେଲା ନୂଅଁାଖାଇ ପାଳିତ ହେବ ଭାଦ୍ରବ ଶୁକ୍ଳ ପଞ୍ଚମୀରେ। ତଦନୁସାରେ ଛୁଟି ମିଳିଲା- ପଶ୍ଚିମ ଓଡ଼ିଶା ସୌଜନ୍ୟରୁ ସାରା ଓଡ଼ିଶାକୁ। ଏ ବର୍ଷ ନୂଅଁାଖାଇ ଉପ‌ଲକ୍ଷେ ଦୁଇ ଦିନ ଛୁଟି ମିଳିବା ଆଲୋଚ୍ୟ ଗଣପର୍ବର ସାମାଜିକ, ସାଂସ୍କୃତିକ ଓ ଅନ୍ୟ କେତେକ ଗୁରୁତ୍ବପୂର୍ଣ୍ଣ ଦିଗ ସୂଚେଇ ଦିଏ।
ସମୟର ବିଶାଳ ବକ୍ଷ ଭିତରେ ଠାବ କରିହୁଏ ତିଥି, ଲଗ୍ନ ଓ ମୁହୂର୍ତ୍ତର ଠିକଣା। ଦୁଇଟି ଘଟଣା ଭିତରର ବ୍ୟବଧାନକୁ ସମୟ କୁହାଯାଏ। ଅନ୍ୟ କିଛି ଘଟୁ ନ ଥିଲା ବେଳେ ଯାହା ଘଟୁଥାଏ ତାହା ସମୟ। କହିହେବ ସମୟ ହେଉଛି ଶାଶ୍ବତ ବା ଚିରନ୍ତନର ଚଳନ୍ତି ପ୍ରତିମା। ଏଇ ପୃଷ୍ଠଭୂମିରେ ତିଥି, ଲଗ୍ନ ଓ ମୁହୂର୍ତ୍ତ ବାଟେ ନୂଅଁାଖାଇ ଯୋଡ଼ି ହୋଇଯାଏ ମହାକାଳ ବା ଶାଶ୍ବତ ସହ। ଗ୍ରହଣୀୟ ଓ ଅଧିକୃତ ବ୍ୟକ୍ତି ବା ବ୍ୟକ୍ତିଗଣ ନିର୍ଦ୍ଧାରଣ କରନ୍ତି ନୂଅଁାଖାଇର ତିଥି ଓ ଲଗ୍ନ- ଶୁଭ ଦିବସ ଓ ତାରିଖ: ପଞ୍ଜିକା ଭିତ୍ତିରେ। ସେଇଭଳି ଚୂଡ଼ାନ୍ତ ହୁଏ ଏକ ପବିତ୍ର ମୁହୂର୍ତ୍ତ, ଯାହାର ନମନୀୟ-ଆୟୁଷ ପରିବ୍ୟାପ୍ତ ହୋଇଥାଏ ବେଳେବେଳେ ୪୯ ମିନିଟ ଭିତରେ।
କହିବା ବାହୁଲ୍ୟ ପଶ୍ଚିମ ଓଡ଼ିଶାର ସଂସ୍କୃତି, ଐତିହ୍ୟ ଓ ଅସ୍ମିତା ସହ ଜୈବିକ ସୂତ୍ରରେ ବନ୍ଧା ନୂଅଁାଖାଇ। ଏମିତିରେ ତ କୃଷି କ୍ୟାଲେଣ୍ଡରକୁ ସମ୍ମାନ କରେ ନୂଅଁାଖାଇ ପର୍ବ। ଅନେକ କହନ୍ତି ପଶ୍ଚିମ ଓଡ଼ିଶାର, ଓଡ଼ିଶାର ଓ ଭାରତ ବର୍ଷର ଏବଂ ମାନବ ସମାଜର ଯଦି ଗୋଟିଏ ‘କଲ୍‌ଚର୍’ ବା ସଂସ୍କୃତି ଥାଏ ତେବେ ତାହା ହେଲା ‘ଏଗ୍ରିକଲ୍‌ଚର୍’ ବା କୃଷି। ପୂରା ପାଚିବା ପୂର୍ବରୁ ଧାନ କେଣ୍ଡା ଗଛରେ ଗଜୁରିବା ବେଳେ ସେଇ ଶସ୍ୟର ପୂଜା ପ୍ରକ୍ରିୟାରେ ପ୍ରଥମେ ସେ ନୂଆ ଶସ୍ୟ ଅର୍ପଣ କରାଯାଏ ଭଗବାନଙ୍କୁ, ଅଧିଷ୍ଠାତା ଦେବ ବା ଅଧିଷ୍ଠାତ୍ରୀ ଦେବୀଙ୍କୁ ଏବଂ ତା’ ପରେ ସେ ପ୍ରସାଦ ମଣିଷମାନେ ଗ୍ରହଣ କରନ୍ତି। ସାଧାରଣ ଭାଷାରେ ତେଣୁ କୁହାଯାଏ ‘ନୂଅଁାଖାଇ’ ଏବଂ ସାଧୁ ଭାଷାରେ ବ୍ୟକ୍ତ କରାଯାଏ ‘ନବାନ୍ନ’ ଭାବେ। ଭାଦ୍ରବ ଶୁକ୍ଳ ପଞ୍ଚମୀ ତିଥି ବାଛିବାର ବି ଅନ୍ୟତମ କାରଣଟି ହେଲା ସେତେବେଳକୁ ବର୍ଷା ସଂପୂର୍ଣ୍ଣ ଛାଡ଼ି ନ ଥିବାରୁ ଓ ଶସ୍ୟ କଞ୍ଚା ଥିବାରୁ ସେ ଶସ୍ୟ ଖୁମ୍ପି ନଥାନ୍ତି ପକ୍ଷୀ କି ଶୁଙ୍ଘି ନଥାନ୍ତି ପଶୁ। ସେଇ ଅକ୍ଷୁଣ୍ଣ, କଅଁଳ ଧାନ ଶସ୍ୟକୁ ସବା ଆଗ ନୈବେଦ୍ୟ ରୂପେ ବଢ଼ାଯାଏ ନୂଅଁାଖାଇ ବେଳେ ଠାକୁର ଠାକୁରାଣୀଙ୍କ ପାଖରେ।
ବିଦ୍ବାନ ଓ ବିଦୁଷୀମାନଙ୍କ ସୂତ୍ରରୁ ଜାଣିବାକୁ ତଥା ପଢ଼ିବାକୁ ମିଳେ ନୂଅଁାଖାଇର ଅତି ପ୍ରାଚୀନ ସମ୍ବନ୍ଧ ବିଷୟରେ। କୃଷି ସଂସ୍କୃତି, ଶସ୍ୟ ପରମ୍ପରା ଓ ଖାଦ୍ୟ ସଭ୍ୟତାର ବର୍ଣ୍ଣନା ତଥା ବିଶ୍ଳେଷଣ ବେଶ୍ ଚମତ୍କାର ଭାବେ ନିହିତ ରହିଛି ଅନାଦି କାଳର ପଞ୍ଚ-ଯଜ୍ଞ ଅବତାରଣାରେ, ଯାହା ଭିତରେ ସାମିଲ ଜମି ଚାଷ, ବୀଜ ବପନ ବା ବିହନ ବୁଣା, ପ୍ରାରମ୍ଭିକ ଶସ୍ୟ କଟା, ପରବର୍ତ୍ତୀ ଚୂଡ଼ାନ୍ତ ଶସ୍ୟ ଅମଳ ଏବଂ ଉତ୍ପନ୍ନ ବା ଉତ୍ପାଦର ସଂରକ୍ଷଣ ପ୍ରସଙ୍ଗ। ଏ ସବୁ ମଧ୍ୟ‌ରୁ ତୃତୀୟ ଯଜ୍ଞ, ଅର୍ଥାତ୍- ପ୍ରାରମ୍ଭିକ ଶସ୍ୟ କଟା, ସହ ଖିଅ ଯୋଡ଼ି ହେବ ନୂଅଁାଖାଇର। ପୁଣି ନବରଙ୍ଗ ବା ନଅଟି ପାହାଚକୁ ବାଦ ଦେଇ ନୂଅଁାଖାଇର ପୂର୍ଣ୍ଣାଙ୍ଗ ଆକଳନ କରିବା ସହଜ ନୁହେଁ। ସେ ନବରଙ୍ଗ ବା ପାବଚ୍ଛ ହେଲା- ବେହେରେନ (ତାରିଖ ଠିକ୍‌ କରିବା ନିମନ୍ତେ ସଭା ବସିବା), ଲଗନ ଦେବା (ନିର୍ଦ୍ଦିଷ୍ଟ ତାରିଖ ନିର୍ଦ୍ଧାରଣ), ଡକାହକା, ସଫାସୁତୁରା ଓ ଲିପାପୋଛା, ଘିନାବିକା, ନୂଆ ଧାନ ଖୋଜା, ବାଲି ପକା, ନୂଅଁାଖାଇ ଓ ଜୁହାର ଭେଟ।
ନୂଅଁାଖାଇ କାରଣରୁ ଆଜି ଗହଗହ ଓ ମହମହ କରୁଥିବ କଳାହାଣ୍ଡି, ବଲାଙ୍ଗୀର, ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ବୌଦ୍ଧ, ଦେବଗଡ଼, ନୂଆପଡ଼ା ଓ ଅନ୍ୟତ୍ର ସର୍ବତ୍ର ଯେଉଁଠି ‘ଡାୟାସ୍ପୋରା’ର (?) ସଦସ୍ୟ-ସଦସ୍ୟା ଅବସ୍ଥାପିତ। ଏଇ ସାଂସ୍କୃତିକ ଗଣପର୍ବର ଯାଦୁ ବଳରେ ସେଇ ଏକା ଅତି ଦୃଶ୍ୟମାନ ପରିବାରର ଭିନ୍ନ ଭିନ୍ନ ରାଜନୀତିକ ଦଳାନୁଗତ ସଭ୍ୟସଭ୍ୟା ମିଶନ୍ତି ରାଗରୋଷ ଭୁଲି ଓ ବିଧି ମୁତାବକ ଯଥାଯଥ ଅଭିନନ୍ଦନ ବିନିମୟ କରନ୍ତି। ନିଜ ଅଞ୍ଚଳରୁ ଟିକେ ଦୂରେଇ ଗଲେ ଅନ୍ୟଥା ଇଂଲିସ ଓ ହିନ୍ଦୀରେ କଥାବାର୍ତ୍ତା ହେବାକୁ ଅଧିକ ପସନ୍ଦ କରୁଥିବା କେତେକ ଶିଷ୍ଟଜନ ସମ୍ବଲପୁରୀ/କୋଶଳୀରେ ଆଳାପ କରନ୍ତି। ଲୋକେ ଅତି ଦାମିକା ସୁନା-ରୁପାର ପାତ୍ରରେ ନୁହେଁ, ନୂଆ ଖାଆନ୍ତି ବରଂ କୁରେଇ କି ମହୁଆ ଅଥବା ସରଗି ନତୁବା ପଳାଶ ନଚେତ ଭାଲିଆ ପତ୍ରରେ। ଏପରିକି କେହି କେହି ସାରୁ ପତ୍ରରେ। ଧାନ ନୂଅଁାଖାଇ ସାଙ୍ଗକୁ ଅନ୍ୟ କିଛି ନୂଅଁାଖାଇ ଅଛି କି? କେତେକ ଏବେ କହୁଛନ୍ତି ସବୁ ନୂଆ ଉତ୍ପନ୍ନ ଶସ୍ୟ ଖିଆ ନୂଅଁାଖାଇର ପରିଧିରେ ବି ନେଇହେବ। ଆହୁରି କୁହାଯାଇଛି ନୂଅଁାଖାଇ ବି ଡୁମା ପୂଜା, ପିତୃପୁରୁଷଙ୍କୁ ଅର୍ପଣ ଦେଇ ଆନୁଗତ୍ୟ ଓ କୃତଜ୍ଞତା ପରିପ୍ରକାଶ। ଅନ୍ୟ ଅନେକଙ୍କ ବିଚାରରେ ନୂଅଁାଖାଇ ମାନେ ଧାନ ନୂଅଁାଖାଇ, ଆଉ କିଛି ନୁହେଁ। ଅବଶ୍ୟ ସଭିଏଁ ବିଶ୍ବାସ କରନ୍ତି ଅନ୍ନ ହିଁ ସବୁ ପ୍ରକାରର ଆନନ୍ଦ ଓ ଆଲୋକର ଜନନୀ।
ସ୍ବଭାବକବି ଗଙ୍ଗାଧର ମେହେରଙ୍କ ଏକ ଅତି ପ୍ରଭାବଶାଳୀ କବିତାର ଶୀର୍ଷକ ହେଲା- ‘ଅନ୍ନର ମହିମା’। ସେ ପ୍ରସିଦ୍ଧ ସର୍ଜନାର କିୟଦଂଶ ଏଇଭଳି:
ଧନ୍ୟ ମହାପ୍ରଭୁ ହେ ଆଗେ ସୃଜି ଅନ୍ନ 
ତା’ ଉତ୍ତାରେ ସୃଜିଲ ଜବଜନ୍ତୁଗଣ ଅନ୍ନ ବିନା ଜୀବନ ନ ପାରଇ ରହି 
ଅନ୍ନ ବିନା ପ୍ରାଣୀଙ୍କ ଜୀବନ ନିରତେ ହୁଏ ଦହି ହେ।।
x x
ଅନ୍ନ ‌େଘନି ପରଜା ଅନ୍ନ ‌େଘନି ରାଜା
ଅନ୍ନ ଘେନି ବାଜଇ ଆନନ୍ଦର ବାଜା
ଅନ୍ନ ଘେନି ସକଳ ବସନ ଭୂଷଣ 
ଅନ୍ନ ହୀନେ ସକଳେ ପଳାନ୍ତି ଗୃହରୁ ତତ୍‌କ୍ଷଣ ହେ।।
x x x
ଅନ୍ନ ଦେବା ନିମନ୍ତେ ରହିଅଛି ଧରା 
ଅନ୍ନ ଦେବା ନିମିତ୍ତ ଲାଗୁଅଛି ଖରା
ଅନ୍ନ ଦେବା ନିମନ୍ତେ ମେଘ ବରଷଣ 
ଅନ୍ନ ଦେବା ନିମନ୍ତେ ଜଗତେ ବହୁଛି ସମୀରଣ ହେ। 
x x x x
ଅନ୍ନ ଘେନି ଜ୍ଞାନ ଯେ ଅନ୍ନ ଘେନି ଧ୍ୟାନ 
ଅନ୍ନ ଘେନି ମହତ୍ତ୍ବ ଅନ୍ନ ଘେନି ମାନ 
ବିଦ୍ୟା ବୁଦ୍ଧି ଅନ୍ନରେ ଅନ୍ନରେ ବିଜ୍ଞାନ 
ଅନ୍ନ ନାହିଁ ଯହିଁରେ ମହୀରେ ସେ ଏକା ମରୁସ୍ଥାନ ହେ।।
ମୋହନ ଦାସ କରମଚାନ୍ଦ ଗାନ୍ଧୀଙ୍କ ନଁା ମଧ୍ୟ ନୂଅଁାଖାଇର ଇତିହାସ ସହ ସଂଯୁକ୍ତ। ପ୍ରଥମ ଥର ଗାନ୍ଧୀ ସମ୍ବଲପୁର ଆସିଥିଲେ ୧୯୨୮ ମସିହା ଡିସେମ୍ବର ୨୨ ତାରିଖରେ। ତା’ ପର ବର୍ଷ ୧୯୨୯ରେ ପଶ୍ଚିମ ଓଡ଼ିଶାର ସମ୍ବଲପୁର ଅଞ୍ଚଳରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଥିଲା। ଧାକ କଟା ସରିବା ପରେ ମଧ୍ୟ କଟା ଧାନ ନଡ଼ାରୁ ଧାନ ଗଜୁରି ଉଠିଲା। ଚାଷୀକୂଳ ଓ ଅନ୍ନଦାତା କୃଷକ ନିର୍ଭର ଅନ୍ୟ ସଭିଁଙ୍କ ଆନନ୍ଦର ସୀମା ରହିଲା ନାହିଁ। ଲୋକେ କହିଲେ ଗାନ୍ଧୀ ମହାତ୍ମା ଆସିଥିଲେ ବୋଲି ପ୍ରକୃତି ସେଭଳି ଚମତ୍କାର ଦେଖେଇଲା। ସେ ବର୍ଷ ଲୋକେ ଦୁଇ ଦୁଇଥର ନୂଅଁାଖାଇ ପାଳିଲେ। ଦ୍ବିତୀୟଟିକୁ କୁହାଗଲା ଗାନ୍ଧୀ ନୂଅଁାଖାଇ।
ଲଗ୍ନ ମୁତାବକ ସ୍ଥାନ ନିର୍ବିଶେଷରେ ସମଲେଶ୍ବରୀ, ସୁରେଶ୍ବରୀ, ମାଣିକେଶ୍ବରୀ, ପାଟଣେଶ୍ବରୀ ଓ ପରମେଶ୍ବରୀଙ୍କୁ ପ୍ରଥମେ ନବାନ୍ନ ନୈବେଦ୍ୟ ଲାଗି ହୋଇଥାଏ। ଏ ଦେବୀଗଣ ଅତି ଜଣାଶୁଣା। ଅନ୍ୟ ଅନେକ ସ୍ଥାନରେ ଘଣ୍ଟାଶୁନୀ, ସପ୍ତକୁମାରୀ, କୁଶଙ୍ଗେଈ, ସଅଁଦେଈ, ମାହେଶ୍ବରୀ, ପତ୍ରସିଦ୍ଧି, ସଭରେନ, ଛୋଟିବୁଢ଼ୀ ଓ ଲୁକୁଟି ଲୁହୁରେନ ଆଦି ଅଳ୍ପ ଜଣା (!) ଦେବୀଙ୍କୁ ହିଁ ଆଗ ନବାନ୍ନ ଅର୍ପଣ କରାଯାଏ ବୋଲି ନୂଅଁାଖାଇ ବିଶେଷଜ୍ଞମାନେ ବଖାଣନ୍ତି।
ସମସ୍ତଙ୍କୁ ନୂଅଁାଖାଇର ଜୁହାର, ଅଭିନନ୍ଦନ! ଅନ୍ନ ଆମ୍ଭମାନଙ୍କୁ ସବୁବେଳେ ଅନ୍ନ ସହିତ ଆନନ୍ଦ ଓ ଆଲୋକ ବାଣ୍ଟି ଚାଲିଥାଉ- ଏ ବର୍ଷ, ଆସନ୍ତା ବର୍ଷ ଓ ଅନନ୍ତ କାଳ ଯାଏ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୩୦୭୦୭୯