କରୋନା ପରେ ବିଶ୍ବ କିଭଳି ହେବ!

ଶୁଭ୍ର ଅରବିନ୍ଦ ମହାନ୍ତି

କରୋନାର ମହାସଂକ୍ରମଣ କାଳରେ ଯାହା ସବୁଠାରୁ ଅଧିକ ସ୍ପଷ୍ଟ ଭାବେ ଦୃଷ୍ଟିଗୋଚର ହୋଇଛି ତାହା ହେଲା ବିଶ୍ବ ନିୟନ୍ତା ଭାବେ ମନେ କରୁଥିବା ଶକ୍ତିଶାଳୀ ରାଷ୍ଟ୍ର ଧରାଶାୟୀ ହେବା, ଅସହାୟ ହୋଇ ଏକଦା ହେୟ ଜ୍ଞାନ କରୁଥିବା ରାଷ୍ଟ୍ରଗୁଡ଼ିକ ଠାରୁ ସାହାଯ୍ୟ ଭିକ୍ଷା କରିବା

୧୯୯୭ରେ ପ୍ରକାଶିତ ଏକ ଗଳ୍ପ ‘ଦ ପରଫେକ୍ଟ୍‌ ଷ୍ଟର୍ମ’ର କଥାବସ୍ତୁ ଥିଲା ମଝି ସମୁଦ୍ରରେ ଥିବା ଗୋଟିଏ ଛୋଟ ଜାହାଜକୁ କେନ୍ଦ୍ର କରି ଯାହା ସେଠାରେ ଝଡ଼ ଓ ଅନ୍ୟ ବିଭିନ୍ନ ପ୍ରକାରର ବିପଦପୂର୍ଣ୍ଣ ପରିସ୍ଥିତିର ମୁକାବିଲା କରୁଥିଲା। ଏହି ଜାହାଜର କ୍ୟାପ୍‌ଟେନ୍‌ଙ୍କ ପାଇଁ ଏ ଅନୁଭୂତି ଥିଲା ସମ୍ପୂର୍ଣ ନୂଆ ଏବଂ ଅପ୍ରତ୍ୟାଶିତ। ଗଳ୍ପଟି ବହୁଳ ଆଦୃତ ହୋଇଥିଲା, ବିଶେଷ କରି ମ୍ୟାନେଜମେଣ୍ଟ ଓ ଅର୍ଥନୈତିକ ବୁଦ୍ଧିଜୀବୀ ମହଲରେ; କାରଣ କୌଣସି ନୂତନ ବିପତ୍ତିକୁ ସାମ୍‌ନା କରିବା ପାଇଁ କ’ଣ କରାଯିବା ଉଚିତ ଏହା ତା’ର ଗୋଟିଏ ଭଲ ଉଦାହରଣ ଥିଲା। ତେବେ କରୋନା ମହାମାରୀ ହେତୁ ଯେ ଦିନେ ବିଶ୍ବର ପରିସ୍ଥିତି ସେହି ଗଳ୍ପରେ ବର୍ଣ୍ଣିତ ଜାହାଜର ସ୍ଥିତି ତୁଲ୍ୟ ହୋଇଯିବ, ଏ ଧାରଣା କାହାର ନ ଥିଲା। ନଭେମ୍ବରରୁ ଡିସେମ୍ବର ୨୦୧୯ରେ ଯେତେବେଳେ କରୋନା ଭୂତାଣୁର ସୂଚନା ବିଶ୍ୱକୁ ମିଳିଥିଲା, କେହି କଳ୍ପନା କରି ନଥିଲେ ଯେ ଏହା ସମଗ୍ର ବିଶ୍ବର ଅର୍ଥନୀତି, ସାମାଜିକ ବ୍ୟବସ୍ଥା ତଥା ଜନଜୀବନକୁ ଏକ ପ୍ରକାର ଅଚଳ କରିଦେବାର ଶକ୍ତି ବହନ କରିଛି। ସାଧାରଣତଃ କୌଣସି ଅଞ୍ଚଳ ବା ସମ୍ପ୍ରଦାୟ ଉପରେ କୌଣସି ବିପତ୍ତି ପଡ଼ିଲେ, ସେହି ବିପତ୍ତିରୁ ଦୂରରେ ରହିଥିବା ଲୋକେ ଆଶ୍ବସ୍ତ ହୁଅନ୍ତି ଯେ ଯାହା ହେଉ ସେମାନେ ତହିଁରୁ ବର୍ତ୍ତିଗଲେ। କିନ୍ତୁ କରୋନା ମହାମାରୀ ସେ ଆଶ୍ବସ୍ତି କାହାକୁ ଦେଉନାହିଁ। ଦୁର୍ଭିକ୍ଷ ହେଉ ବା ପ୍ଲେଗ୍‌ ବା କଲେରା ବା ବସନ୍ତ ଭଳି ରୋଗ ହେଉ; ସେହି କାରଣରୁ ସୃଷ୍ଟ ମହାମାରୀ ଏବେ ଇତିହାସର ଗୋଟିଏ ଗୋଟିଏ ଅଧ୍ୟାୟ ମାତ୍ର। କାରଣ ସେ ସବୁ ରୋଗ ବା ଖାଦ୍ୟାଭାବ ଜନିତ ଦୁର୍ଭିକ୍ଷରୁ ମହାମାରୀ ସଂଘଟିତ ହେବାର ଆଶଙ୍କା ଆଉ ପ୍ରାୟ ନାହିଁ। କାରଣ ଅଧିକାଂଶ ରୋଗର ପ୍ରତିଷେଧକ ଉପଲବ୍‌ଧ ଏବଂ ବିଶ୍ବରେ ସମସ୍ତଙ୍କ ଲାଗି ପ୍ରଚୁର ଖାଦ୍ୟ ମହଜୁଦ ରହିଛି। ୨୦୦୯ର ‘ପାନ୍‌ଡେମିକ୍‌’ ହୋଇଯାଇଥିବା ‘ସ୍ବାଇନ୍‌ ଫ୍ଲୁ’ ମଧ୍ୟ ପ୍ରତିଷେଧକର ଉଦ୍ଭାବନ ପରେ କବଳିତ। କିନ୍ତୁ କରୋନା ମହାମାରୀ ଆଜି ମଣିଷ ଜାତିକୁ ଅସହାୟ କରିଦେଇଛି, କାରଣ ଏହାର ସଂକ୍ରମଣର ବେଗ ଖୁବ୍‌ ଦ୍ରୁ୍ତ ହୋଇଥିବା ବେଳେ ଏହାର କୌଣସି ପ୍ରତିଷେଧକ ଏ ଯାବତ୍‌ ଉଦ୍ଭାବିତ ହୋଇନାହିଁ।

ଏହା ସତ ଯେ ଏବର ବିଶ୍ୱ ଅର୍ଥନୀତି ଓ ସାମାଜିକ କାର୍ଯ୍ୟକଳାପ ପାରସ୍ପରିକ ନିବିଡ଼ ସଂପର୍କ ଦ୍ବାରା ସଂଜ୍ଞାୟିତ। କର୍ମ ବା ସୁ‌ଯୋଗ ସନ୍ଧାନରେ ବିଶ୍ବର ସର୍ବତ୍ର ସବୁ ଦେଶର ଲୋକଙ୍କ ସମାଗମ ଚାଲିଛି। ଭାରତରେ ଆଜି ପ୍ରତ୍ୟେକ ପରିବାରର କେହି ନା କେହି ନିଜ ଭୂମି ଛାଡ଼ି ଅନ୍ୟତ୍ର କାର୍ଯ୍ୟରତ ଓ ବାହାରେ ବସବାସ କରୁଛନ୍ତି। କେବଳ ସେତିକି ନୁହେଁ, ଜଗତ୍‌କରଣ ପ୍ରକ୍ରିୟାରେ ବ୍ୟବସାୟ ବାଣିଜ୍ୟ ସବୁ କିଛି ଆଜି ବିଶ୍ବ ପରିବ୍ୟାପ୍ତ। ସେଥି ଲାଗି ତ ଆଜି ଭଳି ସମୟରେ ହିଁ ବିଶ୍ବ ଏକ ଗ୍ରାମରେ ପରିଣତ ହୋଇଛି ବୋଲି କହିଲେ ଭୁଲ ହେବନାହିଁ। ସୁତରାଂ କରୋନାର ମହାସଂକ୍ରମଣ ଏହି ବିଶ୍ବ ଗ୍ରାମରେ ବ୍ୟାପି ଯାଇ ଏକ ପ୍ରକୃତ ଭୟାବହ ‘ପାନ୍‌ଡେମିକ୍‌’ର ସ୍ଥିତି ସୃଷ୍ଟି କରିଛି। ସେଥି ଲାଗି କରୋନା ଦ୍ବାରା ଆଜି ଆମେମାନେ ସମସ୍ତେ ଭୟଭୀତ। କହିବା ବାହୁଲ୍ୟ ଯେ ଏବେ ଅନେକ ବୁଦ୍ଧିଜୀବୀ ‘ଗ୍ଲୋବାଲାଇଜେସନ’ ବା ‘ଜଗତ୍‌କରଣ’ର ଅକାଳ ମୃତ୍ୟୁର ଭବିଷ୍ୟବାଣୀ କରିବାକୁ ଲାଗିଲେଣି। କିନ୍ତୁ ପ୍ରଶ୍ନ ହେଉଛି ଯେ ଏଭଳି କ’ଣ ସତରେ ଘଟିବାକୁ ଯାଉଛି? ଏହା ପରେ ବିଶ୍ୱ କ’ଣ ଏକ ନୂଆ ପ୍ରକାରର ଅର୍ଥନୈତିକ ଓ ସାମାଜିକ ସମୀକରଣ ଦେଖିବ? ଏହାର ସଠିକ ଉତ୍ତର ଏବେ କାହା ପାଖରେ ନାହିଁ। କାରଣ କେବଳ ଭବିଷ୍ୟତ୍‌ ହିଁ କହିବ କରୋନା ପରବର୍ତ୍ତୀ ଏକ ବିପର୍ଯ୍ୟସ୍ତ ବିଶ୍ବ କିଭଳି ଆଚରଣ ପ୍ରଦର୍ଶନ କରିବ।

ଏ ସଂଦର୍ଭରେ ଗୋଟିଏ ପ୍ରସଙ୍ଗ ବିଚାର କରାଯାଉ। ‘ହାଇଡ୍ରୋକ୍ସି-କ୍ଲୋ‌େରାକୁଇନ୍‌’ ଅନ୍ତତଃ ଏବେ କରୋନା ବିରୋଧରେ ଏକ ମହାଅସ୍ତ୍ର ଭଳି କାମ କରୁଛି। ଏହି ଔଷଧର ଶତକଡ଼ା ସତୁରି ଭାଗ ଉତ୍ପାଦିତ ହୋଇଥାଏ ଆମ ଦେଶରେ। କିନ୍ତୁ ତାହାର ଏ.ପି.ଆଇ. (ଆକ୍ଟିଭ୍‌ ଫାର୍ମାସ୍ୟୁଟିକାଲ୍‌ ଇନ୍‌ଗ୍ରେଡିଏଣ୍ଟ୍‌) ବା ମୁଖ୍ୟ କଞ୍ଚାମାଲ ଚୀନରେ ଉତ୍ପାଦିତ ହୋଇଥାଏ ଓ ସେଠାରୁ ଭାରତକୁ ଆମଦାନି କରାଯାଏ। ଭାରତୀୟ ଔଷଧ କମ୍ପାନିମାନେ ଅତି ଶସ୍ତାରେ ଆଉ ବହୁ ପରିମାଣରେ ଏହି ଔଷଧକୁ ଉତ୍ପାଦନ କରିପାରୁଥିବାର ଏକ ବଡ଼ କାରଣ ହେଉଛି ଆମ ଦେଶ ଆଉ ଚୀନ ଭିତରେ ଥିବା ଭୌ‌େଗାଳିକ ସମୀପତ୍ବ। ଏଠାରେ ପ୍ରଣିଧାନଯୋଗ୍ୟ ଯେ କିଛି ଦିନ ତଳେ ଆମ ଦେଶର କେତେକ ପ୍ରମୁଖ ଔଷଧ ପ୍ରସ୍ତୁତକାରୀ କମ୍ପାନି ପକ୍ଷରୁ ସରକାରଙ୍କୁ ଅନୁରୋଧ କରାଯାଇଛି ଯେ ‘ହାଇଡ୍ରୋକ୍ସି-କ୍ଲୋ‌େରାକୁଇନ୍‌’ର ଦରକୁ ନୀଚା ରଖିବାକୁ ହେଲେ ଚୀନରୁ ଏ.ପି.ଆଇ.କୁ ତୁରନ୍ତ ମଗାଇବାକୁ ହେବ। କାରଣ ଚୀନର ଶସ୍ତା ଶ୍ରମ ମୂଲ୍ୟ ହିଁ ଏହି ଦରକୁ କମ୍‌ ରଖିବାରେ ସହାୟକ ହେବ। ଜଗତ୍‌କରଣର ଯୁଗରେ ପୃଥିବୀର ଦେଶଗୁଡ଼ିକ କେମିତି ପରସ୍ପର ଉପରେ ନିର୍ଭରଶୀଳ, ଏହା ତାର ଗୋଟିଏ ଦୃଷ୍ଟାନ୍ତ ମାତ୍ର। ପୁଣି ସୂଚନା ପ୍ରଯୁକ୍ତିର ବିକାଶ ପରେ ସାରା ପୃଥିବୀ ସଂଯୋଜିତ ହୋଇଯାଇଥିବା ପରିପ୍ରେକ୍ଷୀରେ ଶସ୍ତା ମାନବ ସମ୍ବଳ ଓ ବଜାର ଲାଗି ଆଜି ସବୁ ରାଷ୍ଟ୍ର ପରସ୍ପର ଉପରେ ଅବଲମ୍ବନ କରୁଛନ୍ତି। ତେଣୁ ଏହା ମଧ୍ୟ ଦେଖିବାକୁ ମିଳୁଛି ଯେ ଆଜି ପ୍ରତ୍ୟେକ ଦେଶ ଓ ତାର ସରକାର ଏକଜୁଟ ହୋଇ ପରିସ୍ଥିତିର ସାମ୍‌ନା କରୁଛନ୍ତି। ଏହା ପଛରେ ମେରୁଦଣ୍ଡ ହୋଇ ଜାଗତିକ ପରିବାର ଛିଡ଼ା ହୋଇଛି ବୋଲି କହିବାକୁ ହେବ। ଏହି କାରଣରୁ ସବୁ ଦେଶରେ ଚାଲିଥିବା ଗବେଷଣା ଓ ତଜ୍ଜନିତ ତଥ୍ୟର ଆଦାନପ୍ରଦାନ ପ୍ରକ୍ରିୟା ଚାଲିଛି। ପୃଥିବୀର ପ୍ରାୟ ୧୭ଟି ‌ସ୍ଥାନରେ ‘ଭ୍ୟାକସିନ’ ଉଦ୍ଭାବନ ଲାଗି ଦିନରାତି ଉଦ୍ୟମ ଚାଲିଛି। କିନ୍ତୁ ଏଣେ ଏହା ବି ଦେଖିବାକୁ ମିଳୁଛି ଯେ କିଛି ରାଷ୍ଟ୍ର ସଂକୀର୍ଣ୍ଣମନା‌ ହୋଇ ନିଜକୁ ଅନ୍ୟ ଠାରୁ ନିବୁଜ କରୁଛନ୍ତି ଯେମିତି ଆମେରିକା ଏ ସ୍ବାସ୍ଥ୍ୟ ସଂକଟର ମୁକାବିଲା ସକାଶେ ନିଜ ରାଷ୍ଟ୍ରକୁ ପ୍ରାଧାନ୍ୟ ଦେଇ ଭେଣ୍ଟିଲେଟର ବା ପି.ପି.ଇ. ରପ୍ତାନି ବନ୍ଦ କରିଥିବା ବେଳେ ‘ହାଇଡ୍ରୋକ୍ସି-କ୍ଲୋ‌େରାକୁଇନ୍‌’ ପାଇବା ଲାଗି ଭାରତ ଉପରେ ଚାପ ପକାଉଛି। ଆମେରିକା ତଥା ଅନ୍ୟାନ୍ୟ ଦେଶ ଏଥି ଲାଗି ଚୀନକୁ ଦାୟୀ କରିବା ବା ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’କୁ ଦୋ‌ଷ ଦେବାର ପ୍ରକ୍ରିୟାରୁ ଲାଗେ ଯେ ଭବିଷ୍ୟତ୍‌ରେ ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ସଂପର୍କର ସ୍ଥିତି ଜଟିଳ ହୋଇପାରେ। ତେଣୁ ବିଭିନ୍ନ ରାଷ୍ଟ୍ର ଦ୍ବାରା ପରସ୍ପର ବିରୋଧୀ ଆଭିମୁଖ୍ୟ ତଥା ଆଚରଣ ପ୍ରଦର୍ଶନ କରାଯାଉଥିବାରୁ କରୋନା ପରବର୍ତ୍ତୀ କାଳରେ ବିଶ୍ବ ସଂପର୍କ କିଭଳି ହେବ ତାହା କହିବା ମୁସ୍କିଲ। ତାହା କେବଳ ଭବି‌ଷ୍ୟତ୍‌ ହିଁ କହିବ। ତେବେ, ଏହା ସ୍ବୀକାର କରିବାକୁ ହେବ ଯେ ଆମ ଜୀବନ ଯାତ୍ରା ଏମିତି ହୋଇସାରିଲାଣି ଯେ ଜଗତ୍‌କରଣ ଆମ ଅସ୍ତିତ୍ବର ଏକ ଅବିଛେଦ୍ୟ ବାସ୍ତବତାରେ ପରିଣତ ହୋଇଛି। ଯଦି କରୋନା ଆମକୁ କିଛି ଶିଖାଇଛି, ତାହା ହେଉଛି ଏହି ଜଗତ୍‌କରଣ ପରିପ୍ରେକ୍ଷୀରେ ଆମ ଆଚରଣ କିଭଳି ହେବା ଉଚିତ ସେ ନେଇ ସଚେତନତା। ଏବେ ଆମେମାନେ ପରସ୍ପର ଉପରେ ନିର୍ଭରଶୀଳ। ତେଣୁ ଗୋଟିଏ ସ୍ଥାନର ଦୁର୍ଦଶାର ପ୍ରତିଧ୍ବନି ଅନ୍ୟ ସବୁ ସ୍ଥାନରେ ମଧ୍ୟ ଊଣାଅଧିକେ ଶୁଣାଯିବ। ଯେତେବେଳେ ଗଲା ବର୍ଷ ନଭେମ୍ବର ମାସରେ ଚୀନରେ କରୋନା ଭୂତାଣୁ ବାବଦରେ ଜଣାପଡ଼ିଲା, ସେତିକି ବେଳେ ଚୀନ ତାହାକୁ ଚାପି ଦେବାର ଚେଷ୍ଟା କଲା। ସେଥି ଲାଗି ଏହା ବିଶ୍ବର ଅନ୍ୟାନ୍ୟ ଦେଶକୁ ବ୍ୟାପିଗଲା। ଏଣେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଏହାର ଭୟାବହତାକୁ ନ ବୁଝି ଅହଂକାରର ବଶବର୍ତ୍ତୀ ହୋଇ ଯେଉଁଭଳି ଆଚରଣ ପ୍ରଦର୍ଶନ କଲେ, ତାହା ଏହାକୁ ଅଣାୟତ୍ତ ଅବସ୍ଥାକୁ ନେଇ ଆସିଲା। ଯଦି ଚୀନ ବା ଯୁକ୍ତରାଷ୍ଟ୍ର ଆମେରିକା ଭଳି ପାଶ୍ଚାତ୍ୟ ରାଷ୍ଟ୍ରମାନେ ଏ ବିଶ୍ବକୁ ଏକ ଗ୍ରାମ ତୁଲ୍ୟ ମନେ କରି ସାଧାରଣ ଦାୟିତ୍ବଶୀଳତାର ପରିଚୟ ଦେଇ ଥାଆନ୍ତେ, ତେବେ ହୁଏ’ତ ସ୍ଥିତି ଆଜି ଯେମିତି ଭୟାବହ ହୋଇଛି, ସେମିତି ହୁଅନ୍ତା ନାହିଁ। କରୋନା ସଂକ୍ରମଣ କାଳରେ ଏହା ହେଉଛି ଏକ ଜଗତ୍‌କୃତ ବିଶ୍ବ ଲାଗି ସବୁଠାରୁ ବଡ଼ ଶିକ୍ଷା।

କରୋନାକୁ ଯେତେବେଳେ ସରକାରୀ ଓ ବେସରକାରୀ ତଥା ବ୍ୟକ୍ତିଗତ ସ୍ତରରେ ମୁକାବିଲା କରାଯାଉଛି, ସେତିକି ବେଳେ ମ୍ୟାନେଜମେଣ୍ଟ ବିଜ୍ଞାନର ଗୋଟିଏ ମୂଳସୂତ୍ର ସାମ୍‌ନାକୁ ଆସୁଛି। ତାହା ‌େହଲା ସମାନୁଭୂତି (ଇଂରେଜୀରେ ‘ଏମ୍‌ପାଥି’)ମୂଳକ ମାନସିକତାର ପରିପ୍ରକାଶ। ଜଣେ ନିଜକୁ ଅନ୍ୟର ସ୍ଥାନରେ ରଖି ଘଟଣାର ପ୍ରକୋପକୁ ବୁଝିବାକୁ କୁହାଯାଏ ସମାନୁଭୂତି। ଜଣେ ସମାନୁଭୂତିସଂପନ୍ନ ବ୍ୟକ୍ତି ଅନ୍ୟର ଦୁଃଖକୁ ବୁଝିପାରେ, ସତେ ଯେମିତି ସେ ନିଜେ ସେହି ଦୁଃଖର ଅଂଶୀଦାର। ସେଇ ମାନସିକତାର ଉନ୍ମେ‌ଷ କାରଣରୁ ଆଜି ପୃଥିବୀ ବ୍ୟାପୀ ଲକ୍ଷ ଲକ୍ଷ ଡାକ୍ତର, ଚିକିତ୍ସା କର୍ମୀ, ପୁଲିସ ଇତ୍ୟାଦି ନିଜ ଜୀବନକୁ ବାଜି ଲଗାଇ ଏହାର ମୁକାବିଲାରେ ଲାଗିପଡ଼ିଛନ୍ତି। ଏହା ଏକ ସକାରାତ୍ମକ ଚିତ୍ର, ଯାହା କରୋନା ମୁକାବିଲାକୁ ଅପେକ୍ଷାକୃତ ସହଜ କରିଛି। ଏବଂ କରୋନାର ମହାସଂକ୍ରମଣ କାଳରେ ଯାହା ସବୁଠାରୁ ଅଧିକ ସ୍ପଷ୍ଟ ଭାବେ ଦୃଷ୍ଟିଗୋଚର ହୋଇଛି ତାହା ହେଲା ବିଶ୍ବ ନିୟନ୍ତା ଭାବେ ମନେ କରୁଥିବା ଶକ୍ତିଶାଳୀ ରାଷ୍ଟ୍ର ଧରାଶାୟୀ ହେବା, ଅସହାୟ ହୋଇ ଏକଦା ହେୟ ଜ୍ଞାନ କରୁଥିବା ରାଷ୍ଟ୍ରଗୁଡ଼ିକ ଠାରୁ ସାହାଯ୍ୟ ଭିକ୍ଷା କରିବା ଇତ୍ୟାଦି। ଏଥିରୁ ଅନୁମାନ କରିହୁଏ ଯେ କରୋନା ପରବର୍ତ୍ତୀ ପୃଥିବୀରେ ରାଷ୍ଟ୍ର ଶକ୍ତିର ଭାରସାମ୍ୟ ଆଉ ପୂର୍ବ ଭଳି ରହି ନପାରେ। କରୋନା ପରବର୍ତ୍ତୀ ପୃଥିବୀରେ ଆର୍ଥିକ ମାନ୍ଦାବସ୍ଥା ଏକ ବଡ଼ ଆହ୍ବାନ ରୂପେ ଛିଡ଼ା ହେବ। ସୂଚନା ପ୍ରଯୁକ୍ତି ଦ୍ବାରା ସଂଯୋଜିତ ଏ ପୃଥିବୀ ଏହାର ମୁକାବିଲା କେମିତି କରିବ ତାହା ଦେଖିବାକୁ ବାକି ରହିଲା। ପରସ୍ପରକୁ ସହ‌େଯାଗ କରି ପୃଥିବୀ ଏ ମାନ୍ଦାବସ୍ଥାରୁ ରକ୍ଷା ପାଇବ ନା କିଛି ରାଷ୍ଟ୍ର ନିଜକୁ ସୁରକ୍ଷିତ ରଖିବା ଲାଗି ସ୍ବାର୍ଥସର୍ବସ୍ବ ନିବୁଜ ନୀତି ଆପଣାଇବେ ତାହା ଦେଖିବାକୁ ବାକି ରହିଲା।
[email protected]
Twitter – @subhrarabind

ସମ୍ବନ୍ଧିତ ଖବର