ସଂଗ୍ରାମ କେଶରୀ ରାଉତ
ନିକଟରେ ଜଣେ ଯୁବ ଆଇଏଏସ ଅଫିସର ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ। ସପ୍ତାହକ ତଳେ ମାତ୍ର ତିନି ବର୍ଷ ହେଲା ଚାକିରି କରିଥିବା ଓ ପ୍ରବେଶିକା ପରୀକ୍ଷାରେ ପ୍ରଥମ ହୋଇଥିବା ଯୁବ ଓଏଏସ ଅଫିସର ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଲେ।
ଜଙ୍ଗଲ ବିଭାଗର ଜଣେ ଅଫିସରଙ୍କ ଗୁପ୍ତ ଚେମ୍ବରରୁ ଦୁଇ କୋଟି ଟଙ୍କା ଜବତ ହେଲା। କିଛି ବର୍ଷ ତଳେ ସିଲେକ୍ସନ ବୋର୍ଡର ଜଣେ କିରାଣିଙ୍କ ଘରୁ କୋଟି କୋଟି ଟଙ୍କା ମିଳିଥିଲା। ଏବେ ପ୍ରାୟ ପ୍ରତିଦିନ ଛୋଟ ବଡ଼ ଭିଜିଲାନ୍ସ ଚଢ଼ାଉରେ ବିପୁଳ ପରିମାଣର ଆୟ ବହିର୍ଭୂତ ନଗଦ ଟଙ୍କା, ଅଳଙ୍କାର, ଦାମିକା ଗାଡ଼ି, ଫ୍ଲାଟ୍ ଓ ପ୍ଲଟ୍ ଆଦିର ସନ୍ଧାନ ମିଳୁଛି।
ଆମ ପିଲାଦିନର କଥା। କେତେକ ଦୁର୍ନୀତିକୁ ତଦନ୍ତ କରିବା ପାଇଁ ଜଣେ ଉପଜିଲ୍ଲାପାଳଙ୍କୁ ଦାୟିତ୍ବ ଦିଆଗଲା। ତଦନ୍ତ କରି ସେ ଦେଇଥିବା ରିପୋର୍ଟରେ ମଜାଦାର ମନ୍ତବ୍ୟଟିଏ ଲେଖିଥିଲେ। ତାହା ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚିତ ହୋଇଥିଲା। ସେ ଲେଖିଥିଲେ ‘‘ଫଳନ୍ତି ଗଛ ତଳେ ଅଧିକ ଟେକା’’। ଏହାର ଅର୍ଥ ଦୁହଁାଳିଆ ବିଭାଗ ହେଉଛି ‘ଫଳନ୍ତି ଗଛ’, ଯହିଁରୁ ଫଳ ଝଢ଼ାଇବା ଲାଗି ଅଧିକ ଆଗ୍ରହ। ଏବେ ଦୁର୍ନୀତି ଏକ ଶିକୁଳିରେ ପରିଣତ ହେଲାଣି, ଯେଉଁଠି ତଳ ଠାରୁ ଉପର ପର୍ଯ୍ୟନ୍ତ ସମସ୍ତେ ଶିକୁଳିର ଗୋଟିଏ ଗୋଟିଏ କଡ଼ି, ଯେଉଁମାନଙ୍କ ଦେଇ ତଳୁ ଉପର ପର୍ଯ୍ୟନ୍ତ ଟଙ୍କାର ପ୍ରବାହ ଘଟିଥାଏ। ବ୍ଳକ, ଜଳସେଚନ, ଡ୍ରେନେଜ, ପୂର୍ତ୍ତ, ଗୃହନିର୍ମାଣ, ପୌର ଭଳି ବିଭାଗରେ ୧୦% ପି.ସି. ବା ପେର୍ସେଣ୍ଟେଜ କାରବାର ଚାଲିବା ଏକ ସାଧାରଣ କଥା। ଅଭିେଯାଗ ହୁଏ ଯେ ଅନେକ ସ୍ଥାନରେ ମନରେଗା ଓ ମାଟି କାମରେ ୩୦% ପିସି ଆଦାୟ କରାଯାଏ।
ଦୁର୍ନୀତି ଦ୍ବାରା ସାଧାରଣ ଲୋକେ ତିନି ପ୍ରକାରେ ଆକ୍ରାନ୍ତ ହୁଅନ୍ତି। ଗୋଟିଏ ହେଲା ଥାନା, ତହସିଲ, ବ୍ଲକ୍, ସବ୍ରେଜିଷ୍ଟ୍ରାର ଅଫିସ, ଡାକ୍ତରଖାନା ଇତ୍ୟାଦି, ଯେଉଁଠି ଲୋକଟି ଲାଞ୍ଚ ଦେଇ ପ୍ରତ୍ୟକ୍ଷ ଭାବେ ଶୋଷଣର ଶିକାର ହୁଏ। ଦ୍ବିତୀୟଟି ହେଲା ଦୁର୍ନୀତି କାରଣରୁ ହେଉଥିବା ନିମ୍ନ ମାନର ଭିତ୍ତିଭୂମି ଜନିତ କାର୍ଯ୍ୟ, ଯାହା ଯୋଗୁଁ ସାଧାରଣ ଲୋକଟିଏ ଅସୁବିଧାରେ ପଡ଼େ। ଏବେ ଅନେକ ସ୍ଥାନରେ ନିମ୍ନ ମାନର କାମ ହେତୁ ପୋଲମାନ ଭୁଶୁଡ଼ି ପଡୁଛି ଓ ସ୍ଥାନୀୟ ଲୋକେ ନାହିଁ ନ ଥିବା ଅସୁବିଧାର ସାମନା କରୁଛନ୍ତି।
ତୃତୀୟଟି ହେଲା ପେଟ୍ରୋଲ ପମ୍ପରେ ମାପରୁ କମ୍ ତେଲ ମିଳୁଛି, ନକଲି ଔଷଧ କାରବାର ହେଉଛି, ଧାନମଣ୍ଡିରେ ଠକେଇ ହେଉଛି ଇତ୍ୟାଦି। ଏହା ଦ୍ବାରା ଏକ ବଡ଼ ସଂଖ୍ୟାର ଲୋକେ ହଇରାଣହରକତ ହେଉଛନ୍ତି।
ଦୁର୍ନୀତି କରିବାର ସହସ୍ର ଉପାୟ ବାବୁମାନଙ୍କୁ ଜଣା। ଜଙ୍ଗଲ ବିଭାଗକୁ ଚାହିଁ କୁହାଯାଏ ଯେ ଜଙ୍ଗଲ ରହିଲେ ଜଙ୍ଗଲ ବିଭାଗର ଲାଭ; ଜଙ୍ଗଲ ଧ୍ବଂସ ହେଲେ ଅଧିକ ଲାଭ। ଗଛର ଅଗ୍ର ଭାଗକୁ ଜବତ କରି ମୂଳ ଓ ଗଣ୍ଡିକୁ ବିକିବାର ଉଦାହରଣ ଆମ ରାଜ୍ୟରେ ଅଛି। ଦେଶ ସ୍ବାଧୀନ ହେଉ େହଉ ସାଂଘାତିକ ଦୁର୍ନୀତି ବିବାଦ ମୁଣ୍ଡ ଟେକିଲା। ସ୍ବାଧୀନତା ସଂଗ୍ରାମର ଅନେକ ଆଦର୍ଶବାଦୀ ନେତା ମନ୍ତ୍ରୀ ହେବା ମାତ୍ରକେ ଦୁର୍ନୀତିରେ ଲିପ୍ତ ହେଲେ। ପଣ୍ଡିତ ଜୱାହରଲାଲ ନେହରୁଙ୍କ ସମୟରେ ଏକ ବଜେଟ ଆଲୋଚନା ବେଳେ ରାମମୋହନ ଲୋହିଆ ସରକାରୀ ଦୁର୍ନୀତିକୁ ଉପଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ନେହରୁଙ୍କୁ ପରାମର୍ଶ େଦଇ କହିଥିଲେ ଯେ ବଜେଟ ଅର୍ଥକୁ ଦୁଇ ଗୁଣ କରିଦିଅନ୍ତୁ। ଓଡ଼ିଶାର ଜଣେ ବରିଷ୍ଠ ପୁଲିସ ଅଫିସର ସୁରେନ୍ଦ୍ର ନାରାୟଣ ସ୍ବାଇଁ ଠାଏ କହିଲେ ଯେ ପୁଲିସ ବିଭାଗରେ ଭଲ ଅଫିସର ପାଇବାକୁ ହେଲେ ଦିନରେ ଟର୍ଚ୍ଚ ମାରି ଖୋଜିବାକୁ ପଡ଼ିବ। ସୁପ୍ରିମ କୋର୍ଟର ବିଚାରପତିମାନେ ଦୁର୍ନୀତିଗ୍ରସ୍ତ ବୋଲି ପୂର୍ବତନ େକନ୍ଦ୍ର ଆଇନ ମନ୍ତ୍ରୀ ଶାନ୍ତିଭୂଷଣ ଅଭିଯୋଗ କରିଥିଲେ। ବାବୁମାନଙ୍କ ଦରମାରେ ଦେଶର ରାଜସ୍ବର ଏକ ବଡ଼ ଭାଗ ଯାଏ। ତଥାପି ସେମାନେ ଦୁର୍ନୀତିରେ ପ୍ରବୃତ୍ତ ରହନ୍ତି, ଯାହା ଏକ ବିଡ଼ମ୍ବନା।
ଅବଶ୍ୟ, ରାଜ୍ୟ ସରକାର ଦୁର୍ନୀତିକୁ ରୋକିବା ପାଇଁ ୨୦୨୦ ମସିହାରେ ଜନସେବା ଆଇନ ଆଣିଥିଲେ। ତିରିଶଟି ବିଭାଗରେ ୫୨୨ଟି ସେବା ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଯୋଗଇବା ଲାଗି ବ୍ୟବସ୍ଥା ହେଲା। ଖିଲାପ ହେଲେ ଦଣ୍ଡ ଓ ଜରିମାନାର ବ୍ୟବସ୍ଥା ରହିଲା। କିନ୍ତୁ ଦେଖାଗଲା ଯେ ଏହା ଗୋଟିଏ ନିଷ୍ଫଳା ଆଇନ। ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାର୍ଯ୍ୟ ତ ହେଉ ନାହିଁ; ଆଜି ପର୍ଯ୍ୟନ୍ତ କେହି ଜଣେ ହେଲେ ସୁଦ୍ଧା ଦଣ୍ଡ ପାଇନାହାନ୍ତି। ଏହି ଆଇନ ବିଷୟରେ ଅଧିକାଂଶ ଲୋକ ଅବଗତ ମଧ୍ୟ ନୁହନ୍ତି।
ଶେଷରେ ଗୋଟିଏ ରୋଚକ କାହାଣୀ। ଦିନେ ରାଜନଅରରୁ ଚୋରି ହେଲା। ଚୋର ମଧ୍ୟ ଧରାପଡ଼ିଲା। ବିଚାରରେ ତାକୁ ଫାଶୀ ଦଣ୍ଡ ଦିଆଗଲା। ମୃତ୍ୟୁ ପୂର୍ବରୁ ତାକୁ ଶେଷ ଇଚ୍ଛା ବିଷୟରେ ପଚରାଗଲା। ଚୋର କହିଲା, ମୋ ପାଖରେ ଗୋଟିଏ ବିଦ୍ୟା ଅଛି, ସେଇଟା ହେଲା ସୁନା ଫଳାଇବା ବିଦ୍ୟା। ମୋ ସହିତ ସେହି ବିଦ୍ୟା ମରିଯିବ। ତେଣୁ ତାହା ଶିଖାଇ ଦେବାକୁ ଚାହୁଁଛି। ଏବେ ଚୋରର କହିବା ମୁତାବକ ସୁନା ମଞ୍ଜି ପ୍ରସ୍ତୁତ ହୋଇଗଲା। କିନ୍ତୁ ଚୋରର ସର୍ତ୍ତ ରହିଲା, ଯିଏ ଜୀବନରେ କେବେ ହେଲେ ଚୋରି କରି ନ ଥିବ, ସେ ବୁଣିଲେ ହିଁ ସୁନା ଫଳିବ। ଏବେ ସମସ୍ତେ ମୁହଁ ଚାହାଁଚାହିଁ ହେଲେ। କାରଣ ସମସ୍ତେ କେବେ ନା କେବେ କିଛି ନା କିଛି ଚୋରି କରିଥିଲେ। ଦୁର୍ନୀତିକୁ ନେଇ ଏବେ ସେମିତିକା ଅବସ୍ଥା। ଦୁର୍ନୀତି ସର୍ବଗ୍ରାସୀ ହୋଇଛି।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୮୧୮୨୩୩