ଭୀଷଣ କ୍ରୋଧରେ ଅଦାଲତ!

କୁମାର ପ୍ରଶାନ୍ତ

ସର୍ବୋଚ୍ଚ ନ୍ୟାୟାଳୟ ଭୀଷଣ କ୍ରୋଧରେ ଥିଲା ପରି ମନେହେଉଛି। ନୂପୁର ଶର୍ମାଙ୍କ ନାଁ ଶୁଣୁଶୁଣୁ ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ-ପାରଦୀଵାଲା ଖଣ୍ଡପୀଠ ଯେପରି ଉତ୍‌କ୍ଷିପ୍ତ ହୋଇପଡ଼ିଲେ, ତାହାକୁ ନୂପୁର ଶର୍ମାଙ୍କ ପରି ଜଣେ ହିନ୍ଦୁତ୍ବବାଦୀ ତ ସାମନା କରିପାରିଥାନ୍ତେ। ମାତ୍ର ସେହି କ୍ରୋଧର ଗୋଟିଏ ପରିଣାମ ହେଲା ଯେ ମୂକ ବି କହିବାକୁ ଲାଗିଲା। ୧୫ ଜଣ ଅବସରପ୍ରାପ୍ତ ବିଚାରପତି, ୭୭ ଜଣ ସେବାନିବୃତ୍ତ ଅଧିକାରୀ ଓ ୨୫ ଜଣ ପେନ୍‌ସନ୍‌ଭୋଗୀ ସେନାଧିକାରୀ ପ୍ରଧାନ ବିଚାରପତିଙ୍କ ପାଖକୁ ଏକ ଖୋଲା ଚିଠି ଲେଖି ନୂପୁର ଶର୍ମା ମାମଲାରେ ବିଚାରପତି ତାଙ୍କ ରାୟ ବାହାରେ ଯେଉଁ ଟିପ୍ପଣୀ କଲେ, ତାହା ଆମର ସମ୍ବିଧାନର ଆତ୍ମା ତଥା ଭାବନାକୁ ବଳି ଚଢ଼ାଇବା ସଦୃଶ ବୋଲି ଜଣାଇଲେ। ମୋତେ ଆଶ୍ଚର୍ଯ୍ୟ ଲାଗୁଛି କି ନ୍ୟାୟପାଳିକାରୁ ଆରମ୍ଭ କରି ସମସ୍ତ ସାମ୍ବିଧାନିକ ପରମ୍ପରା ଏବଂ ଅନୁଷ୍ଠାନକୁ ଦୁର୍ବଳ କରିବାର ପ୍ରତିବାଦରେ ଯାହାର ମୁହଁ ଖୋଲିନଥିଲା, ସେମାନେ ଏବେ ମେଁ ମେଁ କରିବା ଆରମ୍ଭ କରିଛନ୍ତି। ଭୀରୁଙ୍କ ବାହାଦୁରି ଏହିଭଳି। ସେଥିପାଇଁ ସେହି ଭୀରୁ ବାହାଦୁରିଆଙ୍କ କଥା ମୁଁ କହୁନି। ମାତ୍ର ଅଦାଲତର ବରିଷ୍ଠ ବ୍ୟକ୍ତିତ୍ବଙ୍କୁ ମୁଁ ଏହି ନୀତିବାଣୀ ମନେ ପକାଇ ଦେଉଛି କି ଭୁଲ୍‌ କରିବାର ଅନ୍ୟ ନାଁ ହେଉଛି କ୍ରୋଧ। ଜଣେ ବ୍ୟକ୍ତି ଉପରେ ରାଗିବା ବ୍ୟର୍ଥ, ମାତ୍ର ପରିସ୍ଥିତି ଉପରେ ରାଗିବାର ପରିଣାମ ରହିଛି। ଏହି ତଫାତ୍‌କୁ ଅଦାଲତ ଜାଣିବା ଦରକାର ଏବଂ ଅଦାଲତ ତାହା ପାଳନ କରୁଛନ୍ତି ବୋଲି ଦିଶିବା ଦରକାର।

ଆମ ପ୍ରଧାନ ବିଚାରପତି ଜଷ୍ଟିସ ରମଣା ଆମେରିକାରେ ଦେଇଥିବା ବ୍ୟାଖ୍ୟାନ ପଢ଼ିଲି ଯେଉଁଥିରେ ସେ କହିଥିଲେ ଯେ ଆମ ଭାରତରେ ସବୁ ପକ୍ଷ ଚାହାନ୍ତି ଯେ ଅଦାଲତ ସେମାନଙ୍କ ସପକ୍ଷରେ ରହୁ, ମାତ୍ର ମୁଁ ସ୍ପଷ୍ଟ କରିଦେବାକୁ ଚାହେ ଯେ ଆମର କେବଳ ଗୋଟିଏ ପକ୍ଷ ରହିଛି ଏବଂ ତାହା ହେଉଛି ସମ୍ବିଧାନ। ଆମେ ତାହା ସପକ୍ଷରେ ଛିଡ଼ା ହୋଇଛୁ। ମତେ ଲାଗୁଛି କି ଆମେ ଅଦାଲତର ପକ୍ଷ ସମ୍ପର୍କରେ ଅଳ୍ପ ଆଲୋଚନା କରିବା ଉଚିତ।

ନୂପୁର ଶର୍ମାଙ୍କ ପୂରା ମାମଲା ଭାରତୀୟ ରାଜନୀତିର ସେହି ଛଦ୍ମ ଖେଳକୁ ଉଜାଗର କରୁଛି ଯାହାର ଖେଚୁଡ଼ି ବହୁ ସମୟରୁ ରନ୍ଧା ଚାଲିଥିଲା କିନ୍ତୁ ତାହା ଏବେ ଯାଇ ପ୍ରସ୍ତୁତ ହୋଇଛି। ସେହି ଖେଳଟି କ’ଣ? ତାହା ହେଉଛି ଅନ୍ୟ କାନ୍ଧରେ ବନ୍ଧୁକ ରଖି ଗୁଳି ଚଳାଇବା। ସଂଘ ପରିବାରର ଶୀର୍ଷ ନେତୃତ୍ବ ହୁଅନ୍ତୁ କି ସରକାର ବା ସଂଗଠନର ଅନ୍ୟାନ୍ୟ ପଦାଧିକାରୀ, ସେମାନଙ୍କୁ ଯେନତେନ ପ୍ରକାରେ ଗୋଟିଏ କାମ ହିଁ କରିବାକୁ ପଡ଼ିଥାଏ: ତୁମ ସହ ଯିଏ ଅସହମତ, ସେମାନଙ୍କର ମୁହଁ ବନ୍ଦ କରିଦିଅ। ଶୀର୍ଷରେ ଥିବା ନେତୃତ୍ବ ଏହି କାମକୁ ଚତୁରତା ତଥା ଯତ୍ନର ସହ କରିଥା’ନ୍ତି, ଅନ୍ୟ ଦ୍ବାରା ଏମିତି କରାଇଥା’ନ୍ତି, ଯଦ୍ଦ୍ବାରା ଏଣେ ସମାଜର ମୁହଁ ପଛେ କଳା ପଡ଼ିଯାଉ, ନିଜେ ନିଷ୍କଳଙ୍କ ରହିଥା’ନ୍ତି।

ଯେତେବେଳେ ପ୍ରଧାନମନ୍ତ୍ରୀ ସାର୍ବଜନୀନ ମଞ୍ଚରେ ବେଶଭୂଷାରୁ ଜଣଙ୍କୁ ଚିହ୍ନିବା କଥା କହନ୍ତି, ଶ୍ମଶାନ-କବରସ୍ଥଳୀର ଛନ୍ଦକବିତା ଶୁଣାନ୍ତି, ମମତା ବାନାର୍ଜୀଙ୍କୁ କଦର୍ଯ୍ୟ ଶୈଳୀରେ କଟାକ୍ଷ କରନ୍ତି, ଯେତେବେଳେ ତାଙ୍କ ଦଳର ଅଧ୍ୟକ୍ଷ କୁହନ୍ତି ଯେ ଆମେ ଦେଶକୁ ଯୋଡୁଛୁ ଏବଂ ବିପକ୍ଷ ଦେଶର ବିନାଶ କରୁଛି, ସେତେବେଳେ ପ୍ରକୃତରେ ସେମାନେ ସମସ୍ତେ ନିଜର ପଦାତିକ ବାହିନୀକୁ ଇସାରା କରୁଥା’ନ୍ତି କି ଯେକୌଣସି ସ୍ତରକୁ ଯାଇ ଭିନ୍ନମତକୁ ଚାପିଦିଅ! ଅନୁରାଗ ଠାକୁର, କପିଳ ମିଶ୍ରା, ପ୍ରବେଶ ବର୍ମା, ଆଦିତ୍ୟନାଥ, ହିମନ୍ତ ବିଶ୍ବା ଶର୍ମା ବା ସେହି ସ୍ତରର କୌଣସି ବି ରାଜନେତା ସେଇ ଇସାରାକୁ ଗ୍ରହଣ କରି ଶୀର୍ଷ ନେତୃତ୍ବଙ୍କ କାମ କରି ଦେଇଥା’ନ୍ତି।

ଅନ୍ୟ ପକ୍ଷରେ ଭୂପିନ୍ଦର ତୋମର, ପିଙ୍କି ଚୌଧୁରୀ, ବଜରଙ୍ଗ ଦାସ, ନରସିଂହାନନ୍ଦ ଓ ଵାସିମ ରିଜ୍‌ବୀଙ୍କ ଭଳି ନେତା ବି ଅଛନ୍ତି ଯେଉଁମାନେ ପୂର୍ବରୁ ରହିଥିଲେ ଏବଂ ଭବିଷ୍ୟତରେ ବି ରହିଥିବେ। ସେମାନେ ହେଉଛନ୍ତି ଏକ ନିଆରା ବର୍ଗର ବ୍ୟକ୍ତିତ୍ବ ଯେଉଁମାନଙ୍କର ସାଂସ୍କୃତିକ ବିକାଶ ସ୍ଥାଣୁ ହୋଇପଡ଼ିଛି ଏବଂ ତାହାର ପ୍ରଭାବ ସେମାନଙ୍କ ବୌଦ୍ଧିକ ସନ୍ତୁଳନ ଉପରେ ପଡୁଛି। ସେମାନଙ୍କୁ ସନ୍ତୁଳିତ ସାମାଜିକ ଡାକ୍ତରଖାନାରେ ରଖାଯିବା ଜରୁରୀ। ଯେତେବେଳେ ସମଗ୍ର ସମାଜକୁ ଅସନ୍ତୁଳିତ କରିଦିଆଯାଏ, ସେତେବେଳେ ଏଭ​ଳି ତତ୍ତ୍ବଙ୍କର ମୁହଁ ଖୋଲେ ଏବଂ ସେଥିରୁ ନିଆଁ ବାହାରେ। ଯେମିତି ପାଗଳଙ୍କୁ ରାସ୍ତାକୁ ଛଡ଼ା ଯାଏ ନାହିଁ, ସେମିତି ଏଭଳି ତତ୍ତ୍ବଙ୍କୁ ସାମାଜିକ ଆଲୋଚନାର ମଞ୍ଚରେ ସ୍ଥାନ ନ ମିଳିବା ଦରକାର।

ନୂପୁର ଶର୍ମା ଯାହା କହିଲେ ତାହାର ଅସଲ ଉଦ୍ଦେଶ୍ୟ ଥିଲା ମୁସଲମାନମାନଙ୍କୁ ସେମାନଙ୍କ ‘ଉଚିତ ସ୍ଥାନ’ ଦେଖାଇବା, ଯାହା ସରକାରୀ ନୀତିର ଅଂଶବିଶେଷ। ସବୁ ଟିଭି ଚ୍ୟାନେଲ୍‌ ଓ ସବୁ ଖବରକାଗଜ ଏହି ସରକାରୀ ନୀତିକୁ ଅଗ୍ରସର କରିବାରେ ଲାଗିପଡ଼ିଛନ୍ତି। ମାଲିକମାନେ ସେମାନଙ୍କୁ ଏହି କାମ ଦେଇଛନ୍ତି। ଆମେ ଭୁଲ୍‌ବଶତଃ ସେମାନଙ୍କୁ ସାମ୍ବାଦିକ ବୋଲି ଭାବୁଛେ। ମାତ୍ର ସେମାନଙ୍କର କୌଣସି ନିଜସ୍ବ ପ୍ରତିବଦ୍ଧତା ନାହିଁ। କ୍ଷମତା ଓ ଅର୍ଥର ଇସାରାରେ ଯାବତୀୟ ଅସହମତିକୁ ସବୁ ଦିଗରୁ ଅପମାନିତ କରିବା ସେମାନଙ୍କର ପେସା।

ଅଦାଲତ ଯଦି ନୂପୁର ଶର୍ମାଙ୍କୁ ତାଗିଦ କରିପାରିଲେ, ତେବେ ଏମାନଙ୍କୁ କାହିଁକି ନୁହେଁ? ସୂର୍ଯ୍ୟକାନ୍ତ-ପାରଦୀଵାଲା ଖଣ୍ଡପୀଠ ଠିକ୍‌ ଗଣମାଧ୍ୟମର କଲାର୍‌ ଧରିଥିଲେ ଏବଂ ମକଦ୍ଦମା ଚ୍ୟାନେଲ୍‌ ଓ ଆଙ୍କରମାନଙ୍କ ଦ୍ବାରା ପରିଚାଳିତ ହେବ କି ବୋଲି ପଚାରିଥିଲେ। ମାତ୍ର ଶାସକ ଓ ତାଙ୍କର ପଦାତିକ ଘୃଣା ଖେଳେଇବା ଲାଗି ଯେଉଁ କାମ କରୁଛନ୍ତି, ତାକୁ ଅଦାଲତ କ’ଣ କହିବେ? ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଏସ୍‌. ମୁରଲୀଧରନ୍‌ଙ୍କୁ ତାହା ଦେଖାଯାଉଥିଲା। ନାଗରିକତା ଆନ୍ଦୋଳନ ବେଳେ ଯେତେବେଳେ ଏପରି ଘୃଣାକୁ ରାଜନୈତିକ ଅସ୍ତ୍ର କରିବାକୁ ଇସାରା ଦିଆଯାଇଥିଲା, ସେତେବେଳେ ସେ କେବଳ ଅଦାଲତର ସାମ୍ବିଧାନିକ ଭୂମିକାକୁ ଉଜାଗର ରଖିନଥିଲେ, ପୁଲିସକୁ ମଧ୍ୟ କାଠଗଡ଼ାରେ ଛିଡ଼ା କରାଇଥିଲେ। ମାତ୍ର ତାହାର ପର ଦିନ ତାଙ୍କୁ ଅନ୍ୟ ଅଦାଲତକୁ ବଦଳି କରାଗଲା। ଜଣେ ବିଚାରପତି ବଦଳିଗଲେ କ’ଣ ଅଦାଲତର ସାମ୍ବିଧାନିକ ନିଷ୍ଠା ବି ବଦଳିଯିବ? ଯଦି ଆମର ସମ୍ବିଧାନ ହେଉଛି ନ୍ୟାୟପାଳିକାର ଏକମାତ୍ର ଧର୍ମଗ୍ରନ୍ଥ, ତେବେ ତାହାକୁ ଏପରି ଅଲଗା ଅଲଗା କରି କେମିତି ପଢ଼ାଯାଉଛି ଓ ପଢ଼େଇ ଦିଆଯାଉଛି? ରାଷ୍ଟ୍ର ପାଖରେ ଏକ ଲିଖିତ ନିର୍ଦ୍ଦେଶିକା ରହିଛି। ତା’ରି ଅନୁସାରେ ହିଁ ସବୁ କିଛି ଚାଲିବା କଥା।

ସାମ୍ବିଧାନିକ ସଂସ୍ଥାକୁ ଦୁର୍ବଳ କରିଦେବା, ଆଇନ କାନୁନ ଉପରେ ବୁଲଡୋଜର ଚଳାଇବା, ସଂସଦକୁ ‘ଆଜ୍ଞାଧୀନ’ ଭିଡ଼ରେ ପରିବର୍ତ୍ତନ କରିବା, ଗଣମାଧ୍ୟମକୁ କିଣି ନେଇ ଭୀରୁ କରିଦେବା ଏବଂ ସ୍ବତନ୍ତ୍ର ଅଭିବ୍ୟକ୍ତିକୁ ଯଥାସମ୍ଭବ ଦଳିମକଚି ଦେବା ଭଳି ଘଟଣା ସମଗ୍ର ଦେଶ ଦେଖୁଛି। ସରକାରୀ ନୀତିର ପ୍ରତିରକ୍ଷା ଲାଗି ଆମର ସାହସୀ କମାଣ୍ଡରମାନଙ୍କୁ ଟିଭି ପରଦା ସମ୍ମୁଖକୁ ଅଣାଯାଉଛି। ଏବେ କେଉଁ ‘ଅଗ୍ନିବୀର’ ଯୁବକ ମାନିବ ଯେ ଯବାନମାନେ ନିର୍ଭୀକ ବୋଲି?

ଜଷ୍ଟିସ୍‌ ରମଣା କହିଲେ କି ସମ୍ବିଧାନ ବ୍ୟତୀତ ଅଦାଲତର ଅନ୍ୟ କୌଣସି ପକ୍ଷ ନାହିଁ। ଏପରି ବକ୍ତବ୍ୟରେ ଆମେରିକା ଓ ଭାରତରେ ତାଳିମାଡ଼ ଦେଖିବାକୁ ମିଳିପାରେ, ମାତ୍ର ତାଳିମାଡ଼ର ଗର୍ଜନରେ ଏ କଥା କେବେ ଛପି ଯିବନି କି ସମ୍ବିଧାନର ମଧ୍ୟ ନିଜସ୍ବ ସ୍ପଷ୍ଟ ପକ୍ଷ ରହିଛି। ତାହା ନ୍ୟାୟ-ଅନ୍ୟାୟ ଭିତରେ, ସତ-ମିଛ ଭିତରେ ଏବଂ ସାମ୍ବିଧାନିକ-ଅସାମ୍ବିଧାନିକ ମଧ୍ୟରେ କେବେ ତଟସ୍ଥ ହୋଇପାରିବନି। ସମ୍ବିଧାନର ଶବ୍ଦ ଏବଂ ତାହାର ଆତ୍ମା ସ୍ପଷ୍ଟ ଭାବରେ କହିଥାଏ କି ସେ ଭାରତର ସମ୍ବିଧାନ ସେହି ବ୍ୟକ୍ତିମାନଙ୍କ ପକ୍ଷ ନେଇଥାଏ, ଯେଉଁମାନେ ତାହାକୁ ସ୍ଥାପନ କରିଛନ୍ତି- ‘ଆମେ ଭାରତବାସୀ ନିଜ ପାଇଁ ଏହି ସମ୍ବିଧାନ ଗଢ଼ି ତାହାକୁ ନିଜ ପ୍ରତି ଲାଗୁ କରୁଛୁ…।’ ସେହି ସାଧାରଣ ଭାରତୀୟଙ୍କ ପକ୍ଷ ନେବ କିଏ?

ଏବେ ଜାକିୟା ଜାଫରି ମାମଲା। ସେଥିରେ ତାଙ୍କ ଯାଚିକାକୁ ଶେଷ ମୁହୂର୍ତ୍ତରେ ସୁପ୍ରିମ୍‌ କୋର୍ଟ ଖାରଜ କରିଦେଲେ। ଆମେ ତାହା ମଧ୍ୟ ବୁଝିପାରୁଛୁ। ଅଦାଲତ ଯେଭଳି ସାକ୍ଷ୍ୟ ଚାହୁଥିଲେ, ସେଭଳି ସାକ୍ଷ୍ୟ କି ଦସ୍ତାବିଜ ଜାଫରି ବୋଧେ ପେସ୍‌ କରିପାରିନଥିବେ, ମାତ୍ର ନ୍ୟାୟପାଳିକା ଏକଥା କ’ଣ ବୁଝିପାରି ନ ଥିଲେ କି ତାଙ୍କ ଆଗରେ କେତେ ଥର ଏମିତି ବାରମ୍ବାର ପେସ୍‌ କରାଯାଇଥିବା ସାକ୍ଷ୍ୟ-ପ୍ରମାଣ-ଦସ୍ତାବିଜ୍‌କୁ ଅନ୍ୟ ପ୍ରକାରେ ଛିଡ଼ା କରାଯାଇପାରିବ ବୋଲି? ଜାକିୟା ଜାଫରିଙ୍କ ଯାଚିକାକୁ ଖାରଜ କରିବାର ଅଧିକାର ଅଦାଲତକୁ ସମ୍ବିଧାନ ଦେଇଛି। ମାତ୍ର ତାହା ବାହାରକୁ ଯାଇ ସେହି ଖଣ୍ଡପୀଠ ଯେପରି ଟିପ୍ପଣୀ କଲେ ତାହା ମଧ୍ୟ ଔଚିତ୍ୟ ବାହାରେ ଥିଲା। ତାଙ୍କୁ ମିଥ୍ୟାବାଦୀ, ଷଡ଼୍‌ଯନ୍ତ୍ରକାରୀ ତଥା ମାମଲାକୁ ଜୀବନ୍ତ ରଖିବାର ଚାଲବାଜ ବୋଲି ଯେମିତି କୁହାଗଲା ତାହା ଉଚିତ ନ ଥିଲା। ଯାଚିକାକୁ ଖାରଜ କରାଯାଇପାରିବ, ହେଲେ ନାଗରିକର ମର୍ଯ୍ୟାଦାକୁ ଖାରଜ କରିବାର ଅଧିକାର ସମ୍ବିଧାନରେ ନାହିଁ। ଏହା ମଧ୍ୟ ହେଉଛି ସେଇ କ୍ରୋଧ ଯାହା ବାବଦରେ ମୁଁ ପ୍ରଥମେ ଉଲ୍ଲେଖ କରିଥିଲି।

ଆଜି ଆମର ନ୍ୟାୟତନ୍ତ୍ର ଭୀଷଣ ଚାପରେ ରହିଛି, କାରଣ ଭିନ୍ନ ସାମ୍ବିଧାନିକ ବ୍ୟବସ୍ଥା ଆଣ୍ଠୁ ସିଧା କରୁଛି। ସେଥିପାଇଁ ଆମେ ଅଦାଲତମାନଙ୍କୁ ସିଧା ଛିଡ଼ା ହେବାକୁ ଅପେକ୍ଷା କରୁଛୁ, ଆଗ୍ରହ ମଧ୍ୟ। ଭାରତର ସାର୍ବଜନୀନ ନାଗରିକ ସମ୍ବିଧାନର ନିର୍ମାତା ହେଉଛୁ ଆମେ, ସମସ୍ତ ସାମ୍ବିଧାନିକ ବ୍ୟବସ୍ଥାର ସ୍ରଷ୍ଟା ଏବଂ ସଂରକ୍ଷକ ମଧ୍ୟ ଆମେ।
ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ

ସମ୍ବନ୍ଧିତ ଖବର