କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘର ସଦସ୍ୟ ହିସାବରେ ଚିନ୍ନାସ୍ବାମୀ ଷ୍ଟାଡିଅମ୍ରେ ଖେଳାଯାଉଥିବା ସମସ୍ତ ମ୍ୟାଚ୍ ଦେଖିବାର ମୁକ୍ତ ପ୍ରବେଶପତ୍ର ମୋତେ ମିଳିଛି। ଆଇପିଏଲ୍ ମ୍ୟାଚ୍ ପାଇଁ ମୁଁ ଏହି ସୁବିଧାକୁ କେବେ ବିନିଯୋଗ କରିନି। ତେବେ ୨୦୦୮ରେ ବାଙ୍ଗାଲୋରର ଏକ ଭୋଜନାଳୟରେ ଖାଉଥିବା ବେଳେ ଆଇପିଏଲ୍ ପ୍ରଥମ ସଂସ୍କରଣର ଗୋଟିଏ ମ୍ୟାଚ୍ ମୋ’ ନଜରରେ ପଡ଼ିଥିବା କଥା ମୋର ମନେ ପଡୁଛି। ବିଶ୍ରାମ କକ୍ଷକୁ ଗଲା ବେଳେ ବାଟରେ ମ୍ୟାଚ୍ ପ୍ରସାରିତ ହେଉଥିବା ଟିଭିକୁ ମୁଁ ଅତିକ୍ରମ କରିଥିଲି ଯେତିକି ବେଳେ ସେନ୍ ଵାର୍ଣ୍ଣ ପରଦାରେ ଦେଖାଦେଇଥିଲେ। ଏହି ଶ୍ରେଷ୍ଠ ସ୍ପିନ୍ ବୋଲର ସେତେବେଳକୁ ଟେଷ୍ଟ କ୍ରିକେଟ୍ରୁ ନିକଟରେ ଅବସର ନେଇଥା’ନ୍ତି। ତେଣୁ ତାଙ୍କୁ ପୁଣି ଥରେ ତାଜା କରି ଦେଖିବାର ସୁଯୋଗ ମିଳିଲା। ମହେନ୍ଦ୍ର ସିଂହ ଧୋନିଙ୍କୁ ସେ ତିନିଟି ବଲ୍ ଫିଙ୍ଗୁଥିବାର ମୁଁ ଲକ୍ଷ୍ୟ କରିଥିଲି। ଶେଷ ବଲ୍ଟିର ଦୈର୍ଘ୍ୟକୁ ଧୋନି ଅନୁମାନ କରିପାରିନଥିଲେ ଯାହା ବିଳମ୍ବରେ ଭୂଇଁ ଛୁଇଁଥିଲା ଏବଂ ଧୋନି ତାହାକୁ ଖେଳି ସର୍ଟ ମିଡ୍ଵିକେଟ୍ରେ କ୍ୟାଚ୍ ଆଉଟ୍ ହୋଇଥିଲେ।
ପ୍ରତ୍ୟକ୍ଷରେ ବା ଟିଭିରେ ଆଇପିଏଲ୍ର ୨୦୨୨ ସଂସ୍କରଣର କୌଣସି ଗୋଟିଏ ବି ବଲ୍ ଦେଖିବାର ଆଗ୍ରହ ମୋର ନଥିଲା। ତେବେ କ୍ରିକେଟ୍ ପାଇଁ କେତେବେଳେ ମନ ବଳିଲେ ମୁଁ ୟୁଟ୍ୟୁବ୍ରେ ସେନ୍ ଵାର୍ଣ୍ଣଙ୍କ ସହ ସ୍ମରଣୀୟ ସାକ୍ଷାତକାରଗୁଡ଼ିକୁ ଦେଖୁଥିଲି, ଯିଏ ଟୁର୍ନାମେଣ୍ଟ୍ ଆରମ୍ଭର ତିନି ସପ୍ତାହ ଆଗରୁ ପରଲୋକ ଗମନ କରିଥିଲେ। ୟୁଟ୍ୟୁବ୍ରେ ଵାର୍ଣ୍ଣଙ୍କ ବୋଲିଂର ପୁରୁଣା କ୍ଲିପିଂ ପରି ତାଙ୍କ ସମ୍ପର୍କରେ ମାଇକ୍ ଆଥରଟନ୍, ଆଲାନ୍ ବୋର୍ଡର, ମର୍ବ ହ୍ୟୁଗ୍ସ ଓ ବ୍ରାଏନ ଲାରାଙ୍କ ଠାରୁ ଶୁଣିବାଟା ବେଶ ରୋଚକ ଓ ସାନ୍ତ୍ବନାପ୍ରଦ ଥିଲା।
ମାର୍ଚ୍ଚ, ଏପ୍ରିଲ ଓ ମେ’ ମାସ ତକ କେବଳ ଵାର୍ଣ୍ଣ ହିଁ ମୋ’ ମନରେ କ୍ରିକେଟ୍ ସଂଚରିତ କରିଥିଲେ। ତା’ପରେ ଆଇପିଏଲ୍ ସରିଗଲା ଏବଂ ପ୍ରକୃତ କ୍ରିକେଟ୍ ପୁଣି ଥରେ ଆରମ୍ଭ ହେଲା। ଜୁନ୍ ମାସରେ ୟୁକେରେ ମୋର ଏକ ଶୈକ୍ଷିକ ପ୍ରତିବଦ୍ଧତା ଥିଲା ଏବଂ ମୋର ଗସ୍ତ ବେଳେ ଲର୍ଡସ ଷ୍ଟାଡିଅମ୍ରେ ଏକ ଟେଷ୍ଟ ମ୍ୟାଚ୍ ଚାଲିଥିଲା। ସେଥିରେ ଭାରତୀୟ ଦଳ ଖେଳୁ ନ ଥିବାରୁ ତାହା ଅଧିକ ଆକର୍ଷଣୀୟ ହୋଇପଡ଼ିଥିଲା। ମୋ’ ବୟସ ବଢ଼ିବା ସହ ମୁଁ ଖେଳ ବାବଦରେ କମ୍ ଜାତୀୟତାବାଦୀ ହୋଇପଡ଼ିଛି। ମୋର ନିଜ ଦେଶ ଖେଳୁନଥିବାରୁ କେବଳ କଳାତ୍ମକ ସୁଖ ପାଇଁ ମୁଁ ମ୍ୟାଚ୍ଟିକୁ ଉପଭୋଗ କରିପାରିଥିଲି।
ମେ’ର ଶେଷ ଦିନ ମୁଁ ଲଣ୍ଡନରେ ପହଞ୍ଚିଲି। ଲର୍ଡସ ମ୍ୟାଚ୍ ଜୁନ୍ ୩ରେ ଆରମ୍ଭ ହେଲା, ସେତେବେଳକୁ ମୋର କ୍ଳାନ୍ତି ଉପଶମ ହୋଇ ସାରିଥିଲା। ତେବେ ପ୍ରଥମ ଦିନ ପାଇଁ ମୋତେ ଟିକେଟ୍ ମିଳିନଥିଲା ଯୋଉ ଦିନ ସତରଟି ଵିକେଟ୍ ପଡ଼ିଥିଲା। ତେବେ ଦ୍ବିତୀୟ ଦିନ ମ୍ୟାଚ୍ ଦେଖିବାର ସୁଯୋଗ ମିଳିଲା ଯୋଉଦିନ ଦୁଇ ଜଣ ଅନାମଧେୟ ନ୍ୟୁଜିଲାଣ୍ଡ ଖେଳାଳି ମିଚେଲ୍ ଓ ବଣ୍ଡେଲ୍ ସାହସର ସହିତ ପଞ୍ଚମ ଵିକେଟ୍ ଭାଗୀଦାରିରେ ଦୀର୍ଘ ସମୟ ବ୍ୟାଟିଂ କରିଥିଲେ। ତୃତୀୟ ଦିନ ଇଂଲଣ୍ଡ ଦଳ ଚତୁର୍ଥ ପାଳିର ବିଶାଳ ସ୍କୋର ଆହରଣ ପାଇଁ ଚମକପ୍ରଦ ଭାବେ ପିଛା କରିଥିଲା। ଚତୁର୍ଥ ଦିନର ଖେଳ ମୁଁ ଦେଖିପାରିନଥିଲି ଯୋଉଦିନ ଇଂଲଣ୍ଡ ବିଜୟ ଲକ୍ଷ୍ୟକୁ ସହଜରେ ହାସଲ କରିଥିଲା।
ମୁଁ ଜାଣେ ଯେ ଜଣେ ଔପନିବେଶିକ-ବିରୋଧୀ ଭାରତୀୟ ଭାବେ ମୁଁ ଇଂଲଣ୍ଡକୁ ପ୍ରଶଂସା କରିବା ଅନୁଚିତ। ପ୍ରକୃତରେ ମୁଁ ସେମିତି କ୍ବଚିତ୍ କରେ, କିନ୍ତୁ ସେହି ଲର୍ଡସ ମ୍ୟାଚ୍ ଥିଲା ଏକ ବ୍ୟତିକ୍ରମ। ତାହାର କାରଣ ହେଲା ଜୋ ରୁଟ୍ ମୋର ପ୍ରିୟ କ୍ରିକେଟର୍ମାନଙ୍କ ଭିତରୁ ଜଣେ। ରୁଟ୍ ତାଙ୍କର ପ୍ରଥମ ଟେଷ୍ଟ ମ୍ୟାଚ୍ ନାଗପୁରରେ ଖେଳିଥିଲେ, ଜଳବାୟୁ ଦୃଷ୍ଟିରୁ ଯେଉଁ ସହର ତାଙ୍କ ଜନ୍ମ ସହର ୟର୍କସାୟାର ଠାରୁ ଯଥା ସମ୍ଭବ ଭିନ୍ନ। ସେହି ମ୍ୟାଚ୍ରେ ସେ ଭାରତୀୟ ସ୍ପିନରମାନଙ୍କୁ ଶାନ୍ତ ଆତ୍ମବିଶ୍ବାସର ସହ ଖେଳିଥିଲେ ଯାହା ତାଙ୍କ ଦଳକୁ ଏକ ମୀମାଂସାହୀନ ପରିଣତି ଦେଇଥିଲେ ଏବଂ ଶୃଙ୍ଖଳାକୁ ୨-୧ରେ ଜିତିବାରେ ସହାୟକ ହୋଇଥିଲା (ତାହା ଭାରତରେ କୌଣସି ବିଦେଶୀ ଦଳର ଶେଷ ଶୃଙ୍ଖଳା ବିଜୟ ହୋଇ ରହିଛି)।
ତାହାର ଏକ ଦଶନ୍ଧି ପରେ ମଧ୍ୟ ମୁଁ ରୁଟ୍ଙ୍କୁ ଜଣେ ଉତ୍ତମ ବ୍ୟାଟ୍ସମ୍ୟାନ୍ ଓ ମଣିଷ ଭାବରେ ପ୍ରଶଂସା କରେ। କ୍ରିଜ୍ରେ ପହଞ୍ଚିବା ମାତ୍ରେ ତାଙ୍କର ତୁରନ୍ତ ଖେଳିବା ଆରମ୍ଭ କରିବା ଶୈଳୀ ମୋତେ ଭଲ ଲାଗେ। ତାଙ୍କର ବିସ୍ତୃତ ପରିସରର ପ୍ରହାରକୁ ମୁଁ ପସନ୍ଦ କରେ (ବିଶେଷ କରି ତାଙ୍କର କଭର ଡ୍ରାଇଭ୍ ଓ ବ୍ୟାକ୍ କଟ୍)। ସ୍ଲିପ୍ରେ ତାଙ୍କ ଫିଲ୍ଡିଂ ଏବଂ ସାଦାସିଧା ଜଣାପଡୁଥିବା ଅଫ୍ସ୍ପିନ୍ ବଲ୍ରେ ଅପ୍ରତ୍ୟାଶିତ ଭାବେ ଵିକେଟ୍ ନେବା ଦକ୍ଷତାକୁ ମୁଁ ପ୍ରଶଂସା କରେ। ତାଙ୍କର ହସହସ ମୁହଁ ଏବଂ ଯୁବସୁଲଭ ରୂପ ଯୋଗୁଁ ହିଁ ସେ ମୋର ବେଶୀ ପ୍ରିୟ। ବିଶେଷ କରି ଅଧିନାୟକତ୍ବର କଠିନ ସମୟ ପରେ ସେଇ ଜୁନ୍ ମ୍ୟାଚ୍ରେ ଜଣେ ସାଧାରଣ ଖେଳାଳି ରୂପେ ସୁନ୍ଦର ଭାବେ ଖେଳି ଦଳକୁ ବହୁ ବର୍ଷ ପରେ ବିଜୟର ସ୍ବାଦ ଚଖାଇଥିବା ରୁଟ୍ଙ୍କୁ ଦେଖିବା ହିଁ ରୋଚକ ଥିଲା।
ଜୁନ୍ ତୃତୀୟ ସପ୍ତାହରେ ମୁଁ ବାଙ୍ଗାଲୋର ଫେରିଲି ଏବଂ କ୍ଳାନ୍ତି ଅପସରି ଗଲା ପରେ ମୁଁ ରଣଜୀ ଟ୍ରଫି ଖେଳାଯାଉଥିବା ଚିନ୍ନାସ୍ବାମୀ ଷ୍ଟାଡିଅମ୍କୁ ଯାଇଥିଲି।
ପୂର୍ବରୁ ୪୧ ଥର ରଣଜୀ ଟ୍ରଫି ଜିତିଥିବା ମୁମ୍ବାଇ ଦଳ ବିପକ୍ଷରେ ଆଦୌ ଟ୍ରଫି ଜିତିନଥିବା ମଧ୍ୟ ପ୍ରଦେଶ ଦଳ ଖେଳୁଥିଲା। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଦଳ ସମସ୍ତ ଵିକେଟ୍ ହରାଇ ସମ୍ମାନଜନକ ୩୭୪ ରନ୍ କରିଥିଲା। ଅତୀତରେ ସେମାନଙ୍କ ଦଳ ତରଫରୁ ପଦ୍ମାକର ଶିବଲକରଙ୍କ ପରି ଖେଳାଳି ବୋଲିଂ କରୁଥିବା ବେଳେ ଏଭଳି ରନ୍ ଗୋଟେ ଇନିଂସ୍ରେ ଜିତିବା ପାଇଁ ମଧ୍ୟ ଯଥେଷ୍ଟ ହେଉଥିଲା। ଦ୍ବିତୀୟ ଦିନ ଭୋଜନ ବିରତି ପରେ ମୁଁ ଖେଳ ଦେଖିବାକୁ ଯାଇଥିଲି ଏବଂ ଉତ୍ସାହ ଓ ସଂକଳ୍ପର ସହ ଖେଳୁଥିବା ମଧ୍ୟ ପ୍ରଦେଶ ବ୍ୟାଟ୍ସମ୍ୟାନ୍ମାନଙ୍କୁ ଶେଷ ଦିନ ଯାଏ ଦେଖିଥିଲି। ଦ୍ବିତୀୟ ଵିକେଟ୍ରେ ମାପିଚୁପି ଖେଳୁଥିବା ୟଶ ଦୁବେ ଓ ଅଧିକ ପ୍ରବାହମାନ ଶୁଭମ ଶର୍ମା ଦୁଇ ଶତକର ଭାଗୀଦାରି ଯୋଡ଼ିଥିଲେ। ପରେ ଆକ୍ରାମକ ରଜତ ପାଟିଦାର କିଛି ଧାରାବାହିକ ଚୌକା-ଛକା ମାରି ତାଙ୍କ ଦଳକୁ ପ୍ରଥମ ଇନିଂସ୍ରେ ଅଗ୍ରଣୀ କରି ଦେଇଥିଲେ। ପଞ୍ଚମ ଦିନର ଶେଷ ପାଳି ଦେଖିବାକୁ ପହଞ୍ଚିଥିଲି ଯେଉଁଥିରେ ମଧ୍ୟପ୍ରଦେଶ ଛଅ ଵିକେଟ୍ରେ ଜିତିଥିଲା ଏବଂ ପ୍ରଥମ ଥର ପାଇଁ ଟ୍ରଫି ହାସଲ କରିଥିଲା। ଖେଳ ଶେଷରେ ବିଜୟୀ ଦଳର ପ୍ରଶିକ୍ଷକ ଚନ୍ଦ୍ରକାନ୍ତ ପଣ୍ଡିତଙ୍କୁ ତାଙ୍କ ଶିଷ୍ୟ ଖେଳାଳିମାନେ କାନ୍ଧରେ ବସାଇ ବୁଲାଇଥିଲେ।
ଏହି ମ୍ୟାଚ୍ ପାଇଁ କ୍ରିକେଟ୍ ପରି ପାଗ ମଧ୍ୟ ଅତି ସୁନ୍ଦର ରହିଥିଲା ଏବଂ ଷ୍ଟାଡିଅମ୍ରେ ଏକ ଶ୍ରେଷ୍ଠ ଆସନ ମୋତେ ମିଳିଥିଲା। ମୁଁ ଅଭାଗା ଦଳର ପକ୍ଷ ନେଇଥିଲି କେବଳ ଏଥିପାଇଁ ନୁହେଁ ଯେ ସେହି ଷ୍ଟାଡିଅମ୍ରେ ୨୩ ବର୍ଷ ତଳେ ଚନ୍ଦ୍ରକାନ୍ତ ପଣ୍ଡିତଙ୍କ ଅଧିନାୟକତ୍ବରେ ମଧ୍ୟପ୍ରଦେଶ ଦଳ ସଂଘର୍ଷପୂର୍ଣ୍ଣ ଫାଇନାଲ୍ରେ କର୍ଣ୍ଣାଟକ ବିପକ୍ଷରେ ପରାଜୟ ବରଣ କରିବା ମୁଁ ଦେଖିଥିଲି। ଏହାର ବଳିଷ୍ଠ କାରଣଟି ହେଉଛି ଘରୋଇ କ୍ରିକେଟ୍ରେ ମୋର ଅଭିଳାଷ ହେଲା ମୁମ୍ବାଇ ବ୍ୟତୀତ ଅନ୍ୟ ଯେ କୌଣସି ଦଳ ଜିତୁ।
ଜୁଲାଇରେ ସେହି ଧଳା ପୋଷାକର ଦୁଇଟି ମ୍ୟାଚ୍ ସମ୍ପର୍କରେ ଏକ ସ୍ତମ୍ଭ ଲେଖିବା ପାଇଁ ମନସ୍ଥ କରିଥିଲି। ମାତ୍ର ସୌଭାଗ୍ୟକୁ ହାତରେ ଆଉ ଏକ ତୃତୀୟ ମ୍ୟାଚ୍ ଥିବାରୁ ମୁଁ ଅପେକ୍ଷା କରି ରହିଥିଲି। ଯୋଗକୁ ଏକ ବକ୍ତୃତା ପ୍ରଦାନ ପାଇଁ ଅଗଷ୍ଟ ମାସରେ ମୋତେ ଇଂଲଣ୍ଡ ଯିବାକୁ ପଡ଼ିଲା ଏବଂ ମୋର ଗସ୍ତ ସହ ଆଉ ଏକ ଲର୍ଡସ୍ ମ୍ୟାଚ୍ର ମେଳ ପଡ଼ିଥିଲା। ଏଥର ଆୟୋଜକ ଦଳ ଦକ୍ଷିଣ ଆଫ୍ରିକା ବିରୋଧରେ ଖେଳୁଥିଲେ। ଖେଳର ତୃତୀୟ ଓ ଚତୁର୍ଥ ଦିନ ପାଇଁ ମୋତେ ଟିକେଟ୍ ମିଳିଲା। ମ୍ୟାଚରେ ଗସ୍ତରେ ଆସିଥିବା ଦଳ ଅଧିକ ଶକ୍ତିଶାଳୀ ଲାଗୁଥିଲା। ତେବେ ସେମାନଙ୍କ ଦଳଗତ ପ୍ରଦର୍ଶନ ଯୋଗୁଁ ପ୍ରଥମ ଇନିଂସ୍ରେ ଇଂଲଣ୍ଡର ସ୍କୋର୍ ଦେଢ଼ ଶହ ରନ୍ରେ ସୀମିତ ରହିଥିଲା।
ଏଥିରେ ଦକ୍ଷିଣ ଆଫ୍ରିକାର ବିଷମ ଶୈଳୀର ୫ ଜଣ ବୋଲରଙ୍କ ଅବଦାନ ରହିଥିଲା। ବୋଲିଂର ନେତୃତ୍ବ ନେଇଥିଲେ କାସିଗୋ ରାବଡ଼ା ଯାହାଙ୍କର ଶାଣିତ ଗତିଶୀଳତା ସାଙ୍ଗକୁ ପେସ୍ ଓ ସ୍ବିଙ୍ଗର ସୂକ୍ଷ୍ମ ପରିବର୍ତ୍ତନ ରହିଥିଲା। ସେମାନଙ୍କ ମଧ୍ୟରେ ଙ୍ଗିଡି ଓ ନର୍ଜେଙ୍କ ପରି ଦୁଇ ଜଣ ପେସ୍ ବୋଲିଂର ସୌଦାଗର ଥିଲେ ଯେଉଁମାନେ ଅଫ୍ଷ୍ଟମ୍ପ୍ ଉପରେ ଘଣ୍ଟାକୁ ୯୦ ମାଇଲ୍ରୁ ଅଧିକ ବେଗରେ ବଲ୍ ପକାଉଥିଲେ। ଆହୁରି ମଧ୍ୟ ବାମହାତୀ ଜାନ୍ସେନ୍ ଥିଲେ ଯାହାଙ୍କ ବିଳମ୍ବିତ ସ୍ବିଙ୍ଗ୍ ଓ ଉଚ୍ଚରୁ ପଡୁଥିବା ବଲ୍ ହିଁ ତାଙ୍କ ବେଗହୀନତାକୁ ଭରଣା କରୁଥିଲା। ଶେଷକୁ ବାମହାତୀ ସ୍ପିନର ମହାରାଜ ଥିଲେ ଯିଏ ଘଡ଼ିସନ୍ଧି ମୁହୂର୍ତ୍ତରେ ଗୁରୁତ୍ବପୂର୍ଣ୍ଣ ବ୍ୟାଟ୍ସମ୍ୟାନ୍ଙ୍କ ଭାଗୀଦାରି ଭଗ୍ନ କରୁଥିଲେ। ଏହି ପାଞ୍ଚ ଜଣଙ୍କ ଦକ୍ଷତାକୁ ଅଧିନାୟକ ଡିନ୍ ଏଲଗାର ଠିକ୍ରେ ପରିଚାଳନା କରୁଥିଲେ ଯାହାଙ୍କର ସମୟୋଚିତ ବୋଲିଂ ଓ ଫିଲ୍ଡିଂରେ ନିପୁଣ ପରିବର୍ତ୍ତନ ଦର୍ଶାଉଥିଲା ଯେ ଦଳ ତଥା ପରିସ୍ଥିତି ସଂପୂର୍ଣ୍ଣରୂପେ ତାଙ୍କ ନିୟନ୍ତ୍ରଣରେ ରହିଥିଲା।
ରାଜନୈତିକ ଓ ଆର୍ଥିକ ଦୃଷ୍ଟିକୋଣରୁ କିଛି ଦିନ ହେଲା ଦକ୍ଷିଣ ଆଫ୍ରିକା ଭୀଷଣ ବିଷମ ସମୟ ଦେଇ ଗତି କରୁଛି। ତେଣୁ ପଡ଼ିଆରେ ତାଙ୍କ ଖେଳାଳିମାନଙ୍କ ଏପରି ଉଚ୍ଚକୋଟୀର କ୍ରୀଡ଼ାକୌଶଳ ପ୍ରଦର୍ଶନ ବେଶ୍ ଉତ୍ସାହବର୍ଦ୍ଧକ ଥିଲା। ଦକ୍ଷିଣ ଆଫ୍ରିକାର ପୁର୍ବ ଦଳମାନଙ୍କରେ ଯେପରି ତାରକା ଖେଳାଳି ଖଚିତ ହୋଇ ରହିଥିଲେ, ନିର୍ଦ୍ଦିଷ୍ଟ ଭାବେ ବର୍ତ୍ତମାନର ଦଳରେ ରାବଡ଼ାଙ୍କ ବ୍ୟତୀତ ସେପରି କେହି ନାହାନ୍ତି। କାଲିସ କି ଆମଲାଙ୍କ ପରି ରନ୍-ପିପାସୁ ବ୍ୟାଟ୍ସମ୍ୟାନ୍ ନାହାନ୍ତି କି ଡି’ ଭିଲିଅର୍ସଙ୍କ ପରି ପ୍ରହାରବାଲା ନାହାନ୍ତି। ସେହିପରି ନା ଡୋନାଲ୍ଡ କି ଷ୍ଟେନ୍ଙ୍କ ପରି ଘାତକ ବୋଲର ଅଛନ୍ତି ନା ପୋଲକ୍ କି ଫିଲାଣ୍ଡରଙ୍କ ଭଳି ଶାଣିତ ସ୍ବିଙ୍ଗ୍ ବୋଲର ଅଛନ୍ତି! ଏହା ସତ୍ତ୍ବେ ବି ସେମାନେ ଏକ ଆଗଧାଡ଼ିର ଦଳ ଯେଉଁମାନଙ୍କ ପାଖରେ ବ୍ରିଟିସ୍ ଓ ଡଚ୍ମାନଙ୍କ ଭଳି ଶ୍ବେତାଙ୍ଗ, କୃଷ୍ଣକାୟ ଆଫ୍ରିକୀୟ, ମିଶ୍ରବର୍ଣ୍ଣର ଜାତି ସମୂହ ଓ ଭାରତୀୟ ରହିଛନ୍ତି। ସେହି ‘ଇନ୍ଦ୍ରଧନୁ ଦେଶ’ର ସଂକଳ୍ପ କୌଣସିମତେ ଅକ୍ଷୁଣ୍ଣ ରହିଛି। ଦକ୍ଷିଣ ଆଫ୍ରିକା ଦଳ ଭଲ ଖେଳୁଥିବା ଦେଖି ଖୁସି ହେବାର ଅନ୍ୟତମ କାରଣ ହେଲା ସେହି ମ୍ୟାଚ୍ ‘କ୍ରିକେଟ୍ର ଘର’ ବିବେଚିତ ଲର୍ଡସ୍ରେ ଖେଳାଯାଉଥିଲା।
ଆଇପିଏଲ୍-୨୦୨୨ର କୌଣସି ଗୋଟିଏ ମ୍ୟାଚ୍, ଏପରିକି ଗୋଟିଏ ବଲ୍ ପଡୁଥିବା ବି ମୁଁ ଦେଖିନି, ତଥାପି ମୋର ସାମଗ୍ରିକ କ୍ରିକେଟ୍ ଅନୁଭୂତି ଅପେକ୍ଷା ଦୁର୍ବୋଧ୍ୟ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ୍ର ପ୍ରତି ମ୍ୟାଚ୍ ଓ ପ୍ରତି ବଲ୍ ଉପଭୋଗ କରିଥିବା କ୍ରିକେଟ୍ପ୍ରେମୀଙ୍କ ଉପଲବ୍ଧି ଅଧିକ ଆନନ୍ଦଦାୟକ ହୋଇଥିବା ବୋଲି ମୋର ସନ୍ଦେହ। କିଏ କେତେ ଓଭର ବୋଲିଂ କରିବ କି କେଉଁ ଦଳ କେତେ ଯାଏ ବ୍ୟାଟିଂ କରିବ, ସେଥିରେ କୌଣସି କଟକଣା ନଥାଇ ପାଞ୍ଚ ଦିନ ଧରି ଧଳା ପୋଷାକ ପରିହିତଙ୍କ ଦ୍ବାରା ଲାଲ୍ ରଙ୍ଗର ବଲ୍ ଖେଳାଯିବା ହେଉଛି ପ୍ରକୃତ କ୍ରିକେଟ୍। ଖେଳର ଏହା ହିଁ ଏକମାତ୍ର ଦୀର୍ଘକାଳୀନ ସ୍ବରୂପ ଯେଉଁଥିରେ ବ୍ୟାଟିଂ, ବୋଲିଂ, ଫିଲ୍ଡିଂ, ଵିକେଟ୍ କିପିଂ ଓ ଅଧିନାୟକତ୍ବରେ ବୈଷୟିକ ତଥା କଳାତ୍ମକ ଗୁଣ ପ୍ରଦର୍ଶନ କରିବାର ଅବସର ମିଳିଥାଏ। ଦଶନ୍ଧି ଦଶନ୍ଧି ଧରି ମୁଁ ଦେଖିଥିବା ବିଭିନ୍ନ ଟେଷ୍ଟ ମ୍ୟାଚ୍ ଓ ରଣଜୀ ଫାଇନାଲ୍ ମ୍ୟାଚ୍ମାନଙ୍କ ମଧ୍ୟରେ ୨୦୨୨ର ସେଇ ତିନିଟି ମ୍ୟାଚ୍ ହିଁ ମୋ’ ସାଥିରେ ରହିଥିବ ଏବଂ ଆଗକୁ ଆସୁଥିବା ଯନ୍ତ୍ରଣାଦାୟକ ବୃଦ୍ଧାବସ୍ଥାରେ ମୋତେ ସାନ୍ତ୍ବନା ଦେଇ ଚାଲିଥିବ।