ଦୁର୍ଭାଗ୍ୟଜନକ ଭାବରେ ଯେତେବେଳେ ଏଇଭଳି ଦୁର୍ଘଟଣା ଘଟୁଛି, ସେତେବେଳେ ଯେଉଁ ସରକାରୀ ପ୍ରତିକ୍ରିୟା ଦେଖିବାକୁ ମିଳୁଛି, ତାହା ହେଲା ଅସ୍ବୀକାର କରିବା ଏବଂ ବିଭ୍ରାନ୍ତ କରିବାର ପ୍ରଚେଷ୍ଟା। ସରକାର ସାଧାରଣତଃ ପରିସ୍ଥିତି ସମ୍ବନ୍ଧରେ ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରିବାକୁ କୁଣ୍ଠିତ ହୋଇଥାନ୍ତି ଏବଂ ମୃତାହତଙ୍କର ପ୍ରକୃତ ସଂଖ୍ୟା ପ୍ରକାଶ କରି ନଥାନ୍ତି। ଏହା ଦୋଷୀମାନେ ଖସି ଯିବାରେ ସହାୟକ ହେବା ସହିତ ଦୁର୍ଘଟଣାର ବାସ୍ତବ ଅନୁଶୀଳନରେ ବାଧକ ସାଜିଥାଏ।
ଗତ ଶନିବାର ଦିନ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା ଘଟି ୧୮ ଜଣ ମହାକୁମ୍ଭ ମେଳା ଯାତ୍ରୀଙ୍କର ପ୍ରାଣହାନି ଘଟିବା ହେଉଛି ଚଳିତ ମହାକୁମ୍ଭ ସମୟରେ ଏକପ୍ରକାର ନିୟମିତ ଭାବରେ ଘଟି ଚାଲିଥିବା ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଶୃଙ୍ଖଳାରେ ସଦ୍ୟତମ ଘଟଣା। ଖୋଦ ପ୍ରୟାଗରାଜର ସଙ୍ଗମସ୍ଥଳୀରେ ହେଉ କିମ୍ବା ସଙ୍ଗମ ଅଭିମୁଖେ ଯାତ୍ରା କରିବା ସମୟରେ ଦେଶର କେଉଁ ସଡ଼କରେ େହଉ କିମ୍ବା ରେଳ ଷ୍ଟେସନରେ ହେଉ, ବାରମ୍ବାର ସଙ୍ଗମ ଯାତ୍ରୀମାନେ ଏଭଳି ଦୁର୍ଘଟଣାର ଶିକାର ହୋଇ ଚାଲିଥିବାରୁ, କେହି କେହି ଏଥିପାଇଁ ସେଇ ହତଭାଗ୍ୟ ତୀର୍ଥଯାତ୍ରୀମାନଙ୍କୁ ଦେଷ ଦେଇଥାନ୍ତି, ଯେଉଁମାନେ ପୁଣ୍ୟ ଅର୍ଜନ କିମ୍ବା ମୋକ୍ଷ ଲାଭ ପରି ଏକ କାଳ୍ପନିକ ଲକ୍ଷ୍ୟ ସନ୍ଧାନରେ ବାହାରିପଡ଼ି ନିଜ ପାଇଁ ଏଭଳି ବିପର୍ଯ୍ୟୟ ସୃଷ୍ଟି କରିଥାନ୍ତି।
ଏଭଳି ଯୁକ୍ତି କିନ୍ତୁ ଆଦୌ ଗ୍ରହଣୀୟ ନୁହେଁ, କାରଣ ପୃଥିବୀରେ ଅନୁସୃତ ପ୍ରତ୍ୟେକ ଧର୍ମର ଅନୁଗାମୀମାନେ କୌଣସି ନା କୌଣସି ବିଶ୍ବାସ ଦ୍ବାରା ପରିଚାଳିତ ହୋଇ ଏଭଳି ଗଣସମାବେଶ ସୃଷ୍ଟି କରିବା ହେଉଛି ଏକ ନିୟମିତ ଘଟଣା, ଯାହା ବେଳେବେଳେ ଦୁର୍ଘଟଣାର ରୂପ ନେଇଥାଏ। ଧର୍ମ ହେଉଛି ବିଶ୍ବାସର କଥା ଏବଂ ବିଶ୍ବାସର ବ୍ୟାପାରରେ ଯୁକ୍ତି ପାଇଁ ସ୍ଥାନ ନ ଥାଏ। ବାସ୍ତବରେ ଆମେ ଏହାକୁ ଗ୍ରହଣ କରି ବରଂ ମହାକୁମ୍ଭ ମେଳାକୁ ଦୁନିଆର ସର୍ବବୃହତ୍ ଜନସମାଗମ ରୂପେ ସଗର୍ବ ପୃଥିବୀବାସୀଙ୍କ ସମ୍ମୁଖରେ ପ୍ରଦର୍ଶିତ କରିଚାଲିଛୁ, ଯେଉଁଥିରେ ମାତ୍ର ୪୫ ଦିନ ମଧ୍ୟରେ ଦୁଇଟି ନଦୀର ସଂକୀର୍ଣ୍ଣ ସଙ୍ଗମସ୍ଥଳୀରେ ପ୍ରାୟ ୪୦ କୋଟିରୁ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁ ବୁଡ଼ ପକାଇବେ- ଯେଉଁ ସଂଖ୍ୟା ହେଉଛି ସମଗ୍ର ଇଉରୋପ ମହାଦେଶର ଜନସଂଖ୍ୟା ସହିତ ପ୍ରାୟ ସମାନ। ଅତଏବ ଏହି ମହାସମାବେଶକୁ ଏକ ଧ୍ରୁବ ସତ୍ୟ ରୂେପ ଗ୍ରହଣ କରି କେବଳ ମେଳା ସ୍ଥଳୀ ନୁହେଁ, ଏହାର ପରିପ୍ରକାଶ ଘଟିବାର ସମ୍ଭାବନା ଥିବା ଦେଶର ପ୍ରତ୍ୟେକ ସ୍ଥାନରେ ସମ୍ଭାବ୍ୟ କୌଣସି ଅଘଟଣ ଏଡ଼ାଇବା ନିମିତ୍ତ ବିଭିନ୍ନ କର୍ତ୍ତୃପକ୍ଷ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇ ରହିବା ଆଶା କରାଯାଇଥାଏ।
ଅବଶ୍ୟ ଏହା ଏକ ଜଣାଶୁଣା କଥା ଯେ ବ୍ୟକ୍ତି ମନସ୍ତତ୍ତ୍ବ ଓ ଭିଡ଼ ମନସ୍ତତ୍ତ୍ବ ମଧ୍ୟରେ ଆକାଶ ପାତାଳ ଫରକ ଦେଖାଯାଇଥାଏ; ଏକ ଭିଡ଼ର ଆଚରଣ ସମ୍ବନ୍ଧରେ ସଠିକ୍ ପୂର୍ବାନୁମାନ କରିବା କଷ୍ଟକର ହୋଇଥାଏ। କିନ୍ତୁ ସଡ଼କ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଯେମିତି ସଦାବେଳେ ଅପ୍ରତ୍ୟାଶିତକୁ ଆଶା କରିବାକୁ ଆହ୍ବାନ ଦିଆଯାଇଥାଏ, ଏ କ୍ଷେତ୍ରରେ ମଧ୍ୟ କର୍ତ୍ତୃପକ୍ଷ ସେଇଭଳି ପ୍ରସ୍ତୁତ ରହିବା ଆଶା କରାଯାଏ, ଯାହା ନୂଆଦିଲ୍ଲୀ ରେଳ ଷ୍ଟେସନରେ ଆଦୌ ଦେଖାଯାଇ ନ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ରେଳବାଇ କର୍ତ୍ତୃପକ୍ଷ ଦାବି କରୁଛନ୍ତି ଯେ ଏକ ପାଦଚଲା ଓଭରବ୍ରିଜରେ ଓହ୍ଲାଇବା ସମୟରେ କେତେକ ଯାତ୍ରୀଙ୍କର ପାଦ ଖସିଯିବାରୁ ସେମାନେ ଅନ୍ୟ କେତେକ ଯାତ୍ରୀଙ୍କ ଉପରେ ପଡ଼ିଯିବାରୁ ଏହି ଦଳାଚକଟା ଆରମ୍ଭ ହୋଇଯାଇଥିଲା।
ଯଦି ବି ଏହା ସତ ହୋଇଥାଏ, ଏହା ହେଉଛି ଏକ ତାତ୍କାଳିକ କାରଣ ମାତ୍ର, ଯାହା ଆଢୁଆଳରେ ରେଳ କର୍ତ୍ତୃପକ୍ଷ ନିଜର ବିଭିନ୍ନ ଅପାରଗତା ଲୁଚାଇବାକୁ ଚେଷ୍ଟା କରିଛନ୍ତି। ଏହି ଅପାରଗତାର ତାଲିକା ଲମ୍ବା- ରେଳ ଗାଡ଼ିମାନଙ୍କର ବିଳମ୍ବିତ ପ୍ରସ୍ଥାନରୁ ଆରମ୍ଭ କରି ଟିକେଟ୍ ବିକ୍ରିରେ ଅଚାନକ ବୃଦ୍ଧି ଓ ଶେଷ ମୁହୂର୍ତ୍ତରେ ପ୍ଲାଟ୍ଫର୍ମ ପରିବର୍ତ୍ତନ ଘୋଷଣା ପର୍ଯ୍ୟନ୍ତ। ରେଳ କର୍ତ୍ତୃପକ୍ଷ ବିଶାଳ ଯାତ୍ରୀ ସମାଗମ ଘଟିବା ପାଇଁ ପୂର୍ବରୁ ପ୍ରସ୍ତୁତ ରହିବା କଥା, ବିଭିନ୍ନ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲାର ବନ୍ଦୋବସ୍ତ କରିଥିବା କଥା, ଏବଂ ଅଘଟଣା ନ ଘଟିବା ପାଇଁ ବିହିତ ପଦକ୍ଷେପମାନ ଗ୍ରହଣ କରିଥିବା କଥା; କିନ୍ତୁ ସେମାନେ ସବୁଥିରେ ଅବହେଳା ପ୍ରଦର୍ଶନ କରିଛନ୍ତି। ଏହା ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ସୃଷ୍ଟି କରିଛି। ଯେମିତି, ରେଳ ଗାଡ଼ିର ଯାତ୍ରୀ ବହନ କ୍ଷମତା ଠାରୁ ବହୁ ଅଧିକ ସଂଖ୍ୟାରେ ଟିକେଟ୍ କାହିଁକି ବିକ୍ରୟ ହୋଇଥିଲା?, ରେଳ ଗାଡ଼ିମାନଙ୍କର ପ୍ରସ୍ଥାନରେ କାହିଁକି ବିଳମ୍ବ ଘଟିଥିଲା?, ଗାଡ଼ି ଛାଡ଼ିବା ସମୟର ଠିକ୍ ପୂର୍ବରୁ କାହିଁକି ପ୍ଲାଟ୍ଫର୍ମ ପରିବର୍ତ୍ତନ ଘୋଷଣା କରାଯାଇ ଯାତ୍ରୀମାନଙ୍କ ମଧ୍ୟରେ ବିଭ୍ରାନ୍ତି ଓ ଛାନିଆ ସୃଷ୍ଟି କରାଯାଇଥିଲା?
କୁମ୍ଭମେଳା ପରି ମେଳାମହୋତ୍ସବ ଅଭିମୁଖେ ଗଣଯାତ୍ରା ଦ୍ବାରା ସୃଷ୍ଟି ହେଉଥିବା ଭିଡ଼ ପରିଚାଳନା ନିମିତ୍ତ ରେଳ ଷ୍ଟେସନ ଓ ବସ୍ଷ୍ଟାଣ୍ଡମାନଙ୍କରେ ଆବଶ୍ୟକ ପଦକ୍ଷେପମାନ ନେବା ପାଇଁ ନିର୍ଦ୍ଦେଶାବଳୀ ଉପଲବ୍ଧ ଅଛି। ଏହି ନିର୍ଦ୍ଦେଶାବଳୀରେ ସମସ୍ତ ପ୍ରକାର ଦୁର୍ଘଟଣାର ସମ୍ଭାବନା ପ୍ରତି ଧ୍ୟାନ ଦିଆଯାଇଛି। ଯଦି ଏହି ନିର୍ଦ୍ଦେଶାବଳୀକୁ ଆନ୍ତରିକତାର ସହିତ ଅନୁପାଳନ କରାଯାଆନ୍ତା, ତେବେ ଅଧିକାଂଶ ଦୁର୍ଘଟଣା ଏଡ଼ାଇ ଦିଆଯାଇ ପାରନ୍ତା। ପ୍ରୟାଗରାଜର ମହାକୁମ୍ଭ ମେଳା ସ୍ଥଳୀରେ ସୁଚାରୁ ପରିଚାଳନା ନିମିତ୍ତ ‘ଏଆଇ’ ଭଳି ଅତ୍ୟାଧୁନିକ ପ୍ରବିଧିର ବ୍ୟବହାର ବ୍ୟାପକ ପ୍ରଶଂସା ଲାଭ କରିଛି (ଯଦିବା ଏହା ସତ୍ତ୍ବେ ସେଠାରେ ମଧ୍ୟ ଦଳାଚକଟା ଦୁର୍ଘଟଣା ଘଟିଛି)। କିନ୍ତୁ ଏହାକୁ କେବଳ ସେଇ ମେଳାସ୍ଥଳୀରେ ସୀମିତ ନ ରଖି କୁମ୍ଭ ସଂପର୍କିତ ଭିଡ଼ ସୃଷ୍ଟି ହେବାର ସମ୍ଭାବନା ଥିବା ଦେଶର ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ଯଦି ବ୍ୟବହାର କରାଯାଇଥାନ୍ତା, ତା’ହେଲେ ହୁଏତ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଏଭଳି ଦୁର୍ଘଟଣା ଘଟି ନଥାନ୍ତା।
ଦୁର୍ଭାଗ୍ୟଜନକ ଭାବରେ ଯେତେବେଳେ ଏଇଭଳି ଦୁର୍ଘଟଣା ଘଟୁଛି, ସେତେବେଳେ ଯେଉଁ ସରକାରୀ ପ୍ରତିକ୍ରିୟା ଦେଖିବାକୁ ମିଳୁଛି, ତାହା ହେଲା ଅସ୍ବୀକାର କରିବା ଏବଂ ବିଭ୍ରାନ୍ତ କରିବାର ପ୍ରଚେଷ୍ଟା। ସରକାର ସାଧାରଣତଃ ପରିସ୍ଥିତି ସମ୍ବନ୍ଧରେ ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରିବାକୁ କୁଣ୍ଠିତ ହୋଇଥାନ୍ତି ଏବଂ ମୃତାହତଙ୍କର ପ୍ରକୃତ ସଂଖ୍ୟା ପ୍ରକାଶ କରି ନଥାନ୍ତି। ଏହା ଦୋଷୀମାନେ ଖସି ଯିବାରେ ସହାୟକ ହେବା ସହିତ ଦୁର୍ଘଟଣାର ବାସ୍ତବ ଅନୁଶୀଳନରେ ବାଧକ ସାଜିଥାଏ। ଏହାର ଏକ କୁଫଳ ସ୍ବରୂପ ଏଥିରୁ ଭବିଷ୍ୟତ ପାଇଁ ଆବଶ୍ୟକ ଶିକ୍ଷାଲାଭ ସମ୍ଭବ ହୋଇ ନ ଥାଏ। ଉଦାହରଣ ସ୍ବରୂପ ଗତ ମାସରେ ପ୍ରୟାଗରାଜରେ ଘଟିଥିବା ଦଳାଚକଟାଜନିତ ପ୍ରକୃତ ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ନୂଆଦିଲ୍ଲୀ ରେଳ ଷ୍ଟେସନ ଘଟଣା ଘଟିବା ପରେ ଦିଲ୍ଲୀର ଲେଫ୍ଟେନାଣ୍ଟ ଗଭର୍ନର୍ ଯେଉଁ ବକ୍ତବ୍ୟ ଜାରି କରିଥିଲେ, ତାହାକୁ ସେ ପର ମୁହୂର୍ତ୍ତରେ ବଦଳାଇ ଦେଇ ସେଥିରୁ ‘ଦଳାଚକଟା’ ଶବ୍ଦକୁ ବାଦ ଦେଇଦେଲେ। ଏହା ସର୍ବସାଧାରଣଙ୍କ ମଧ୍ୟରେ ନିଶ୍ଚିତ ରୂପେ ବିଶ୍ବାସ ଜନ୍ମାଇବାରେ ସହାୟକ ହେବ ନାହିଁ।
ଦୁର୍ଘଟଣା ପରେ ସରକାର କାଳବିଳମ୍ବ ନ କରି ଭାରତୀୟ ରେଳବାଇର ନିର୍ଦ୍ଦେଶାବଳୀ ଅନୁସରଣ କରି ମୃତକଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କା ଓ ଆହତଙ୍କ ପାଇଁ ୨.୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ଘୋଷଣା କରିଥିଲେ। କିନ୍ତୁ ଷ୍ଟେସନରେ ନଗଦ ଟଙ୍କା ବଣ୍ଟା ହେବାର ଦୃଶ୍ୟକୁ କେତେକ ମହଲରେ ଏକ ରାଜନୈତିକ ସୁବିଧାବାଦ ରୂପେ ସମାଲୋଚନା କରାଯାଇଛି। ଦୁର୍ଘଟଣା ପରେ ଦୁର୍ଘଟଣା ରୋକିବାରେ ବିଫଳ ସରକାର ଏଭଳି କ୍ୟାମେରା ସମ୍ମୁଖରେ ଟଙ୍କା ବାଣ୍ଟି ରାଜନୈତିକ ଫାଇଦା ହାସଲ କରିବା ଉଦ୍ୟମକୁ ଅନୈତିକ ବିଚାର କରାଯାଉଛି।
ମହାକୁମ୍ଭ ମେଳା ସମାପ୍ତ ହେବାକୁ ଆଉ ମାତ୍ର ପ୍ରାୟ ଗୋଟିଏ ସପ୍ତାହ ବାକି ଅଛି। ଆଶା କରାଯାଏ ଏ ପର୍ଯ୍ୟନ୍ତ ଘଟିଥିବା ଦୁର୍ଘଟଣାମାନଙ୍କରୁ ମିଳିଥିବା ଶିକ୍ଷା ଏହି ବାକି ଦିନମାନଙ୍କରେ ଯେପରି ଆଉ କିଛି ଅଘଟଣ ନ ଘଟେ, ତାହା ନିଶ୍ଚିତ କରିବାରେ ସହାୟକ ହେବ।