ନଳିନୀକାନ୍ତ ଧର
ବ୍ରାଜିଲ୍ର ବେଲେମ୍ ସହରରେ ୧୯୮ଟି ଦେଶର ପ୍ରତିନିଧିଙ୍କୁ ନେଇ ଆରମ୍ଭ ହୋଇଥିବା ଜଳବାୟୁ ଶିଖର ସମ୍ମିଳନୀ, ସି.ଓ.ପି- ୩୦ ବା ‘କପ୍-୩୦’କୁ କେନ୍ଦ୍ର କରି ଆଶା, ସନ୍ଦେହ, ପ୍ରଶ୍ନ ଓ ବିତର୍କ ସୃଷ୍ଟି ହୋଇଛି। ଏଥିରେ ଦ୍ବିଧା ନାହିଁ ଯେ ଜଳବାୟୁ ପରିବର୍ତ୍ତନ ହେଉଛି ସାଂପ୍ରତିକ ସମୟର ସର୍ବାଧିକ ଚିନ୍ତାଜନକ ସମସ୍ୟା। ଏହି କାରଣରୁ ଅନାବୃଷ୍ଟି, ଅତିବୃଷ୍ଟି, ଗ୍ରୀଷ୍ମ ଲହରି, ସାମୁଦ୍ରିକ ବାତ୍ୟା, ମରୁଡ଼ି ଓ ବନାଗ୍ନି ଇତ୍ୟାଦି କ୍ରମାଗତ ଭାବେ ବାରମ୍ବାର ସଂଘଟିତ ହୋଇ ମାନବ ଜାତିକୁ ବ୍ୟତିବ୍ୟସ୍ତ କରି ସାରିଲାଣି। ଜଳବାୟୁ ପରିବର୍ତ୍ତନ କାରଣରୁ ଦରିଦ୍ର ଓ ଉଦବାସ୍ତୁଙ୍କ ସଂଖ୍ୟାରେ ତୀବ୍ର ବୃଦ୍ଧି ଘଟିଛି। ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ବିଶ୍ବ ସ୍ତରୀୟ ଅଧିବେଶନ ପ୍ରଥମେ ବସିଥିଲା ପ୍ୟାରିସରେ (୨୦୧୫ ମସିହା), ଯାହା ଥିଲା କପ୍-୨୧। ଜଳବାୟୁ ପରିବର୍ତ୍ତନ ଲାଗି ମୁଖ୍ୟ କାରଣ ଅଙ୍ଗାରକ ବା କାର୍ବନ ଉତ୍ସର୍ଜନକୁ ହ୍ରାସ କରି ବିଶ୍ବ ତାପମାତ୍ରା ବୃଦ୍ଧିକୁ ଗୋଟିଏ ସ୍ତରରେ ସୀମିତ କରି ରଖିବା ଲାଗି ଅନେକ ଶପଥ ନିଆଯାଇଥିଲା ଓ ପ୍ରତିଶ୍ରୁତି ପ୍ରଦାନ କରାଯାଇଥିଲା। କିନ୍ତୁ ବିଡ଼ମ୍ବନା ହେଲା ସଂପ୍ରତି ‘କପ୍-୩୦’ ବେଳକୁ ଦେଖାଯାଉଛି ଯେ ପ୍ରାୟ କୌଣସି ପ୍ରତିଶ୍ରୁତି ପୂରଣ ହୋଇନାହିଁ, ଅଙ୍ଗାରକ ନିର୍ଗମନରେ ବୃଦ୍ଧି ଘଟି ଚାଲିଛି ଏବଂ ବିଶ୍ବ ତାପମାତ୍ରାକୁ ନିର୍ଦ୍ଦିଷ୍ଟ ସୀମା ଭିତରେ ରଖାଯିବା ସମ୍ଭବ ହୋଇପାରୁନାହିଁ। ଏଣୁ ବିବାଦ ଉତ୍ପନ୍ନ ହେଉଛି।
ବିବାଦର ମଞ୍ଜି ରହିଛି ଜଳବାୟୁ ପରିବର୍ତ୍ତନକୁ ନେଇ ବିକଶିତ ଓ ବିକାଶଶୀଳ ରାଷ୍ଟ୍ରଙ୍କ ଧାରଣା ଓ ଆଭିମୁଖ୍ୟଗତ ପ୍ରଭେଦରେ। ବିକଶିତ ରାଷ୍ଟ୍ରଗୁଡ଼ିକ ହେଉଛନ୍ତି ୟୁରୋପ ଓ ଉତ୍ତର ଆମେରିକା ଭଳି ଦେଶ, ଯାହାକୁ ଉତ୍ତର ବିଶ୍ବ ବୋଲି କୁହାଯାଉଛି। ଏଣେ, ଅଧିକାଂଶ ବିକାଶଶୀଳ ଓ ଅଣବିକଶିତ ଦେଶକୁ ଦକ୍ଷିଣ ବିଶ୍ବର ଅଂଶ ବୋଲି ଧରାଯାଉଛି। କଥା ହେଲା, ଊନବିଂଶ ଶତାବ୍ଦୀରେ ୟୁରୋପରେ ଆରମ୍ଭ ହୋଇଥିବା ଶିଳ୍ପ ବିପ୍ଳବ ହେତୁ ପାଶ୍ଚାତ୍ୟ ଭୂଖଣ୍ଡ ସମୃଦ୍ଧ ହେଲା। ଦ୍ରୁତ ଶିଳ୍ପାୟନ ହେତୁ ସେହି ଶତାବ୍ଦୀର ମଧ୍ୟ ଭାଗରୁ ଇଉରୋପ ଓ ଆମେରିକା ଧନୀ ହୋଇଗଲେ। କିନ୍ତୁ ସେହି କାଳ ଖଣ୍ଡରେ ଶିଳ୍ପାୟନ ଦ୍ବାରା ୪୭% ଦୂଷିତ ବାଷ୍ପ ଓ ଅଙ୍ଗାରକ ବାୟୁ ମଣ୍ଡଳକୁ ନିର୍ଗତ ହୋଇ ସାରିଥିଲା, ଯାହା ସର୍ବାଧିକ। କିନ୍ତୁ ବିଡ଼ମ୍ବନା ହେଲା, ଏବେ ଦକ୍ଷିଣ ବିଶ୍ବର ବିକାଶଶୀଳ ଦେଶଗୁଡ଼ିକ ଯେତେବେଳେ ସମୃଦ୍ଧ ହେବାକୁ ଚାହାନ୍ତି, ଯାହା ସ୍ବାଭାବିକ ମଧ୍ୟ, ସେତିକି ବେଳେ ଧନୀ ରାଷ୍ଟ୍ରଗୁଡ଼ିକ ପ୍ରତିବାଦ କରୁଛନ୍ତି। କାରଣ ବିକାଶଶୀଳ ଦେଶଗୁଡ଼ିକ ନିଜ ଶକ୍ତି ଚାହିଦା ପୂରଣ ଲାଗି ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳ, ଯଦ୍ଦ୍ବାରା ସର୍ବାଧିକ ଅଙ୍ଗାରକ ବାୟୁ ମଣ୍ଡଳକୁ ଉତ୍ସର୍ଜିତ ହେଉଛି। କିନ୍ତୁ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ନିରୁପାୟ, କାରଣ ଜୀବାଶ୍ମ ଇନ୍ଧନ ଶସ୍ତା ଓ ସହଜଲଭ୍ୟ। ଅପର ପକ୍ଷରେ ନବୀକରଣକ୍ଷମ ସବୁଜ ଶକ୍ତି ଉତ୍ପାଦନ ବ୍ୟୟସାପେକ୍ଷ ଓ ଉଚ୍ଚ ମାନର ବୈଷୟିକ ଜ୍ଞାନ କୌଶଳ ଲୋଡ଼ିଥାଏ, ଯାହା ଅନେକ ରାଷ୍ଟ୍ରଙ୍କ ନିକଟରେ ଅନୁପଲବ୍ଧ। ତେଣୁ ଦକ୍ଷିଣ ବିଶ୍ବର ରାଷ୍ଟ୍ରଗୁଡ଼ିକ ସବୁଜ ଶକ୍ତି ବ୍ୟବହାର କରିବାକୁ ଆଗ୍ରହୀ ହେଉଥିଲେ ହେଁ ବିକଳ୍ପ ନାହିଁ।
ଏଠି ବିକଶିତ ଦେଶଗୁଡ଼ିକର କପଟ ଆଚରଣ ପ୍ରଣିଧାନଯୋଗ୍ୟ। ପ୍ୟାରିସ ସମ୍ମିଳନୀରେ ସ୍ଥିର କରାଯାଇଥିଲା ଯେ ଜଳବାୟୁ ସଂକ୍ରାନ୍ତ କାର୍ଯ୍ୟ ଲାଗି ଏକ ପାଣ୍ଠି ଗଠିତ ହେବ, ଯହିଁରେ ବିକଶିତ ଦେଶଗୁଡ଼ିକ ବାର୍ଷିକ ୧୦୦ ବିଲିଅନ ଡଲାର ଜମା କରିବେ। ତା ଛଡ଼ା ସେମାନେ ସବୁଜ ଶକ୍ତିର ଜ୍ଞାନ କୌଶଳ ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ଯୋଗାଇବେ। କିନ୍ତୁ ଏ ଦୁଇଟି ଯାକ ବ୍ୟାପାରରେ ବିଶେଷ କୌଣସି ଅଗ୍ରଗତି ହୋଇନାହିଁ ଏବଂ ‘କପ ୨୧’ରୁ ଆରମ୍ଭ କରି କରି ଏ ଯାବତ୍ ହୋଇଥିବା ସମ୍ମିଳନୀରେ କେବଳ ପ୍ରତିଶ୍ରୁତି ପୂରଣର ପ୍ରତିଜ୍ଞାକୁ ଯାହା ଦୋହରା ଯାଉଛି। ସେ ଦୃଷ୍ଟିରୁ ‘କପ୍-୩୦’ ଭିନ୍ନ, କାରଣ ଏଥିରେ ପ୍ରତିଶ୍ରୁତି ପୂରଣ କରିବା ଲାଗି ନିର୍ଦ୍ଦିଷ୍ଟ କାର୍ଯ୍ୟ ଖସଡ଼ା ପ୍ରସ୍ତୁତିର ଲକ୍ଷ୍ୟ ରହିଛି।
ତେବେ, ସେ ଯାହା ହେଉ, ଗତ ଅକ୍ଟୋବର ୨୮ ତାରିଖ ୟୁନିସେଫ୍ ଦ୍ବାରା ସଦ୍ୟ ପ୍ରକାଶିତ ଦସ୍ତାବିଜ ଅନୁସାରେ ବିଶ୍ୱରେ ନିର୍ଗତ ହେଉଥିବା ଅଙ୍ଗାରକାମ୍ଳ ଗ୍ୟାସେର ଘଟିଥିବା ହ୍ରାସର ପରିମାଣ ଅତି ସ୍ବଳ୍ପ, ଯେଉଁଥି ଲାଗି ୨୦୨୫ ସୁଦ୍ଧା ୬୦% ହ୍ରାସର ଲକ୍ଷ୍ୟ ପରାହତ ହୋଇ ମାତ୍ର ୨୪% ହୋଇଛି। ଏହାର କାରଣ ଅନେକ ରାଷ୍ଟ୍ରଙ୍କ ଦ୍ବାରା ଜୀବାଶ୍ମ ଇନ୍ଧନର ବହୁଳ ବ୍ୟବହାର। ସେହି କାରଣରୁ ଭୂପୃଷ୍ଠରୁ ନିର୍ଗତ ହେଉଥିବା ଅଙ୍ଗାରକ ପରିମାଣରେ ଚୀନର ଅଂଶ ହେଉଛି ୨୯ ପ୍ରତିଶତ। ଯଦିଓ ଏହା ହ୍ରାସ କରିବାକୁ ଚୀନ ଉଦ୍ୟମରତ, କିନ୍ତୁ ସଂକୋଚନର ପରିମାଣ ସାମାନ୍ୟ। ଭାରତ, ବ୍ରାଜିଲ, ଦକ୍ଷିଣ ଆଫ୍ରିକା, ଫିଲିପାଇନ୍ସ ଓ ଇେଣ୍ଡାନେସିଆ ଭଳି ରାଷ୍ଟ୍ରରେ ମଧ୍ୟ ସମାନ ସ୍ଥିତି। ଦକ୍ଷିଣ ବିଶ୍ବର ରାଷ୍ଟ୍ରଗୁଡ଼ିକ ନିରୁପାୟ, କାରଣ ସେମାନଙ୍କ ନିକଟରେ ବିଶେଷ ବିକଳ୍ପ ନାହିଁ। ଏହା ସ୍ବାଭାବିକ ଯେ ସବୁ ରାଷ୍ଟ୍ର ନିଜ ଦେଶର ସମୃଦ୍ଧି ଚାହିଁବେ। କିନ୍ତୁ ସବୁଜ ସମୃଦ୍ଧି ଲାଗି ଦକ୍ଷିଣ ବିଶ୍ବର ରାଷ୍ଟ୍ରଗୁଡ଼ିକ ନିକଟରେ ଯଥେଷ୍ଟ ସମ୍ବଳ ଓ ଜ୍ଞାନକୌଶଳ ନାହିଁ। ବିକଶିତ ରାଷ୍ଟ୍ରଗୁଡ଼ିକ ପକ୍ଷରୁ ଏହା ମିଳିବା କଥା, କିନ୍ତୁ ସେମାନେ ତାହା ଯୋଗାଇବାର ପ୍ରତିଶ୍ରୁତି ବାରମ୍ବାର ଭଙ୍ଗ କରି ଚାଲିଛନ୍ତି। ଅତୀତରେ ସେମାନେ ଜୀବାଶ୍ମ ଇନ୍ଧନ ଦହନ କରି ତହିଁରୁ ଲବ୍ଧ ଶକ୍ତି ବଳେର ସମୃଦ୍ଧ ହୋଇଛନ୍ତି। ସେମାନେ ତାହା ପାସୋରିଯିବା ଉଚିତ ନୁହେଁ। ଜଳବାୟୁ ପରିବର୍ତ୍ତନ ଲାଗି ସେମାନେ ଦକ୍ଷିଣ ବିଶ୍ବ ଆଡ଼କୁ ଆଙ୍ଗୁଳି ଦେଖାଇବା ବେଳେ ଅତୀତକୁ ସ୍ମରଣ କରି ପଶ୍ଚାତ୍ତାପ ସ୍ବରୁପ ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇବା ଉଚିତ। ‘କପ୍-୩୦’ରେ ଅନ୍ତତଃ ସେହି ଦିଗରେ କିଛି ବାସ୍ତବ ଅଗ୍ରଗତି ହେଉ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୩୪୪୬୫୪
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/19/fshhfshfsfssf-2025-11-19-00-27-53.jpg)