ପ୍ରଥମେ ମୁଁ ଯେତେବେଳେ କ୍ରିକେଟ୍ ସମ୍ପର୍କିତ ପୁସ୍ତକମାନ ପଢ଼ା ଆରମ୍ଭ କରିଥିଲି, ମୋର ମନେ ଅଛି ଯେ ସେଥିରୁ ଗୋଟିକରେ ତା’ର ଲେଖକ ତାଙ୍କୁ ପଚରାଯାଇଥିବା ଏକ ପ୍ରଶ୍ନର ଉଲ୍ଲେଖ କରିଥିଲେ: କ୍ରିକେଟ୍ ଇତିହାସରେ ସର୍ବଶ୍ରେଷ୍ଠ ଅଲ୍-ରାଉଣ୍ଡର୍ କିଏ? ଏହାର ଉତ୍ତରରେ ସେ କହିଥିଲେ ଯେ ସେଭଳି ଜଣେ ଖେଳାଳିଙ୍କ ନାମ ସେ କହିପାରିବେ ନାହିଁ, କିନ୍ତୁ ସେ ନିଶ୍ଚିତ ଯେ ସେହି ମର୍ଯ୍ୟାଦା ପାଇଁ ସର୍ବପ୍ରଥମ ଦାବିଦାର ଜଣେ ବାମ ହାତୀ ବୋଲର୍ ତଥା ଡାହାଣ ହାତୀ ବ୍ୟାଟ୍ସମ୍ୟାନ, ଯିଏ କିର୍କହିଟନ୍ ଗାଁରେ ଜନ୍ମ ହୋଇଥିେଲ।
ମୁଁ ସେହି ପୁସ୍ତକର ନାମ ଭୁଲି ଯାଇଛି, କିନ୍ତୁ ଲେଖକଙ୍କ ନାମ ମନେ ଅଛି। ସେହି ଲେଖକ ହେଉଛନ୍ତି ଏ.ଏ. ଥମ୍ସନ୍, ଯିଏ ୟର୍କସାୟର୍ କ୍ରିକେଟର୍ଙ୍କ ପକ୍ଷପାତୀ ଭାବେ ଅପଖ୍ୟାତ ଥିଲେ। ସେ ଵିଲ୍ଫ୍ରେଡ୍ ରୋଡ୍ସ ଓ ଜର୍ଜ ହିର୍ସଟ୍ଙ୍କୁ ଆଦର୍ଶ ରୂପେ ଦେଖି ବଡ଼ ହୋଇଥିଲେ। ସେମାନେ ଉଭୟ ଉକ୍ତ କାଉଣ୍ଟି ଲାଗି ଖେଳୁଥିଲେ ଏବଂ ସେମାନଙ୍କ ଜନ୍ମ ୟର୍କସାୟର୍ର କିର୍କହିଟନ୍ରେ ହୋଇଥିଲା। ଦୁହେଁ ଡାହାଣ ହାତରେ ବ୍ୟାଟିଂ କରୁଥିଲେ ଏବଂ ବାମହାତୀ ବୋଲର୍ ଥିଲେ (ହିର୍ସଟ୍ ସିମ୍ ବୋଲିଂ କରୁଥିବା ବେଳେ ରୋଡ୍ସ ସ୍ପିନ୍ କରୁଥିଲେ)। ସେହି କାରଣରୁ ସର୍ବଶ୍ରେଷ୍ଠ କ୍ରିକେଟର୍ କିଏ ବୋଲି ପ୍ରଶ୍ନର ଏଭଳି ଚତୁର ଉତ୍ତର ମିଳିଥିଲା। ଲେଖକ ଥମ୍ସନ୍, ହିର୍ସଟ୍ ଓ ରୋଡ୍ସଙ୍କ ମଧ୍ୟରୁ ଜଣଙ୍କୁ ବାଛିବାକୁ ଚାହୁଁ ନ ଥିଲେ- କିନ୍ତୁ ଏ କଥା ତାଙ୍କୁ ଜଣା ଥିଲା ଯେ କେବଳ ସେହି ଦୁଇ ଜଣ ହିଁ ସେହି ମର୍ଯ୍ୟାଦା ପାଇଁ ଯୋଗ୍ୟ।
ଏ.ଏ. ଥମ୍ସନ୍ଙ୍କୁ ପଢ଼ିଥିବା କାରଣରୁ କର୍ଣ୍ଣାଟକ କ୍ରିକେଟ୍ ସହିତ ମୁଁ ନିଜକୁ ପରିଚିତ କରାଇଥିଲି। ସେ ହିଁ ମୋତେ କ୍ରୀଡ଼ା ପ୍ରଶଂସକ ରୂପେ ନିଜ ରାଜ୍ୟ/ଦେଶର ଦଳକୁ ଅନ୍ୟ ଦେଶର ଦଳ ଠାରୁ ଉଚ୍ଚରେ ରଖିବା ପାଇଁ ଉତ୍ସାହିତ କରିଥିଲେ। ତଥାପି ଥମ୍ସନ୍ଙ୍କ ପକ୍ଷପାତର ମାତ୍ରା ସୀମା ଟପି ଯାଉଛି ବୋଲି ସେ ସମୟରେ ମୁଁ ଅନୁଭବ କରିପାରୁଥିଲି। ଥମ୍ସନ୍ ଯେହେତୁ ୧୯୬୦ ଦଶକରେ ବହିଟିକୁ ଲେଖିଥିଲେ, ତେଣୁ ଏହା ସ୍ବାଭାବିକ ଥିଲା ଯେ ସେହି ସମୟରେ ସର୍ବଶ୍ରେଷ୍ଠ ଅଲ୍-ରାଉଣ୍ଡର୍ ହେବା ପାଇଁ ଜଣେ ମାତ୍ର ପ୍ରାର୍ଥୀ ଉପଲବ୍ଧ ଥିଲେ। ସେ ବାମହାତରେ ଉଭୟ ବ୍ୟାଟିଂ ଓ ବୋଲିଂ କରୁଥିଲେ ଏବଂ ଜନ୍ମ ହୋଇଥିଲେ କ୍ଷୁଦ୍ର କ୍ୟାରେବିୟାନ୍ ଦ୍ବୀପ ବାର୍ବାଡୋସ୍ରେ। ହିର୍ସଟ୍ ଓ ରୋଡ୍ସଙ୍କ ନାମରେ ଉତ୍କୃଷ୍ଟ ଜାତୀୟ ସ୍ତରୀୟ ରେକର୍ଡ ଥିଲା, କିନ୍ତୁ ଟେଷ୍ଟ କ୍ରିକେଟ୍ରେ ସେମାନଙ୍କ କୃତି ଗାର୍ଫିଲ୍ଡ ସେଣ୍ଟ ଓବର୍ନ ସୋବର୍ସଙ୍କ ତୁଳନାରେ ତୁଚ୍ଛ ଥିଲା।
କ୍ୟାମ୍ବ୍ରିଜ୍ର ଗଣିତଜ୍ଞ ଜି. ଏଚ୍. ହାର୍ଡି କ୍ରିକେଟ୍ ପାଗଳ ଥିଲେ। ସେ ଏକଦା ମନ୍ତବ୍ୟ ଦେଇଥିଲେ ଯେ କ୍ରିକେଟ୍ ଖେଳିଥିବା ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ୍ଙ୍କ ତୁଳନାରେ ଡନ୍ ବ୍ରାଡ୍ମ୍ୟାନ୍ ସଂପୂର୍ଣ୍ଣ ଭିନ୍ନ ଶ୍ରେଣୀୟ। ହାର୍ଡି ୧୯୪୭ରେ ମୃତ୍ୟୁବରଣ କଲେ; ଯଦି ସେ ଆଉ କୋଡ଼ିଏ ବର୍ଷ ବଞ୍ଚିଥାନ୍ତେ, ତେବେ ସେ ଅବଶ୍ୟ ଏ କଥା ଯୋଡ଼ିଥାନ୍ତେ ଯେ ଅନ୍ୟ ସମସ୍ତ ଅଲ୍-ରାଉଣ୍ଡର୍ଙ୍କ ତୁଳନାରେ ସୋବର୍ସ ହେଉଛନ୍ତି ଭିନ୍ନ ଏକ ଶ୍ରେଣୀର।
୧୯୬୬ ଗ୍ରୀଷ୍ମରେ ମୁଁ ରେଡିଓରେ କ୍ରିକେଟ୍ ଧାରା ବିବରଣୀ ଶୁଣିବା ଆରମ୍ଭ କରିଥିଲି। ସେହି କ୍ରିକେଟ୍ ଶୃଙ୍ଖଳା ଇଂଲାଣ୍ଡରେ ଖେଳା ଯାଉଥିଲା। ସେବେ ଠୁ ମୁଁ ସୋବର୍ସଙ୍କ ସ୍ବାତନ୍ତ୍ର୍ୟର ପ୍ରଶଂସକ ପାଲଟି ଯାଇଥିଲି। ଏହି ଶୃଙ୍ଖଳାକୁ ୱେଷ୍ଟ ଇଣ୍ଡିଜ୍ ୩-୧ରେ ଜିଣିଯାଇଥିଲା। ମୋର ସ୍ମୃତିଶକ୍ତି ଯଦି ଠିକ୍ ଥାଏ, େତବେ ୱେଷ୍ଟ ଇଣ୍ଡିଜ୍ ଦଳର ଅଧିନାୟକ ୭୦୦ ରନ୍ ହାସଲ କରିଥିଲେ, ୨୦ ଵିକେଟ୍ ନେଇଥିଲେ ଓ ଦଶଟି କ୍ୟାଚ୍ ଧରିଥିଲେ। ପରବର୍ତ୍ତୀ ଶୀତ କାଳରେ ୱେଷ୍ଟ୍ ଇଣ୍ଡିଜ୍ ଦଳ ଭାରତକୁ ଆସିଥିଲା, ଯେଉଁଥିରେ ସୋବର୍ସ ପୁଣି ନିଜ ଦଳକୁ ସିରିଜ୍ ବିଜେତା କରାଇବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ।
ବ୍ରାଡ୍ମ୍ୟାନ୍ ଓ ସୋବର୍ସ ନିଜ ନିଜ ଶୈଳୀରେ ଉତ୍କୃଷ୍ଟ ଥିଲେ। କ୍ରିକେଟ୍ରେ ସେମାନଙ୍କ ସ୍ଥାନ ଇଂରେଜୀ ସାହିତ୍ୟରେ ସେକ୍ସପିଅର୍ଙ୍କ ସ୍ଥାନ ସହ ତୁଳନୀୟ। ଇଂରେଜୀ ସାହିତ୍ୟରେ ଦ୍ବିତୀୟ ସର୍ବକାଳୀନ ଶ୍ରେଷ୍ଠ ଲେଖକ କିଏ ସେ ନେଇ ବିତର୍କ ନିହାତି ହେବା ଉଚିତ। ସେ ଵର୍ଡସ୍ଵର୍ଥ, ଚସର, ଜର୍ଜ ଇଲିଅଟ୍, ଚାର୍ଲସ୍ ଡିକେନ୍ସ ନା ଆଉ କିଏ? ଅନୁରୂପ ଭାବେ କ୍ରିକେଟ୍ ଇତିହାସରେ ଦ୍ବିତୀୟ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ, ଦ୍ବିତୀୟ ଶ୍ରେଷ୍ଠ ଅଲ୍-ରାଉଣ୍ଡର୍ କିଏ ତାହା ନିରୂପଣ କରିବା ମଧ୍ୟ ସମୁଚିତ। ଏହି ସ୍ତମ୍ଭଟି ଶେଷ ପ୍ରଶ୍ନ ଉପରେ ଧ୍ୟାନ କେନ୍ଦ୍ରିତ କରିବ।
ଗାରଫିଲ୍ଡ ସୋବର୍ସ ୧୯୫୪ରେ ପ୍ରଥମ ଥର ୱେଷ୍ଟ୍ ଇଣ୍ଡିଜ୍ ଦଳରେ ସାମିଲ ହୋଇଥିଲେ। ତାହାର ପ୍ରାୟ ଆଠ ଦଶନ୍ଧି ପୂର୍ବରୁ ୧୮୭୭ରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳା ଯାଇଥିଲା। ସୋବର୍ସଙ୍କ ପୂର୍ବରୁ କିଏ ସର୍ବଶ୍ରେଷ୍ଠ ଅଲ୍-ରାଉଣ୍ଡର୍ ଥିଲେ ବିଚାର କରିବା ବେଳେ କେତେକ ନାମ ମନକୁ ଆସୁଛି। ପୂର୍ବରୁ ଉଲ୍ଲେଖ କରାଯାଇଥିବା ହିର୍ସଟ୍ ଓ ରୋଡ୍ସଙ୍କ ଛଡ଼ା ୟର୍କସାୟର୍ର ତୃତୀୟ ଦାବିଦାର ହେଉଛନ୍ତି ଏଫ୍. ଏସ୍. ଜ୍ୟାକ୍ସନ୍ ଏବଂ ଅଷ୍ଟ୍ରେଲିଆର ମଣ୍ଟି ନୋବେଲ ଓ ଦକ୍ଷିଣ ଆଫ୍ରିକାର ଜି. ଏ. ଫକ୍ନର୍। ଏ ସମସ୍ତଙ୍କର ଭଲ ଟେଷ୍ଟ୍ ରେକର୍ଡ ରହିଥିଲା। କିଥ୍ ମିଲର୍ଙ୍କୁ ବି ଏଥିରେ ସାମିଲ କରିବା ନେଇ ଯୁକ୍ତି କରାଯାଇପାରେ, ଯିଏ ବ୍ରାଡ୍ମ୍ୟାନ୍ଙ୍କ ପରାକ୍ରମୀ ଅଷ୍ଟ୍ରେଲୀୟ ଦଳର ଜଣେ ମୁଖ୍ୟ ସଦସ୍ୟ ଥିଲେ। ସେ ଆକ୍ରାମକ ବ୍ୟାଟ୍ସମ୍ୟାନ ଭାବେ ଯେତିକି ଚିତ୍ତାକର୍ଷକ ଥିଲେ, ଫାଷ୍ଟ୍ ବୋଲର୍ ଭାବେ ସେତିକି ଦୁର୍ଦ୍ଧର୍ଷ ମଧ୍ୟ ଥିଲେ। ଏହା ଛଡ଼ା ସେ ଜଣେ ଚମତ୍କାର ସ୍ଲିପ୍ ଫିଲ୍ଡର୍ ଥିଲେ।
ସୋବର୍ସଙ୍କ ପରେ ଦ୍ବିତୀୟ ଶ୍ରେଷ୍ଠ ଅଲ୍-ରାଉଣ୍ଡର୍ ଅନ୍ବେଷଣ କଲା ବେଳେ ୧୯୭୦ ଓ ୧୯୮୦ ଦଶକର ଚାରି ଜଣ ଉଲ୍ଲେଖନୀୟ ଖେଳାଳିଙ୍କ ସମ୍ପର୍କରେ ବିଚାର କରିବା ଉଚିତ- ନ୍ୟୁଜିଲାଣ୍ଡ୍ର ରିଚାର୍ଡ ହାଡ୍ଲି, ପାକିସ୍ତାନର ଇମ୍ରାନ ଖାଁ, ଇଂଲଣ୍ଡର ଇଆନ୍ ବୋଥାମ୍ ଓ ଭାରତର କପିଳ ଦେବ। ସଂଯୋଗକୁ ଏମାନେ ସମସ୍ତେ ସମସାମୟିକ ଥିଲେ। ହାଡ୍ଲି ଥିଲେ ଅନ୍ୟ ସଭିଙ୍କ ତୁୁଳନାରେ ଶ୍ରେଷ୍ଠ ବୋଲର୍। ଭାରତୀୟ ଦଳର ସ୍ଥିତି ଓ ସେ କାଳର ଅପାରଗ ସ୍ଲିପ୍ ଫିଲ୍ଡର୍ଙ୍କୁ ନେଇ କପିଳ ଭାରତୀୟ ଦଳର ଫାଷ୍ଟ ବୋଲର୍ ହେବାର ଗୁରୁ ଦାୟିତ୍ବ ତୁଲାଇଥିଲେ। ଏହି ଚାରିଜଣିଆ ତାଲିକର ଶୀର୍ଷ ସ୍ଥାନ ପାଇଁ ଅଧିକାଂଶ ବିଚାରକ ଇମ୍ରାନ ଅଥବା ବୋଥାମଙ୍କୁ ବାଛିବେ, କାରଣ ଉଭୟ ବ୍ୟାଟ୍ ଓ ବଲ୍ ସହିତ ସମାନ ଭାବେ ବିଚକ୍ଷଣ ଥିଲେ।
ମୁଁ ହାଡ୍ଲି, ଇମ୍ରାନ, ବୋଥାମ୍ ଓ କପିଳଙ୍କ ବହୁତ ଖେଳ ଦେଖିଛି ଏବଂ ସେମାନଙ୍କର ଅପାର ପ୍ରଶଂସା କରିଛି। ସେମାନେ ମହାନ ଥିଲେ ସତ, କିନ୍ତୁ ମୁଁ ଦକ୍ଷିଣ ଆଫ୍ରିକାର ଲାଜକୁଳା, କମ୍ ପ୍ରଚାରପ୍ରିୟ ଜ୍ୟାକ୍ କାଲିସ୍ଙ୍କୁ ସେହି ତାଲିକାର ଶୀର୍ଷ ସ୍ଥାନ ପାଇଁ ବାଛିବି। ଵର୍ନ, ଲାରା ଓ ତେନ୍ଦୁଲକରଙ୍କ ଭଳି ଅତ୍ୟନ୍ତ ଆକର୍ଷଣୀୟ ଖେଳାଳି କାଲିସ୍ଙ୍କ ସମସାମୟିକ ଥିଲେ। ସେହି କାରଣରୁ ସେ କେବେ ବିଶ୍ବ କ୍ରିକେଟ୍ ପ୍ରଶଂସକଙ୍କ ଯଥାଯୋଗ୍ୟ ଧ୍ୟାନ ବା ସମ୍ମାନ ପାଇନଥିଲେ। କିନ୍ତୁ ଏହି ପ୍ରଶଂସକର ମନ ଓ ହୃଦୟରେ ସେ ସର୍ବଦା ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ରହିଛନ୍ତି। ୨୦୧୨ରେ ‘ଦି ଟେଲିଗ୍ରାଫ୍’ରେ ପ୍ରକାଶିତ ଏକ ସ୍ତମ୍ଭରେ ମୁଁ କାଲିସ୍ଙ୍କ ବହୁମୁଖୀ ବ୍ୟାଟିଂ ପ୍ରତିଭା, ସ୍ବିଙ୍ଗ୍ ବୋଲିଂ ଦକ୍ଷତା ଓ ଚମତ୍କାର ସ୍ଲିପ୍ କ୍ୟାଚ୍ ସାମର୍ଥ୍ୟ ସମ୍ପର୍କରେ ଲେଖି ‘ବିଶ୍ବ କ୍ରିକେଟ୍ର ସବୁଠାରୁ ମୂଲ୍ୟବାନ ଖେଳାଳି’ ରୂପେ ସଲାମ କରିଥିଲି।
ଜ୍ୟାକ୍ କାଲିସ୍ ଦଶ ବର୍ଷ ହେଲା ଅବସର ନେଇସାରିଲେଣି। ତା’ ହେଲେ ଆଜିର କ୍ରିକେଟ୍ ଜଗତରେ ସବୁଠାରୁ ମୂଲ୍ୟବାନ ଖେଳାଳି କିଏ? ଇଂଲାଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସଙ୍କୁ ଏହି ମାନ୍ୟତା ପ୍ରଦାନ କରାଯିବାକୁ ମୁଁ ସମର୍ଥନ କରିବି। ବର୍ତ୍ତମାନ ଚାଲୁଥିବା ଆସେସ୍ ଶୃଙ୍ଖଳାରେ ତାଙ୍କର ଅଦ୍ବିତୀୟ ପ୍ରତିଭାର ନିଚ୍ଛକ ପ୍ରଦର୍ଶନ ଦେଖିବାକୁ ମିଳୁଛି। ଲର୍ଡସ୍ ଟେଷ୍ଟର ଶେଷ ଦିନରେ ତାଙ୍କ ବ୍ୟାଟିଂ ଦେଖି ୧୯୮୧ରେ ହେଡିଂଲେରେ ଇଆନ୍ ବୋଥାମ୍ଙ୍କ ଇନିଂସ୍ କଥା ମନେ ପଡ଼ିଗଲା, ଯାହା ପ୍ରକାରାନ୍ତରେ ତାଙ୍କ ଦଳକୁ ଏକ ସୁଖଦ ପରିଣାମ ପ୍ରଦାନ କରିଥିଲା। ମୋ ବିଚାରରେ ବୋଥାମ୍ଙ୍କ ତୁଳନାରେ ଷ୍ଟୋକ୍ସ ହେଉଛନ୍ତି ଜଣେ ଉତ୍କୃଷ୍ଟତର ଖେଳାଳି। ସେ ସବୁ ଦିଗରୁ ଓ ସବୁ ପରିସ୍ଥିତିରେ ତାଙ୍କର ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିଛନ୍ତି, ଯେତେବେଳେକି ଦକ୍ଷିଣ ଆଫ୍ରିକା ବିରୋଧରେ ବୋଥାମ୍ଙ୍କର ରେକର୍ଡ ଖରାପ ଥିଲା। ଉଭୟ ଟେଷ୍ଟ ଓ ଅଳ୍ପ ଅବଧିଯୁକ୍ତ ମ୍ୟାଚ୍ରେ ବୋଥାମଙ୍କ ତୁଳନାରେ ଷ୍ଟୋକ୍ସ ଶାରୀରିକ ଦୃଷ୍ଟିରୁ ଅଧିକ ସମର୍ଥ (ଏକଦିନିକିଆ ଖେଳରେ ବୋଥାମ୍ଙ୍କର ରେକର୍ଡ ମଧ୍ୟମ ଧରଣର ଥିଲା) ଏବଂ ଜଣେ ପ୍ରେରଣାଦାୟକ ଅଧିନାୟକ ରହିଆସିଛନ୍ତି (ଯାହା ବୋଥାମ କଦାପି ନ ଥିଲେ କି ହୋଇପାରି ନ ଥାନ୍ତେ)।
୨୦୧୯ ଯାଏ ଜଣେ ଦାମ୍ଭିକତାର ସହ ଦାବି କରିପାରନ୍ତେ ଯେ ଇଂଲାଣ୍ଡର ସର୍ବଶ୍ରେଷ୍ଠ ଅଲ୍-ରାଉଣ୍ଡର୍ ଥିଲେ ହେସ୍ଵାଲ୍ ଅନ୍ତର୍ଗତ ଚେସାୟର୍ ଗ୍ରାମରେ ଜନ୍ମିତ ଜଣେ ଖେଳାଳି, ଯିଏ ତାଙ୍କ କ୍ୟାରିଅର୍ର ଅଧିକାଂଶ ଭାଗ ସମର୍ସେଟ୍ ଦଳ ପାଇଁ ଖେଳିଥିଲେ। ସେ ଡାହାଣ ହାତରେ ଉଭୟ ବୋଲିଂ ଓ ବ୍ୟାଟିଂ କରୁଥିଲେ ଏବଂ ଅଧିକାଂଶ ସମୟ ସ୍ଲିପ୍ରେ ଫିଲ୍ଡିଂ କରୁଥିଲେ। ୨୦୧୯ର ବିଶ୍ବ କପ୍ ଓ ଆସେସ୍ ଶୃଙ୍ଖଳାରେ ଯାହା ଘଟିଲା, ତାହା ପରେ ଏହି ଦାବି ଆଉ ସେତେ ସମର୍ଥନଯୋଗ୍ୟ ହୋଇ ରହିନାହିଁ। ମୁଁ ଦିନକୁ ଦିନ ଏହି ମତ ଆଡ଼କୁ ଢଳିବାରେ ଲାଗିଛି ଯେ ଇଂଲାଣ୍ଡ ଜର୍ସି ପିନ୍ଧିଥିବା ସର୍ବଶ୍ରେଷ୍ଠ ଅଲ୍-ରାଉଣ୍ଡର୍ ନ୍ୟୁଜିଲାଣ୍ଡ୍ର ସର୍ବବୃହତ୍ ସହର ଖ୍ରୀଷ୍ଟଚର୍ଚ୍ଚରେ ଜନ୍ମ ହୋଇଥିଲେ। ସେ ବାମ ହାତୀ ବ୍ୟାଟସମ୍ୟାନ ଓ ଡାହାଣ ହାତୀ ବୋଲର ଏବଂ ଯେକୌଣସି ସ୍ଥାନରେ ବିଚକ୍ଷଣ ଫିଲ୍ଡିଂ କରିପାରନ୍ତି।
ମହାନ ଅଲ୍-ରାଉଣ୍ଡ୍ଙ୍କ ଅନ୍ବେଷଣରେ ମୁଁ ଏ ଯାବତ୍ ବ୍ୟାଟ୍ ଓ ବଲ୍ ସହିତ ନିଜର ଦକ୍ଷତା ଲାଗି ଜଣାଶୁଣା ଖେଳାଳିଙ୍କ ବିଷୟରେ ଆଲୋଚନା କରିଛି। କିନ୍ତୁ ଆଉ ଏକ ବର୍ଗର ଅଲ୍-ରାଉଣ୍ଡର୍ ଅଛନ୍ତି, ଯେଉଁମାନେ ଵିକେଟ୍ ଆଗ ଓ ପଛରେ ଯଥାକ୍ରମେ ବ୍ୟାଟ୍ ଓ ଗ୍ଲୋଭ୍ ସହିତ ବେଶ୍ ପାରଙ୍ଗମ। ଏହି ବର୍ଗକୁ ଯଦି ସମୀକରଣ ଭିତରକୁ ଅଣାଯାଏ, ତେବେ ଏହି ଆଲୋଚନା ଆହୁରି ଆକର୍ଷଣୀୟ ହୋଇଯିବ। କୁମାର ସାଙ୍ଗାକାରା ଓ ମହେନ୍ଦ୍ର ସିଂହ ଧୋନୀଙ୍କ ସହିତ ଆଡାମ୍ ଗିଲଖ୍ରିଷ୍ଟ ଏହି ବର୍ଗର ଶ୍ରେଷ୍ଠ ଖେଳାଳି ଭାବେ ପରିଗଣିତ ହେବେ।
‘ଗ୍ୟାରି ସୋବର୍ସଙ୍କ ପରେ (ବା ତାଙ୍କ ଛଡ଼ା) ଦ୍ବିତୀୟ ଶ୍ରେଷ୍ଠ ଅଲ୍-ରାଉଣ୍ଡର୍ କିଏ ଥିଲେ?’ ଏ ପ୍ରଶ୍ନର ଉତ୍ତର ଖୋଜିବା ଲାଗି ମୁଁ ଏକ ଡଜନରୁ ଅଧିକ ଖେଳାଳିଙ୍କ ସମ୍ପର୍କରେ ଆଲୋଚନା କରିଛି। ଏହି ତାଲିକାରୁ ଗୋଟିଏ ବା ଦୁଇଟି ନାମ ବାଛିବା କିପରି? କ୍ରିକେଟ୍ ପ୍ରଶଂସକଙ୍କ ଜାତୀୟତା ଓ ପିଢ଼ି ହିଁ ଶକ୍ତିଶାଳୀ ଢଙ୍ଗରେ ନିରୂପଣ କରିଥାଏ ଯେ କେଉଁ ଖେଳାଳି ପ୍ରତି ସେମାନେ ପକ୍ଷପାତୀ ହେବେ। ଜଣେ ପ୍ରଶଂସକର ପିଲାବେଳର ହିରୋ ସର୍ବାଦା ତା’ ଚେତନାରେ ମହତ୍ତ୍ବପୂର୍ଣ୍ଣ ସ୍ଥାନ ଗ୍ରହଣ କରିଥାନ୍ତି; ସେହିଭଳି ନିଜ ଦେଶ ଓ ରାଜ୍ୟ ଖେଳାଳିମାନେ ମଧ୍ୟ ତା’ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇପାରନ୍ତି। ସେହି କାରଣରୁ ହିର୍ସଟ୍ ଓ ରୋଡ୍ସଙ୍କ ପ୍ରତି ଏ. ଏ. ଥମ୍ସନ୍ ପକ୍ଷପାତ ପ୍ରଦର୍ଶନ କରୁଥିଲେ। କିନ୍ତୁ, ଗ୍ୟାରି ସୋବର୍ସଙ୍କ ପରେ ସର୍ବଶ୍ରେଷ୍ଠ ଅଲ୍-ରାଉଣ୍ଡର୍ ମନୋନୀତ କରିବା ବେଳେ ମୁଁ ଜ୍ୟାକ୍ କାଲିସ୍ ଓ ଆଡାମ୍ ଗିଲ୍ଖ୍ରିଷ୍ଟଙ୍କ ଭିତରୁ ଜଣଙ୍କୁ ବାଛିବାରେ ଦ୍ବନ୍ଦ୍ବର ସମ୍ମୁଖୀନ ହେଉଛି; ସେମାନଙ୍କ ମଧ୍ୟରୁ କେହି କିନ୍ତୁ ଭାରତୀୟ ନୁହନ୍ତି ଏବଂ ଉଭୟ ମୋ ଠାରୁ ଢେର୍ ସାନ ମଧ୍ୟ।
[email protected]
ସା˚ପ୍ରତିକୀ: ସୋବର୍ସଙ୍କ ପରେ କିଏ?
ରାମଚନ୍ଦ୍ର ଗୁହା
/sambad/media/post_attachments/wp-content/uploads/2023/07/54564hsfhhfhffhfh.jpg)