ସାଇବର ଠକେଇରେ ରେକର୍ଡ‌୍ : ତିନିମାସରେ ୧୨୮ କୋଟି

ଦର୍ପଣ

ଭାରତୀୟ ରିଜର୍ଭ ବ୍ୟାଙ୍କର ଏକ ରିପୋର୍ଟରୁ ପ୍ରକାଶ ପାଇଛି ଯେ ଗତ ବର୍ଷ ଅକ୍ଟୋବର ମାସ ପହିଲାରୁ ଡିସେମ୍ବର ୩୧ ମଧ୍ୟରେ ବିଭିନ୍ନ ସାଇବର୍ ଅପରାଧୀଙ୍କ ଦ୍ବାରା ଦେଶରେ ସମୁଦାୟ ୧୨୮ କୋଟି ଟଙ୍କାର ଠକେଇ ହୋଇଛି। ବର୍ଷର ଏକ ଚଉଠ ମଧ୍ୟରେ ଏଭଳି ଠକେଇ ଭିତରେ ଏହାର ପରିମାଣ ସର୍ବାଧିକ।

୨୦୧୯ ମସିହାର ଶେଷ ଚଉଠରେ ମୁଖ୍ୟତଃ ଡେବିଟ୍ ଓ କ୍ରେଡିଟ୍ କାର୍ଡ ଏବଂ ଅନ୍‍‌ଲାଇନ୍ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଚଞ୍ଚକତାର ୨୧,୦୪୧ଟି ମାମଲା ରୁଜୁ କରାଯାଇଛି। ସେ ମଧ୍ୟରୁ ସର୍ବାଧିକ ୧୧,୦୫୮ଟି ମାମଲାରେ ଏଟିଏମ୍‌ ବା ଡେବିଟ୍ କାର୍ଡ ବ୍ୟବହାରକାରୀମାନେ ପ୍ରାୟ ୯୪.୫ କୋଟି ଟଙ୍କା ହରାଇଛନ୍ତି। ଏହା ପଛକୁ ଅଛନ୍ତି ୬,୧୧୮ ଜଣ କ୍ରେଡିଟ୍ କାର୍ଡ ବ୍ୟବହାରକାରୀ, ଯେଉଁମାନେ ସମୁଦାୟ ୧୯.୭ କୋଟି ଟଙ୍କା ହରାଇଛନ୍ତି। ସେହିଭଳି ୩,୮୬୬ ଜଣ ନେଟ୍ ବ୍ୟାଙ୍କିଙ୍ଗ ଉପରେ ଭରସା ରଖିଥିବା ଲୋକେ ୧୩.୬ କୋଟି ଟଙ୍କା ହରାଇଛନ୍ତି। ୨୦୧୭ ମସିହା ଏପ୍ରିଲ୍ ମାସଠାରୁ ୨୦୧୯ ଡିସେମ୍ବର ମଧ୍ୟରେ ଦେଶର ବ୍ୟାଙ୍କ ଉପଭୋକ୍ତାମାନେ ସର୍ବମୋଟ ୫୪୭ କୋଟି ଟଙ୍କା ହରାଇଛନ୍ତି।

ବିଭିନ୍ନ କ୍ଷେତ୍ରରେ ନଗଦ ଅର୍ଥ କାରବାର ପରିବର୍ତ୍ତେ ଡେବି଼ଟ୍ ଓ କ୍ରେଡିଟ୍ କାର୍ଡର ବ୍ୟବହାର ବଢ଼ିବାରେ ଲାଗିଛି। ସେଥି ସହିତ ଠକେଇ ଉଦ୍‍ବେଗଜନକ ଭାବେ ବଢ଼ିବାରେ ଲାଗିଛି। ଏଥିରେ ଲାଗି ରହିଥିବା ଲୋକଙ୍କ ମଧ୍ୟରେ ଅ‌େନକ ବିଚକ୍ଷଣ ‘ହ୍ୟାକର୍‌’ ଅଛନ୍ତି। କେବଳ ସେତିକି ନୁହେଁ ଏଭଳି କାର୍ଯ୍ୟରେ ସହାୟତା କରିବା ଲାଗି ଅନେକ ପ୍ରଯୁକ୍ତିର ବିକାଶ ମଧ୍ୟ ହେଉଛି। ଉଦାହରଣ ସ୍ବରୂପ ଅତ୍ୟନ୍ତ ଛୋଟ କ୍ୟାମେରା ଯାହାକୁ ଏଟିଏମ୍‌ ମେସିନରେ ଅତି ଗୋପନୀୟ ଭାବେ ଖଞ୍ଜି ଦିଆଯାଇ ତା ଜରିଆରେ ଏଟିଏମ୍‌ ବ୍ୟବହାରକାରୀମାନଙ୍କ କାର୍ଡର ବିଭିନ୍ନ ତଥ୍ୟ ହାସଲ କରିନିଆ‌ଯାଉଛି, ଯାହାଦ୍ବାରା ସେମାନଙ୍କ ଆକାଉଣ୍ଟରୁ ଅର୍ଥ ହଡ଼ପ କରିବା ସମ୍ଭବ ହେଉଛି। ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କରାଯିବା ଅତ୍ୟନ୍ତ ଜରୁରି ହୋଇ ପଡ଼ିଛି।

ସମ୍ବନ୍ଧିତ ଖବର