ପ୍ରଫୁଲ୍ଲ କୁମାର ସାହୁ

Advertisment

ଦାଦନ ଶ୍ରମିକଙ୍କ ଦୁର୍ଦ୍ଦଶାକୁ ନେଇ ଗଣମାଧ୍ୟମରେ ଅନେକ ସମୟରେ ବିମର୍ଷକର ସମ୍ବାଦମାନ ପ୍ରକାଶ ପାଇଥାଏ। ଓଡ଼ିଶାର ଅନେକ ଶ୍ରମିକ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଆନ୍ତିି ଏବଂ ଅସ୍ୱାସ୍ଥ୍ୟକର ପରିବେଶ, ଅକ୍ଳାନ୍ତ ଶ୍ରମ ଓ ମାଲିକର ନିର୍ଯାତନା ଭୋଗନ୍ତି। ଓଡ଼ିଆମାନେ ରାଜ୍ୟ ବାହାରକୁ ଯାଇ କାମ କରିବା କିଛି ନୂଆ କଥା ନୁହେଁ, ଯାହାର ଇତିହାସ ବହୁ ପୁରୁଣା। ଓଡ଼ିଆ ଜାତିର ଅଣ୍ଟା ଭାଙ୍ଗି ଦେଇଥିବା ୧୮୬୬ ମସିହାର ନ’ଅଙ୍କ ଦୁର୍ଭିକ୍ଷ କାଳରେ ପେଟ ପାଟଣା ପାଇଁ ଅନେକ ଓଡ଼ିଆ ଭିଟାମାଟି ଛାଡ଼ି କଲିକତା, ଆସାମ ଏପରିକି ସେ କାଳର ବର୍ମାର ରେଙ୍ଗୁନ ପର୍ଯ୍ୟନ୍ତ ଚାଲି ଯାଇଥିଲେ। 
ଓଡ଼ିଶାର ଗ୍ରାମୀଣ ଅର୍ଥନୀତି ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ। ଆଗେ ବ୍ୟାପକ ଜଳସେଚନ ବ୍ୟବସ୍ଥା ନ ଥିବାରୁ ଧାନଚାଷ ପରେ ଜମି ପଡ଼ିଆ ରହୁଥିଲା ଏବଂ ସେହି ସମୟତକ ଲୋକେ ହାତ ବାନ୍ଧି ବସି ରହୁଥିଲେ ଅବା କିଛି ଉପାର୍ଜନ କରିବା ଲାଗି ଦେଶାନ୍ତରୀ ହେବାକୁ ବାଧ୍ୟ ହେଉଥିଲେ। କବି‌ ସଚ୍ଚି ରାଉତରାୟ ତାଙ୍କର ପ୍ରସିଦ୍ଧ କବିତା ‘ଛୋଟ ମୋର ଗାଁଟି’ରେ ସେହି କଥା ଲେଖିଛନ୍ତି। 
ସେ ଲେଖିଥିଲେ: ‘‘ଉଚ୍ଛନ୍ନ ହେଲେ ଆସାମ ଗଲେ ଘରେ ତ ଚାଷୀ ନାହାନ୍ତି, ଦେଏଣା ଭାର ସକଳେ ହାୟ ରେଙ୍ଗୁନ ଭୂମି ଧାଆଁନ୍ତି”। 
ଏବେ ମଧ୍ୟ ଅସଂଖ୍ୟ ଓଡ଼ିଆ ପେଟପାଟଣା ଲାଗି ବାହାର ରାଜ୍ୟ ବା ଦେଶରେ ଯାଇ କାମ କରୁଛନ୍ତି। ଗୁଜରାଟର ସୁରତରେ ଓଡ଼ିଆ‌ କାରିଗରଙ୍କ ସଂଖ୍ୟା ବହୁତ ଅଧିକ। ସେମାନେ ନ ହେଲେ ସୁରତର ହୀରା କାରଖାନା କିଭଳି ଦଶା ଭୋଗିପାରେ, ତା’ର ଧାରଣା ମିଳିଥିଲା କୋଭିଡକାଳୀନ ଲକଡାଉନ ସମୟରେ। ତେଣୁ କହିହେବ ଯେ ସେଠାରେ ଓଡ଼ିଆ ଶ୍ରମିକମାନଙ୍କ ଚାହିଦା ଓ ଆଧିପତ୍ୟ ମଧ୍ୟ ଅଛି। କିନ୍ତୁ ଦାଦନ ଶ୍ରମିକଙ୍କ ସ୍ଥିତି ଅଲଗା। ସେମାନେ ଅତି ଦରିଦ୍ର ଓ ଅଣକୁଶଳୀ। ନିଜ ଆବଶ୍ୟକତା ମେଣ୍ଟାଇବା ଲାଗି ସେମାନେ ସର୍ଦ୍ଦାର (ଦଲାଲ) ଠାରୁ ଯେଉଁ ଅଗ୍ରିମ ଅର୍ଥ ନେଇ ଥାଆନ୍ତି, ତାହା ଦାଦନ ନାମରେ ପରିଚିତ, ଯାହାକୁ ପରିଶୋଧ କରିବା ଲାଗି ସର୍ଦ୍ଦାର ସେମାନଙ୍କୁ ରାଜ୍ୟ ବାହାରେ ବିଭିନ୍ନ କାମରେ ଲଗାଇଥାଏ। ଏମାନଙ୍କ ସହା‌‌ୟତା ଲାଗି କୌଣସି ଶ୍ରମ ମଙ୍ଗଳ ନିୟମ ନ ଥାଏ ଏବଂ ବସ୍ତୁତଃ ଏମାନଙ୍କ ସ୍ଥିତି କ୍ରୀତଦାସ ଭଳି ହୋଇଯାଏ।
୧୯୩୧ ମସିହା ଜନଗଣନାରୁ ଜଣା ପଡ଼ିଥିଲା ଯେ ସେହି ସମୟରେ ପ୍ରାୟ ୪୩ ହଜାର ଓଡ଼ିଆ ଶ୍ରମିକ ବର୍ମାର ବିଭିନ୍ନ କଳକାରଖାନାରେ କାମ କରୁଥିଲେ। ସେମାନଙ୍କ ସଂଘର୍ଷପୂର୍ଣ୍ଣ କାହାଣୀ ପ୍ରକାଶ ପାଉଥିଲା ସାପ୍ତାହିକ ‘ନବୀନ’ (୧୯୩୪) ଓ ଅନ୍ୟାନ୍ୟ ପତ୍ରପତ୍ରିକାରେ। ସ୍ବାଧୀନତା ପୂର୍ବରୁ ଗାନ୍ଧୀଜୀ ଆରମ୍ଭ କରିଥିଲେ ଚରଖା ଆନ୍ଦୋଳନ। ତାଙ୍କ ଉଦ୍ଦେଶ୍ୟ ଥିଲା ପ୍ରତ୍ୟେକ ଲୋକଙ୍କ ହାତକୁ କାମ‌ ଯୋଗାଇବା। ଚରଖା ଥିଲା ଏହାର ପ୍ରତୀକ। ଶ୍ରମ ଆଧାରିତ ଅର୍ଥନୀତି ଉପରେ ପ୍ରାଧାନ୍ୟ ଦେଇ ସେ କହୁଥିଲେ ଯେ ପ୍ରତ୍ୟେକ ଗାଁରେ ଗ୍ରାମ୍ୟ ଶିଳ୍ପ ଓ ଉତ୍ପାଦନ କେନ୍ଦ୍ର ଗଢ଼ିଉଠିବା ଉଚିତ। ସ୍ବାଧୀନତା ପରେ ଭାରତୀୟ ଅର୍ଥନୀତି ଗାନ୍ଧୀ ବିଚାର ଛାଡ଼ି ବୃହତ୍‌ ଶିଳ୍ପକୈନ୍ଦ୍ରିକ ହୋଇଗଲା। ତେଣୁ ଗ୍ରାମର କୁଟୀର ଶିଳ୍ପ ପ୍ରାୟ ବିଲୁପ୍ତ ହୋଇଗଲା। ଗ୍ରାମ୍ୟ ଅର୍ଥନୀତି ବିପନ୍ନ ହୋଇଗଲା। ତା’ ପରଠାରୁ ରାଷ୍ଟ୍ରର ଅର୍ଥନୀତି ଦ୍ରୁତ ଗତିରେ ବିକଶିତ ହେଲା ସିନା, ଗ୍ରାମାଞ୍ଚଳ ବିକାଶର ଆଲୋକ ଦ୍ବାରା ଆଲୋକିତ ହୋଇ ପାରିଲା ନାହିଁ। ତେଣୁ ଅଧିକରୁ ଅଧିକ ଗ୍ରାମାଞ୍ଚଳବାସୀ ଉତ୍ତମ ଜୀବନ ଓ ଜୀବିକା ସନ୍ଧାନରେ ସହରମୁହାଁ ହୋଇ ଗାଁ ଛାଡ଼ିଲେ, ଯେଉଁ ଧାରା ଏ ଯାବତ୍‌ ଅବ୍ୟାହତ ରହିଛି। କହିବା ଅନାବଶ୍ୟକ ଯେ ଏବେ ମଧ୍ୟ ଶିକ୍ଷା, ସ୍ବାସ୍ଥ୍ୟ ଓ ବୃତ୍ତି ସକାଶେ ଗ୍ରାମରୁ ବାହାରକୁ ଯିବା ଅନିବାର୍ଯ୍ୟ ହୋଇଛି।
ଏହା ସତ ‌େଯ ଗ୍ରାମାଞ୍ଚଳର ଦାରିଦ୍ୟ ବିମୋଚନ ଲାଗି ପଦକ୍ଷେପମାନ ନିଆଯାଉଛି, କିନ୍ତୁ ତାହାର ସୁଫଳ ମିଳୁନାହିଁ। ୧୯୬୬ ମସିହାରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ କଳାହାଣ୍ଡିର ନୂଆପଡ଼ା ଓ ବଲାଙ୍ଗୀରର ବଙ୍ଗୋମୁଣ୍ଡା ଗସ୍ତରେ ଆସି ମରୁଡ଼ି ମୁକାବିଲା ନିମନ୍ତେ ଆଦିବାସୀଙ୍କୁ ଜଙ୍ଗଲ ବ୍ୟବହାର ପାଇଁ ଅନୁମତି ଦେଇଥିଲେ। କିନ୍ତୁ ତା’ର ସୁଯୋଗ ନେଲେ ମହାଜନମାନେ। ସେମିତି ୧୯୯୨ ମସିହାରେ ପ୍ରଧାନମନ୍ତ୍ରୀ ପି. ଭି. ନରସିଂହ ରାଓଙ୍କ ସମୟରେ ଆରମ୍ଭ ହେଲା ‘କେବିକେ ଯୋଜନା’ ଓ ବିପୁଳ ଅର୍ଥର ପ୍ରାବଧାନ ହେଲା। କିନ୍ତୁ ଫାଇଦା ନେଲେ ଦୁର୍ନୀତିଗ୍ରସ୍ତ ରାଜନେତା ଓ ସରକାରୀ କର୍ମଚାରୀମାନେ। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ବାଧ୍ୟ ହୋଇ କହିଲେ ଯେ ସରକାର ଦେଉଥିବା ଟଙ୍କାଏରୁ ମାତ୍ର ୧୬ ପଇସା ପହଞ୍ଚୁଛି ଲୋକଙ୍କ ପାଖରେ। ଗ୍ରାମାଞ୍ଚଳର ଦାରିଦ୍ର୍ୟ ବଳବତ୍ତର ରହିଲା ଏବଂ ଏ ଯାବତ୍‌ ରହିଛି ମଧ୍ୟ।
ଦାଦନ ଶ୍ରମିକମାନଙ୍କ ଏକ ବଡ଼ ଦୁର୍ବଳତା ହେଲା ଏୟା ଯେ ସେମାନେ ପ୍ରାୟତଃ କୌଣସି ‘ସ୍କିଲ’ ବା କୌଶଳର ପ୍ରଶିକ୍ଷଣ ନେଇ ନ ଥାନ୍ତି। ସେମାନେ କୁଶଳୀ ହେଲେ ସେମାନଙ୍କ ସକାଶେ ବିକଳ୍ପର ଅନେକ ଦ୍ବାର ଖୋଲି ଯାଆନ୍ତା। ଗୋଟିଏ ଛୋଟ ଉଦାହରଣ ହେଲା ଓଡ଼ିଶାର ପାଣି ପାଇପ ମିସ୍ତ୍ରି ଏବେ ସାରା ଭାରତରେ ସେମାନଙ୍କ ଦକ୍ଷତା ଲାଗି ଜଣାଶୁଣା। ତେଣୁ ସେମାନେ ଉତ୍ତମ ଉପାର୍ଜନ ମଧ୍ୟ କରି ପାରୁଛନ୍ତି। ଦ୍ବିତୀୟ କଥା ହେଲା ଗ୍ରାମାଞ୍ଚଳରେ ଏଭଳି ଶିଳ୍ପର ବିକାଶ କରାଯିବା ଉଚିତ, ଯାହା ସେଠି ଉପଲବ୍‌ଧ ଦ୍ରବ୍ୟକୁ କଞ୍ଚାମାଲ ରୂ‌େପ ବ୍ୟବହାର କରି ପାରିବ। ସେହି ଦୃଷ୍ଟିରୁ କୃଷିଜ ପ୍ରକ୍ରିୟାକରଣ ଉ‌େଦ୍ୟାଗ ଉପରେ ଅଧିକ ଗୁରୁତ୍ବ ଦିଆ‌ଯିବା ଆବଶ୍ୟକ। ଏଭଳି ଉଦ୍ୟୋଗ ଦ୍ବାରା ଚାଷୀଙ୍କ ଉତ୍ପାଦ କଞ୍ଚାମାଲ ରୂପେ ବିନିଯୁକ୍ତ ହୋଇପାରିବ। ତା’ ସହିତ ଏହା ଦ୍ବାରା ବଜାର ଓ ଆନୁଷଙ୍ଗିକ ଶିଳ୍ପର ଜନ୍ମ ଘଟିବ। ୨୦୨୪ରେ ଦାଦନମୁକ୍ତ ଓଡ଼ିଶା ଗଠନର ସ୍ଲୋଗାନ ଦେଇ କ୍ଷମତାକୁ ଆସିଲା ନୂଆ ସରକାର। ଏଥିପାଇଁ ଗଠନ କରାଗଲା ଟାସ୍କଫୋର୍ସ। ମାତ୍ର ଦାଦନ ସମସ୍ୟା ପୂର୍ବବତ୍‌ ରହିଛି। ମଞ୍ଜି କଥାଟି ବୁଝି ସେହି ଅନୁସାରେ କାମ କଲେ ଦାଦନ ସମସ୍ୟାର ସମାଧାନ ଏକ ବିଶେଷ ବଡ଼ ଆହ୍ବାନ ହୁଅନ୍ତା ନାହିଁ। ସରକାର ସେହି ଗୂଢ଼ କଥାଟିକୁ ବୁଝି ପାରିବା ଦରକାର।
(ମତାମତ ଲେଖକଙ୍କ ନିଜସ୍ବ)
 ମୋ: ୬୩୭୧୬୪୨୪୬୪