ରାମଚନ୍ଦ୍ର ଗୁହା
ବିଖ୍ୟାତ ମାର୍କ୍ସବାଦୀ ଐତିହାସିକ ଏରିକ୍ ହବ୍ସବମ୍ ୧୯୯୪ ମସିହାରେ ପ୍ରକାଶିତ ‘ଦି ଏଜ୍ ଅଫ୍ ଏକ୍ସଟ୍ରିମ୍ସ’ ପୁସ୍ତକରେ ଲେଖିଥିଲେ: ‘ଏହା କୌଣସି ସଂଯୋଗ ନୁହେଁ ଯେ ପରିବେଶ ନୀତିଗୁଡ଼ିକୁ ମୁଖ୍ୟ ସମର୍ଥନ ସମୃଦ୍ଧ ଦେଶ ତଥା ଧନିକ ଓ ମଧ୍ୟବିତ୍ତ ବର୍ଗର ଲୋକଙ୍କ ପକ୍ଷରୁ ମିଳିଥାଏ, କେବଳ ବ୍ୟବସାୟୀମାନେ, ଯେଉଁମାନେ ପ୍ରଦୂଷଣକାରୀ କାର୍ଯ୍ୟକଳାପରୁ ସମ୍ପତ୍ତି ଅର୍ଜନ କରନ୍ତି, ଏହାକୁ ସମର୍ଥନ କରିନଥାନ୍ତି। ଗରିବମାନେ, ଯାହାଙ୍କ ସଂଖ୍ୟା ବହୁଗୁଣିତ ହେଉଛି ଓ ଯେଉଁମାନେ ନିଯୁକ୍ତିହୀନତା ଦ୍ବାରା ତ୍ରସ୍ତ, ସେମାନେ ଅଧିକ ଚାହାନ୍ତି।’ ପ୍ରଶ୍ନ ଉଠେ, କ’ଣ ଅଧିକ ଚାହାନ୍ତି? ହବ୍ସବମ୍ ତାଙ୍କ ପରିକଳ୍ପନାରେ ସ୍ପଷ୍ଟ କରିଛନ୍ତି ଯେ ଗରିବ ଲୋକମାନେ ଅଧିକ ସାମଗ୍ରୀ, ଅଧିକ ଆର୍ଥିକ ଅଗ୍ରଗତି ଚାହାନ୍ତି। କିନ୍ତୁ, ଏହା ପୂରଣ କରିବା ଦିଗରେ ପରିବେଶ ରାଜନୀତି ଏକ ବାଧକ ସାଜେ ବୋଲି ତାଙ୍କର ମତ ଥିଲା।
ମୁଁ ପ୍ରଥମେ ଯେବେ ଏହିସବୁ ଶବ୍ଦଗୁଡ଼ିକ ସଂସ୍ପର୍ଶରେ ଆସିଲି, ସେତେବେଳେକୁ ମୁଁ ଦୁଇ ଦଶନ୍ଧି କାଳ ଏପରି ଅଧ୍ୟୟନରେ ବିତାଇ ସାରିଥିଲି, ଯାହା ସେହି କ୍ଷଣରେ ବୈଚାରିକ ଓ ବ୍ୟାବହାରିକ ଦୃଷ୍ଟିରୁ ଅସମ୍ଭବ ବୋଲି ମୋତେ ଜାଣିବାକୁ ମିଳିଲା। ସେ ଅଧ୍ୟୟନ ହେଉଛି- ଗରିବମାନଙ୍କ ଓ ଗରିବମାନଙ୍କ ଦ୍ବାରା ପରିବେଶ ସୁରକ୍ଷା। ମୁଁ ସେତେବେଳକୁ ‘ଚିପ୍କୋ’ ନାମକ ହିମାଳୟର କୃଷକ ଆନ୍ଦୋଳନ ଉପରେ ମୋ ପିଏଚ୍.ଡି ସନ୍ଦର୍ଭ ଲେଖିସାରିଥାଏ। ଏ ଅନ୍ଦୋଳନ ଥିଲା ସାମାଜିକ ନ୍ୟାୟ ନେଇ ଚିନ୍ତା ପ୍ରକଟ ଏବଂ ନଷ୍ଟଭ୍ରଷ୍ଟ ଜଙ୍ଗଲର ପୁନରୁଦ୍ଧାର ପ୍ରତି ଆଗ୍ରହର ସମ୍ମିଶ୍ରଣ। ୧୯୭୩ରେ ଚିପ୍କୋ ଆନ୍ଦୋଳନ ଆରମ୍ଭ ହୋଇଥିଲା; ଏହା ସାରା ଭାରତରେ ଅନୁରୂପ ଆନ୍ଦୋଳନମାନଙ୍କୁ ପ୍ରୋତ୍ସାହିତ କଲା, ଯେଉଁଥିରେ ଜଙ୍ଗଲ, ପାଣି ଓ ଚାରଣ ଭୂମି ଉପରେ ଗୋଷ୍ଠୀଗତ ଅଧିକାରକୁ ଗୁରୁତ୍ବ ଦିଆଯାଇଥିଲା।
ଚିପ୍କୋ ଆନ୍ଦୋଳନ ନେଇ ଗବେଷଣା ମୋତେ ପରିବେଶବିତ୍ ମାଧବ ଗାଡ଼ଗିଲଙ୍କ ସଂସ୍ପର୍ଶରେ ଆସିବାର ଅବସର ପ୍ରଦାନ କରିଥିଲା, ଯାହାଙ୍କ ଠାରେ ତୀକ୍ଷ୍ଣ ବିଶ୍ଳେଷଣାତ୍ମକ ମସ୍ତିଷ୍କ ଓ ଭାରତୀୟ ଉପଦ୍ବୀପ ଅଞ୍ଚଳର ଗଭୀର କ୍ଷେତ୍ର ଅଭିଜ୍ଞତାର ସମାହାର ବିଦ୍ୟମାନ। ଗାଡ଼ଗିଲଙ୍କ ବୈଜ୍ଞାନିକ ଗବେଷଣା ତୃଣମୂଳ ସ୍ତରର ପରିବେଶ କର୍ମୀମାନଙ୍କ ଏହି ଅନୁମାନକୁ ସମର୍ଥନ କରିଥିଲା ଯେ ଭାରତ ଭଳି ଦେଶମାନେ ପାରିବେଶିକ ଧାରଣକ୍ଷମତା ନେଇ ଚିନ୍ତିତ ହେବାର ଅଧିକ କାରଣ ରହିଛି। ଉଚ୍ଚ ଜନସଂଖ୍ୟା ଓ ଜନ ସାନ୍ଦ୍ରତା, ଔପନିବେଶିକ ଶାସନର ଇତିହାସ, ଅତ୍ୟନ୍ତ ଭଙ୍ଗୁର ପରିସଂସ୍ଥା ଯୋଗୁଁ ଭାରତ କଦାପି ୟୁରୋପ ଓ ଉତ୍ତର ଆମେରିକାର ଶକ୍ତି-ସର୍ବସ୍ବ, ଅର୍ଥ-ସର୍ବସ୍ବ, ସମ୍ବଳ-ସର୍ବସ୍ବ ମଡେଲ୍କୁ ଅନୁସରଣ କରିପାରିବ ନାହିଁ।
ଭାରତରେ ଏକ ବିକଳ୍ପ, ଅଧିକ ପରିବେଶ ସଚେତନ ଅର୍ଥନୈତିକ ବିକାଶ ଧାରାର ଆବଶ୍ୟକତା ନେଇ ଚିପ୍କୋ ଆନ୍ଦୋଳନ ବେଳୁ ଦେଶରେ ଏକ ଉଷ୍ଣ ବିତର୍କ ହୋଇଆସିଛି। ବୈଜ୍ଞାନିକ, ସମାଜବିଜ୍ଞାନୀ, ସାମ୍ବାଦିକ, ପରିବେଶ କର୍ମୀ ଆଦି ସମସ୍ତେ ଏଥିରେ ଭାଗ ନେଇଛନ୍ତି। ଉଲ୍ଲେଖନୀୟ ଯେ, ଏହି ବିତର୍କ ଉଚ୍ଚ ସୈଦ୍ଧାନ୍ତିକ ସ୍ତରର ନ ହୋଇ ଏହାକୁ ନିର୍ଦ୍ଦିଷ୍ଟ ବିଭାଗର ପ୍ରଶ୍ନରେ ଭାଗ କରାଯାଇଥାଏ। ଜଙ୍ଗଲ ଉପରେ ସରକାରଙ୍କ ମାଲିକାନା ମଡେଲ ସ୍ଥାନରେ ଜଙ୍ଗଲର ଗୋଷ୍ଠୀଗତ ନିୟନ୍ତ୍ରଣ ପରିବେଶ ଲାଗି ଅଧିକ କୋମଳ ଓ ସମାଜ ଲାଗି ଅଧିକ ନ୍ୟାୟପୂର୍ଣ୍ଣ ହୋଇପାରିବ କି? ରାଜରାସ୍ତା ଓ ବନ୍ଧ ଭଳି ବିଶାଳ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ ଲାଗି ବିସ୍ଥାପିତ କୃଷକ ଓ ଆଦିବାସୀମାନଙ୍କୁ କେବଳ ଆର୍ଥିକ କ୍ଷତିପୂରଣ ଯଥେଷ୍ଟ ନା ସେମାନଙ୍କୁ ଜୀବିକା ଓ ନିଯୁକ୍ତିର ବିକଳ୍ପ ମଧ୍ୟ ଯୋଗାଇଦେବା ଉଚିତ? ଏବେ ଚାଲିଥିବା ସହରୀକରଣ ପ୍ରକ୍ରିୟା ଯୋଗୁଁ ସହରମାନଙ୍କ ଦ୍ବାରା ଗ୍ରାମାଞ୍ଚଳର ସମ୍ବଳକୁ ଅତ୍ୟଧିକ ଶୋଷଣ କରାଯିବ କି? ବନ୍ୟଜୀବ ସଂରକ୍ଷଣ ସଂକୀର୍ଣ୍ଣ ଭାବେ ବାଘ ଓ ହାତୀ ପରି ବିଶାଳ ଆକର୍ଷଣୀୟ ଜୀବ ଉପରେ ଧ୍ୟାନ କେନ୍ଦ୍ରିତ କରି ଆର୍ଦ୍ରଭୂମି, ଗୁଳ୍ମ ବନ ଓ ଅନ୍ୟାନ୍ୟ ବିପନ୍ନ ବାସସ୍ଥାନକୁ ଅବହେଳା କରୁଛି କି?
ଏଭଳି ପ୍ରଶ୍ନଗୁଡ଼ିକ ବିଜ୍ଞାନ ପତ୍ରିକା, ଲୋକପ୍ରିୟ ୱେବ୍ସାଇଟ୍ ଓ ପରିବେଶ କର୍ମୀଙ୍କ ଗହଣରେ ଆଲୋଚିତ ହେଉଥିବା ବେଳେ, ଏକ ଭୁଲ୍ ଧାରଣା ଭାରତର ପ୍ରଭାବଶାଳୀ ଓ ଶକ୍ତିଶାଳୀ ଗୋଷ୍ଠୀମାନଙ୍କରେ ବଳବତ୍ତର ରହିଛି ଯେ ଭାରତ ପରି ଗରିବ ଦେଶ ପରିବେଶ ସଚେତନ ହୋଇପାରିବେ ନାହିଁ। ମୁଁ ଯୁବକ ଥିବା ବେଳେ ମାର୍କ୍ସବାଦୀ ଐତିହାସିକମାନେ ଦାବି କରୁଥିଲେ ଯେ ଶ୍ରେଣୀ ସଂଘର୍ଷରୁ ଧ୍ୟାନ ହଟାଇବା ଲାଗି ବୁର୍ଜୁଆମାନେ ପରିବେଶ ସୁରକ୍ଷାର ପରିକଳ୍ପନା କରିଛନ୍ତି। ଏବେ ବୟସ ବଢ଼ିବା ପରେ ମୁଁ ଜାଣିସାରିଛି ଯେ ମୁକ୍ତ-ବଜାର ଅର୍ଥନୀତିଜ୍ଞମାନେ ସବୁଠାରୁ ସକ୍ରିୟ ଭାବେ ପରିବେଶ ସୁରକ୍ଷା କାର୍ଯ୍ୟକୁ ଏହା କହି ବାଧା ଦେଇଥାନ୍ତି ଯେ ତାହା ଦେଶର ବର୍ତ୍ତମାନ ଓ ଭବିଷ୍ୟତ ଲାଗି ଗୁରୁତ୍ବହୀନ।
ଭାରତୀୟ ଜନସାଧାରଣଙ୍କ ଗହଣକୁ ଯଦି କୌଣସି ପରିବେଶ ପ୍ରସଙ୍ଗ ପହଞ୍ଚିପାରିଛି, ସେସବୁ ଜଳବାୟୁ ପରିବର୍ତ୍ତନ ସହ ସଂପର୍କିତ। ଏ କ୍ଷେତ୍ରରେ ମଧ୍ୟ ମୂଳ ପ୍ରସଙ୍ଗକୁ ଏଡ଼ାଇବା ଲାଗି କୁହାଯାଏ ଯେ ଧନିକ ଦେଶମାନେ ଆମକୁ ଜୈବିକ ଇନ୍ଧନ ନିର୍ଭରଶୀଳତା ତ୍ୟାଗ କରିବା ଓ ସ୍ବଚ୍ଛ ଇନ୍ଧନ ଗ୍ରହଣ କରିବା ଲାଗି ଉପଦେଶ ଦେବା ଅନୁଚିତ। ଏହା ସତ ଯେ ୟୁରୋପୀୟ ଓ ଉତ୍ତର ଆମେରକୀୟ ଦେଶମାନେ ଏ କ୍ଷେତ୍ରରେ କପଟାଚାର ପ୍ରଦର୍ଶନ କରନ୍ତି। ପ୍ରଥମେ ଶିଳ୍ପାୟନକୁ ଗ୍ରହଣ କରିଥିବାରୁ ବିଶ୍ବ ତାପନରେ ସେମାନଙ୍କ ଅବଦାନ ଅନେକ। ଜୈବିକ ଇନ୍ଧନ ଶୋଷଣ ଓ ବ୍ୟବହାର କରି ନିଜେ ବିତ୍ତଶାଳୀ ହେବା ପରେ ସେମାନେ ଗରିବ ଦେଶମାନଙ୍କୁ ତୈଳ ଓ କୋଇଲା ଖଣି ବନ୍ଦ କରିବାକୁ କହୁଛନ୍ତି।
ହେଲେ, ଭାରତ ସମ୍ମୁଖରେ ଛିଡ଼ା ହୋଇଥିବା ପାରିବେଶିକ ଆହ୍ବାନମାନଙ୍କ ମଧ୍ୟରୁ ଜଳବାୟୁ ପରିବର୍ତ୍ତନ ଏକମାତ୍ର ବା ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ନୁହେଁ। ଦିଲ୍ଲୀ ଓ ଅନ୍ୟ ଉତ୍ତର-ଭାରତୀୟ ସହରରେ ବାୟୁ ପ୍ରଦୂଷଣର ସ୍ତର ପୃଥିବୀରେ ସର୍ବାଧିକ। ଅଧିକାଂଶ ଭାରତୀୟ ନଦୀ ଜୈବିକ ଭାବେ ମୃତ, ସେମାନଙ୍କ ପାଣି ଉଭୟ ମଣିଷ ଓ ଗୃହପାଳିତ ପଶୁଙ୍କ ଲାଗି ଅନୁପଯୁକ୍ତ। ସାରା ଭାରତରେ ଭୂତଳ ଜଳ ସ୍ତର ଉଦ୍ବେଗଜନକ ଭାବେ ଖସିବାରେ ଲାଗିଛି। କୃଷିକ୍ଷେତ୍ରରେ ରାସାୟନିକର ମାତ୍ରା ସହନୀୟ ସ୍ତରରୁ ବହୁ ଉପରେ ଅଛି। ସବୁ ପ୍ରାକୃତିକ ଜଙ୍ଗଲରେ ‘ଲାଣ୍ଟାନା’ ପରି ବିଦେଶୀ ଗୁଳ୍ମ ମାଡ଼ିଯାଇଥିବା ଦେଖାଯାଉଛି, ଯାହା ପରିସଂସ୍ଥାକୁ ଲଗାତାର ସଂକୁଚିତ କରିବାରେ ଲାଗିଛି।
ଆଜି ଭାରତରେ ବିଭିନ୍ନ ରୂପରେ ହେଉଥିବା ପରିବେଶ ହାନି ସମ୍ପର୍କରେ ଚାରିଟି ଗୁରୁତ୍ବପୂର୍ଣ୍ଣ କଥା ବୁଝିବା ଜରୁରି। ପ୍ରଥମ, ଜଳବାୟୁ ପରିବର୍ତ୍ତନ ସହିତ ଏସବୁର କୌଣସି ସମ୍ପର୍କ ନାହିଁ; ବରଂ ଭୁଲ୍ ଢଙ୍ଗରେ ପ୍ରସ୍ତୁତ ଅର୍ଥନୈତିକ ନୀତିରୁ ସେଗୁଡ଼ିକ ଜାତ ଏବଂ ସରକାରୀ ଦୁର୍ନୀତି ଓ କର୍ପୋରେଟ୍ ଲୋଭ ଯୋଗୁଁ ସେଗୁଡ଼ିକ ଅଧିକ ଉତ୍କଟ ହୋଇଯାଏ। ଦ୍ବିତୀୟ, ପରିବେଶ ହାନିଗୁଡ଼ିକ ସ୍ବତନ୍ତ୍ର ଭାବେ ସାଧିତ ହୋଇଥିଲେ ହେଁ, ଜଳବାୟୁ ପରିବର୍ତ୍ତନ ସେସବୁ ସମସ୍ୟାଗୁଡ଼ିକୁ ଅଧିକ ମାରାତ୍ମକ କରିଦେଇଥାଏ। ପଶ୍ଚିମଘାଟ ଓ ହିମାଳୟ ପର୍ବତମାଳା ଆଦି ଅଞ୍ଚଳରେ ଭୂସ୍ଖଳନ ଅଧିକ ଉଗ୍ର ରୂପ ଧାରଣ କରିବା ଏହାର ଏକ ବଡ଼ ଉଦାହରଣ। ଅବାଧ ଖଣି ଖନନ, ପର୍ଯ୍ୟଟକ ରହଣି ପାଇଁ ଅନିୟନ୍ତ୍ରିତ ରିସର୍ଟ ନିର୍ମାଣ ଓ ନିକୃଷ୍ଟ ରାସ୍ତା ଡିଜାଇନ ଯୋଗୁଁ ଏହିସବୁ ଭୂସ୍ଖଳନ ହୋଇଥାଏ। ତେବେ ବାଦଲଫଟା ବର୍ଷା ଓ ଅଦିନିଆ ବର୍ଷା ପରି ଅପ୍ରତ୍ୟାଶିତ ଘଟଣା ଭୂସ୍ଖଳନଗୁଡ଼ିକ ଅଧିକ ଉତ୍କଟ କରିଦେଇଥାଏ।
ତୃତୀୟରେ ପ୍ରଦୂଷଣ ଓ ଅଧଃପତନର ପରିଣାମ ଗରିବ ଲୋକଙ୍କୁ ଅଧିକ ଭୋଗିବାକୁ ପଡ଼ିଥାଏ। ଦିଲ୍ଲୀର ସମ୍ଭ୍ରାନ୍ତ ଲୋକଙ୍କ ଘରେ ଉଚ୍ଚ ମାନର ‘ଏଆର୍ ପ୍ୟୁରିଫାୟର’ ଲାଗିଥିବା ବେଳେ ବସ୍ତି ବାସିନ୍ଦାମାନେ ସିଧାସଳଖ ସହରର ବିଷାକ୍ତ ବାୟୁରେ ଶ୍ବାସକ୍ରିୟା କରନ୍ତି। ଖାଦାନରୁ ଖଣିଜ ଉତ୍ତୋଳନ ଯୋଗୁଁ ଆଖପାଖ କୃଷିଜମିରେ ମାଟିର ମାନ ହ୍ରାସ ପାଇଥାଏ, ଯେତେବେଳେକି ସହରୀ ଖାଉଟି ଓ ନିବେଶକମାନେ ଏଥିରୁ ଦୂରରେ ରହି ଲାଭ ପାଆନ୍ତି। ଧନୀ ଲୋକମାନେ ଘରେ ‘ଵାଟର ପ୍ୟୁରିଫାୟର’ ଲଗାଇ ସ୍ବଚ୍ଛ ପାଣି ପିଉଥିବା ବେଳେ ଶ୍ରମଜୀବୀମାନେ ନଦୀ, ଝରଣା ଓ କୂଅର ଜଳ ଉପରେ ନିର୍ଭରଶୀଳ। ଗୁଳ୍ମ ବିସ୍ତାର ଯୋଗୁଁ ଜଙ୍ଗଲ କ୍ଷୟପ୍ରାପ୍ତ ହେଉ ଥିବାରୁ ଗୋସମ୍ପଦ ଓ ମେଷ ପାଳକମାନେ ପଶୁ ଖାଦ୍ୟରୁ ଏବଂ ଆଦିବାସୀ କାରିଗରମାନେ ଉପାଦେୟ କଞ୍ଚାମାଲରୁ ବଞ୍ଚିତ ହେଉଛନ୍ତି।
ଚତୁର୍ଥରେ, ବର୍ତ୍ତମାନ ଭାରତରେ ହିଁ ବୈଜ୍ଞାନିକ ଓ ସମାଜ-ବୈଜ୍ଞାନିକ ବିଦ୍ବାନଙ୍କ ଭଣ୍ଡାର ଉପଲବ୍ଧ ରହିଛି, ଯେଉଁମାନେ ଏଭଳି ପରିବେଶ-ଅସଚେତନ ବିକାଶର ମାନବିକ କ୍ଷତି ହ୍ରାସ କରିବାରେ ସାହାଯ୍ୟ କରିପାରିବେ। ଦେଶର ବିଶ୍ବବିଦ୍ୟାଳୟ ଓ ଗବେଷଣା ସଂସ୍ଥାମାନଙ୍କରେ ପରିବେଶବିତ୍, ସମାଜ ବିଜ୍ଞାନୀ, ଶସ୍ୟ ବିଜ୍ଞାନୀ, ଜଳ ବିଜ୍ଞାନୀ, ପରିବହନ ଓ ଶକ୍ତି ବିଶେଷଜ୍ଞ ଆଦି ଅଛନ୍ତି, ଯେଉଁମାନେ ଅନ୍ତର୍ଜାତୀୟ ମାନର ପେସାଦାର ଦକ୍ଷତା ସହିତ ଭାରତର ଗଭୀର ସାମାଜିକ ଓ ପାରିବେଶିକ କ୍ଷେତ୍ର ଅଭିଜ୍ଞତାକୁ ମିଶାଇ ପ୍ରୟୋଗ କରିବାକୁ ସମର୍ଥ।
କିନ୍ତୁ ଦୁଃଖର ବିଷୟ ଯେ କ୍ଷମତାରେ ଥିବା ରାଜନେତାମାନେ କ୍ବଚିତ୍ ଏହି ବିଶେଷଜ୍ଞମାନଙ୍କ ପରାମର୍ଶ ନେଇଥାନ୍ତି; ପରାମର୍ଶ ନେଲେ ବି କାର୍ଯ୍ୟକାରୀ କରନ୍ତି ନାହିଁ। ପରିବେଶ ଧାରଣ କ୍ଷମତାକୁ ହେୟ ଜ୍ଞାନ କରିବାରେ ସବୁ ରାଜନେତା ଗୋଟିଏ ଦଳର ଭଳି ମନେ ହୁଅନ୍ତି। ଏହା ଅଜ୍ଞତା ଓ ଅସୂୟାର ଫଳ। ଅପର ପକ୍ଷେ, ଜନ୍ ମେନାର୍ଡ କେନ୍ସଙ୍କ ଭାଷାରେ ଏହି ରାଜନେତାମାନେ ହେଉଛନ୍ତି ଅଚଳ ଅର୍ଥନୀତିଜ୍ଞମାନଙ୍କ ବିଚାରର ଦାସ, ଯେଉଁମାନେ ନିଜେ ପରିସଂସ୍ଥା ବିଷୟରେ କିଛି ଜାଣନ୍ତି ନାହିଁ। ଭାରତୀୟ ରାଜନେତାମାନେ ଖଣି କମ୍ପାନି, ଭିତ୍ତିଭୂମି ନିର୍ମାତା, ଶିଳ୍ପ ମାଲିକମାନଙ୍କ ପ୍ରତି କୃତଜ୍ଞ ରହନ୍ତି, ଯେଉଁମାନେ ସେମାନଙ୍କ ନିର୍ବାଚନ ପ୍ରଚାର ପାଇଁ ପୁଞ୍ଜି ଯୋଗାଇଦିଅନ୍ତି। ଏହା ମଧ୍ୟ ମନେ ରଖିବା କଥା ଯେ ଅସୀମିତ ଅର୍ଥନୈତିକ ଅଭିବୃଦ୍ଧି ଓ କ୍ରମବର୍ଦ୍ଧମାନ ଉପଭୋକ୍ତାବାଦର ଲାଳସା ଭାରତୀୟ ମଧ୍ୟବିତ୍ତ ବର୍ଗର ମସ୍ତିଷ୍କକୁ ଆକ୍ରାନ୍ତ କରିସାରିଛି। ସେମାନଙ୍କ ଦୃଷ୍ଟିରେ ପରିବେଶ କର୍ମୀମାନେ କେବଳ ସବୁଥିରେ ଅଯଥା ହସ୍ତକ୍ଷେପ କରିନଥାନ୍ତି, ସେମାନେ ସମ୍ଭବତଃ ଭାରତକୁ ଅଣବିକଶିତ କରି ରଖିବା ଲାଗି ଆର୍ଥିକ ସହାୟତା ପାଉଥିବା ପାଶ୍ଚାତ୍ୟ ପ୍ରତିନିଧି।
ଭାରତରେ ବିଶେଷଜ୍ଞଙ୍କ ଉପଲବ୍ଧତା ଏବଂ ରାଜନେତା ଓ ପ୍ରଶାସକମାନେ ସେମାନଙ୍କୁ ଜାଣିବୁଝି ହେୟ ଜ୍ଞାନ କରିବାର ଏକ ଉଦାହରଣ ‘ଇକନୋମିକ୍ ଆଣ୍ଡ୍ ପଲିଟିକାଲ୍ ଵିକ୍ଲି’ (ଇପିଡବ୍ଲ୍ୟୁ- ୧୧ ଜାନୁଆରି ୨୦୨୫)ରେ ପ୍ରଦର୍ଶିତ ହୋଇଛି। ସେଥିରେ ବନ୍ୟଜୀବ ଓ ଜଙ୍ଗଲ ପରିଚାଳନାରୁ ଆରମ୍ଭ କରି ଶକ୍ତି ଓ ଜଳ ନୀତି, ପ୍ରଦୂଷଣ ହ୍ରାସ, ଜଳବାୟୁ ପରିବର୍ତ୍ତନ ଆଦି ଗୁରୁତ୍ବପୂର୍ଣ୍ଣ ବିଷୟର ଅଗ୍ରଣୀ ବିଶେଷଜ୍ଞଙ୍କ ଦ୍ବାରା ରଚିତ କେତେକ ଉତ୍କୃଷ୍ଟ ପ୍ରବନ୍ଧ ପ୍ରକାଶ ପାଇଛି। ଏହି ‘ପରିବେଶ ଓ ବିକାଶ’ ସ୍ବତନ୍ତ୍ର ସଂସ୍କରଣର ଉପକ୍ରମରେ ‘ଇପିଡବ୍ଲ୍ୟୁ’ର ସମ୍ପାଦକ ଶରତ ଚନ୍ଦ୍ର ଲେଲେ ଓ ଗୀତଞ୍ଜୟ ସାହୁ ଲେଖିଛନ୍ତି: ‘ନବୀକରଣଯୋଗ୍ୟ ଶକ୍ତି ଶିଳ୍ପର ଅଗ୍ରଗତି ଓ ବାଘ ସଂଖ୍ୟା ବୃଦ୍ଧି ପାଉଥିବା ସତ୍ତ୍ବେ, ଦେଶର ପରିସଂସ୍ଥାଗତ ଦୃଢ଼ତା ଓ କୋଟି କୋଟି ସୀମାନ୍ତରିତ ଲୋକଙ୍କ ଜୀବିକା ବିପନ୍ନ ହେଉଛି। ବିଶେଷାଧିକାରପ୍ରାପ୍ତ କିଛି ମୁଷ୍ଟିମେୟଙ୍କ ବିଳାସ ଉପରେ ସମସ୍ତ ଧ୍ୟାନ କେନ୍ଦ୍ରିତ କରିବା ଦ୍ବାରା ନିୟାମକ କ୍ଷମତା ହ୍ରାସ ପାଏ, ଖୋଲାଖୋଲି ଏକପାଖିଆ ଭାବେ ଆଇନ କୋହଳ ହୁଏ, ଅଧିକାରଗୁଡ଼ିକର ହନନ ହୁଏ ଏବଂ ବର୍ଜନଭିତ୍ତିକ ସଂରକ୍ଷଣକୁ ଶକ୍ତି ମିଳେ। ଇତିମଧ୍ୟରେ, ଜଳବାୟୁ ପରିବର୍ତ୍ତନ ଆମ ପାରିବେଶିକ ଆହ୍ବାନଗୁଡ଼ିକୁ ଅଧିକ ଉତ୍କଟ କରିବାର ବିପଦ ସୃଷ୍ଟି କରିଛି। ଏହା କ୍ରମେ ଆମର ସଂସ୍ଥାଗତ କ୍ଷମତାକୁ ଚାପଗ୍ରସ୍ତ କରିଚାଲିବ ଏବଂ ସମାଜ-ସମ୍ବେଦନଶୀଳ ପ୍ରଯୁକ୍ତି ପ୍ରୟୋଗ କରିବାରେ ଆମ ଆଗରେ ଆହ୍ବାନ ରୂପେ ଛିଡ଼ା ହେବ।’
ସଂକ୍ଷେପରେ କହିଲେ, ଭାରତର ପାରିବେଶିକ ସଂକଟ ଆଗକୁ ଅଧିକ ଉତ୍କଟ ହେବାକୁ ଯାଉଛି। ଦେଶର ସର୍ବନିମ୍ନ ସାଧନ ପ୍ରାପ୍ତ ଶ୍ରେଣୀର ସ୍ବାସ୍ଥ୍ୟ ଓ ଜୀବିକା ଉପରେ ଏହାର ସର୍ବାଧିକ ନକାରାତ୍ମକ ପ୍ରଭାବ ପଡ଼ିବ। ହୋଇପାରେ ଯେ ଦେଶର ଯୁବପିଢ଼ି, ଯାହା ଅତୀତର ପୂର୍ବାଗ୍ରହ ଓ ଧାରଣାର ବୋଝରୁ ମୁକ୍ତ, ଠିକ୍ ସମୟରେ ଶକ୍ତି ଠୁଳ କରି ଦେଶକୁ ଚିପ୍କୋ ଆନ୍ଦୋଳନ ଦ୍ବାରା ପ୍ରଦର୍ଶିତ ସାହସିକ ମାର୍ଗରେ ନେଇଯିବେ- ଯେଉଁ ମାର୍ଗ ଧାରଣକ୍ଷମତାକୁ ସାମାଜିକ ନ୍ୟାୟ ସହିତ ସମ୍ମିଳିତ କରିଥାଏ।
(ମତାମତ ଲେଖକଙ୍କ ନିଜସ୍ବ)
[email protected]