ଦର୍ପଣ: ହିଂସାର ମୂଲ୍ୟ

୨୦୨୧ ମସିହାରେ ସମଗ୍ର ପୃଥିବୀରେ ହିଂସାକାଣ୍ଡ ଯୋଗୁଁ ୧୬.୫ ଟ୍ରିଲିଅନ୍ ଡଲାର୍‌ର ଆର୍ଥିକ କ୍ଷତି ହୋଇଛି ବୋଲି ‘ଗ୍ଲୋବାଲ୍ ପିସ୍‌ ଇଣ୍ଡେକ୍ସ’ (ଜିପିଆଇ) ବା ବିଶ୍ବ ଶାନ୍ତି ସୂଚକାଙ୍କ ରିପୋର୍ଟରୁ ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ ବିଶ୍ବ ଶାନ୍ତି ସୂଚକାଙ୍କରେ ପୃଥିବୀର ୧୬୩ଟି ଦେଶ ମଧ୍ୟରୁ ଭାରତ ନୈରାଶ୍ୟଜନକ ୧୩୫ତମ ସ୍ଥାନ ଅଧିକାର କରିଛି। ହିଂସା ଲୋକଙ୍କର ଜୀବନ ନେବାରୁ ଆରମ୍ଭ କରି ଅନେକଙ୍କୁ କ୍ଷତାକ୍ତ କରିବା ବ୍ୟତୀତ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଦେଶକୁ ଏହାର ଆର୍ଥିକ ମୂଲ୍ୟ ଦେବାକୁ ପଡ଼ିଥାଏ।

ଆମ ଦେଶ ଭାରତରେ ଗତ ବର୍ଷ ହୋଇଥିବା ହିଂସାଜନିତ କ୍ଷତିର ହିସାବ କଲେ ଏହା ୬୪୬ ବିଲିଅନ୍ ଡଲାର୍‌ (ବା ୫୦ ଲକ୍ଷ କୋଟି ଟଙ୍କା) ହେବ ବୋଲି ଏହି ରିପୋର୍ଟରେ ଆକଳନ କରାଯାଇଛି। ଏହି ଅର୍ଥ ଭାରତର ଜିଡିପିର ପ୍ରାୟ ୬ ପ୍ରତିଶତ। ମୁଣ୍ଡପିଛା ହିସାବରେ କ୍ଷତିର ପରିମାଣ ହେଉଛି ୮୬୧ ଡଲାର୍‌। ଭାରତ ଯଦି ସବୁଠାରୁ ଶାନ୍ତିପୂର୍ଣ୍ଣ ରାଷ୍ଟ୍ର ଭାବେ ପରିଗଣିତ ତଥା ସୂଚାକଙ୍କର ଶୀର୍ଷରେ ଅବସ୍ଥିତ ଆଇସ୍‌ଲାଣ୍ଡ ଭଳି ହୋଇଥାନ୍ତି ତେବେ ହିଂସାଜନିତ ୫୦ ଲକ୍ଷ କୋଟି ଟଙ୍କା କ୍ଷତିର ସଞ୍ଚୟ ହୋଇ ଏହା ସାହାଯ୍ୟରେ ଦେଶ ବଜେଟ ପାଇଁ ଆବଶ୍ୟକ ଖର୍ଚ୍ଚ ସମେତ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଖର୍ଚ୍ଚ ପୂର୍ତ୍ତି ହୋଇପାରନ୍ତା।

ଭାରତର ଦୁଇ ପଡ଼ୋଶୀ ଦେଶ ପାକିସ୍ତାନ ଓ ଚୀନ ବିଶ୍ବ ଶାନ୍ତି ସୂଚକାଙ୍କରେ ଯଥାକ୍ରମେ ୧୪୭ତମ ଓ ୮୯ତମ ସ୍ଥାନ ଅଧିକାର କରିଥିବା ବେଳେ ହିଂସାଜନିତ ଆର୍ଥିକ କ୍ଷତିର ପରିମାଣ ହେଉଛି ସେମାନଙ୍କ ଜିଡିପିର ୮% ଓ ୪%। ଦକ୍ଷିଣ ଏସିଆ ପୃଥିବୀର ଦ୍ବିତୀୟ ସର୍ବାଧିକ ଅଶାନ୍ତ ଅଞ୍ଚଳ ହୋଇଥିବା ସତ୍ତ୍ବେ ଏଠାରେ ଗତ ବର୍ଷ ଶାନ୍ତିରକ୍ଷା କ୍ଷେତ୍ରରେ ସର୍ବାଧିକ ଅଭିବୃଦ୍ଧି ଦେଖାଦେଇଛି। ସିରିୟା, ଦକ୍ଷିଣ ସୁଦାନ ଓ କେନ୍ଦ୍ର ଆଫ୍ରିକୀୟ ଗଣତନ୍ତ୍ର ଆଦି ହେଉଛନ୍ତି ହିଂସା ପାଇଁ ସର୍ବାଧିକ ଆର୍ଥିକ କ୍ଷତି ସହିଥିବା ଦେଶ। ଏହି ମାମଲାରେ ଶୀର୍ଷ ଦଶଟି ଦେଶ ଉପରେ ପଡ଼ିଥିବା ଆର୍ଥିକ ପ୍ରଭାବର ପରିମାଣ ପୃଥିବୀର ସମୁଦାୟ ଜିଡିପିର ୩୪ ପ୍ରତିଶତ ହେବ ବୋଲି ଜିପିଆଇ ରିପୋର୍ଟରୁ ପ୍ରକାଶ।

ସମ୍ବନ୍ଧିତ ଖବର