କେନ୍ଦ୍ର ପଶୁପାଳନ ଓ ଦୁଗ୍‌ଧ ମନ୍ତ୍ରାଳୟ ଦ୍ବାରା ପ୍ରକାଶିତ ‘ବେସିକ୍ ଆନିମଲ୍ ହଜ୍‌ବେଣ୍ଡ୍‌ରି ଷ୍ଟାଟିଷ୍ଟିକ୍‌ସ’ ରିପୋର୍ଟ ଦର୍ଶାଇଛି ଯେ ୨୦୨୨-୨୩ରେ ଦେଶରେ କ୍ଷୀର, ଅଣ୍ଡା ଓ ମାଂସ ଉତ୍ପାଦନ ବୃଦ୍ଧି ପାଇଛି। ଏହାର ତଥ୍ୟ ଅନୁଯାୟୀ ମାର୍ଚ୍ଚ ୨୦୨୨ରୁ ଫେବ୍ରୁଆରି ୨୦୨୩ ମଧ୍ୟରେ ଦେଶରେ ୨୩୦.୫୭ ମିଲିଅନ୍‌ ବା ନିୟୁତ ଟନ୍ କ୍ଷୀର ଉତ୍ପାଦିତ ହୋଇଥିଲା। ୨୦୨୧-୨୨ ତୁଳନାରେ ଦେଶରେ କ୍ଷୀର ଉତ୍ପାଦନ ୩.୮% ବୃଦ୍ଧି ପାଇଥିବା ବେଳେ ବିଗତ ପାଞ୍ଚ ବର୍ଷରେ ଦେଶରେ କ୍ଷୀର ଉତ୍ପାଦନ ୨୨.୮୧% ବଢ଼ିଛି। ଉତ୍ତରପ୍ରଦେଶ ସର୍ବାଧିକ କ୍ଷୀର ଉତ୍ପାଦନକାରୀ ରାଜ୍ୟ ହୋଇଥିବା ବେଳେ ତା’ ପଛକୁ ଅଛନ୍ତି ଯଥାକ୍ରମେ ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜରାଟ ଓ ଆନ୍ଧ୍ରପ୍ରଦେଶ। ସେହିପରି ୨୦୨୨-୨୩ରେ ଦେଶରେ ଉତ୍ପାଦିତ ହୋଇଥିବା ଅଣ୍ଡା ସଂଖ୍ୟା ୧୩୮.୩୮ ବିଲିଅନ୍ (ଏକ ବିଲିଅନ ହେଉଛି ୧୦୦ କୋଟି) ବୋଲି ଆକଳନ କରାଯାଇଛି। ଏ କ୍ଷେତ୍ରରେ ବିଗତ ପାଞ୍ଚ ବର୍ଷରେ ୩୩.୩୧% ଅଭିବୃଦ୍ଧି ରେକର୍ଡ ହୋଇଛି। ଆନ୍ଧ୍ର ପ୍ରଦେଶ ୨୦.୧୩% ଭାଗ ସହିତ ଦେଶର ସର୍ବାଧିକ ଅଣ୍ଡା ଉତ୍ପାଦନକାରୀ ରାଜ୍ୟ ହୋଇଥିବା ବେଳେ ଏହା ପଛକୁ ଅଛନ୍ତି ଯଥାକ୍ରମେ ତାମିଲନାଡୁ, ତେଲେଙ୍ଗାନା, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକ। ସେହିପରି ଉକ୍ତ ଅବଧିରେ ଦେଶରେ ୯.୭୭ ମିଲିଅନ୍ ଟନ୍ ମାଂସ ଉତ୍ପାଦିତ ହୋଇଥିଲା ବୋଲି ଆକଳନ କରାଯାଇଛି। ପୂର୍ବ ବର୍ଷ ତୁଳନାରେ ମାଂସ ଉତ୍ପାଦନ ୫.୧୩% ବଢ଼ିଥିବା ବେଳେ ବିଗତ ୫ ବର୍ଷରେ ଏହି ବୃଦ୍ଧି ହାର ହେଉଛି ୨୦.୩୯%। ଉତ୍ତରପ୍ରଦେଶ ସର୍ବାଧିକ ମାଂସ ଉତ୍ପାଦନ କରୁଥିବା ବେଳେ ତା’ ପଛକୁ ଅଛନ୍ତି ଯଥାକ୍ରମେ ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା। ଅପରପକ୍ଷେ ୨୦୨୨-୨୩ରେ ଦେଶରେ ୩୩.୬୧ ମିଲିଅନ୍ କିଲୋଗ୍ରାମ୍ ଉଲ୍ ଉତ୍ପାଦିତ ହୋଇଥିଲା। ପୂର୍ବ ବର୍ଷ ତୁଳନାରେ ଉଲ୍ ଉତ୍ପାଦନ ୨.୧୨% ବୃଦ୍ଧି ପାଇଥିବା ସତ୍ତ୍ବେ ବିଗତ ପାଞ୍ଚ ବର୍ଷରେ ଦେଶରେ ଏହା ବିଯୁକ୍ତ ୧୬.୮୬% ହାରରେ ହ୍ରାସ ପାଇଥିବାର ପ୍ରକାଶ ପାଇଛି। ଦେଶର ୪୭.୯୮% ଉଲ୍‌ କେବଳ ରାଜସ୍ଥାନରେ ଉତ୍ପାଦିତ ହୋଇଥାଏ ବୋଲି ଏହି ରିପୋର୍ଟରୁ ଜଣାପଡ଼ିଛି।