ଅର୍ଥନୈତିକ ଶିକ୍ଷା କମ୍ପାନି ‘ଫିନ୍‌ସେଫ୍ ଇଣ୍ଡିଆ’ ଦ୍ବାରା କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଭାରତର ଚାକିରିଆଙ୍କ ପାଇଁ ଟଙ୍କା ସଞ୍ଚୟ କରିବା ହେଉଛି ଏକ ବଡ଼ ଆହ୍ବାନ। ଜରୁରୀ ପରିସ୍ଥିତି ପାଇଁ ଆର୍ଥିକ ଯୋଜନା କରିବାରେ ମଧ୍ୟ ଭାରତୀୟଙ୍କ ଠାରେ ପ୍ରସ୍ତୁତିର ଅଭାବ ଦେଖାଦେଇଥାଏ। ସର୍ବେକ୍ଷଣରେ ଭାଗ ନେଇଥିବା ଲୋକଙ୍କ ମଧ୍ୟରୁ ୪୮% କହିଥିଲେ ଯେ ଅବସର ଗ୍ରହଣ ଓ ପିଲାଙ୍କ ଶିକ୍ଷା ପରି ଲକ୍ଷ୍ୟ ହାସଲ ସେମାନଙ୍କ ଲାଗି ସବୁଠାରୁ ବଡ଼ ଆର୍ଥିକ ଆହ୍ବାନ। ସେହିପରି ୪୨% କହିଛନ୍ତି ଯେ କୌଣସି କାରଣରୁ ଚାକିରି ହରାଇଲେ ସେମାନେ ନିଜର ଖର୍ଚ୍ଚ ତୁଲାଇବାକୁ ଅସମର୍ଥ ହେବେ। ଚାକିରିଆଙ୍କ ପାଇଁ ଆର୍ଥିକ ଚିନ୍ତାର କେତେକ ବଡ଼ କାରଣ ହେଉଛି ବୃଦ୍ଧ ପିତାମାତାଙ୍କ ପ୍ରତିପୋଷଣ ଏବଂ ମେଡିକାଲ୍ ଖର୍ଚ୍ଚ। ୪୮% ଅଂଶଗ୍ରହଣକାରୀ ନିଯୁକ୍ତିଦାତାଙ୍କ ଦ୍ବାରା ପ୍ରଦତ୍ତ ମେଡିକାଲ୍ ସୁରକ୍ଷା ଉପରେ ନିର୍ଭରଶୀଳ ହୋଇଥିଲେ ହେଁ ତାହା ପର୍ଯ୍ୟାପ୍ତ ବୋଲି ଅନୁଭବ କରନ୍ତି ନାହିଁ ଏବଂ ୨୩% ସ୍ବାସ୍ଥ୍ୟଗତ ଜରୁରୀ ସ୍ଥିତି ନେଇ କଦାପି ପ୍ରସ୍ତୁତ ନାହାନ୍ତି। ଚାକିରିଆଙ୍କ ପୁଞ୍ଜି ନିବେଶ ଉପରେ ଦୃଷ୍ଟି ପକାଇଲେ ଜଣା ପଡ଼ିଥାଏ ଯେ ସେମାନଙ୍କ ମଧ୍ୟରୁ ୪୪% ମ୍ୟୁଚୁଆଲ୍ ଫଣ୍ଡ୍‌ ବା ଷ୍ଟକ୍‌ରେ ନିବେଶ କରୁଥିବା ବେଳେ ୩୬% ଫିକ୍‌ସଡ ଡିପୋଜିଟ୍ ଓ ଇନ୍‌ସ୍ୟୁରାନ୍‌ସ ଆଦିରେ ନିବେଶ କରନ୍ତି। କିନ୍ତୁ ଏକ-ତୃତୀୟାଂଶ ବା ୩୪% ଚାକିରିଆ କେଉଁଠି ପୁଞ୍ଜି ନିବେଶ କରିବେ ସେ ସମ୍ପର୍କରେ ଅଜ୍ଞ ଅଛନ୍ତି। ସମ୍ପତ୍ତି ସୃଷ୍ଟିର ମୂଳଦୁଆ ଭାବେ ବିବେଚିତ ‘ସଞ୍ଚୟ’ କରିବା ଚାକିରିଆଙ୍କ ଲାଗି ଅନ୍ୟତମ ବିରାଟ ଆହ୍ବାନ। ୫୭% ଚାକିରିଆ ନିଜ ଦରମାର ୨୦%ରୁ କମ୍ ସଞ୍ଚୟ କରୁଥିବା ବେଳେ ୨୪% ଲୋକ ଟଙ୍କାଟିଏ ସଞ୍ଚୟ କରନ୍ତି ନାହିଁ।