ସଦ୍ୟ ପ୍ରକାଶିତ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ-ୟୁନିସେଫ୍‌ ରିପୋର୍ଟ ୨୦୨୪ ଅନୁଯାୟୀ କୋଭିଡ୍‌ ମହାମାରୀ ସମୟରେ ଭାରତରେ ଶିଶୁମାନଙ୍କ ଟିକାକରଣ ହାରରେ ତୀବ୍ର ସ୍ଖଳନ ଦେଖାଦେଇଥିବା ବେଳେ ୨୦୨୨ ମସିହାରେ ଏହି ହାରରେ ବୃଦ୍ଧି ଘଟି ୨୦୨୩ରେ ପୁଣି ଏହି ହାର ନିମ୍ନମୁଖୀ ହୋଇଯାଇଛି। ଏହି ରିପୋର୍ଟର ଆଉ ଏକ ଚିନ୍ତାଜନକ ଦିଗ ହେଲା ଅନ୍ୟୂନ ଦୁଇଟି ରୋଗର ଗୋଟିଏ ବି ଟିକା ଡୋଜ୍‌ ନେଇ ନ ଥିବା ଶିଶୁଙ୍କ ସଂଖ୍ୟା ଦୃଷ୍ଟିରୁ ଭାରତ ଆଗରେ ରହିଛି। ଟିକାକରଣ ହାରରେ ହ୍ରାସ କାରଣରୁ ଶିଶୁମାନଙ୍କ ମୃତ୍ୟୁ ଓ ଅସୁସ୍ଥତା ହାର ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଥାଏ। ୨୦୨୨ ତୁଳନାରେ ୨୦୨୩ରେ ଟିକାକରଣ ହାର ହ୍ରାସ ପାଇଥିବା କେତେକ ଟିକା ହେଉଛି ବିସିଜି, ଡିଟିପି (ପ୍ରଥମ ଓ ଦ୍ବିତୀୟ ଡୋଜ୍‌), ହେପାଟାଇଟିସ୍‌, ମିଳିମିଳା (ପ୍ରଥମ ଡୋଜ୍‌), ପୋଲିଓ ଓ ରୋଟାଭାଇସର୍‌। ଏଗୁଡ଼ିକର ଟିକାକରଣ ହାର ଏ ପର୍ଯ୍ୟନ୍ତ କୋଭିଡ୍‌ ପୂର୍ବ (୨୦୧୯) ହାର ପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ। ଇତିମଧ୍ୟରେ କେତେକ ରୋଗର ସଂକ୍ରମଣ ବଢ଼ିଥିବାର ପ୍ରମାଣ ମିଳିଛି। ଉଦାହରଣ ସ୍ବରୂପ ୨୦୨୩ ଅକ୍‌ଟୋବରରୁ ୨୦୨୪ ମାର୍ଚ୍ଚ ମଧ୍ୟରେ ଭାରତରେ ୧୫,୫୯୦ ଶିଶୁ ମିଳିମିଳା ସଂକ୍ରମିତ ହୋଇଥିବାର ତଥ୍ୟ ରେକର୍ଡ ହୋଇଛି, ଯାହା ପୃଥିବୀରେ ଚତୁର୍ଥ ସର୍ବାଧିକ।

Advertisment

ସେହିପରି ଗୋଟିଏ ବି ଟିକା ନେଇନଥିବା (ଶୂନ୍ୟ ଡୋଜ୍) ଶିଶୁଙ୍କ ସଂଖ୍ୟା ୨୦୨୩ରେ ୧୬ ଲକ୍ଷକୁ ବୃଦ୍ଧି ପାଇଛି, ଯେଉଁ ସଂଖ୍ୟା ୨୦୨୨ରେ ୧୧ ଲକ୍ଷ ଥିଲା। ଏହି ରିପୋର୍ଟ ଅନୁସାରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ‘ଇମ୍ୟୁନାଇଜେସନ୍‌ ଆଜେଣ୍ଡା ୨୦୩୦’ର ଏକ ଗୁରୁତ୍ବପୂର୍ଣ୍ଣ ଲକ୍ଷ୍ୟ ହେଲା ଶୂନ୍ୟ ଡୋଜ୍‌ ଶିଶୁଙ୍କ ସଂଖ୍ୟାରେ ଅର୍ଦ୍ଧେକ ହ୍ରାସ ଘଟାଇବା। କିନ୍ତୁ ବିଶ୍ବ ସ୍ତରରେ ଏ ଯାଏ କୋଭିଡ୍‌ ପୂର୍ବ ଟିକାକରଣ ହାର ହାସଲ ହେଇ ନ ଥିବାରୁ ଉକ୍ତ ଲକ୍ଷ୍ୟ ହାସଲ କରିବା କଷ୍ଟକର ହେବାକୁ ଯାଉଛି।