ଦର୍ପଣ: କମିବେ ଧୂମପାୟୀ

ପୃଥିବୀର ପ୍ରାୟ ସମସ୍ତ ଦେଶର ଧୂମପାୟୀମାନେ କ୍ରମେ ଧୂମପାନର ବଦଭ୍ୟାସ ଠାରୁ ଦୂରେଇବାରେ ଲାଗିଛନ୍ତି। ସର୍ବେକ୍ଷଣକାରୀ ସଂସ୍ଥା ‘ଷ୍ଟାଟିଷ୍ଟା’ ଦ୍ବାରା ପ୍ରକାଶିତ ଖାଉଟି ରିପୋର୍ଟରୁ ଜଣାପଡ଼ିଛି ଯେ ଇଣ୍ଡୋନେସିଆ ଛଡ଼ା ପୃଥିବୀର ଅନ୍ୟ ସବୁ ଦେଶରେ ସିଗାରେଟ୍‌ ଟାଣୁଥିବା ଲୋକଙ୍କ ସଂଖ୍ୟା ହ୍ରାସ ପାଇବାକୁ ଯାଉଛି। ୨୦୩୦ ସୁଦ୍ଧା ଭାରତ ସମେତ ଅନେକ ଦେଶରେ ୨୦-୪୦ ଲକ୍ଷ ଲୋକ ସିଗାରେଟ୍‌ ନିଶାରୁ ମୁକ୍ତ ହୋଇଯିବେ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ ପୃଥିବୀର ୮୦% ସିଗାରେଟ୍ ବ୍ୟବହାରକାରୀ ଗରିବ ଓ ମଧ୍ୟବିତ୍ତ ଦେଶମାନଙ୍କରେ ବସବାସ କରନ୍ତି।

ସଂଖ୍ୟା ଦୃଷ୍ଟିରୁ ଦେଖିଲେ ୨୦୨୧ ମସିହାରେ ଚୀନରେ ସର୍ବାଧିକ ୨୯.୩ କୋଟି ଲୋକ ସିଗାରେଟ୍ ଟାଣୁଥିବା ବେଳେ ୨୦୩୦ ବେଳକୁ ଏହି ସଂଖ୍ୟା ୨୯ କୋଟିକୁ ଖସିଆସିବ ବୋଲି ପୂର୍ବାନୁମାନ କରାଯାଇଛି। ସେହିପରି ଭାରତରେ ୨୦୨୧ରେ ୧୪.୭ କୋଟି ଧୂମପାନ କରୁଥିବା ବେଳେ ୨୦୩୦ ବେଳକୁ ଏହି ସଂଖ୍ୟା ୧୪.୫ କୋଟିକୁ ହ୍ରାସ ପାଇବ। ତେବେ ଇଣ୍ଡୋନେସିଆରେ ଧୂମପାନକାରୀଙ୍କ ସଂଖ୍ୟା ୧୧.୨ କୋଟିରୁ ୧୨.୩ କୋଟିକୁ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି। ସେହିପରି ୨୦୨୧ରୁ ୨୦୩୦ ମଧ୍ୟରେ ଧୂମପାନକାରୀଙ୍କ ସଂଖ୍ୟା ଯୁକ୍ତରାଷ୍ଟ୍ର ଆମେରିକାରେ ୬.୭ କୋଟିରୁ ୬.୩ କୋଟିକୁ, ରୁଷିଆରେ ୫.୬ କୋଟିରୁ ୫.୫ କୋଟିକୁ, ଜାପାନରେ ୨.୭ କୋଟିରୁ ୨.୪ କୋଟିକୁ, ଡେନ୍‌ମାର୍କରେ ୨.୫ କୋଟିରୁ ୨.୪ କୋଟିକୁ, ୟୁନାଇଟେଡ୍‌ କିଙ୍ଗଡମ୍‌ରେ ୧.୩ କୋଟିରୁ ୧.୧ କୋଟିକୁ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରାଯାଇଛି। ‘ଷ୍ଟାଟିଷ୍ଟା’ ସର୍ବେକ୍ଷଣରେ ଭାଗ ନେଇଥିବା ନାଇଜେରିଆର ସର୍ବାଧିକ ୮୫% ଲୋକ ସିଗାରେଟ୍ ଠାରୁ ଦୂରେଇ ରହିଥିବା ବିଷୟ ପ୍ରକାଶ କରିଥିବା ବେଳେ ଜାପାନର ୭୯%, ବ୍ରାଜିଲ୍‌ର ୭୬%, ଡେନମାର୍କର ୭୧%, ଫ୍ରାନ୍‌ସର ୬୮%, ଅଷ୍ଟ୍ରିଆର ୬୬%, ଯୁକ୍ତରାଷ୍ଟ୍ର ଆମେରିକାର ୬୩% ଅଂଶଗ୍ରହଣକାରୀ ସିଗାଟେଟ୍ ଟାଣିବାର ବଦଭ୍ୟାସ ଠାରୁ ଦୂରେଇ ରହିଛନ୍ତି।

ସମ୍ବନ୍ଧିତ ଖବର