ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ (ଏଫ୍‌ଏସ୍‌ଆଇ) ଦ୍ବାରା ସଂକଳିତ ତଥ୍ୟ ଅନୁଯାୟୀ ଗତ ଚାରିବର୍ଷ ହେଲା ଆମ ଦେଶରେ ଜଙ୍ଗଲ ଅଗ୍ନିକାଣ୍ଡ ସଂଖ୍ୟା କ୍ରମେ ହ୍ରାସ ପାଇବାରେ ଲାଗିଛି। ଲୋକସଭାରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଜଙ୍ଗଲ ନିଆଁ ମାମଲା ନେଇ ଏହି ସକାରାତ୍ମକ ଚିତ୍ର ଉପସ୍ଥାପନ କରିଛି।
ଏହି ମନ୍ତ୍ରାଳୟ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ ୨୦୨୦-୨୧ରେ ଦେଶରେ ସମୁଦାୟ ୩,୪୫,୯୮୯ଟି ଜଙ୍ଗଲ ନିଆଁ ପଞ୍ଜୀକୃତ ହୋଇଥିବା ବେଳେ ୨୦୨୩-୨୪ରେ ଏହି ସଂଖ୍ୟା ୨,୦୩,୫୪୪କୁ ଖସିଆସିଛି। ଦେଶର ସମସ୍ତ ରାଜ୍ୟମାନଙ୍କ ମଧ୍ୟରୁ ଏ ବର୍ଷ ଉତ୍ତରାଖଣ୍ଡର ସର୍ବାଧିକ ୨୧,୦୩୩ଟି ସ୍ଥାନରେ ଜଙ୍ଗଲ ନିଆଁ ଲାଗିଥିବା ବେଳେ ଓଡ଼ିଶାରେ ଦ୍ବିତୀୟ ସର୍ବାଧିକ ୨୦,୯୭୩ଟି ସ୍ଥାନରେ ନିଆଁ ଲାଗିଥିଲା। ସେହିପରି ପୁଡୁଚେରୀ ଓ ଲାକ୍ଷାଦ୍ବୀପରେ ସର୍ବନିମ୍ନ ଜଙ୍ଗଲ ନିଆଁ ପଞ୍ଜୀକୃତ ହୋଇଛି, ଯାହା ହେଉଛି ଶୂନ। ତା’ ଉପରକୁ ଚଣ୍ଡୀଗଡ଼ରେ ମାତ୍ର ଗୋଟିଏ ସ୍ଥାନରେ ଜଙ୍ଗଲରେ ନିଆଁ ଲାଗିଥିଲା।
ଏହି ତଥ୍ୟରେ ଯେଉଁ ଗୁରୁତ୍ବପୂର୍ଣ୍ଣ ସୂଚନାର ଅଭାବ ରହିଛି ତାହା ହେଲା ଦେଶର ଜଙ୍ଗଲରେ ନିଆଁ ଲାଗିବା ଯୋଗୁଁ କେତେ ପରିମାଣର ଜଙ୍ଗଲ ବା ବନ୍ୟଜୀବନର ହାନି ଘଟିଛି, ତାହାର ତଥ୍ୟ ଏଠାରେ ନାହିଁ।
ଉଲ୍ଲେଖଯୋଗ୍ୟ ଯେ ସାଟେଲାଇଟ୍‌ରେ ଲାଗିଥିବା ‘ଏସ୍‌ଏନ୍‌ପିପି-ଭିଆଇଆଇଆର୍‌ଏସ୍‌’ ସେନ୍‌ସର୍‌ ମାଧ୍ୟମରେ ଆମ ଦେଶରେ ଜଙ୍ଗଲ ନିଆଁ ଠାବ ଓ ଗଣନା କରାଯାଇଥାଏ। ଇଣ୍ଡିଆନ୍‌ ଷ୍ଟେଟ୍‌ ଅଫ୍ ଫରେଷ୍ଟ ରିପୋର୍ଟ ୨୦୧୯ ଅନୁସାରେ ଭାରତର ସମୁଦାୟ ଜଙ୍ଗଲ ଆୟତନର ୩୬% ଭାଗରେ ବାରମ୍ବାର ନିଆଁ ଲାଗିବାର ଆଶଙ୍କା ରହିଛି ଏବଂ ୪% ଜଙ୍ଗଲରେ ନିଆଁ ଲାଗିବାର ବିପଦ ଚରମ ଶ୍ରେଣୀର।