ଭାରତୀୟ ପକ୍ଷୀଙ୍କ ସ୍ଥିତିକୁ ଆକଳନ କରାଯାଇ କରାଯାଇଥିବା ‘ଷ୍ଟେଟ୍ ଅଫ୍ ଇଣ୍ଡିଆସ୍ ବାର୍ଡସ୍ ୨୦୨୩’ ନାମକ ରିପୋର୍ଟ ନିକଟରେ ପ୍ରକାଶ ପାଇଛି। ଏହା ଏକ ଚିନ୍ତାଜନକ ଚିତ୍ର ଉପସ୍ଥାପନ କରିଛି। ପ୍ରକାଶ ଥାଉ କି ୯୪୨ ଜାତିର ପକ୍ଷୀଙ୍କ ସ୍ଥିତି ଆକଳନ କରିବା ଲାଗି ଭାରତର ବିଭିନ୍ନ ଅଞ୍ଚଳର ୩୦,୦୦୦ ପକ୍ଷୀ ଗଣନାକାରୀ ୩ କୋଟି ପକ୍ଷୀଙ୍କ ଡେଟା ସଂଗ୍ରହ କରିଥିଲେ। ଏହି ରିପୋର୍ଟ ଅନୁଯାୟୀ ଦୀର୍ଘକାଳୀନ ଆକଳନ (ତିନି ଦଶନ୍ଧି) ପାଇଁ ୩୩୮ ଜାତିର ପକ୍ଷୀଙ୍କ ଡେଟା ଉପଲବ୍ଧ ଅଛି। ସେ ମଧ୍ୟରୁ ୬୦% ବା ୨୦୪ ଜାତିର ପକ୍ଷୀଙ୍କ ସଂଖ୍ୟାରେ ସ୍ଖଳନ ଘଟୁଥିବା ବେଳେ ୯୮ ଜାତିର ପକ୍ଷୀ ସଂଖ୍ୟା ପ୍ରତି ବର୍ଷ ହ୍ରାସ ପାଇବାରେ ଲାଗିଛି, ୯୮ ଜାତିର ସଂଖ୍ୟା ସ୍ଥିର ଅଛି ଏବଂ ୩୬ ଜାତିର ପକ୍ଷୀଙ୍କ ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହେଉଛି।
ସେହି ଭଳି ୩୫୯ ପକ୍ଷୀ ଜାତିର ବାର୍ଷିକ ଟ୍ରେଣ୍ଡ୍ ବା ଗତିବିଧି ଆକଳନ କରାଯାଇଥିଲା। ସେଥିରୁ ୪୦% ବା ୧୪୨ ଜାତିର ପକ୍ଷୀ ସଂଖ୍ୟା ହ୍ରାସ ପାଇଥିବା, ୧୮୯ ଜାତିର ସଂଖ୍ୟା ସ୍ଥିର ଥିବା ଏବଂ ୨୮ ଜାତିର ସଂଖ୍ୟା ବୃଦ୍ଧି ପାଇଥିବାର ଚିତ୍ର ମିଳିଛି। ଭାରତରେ ଏସୀୟ କୋଇଲି, ଭାରତୀୟ ମୟୂର, ପାରା, ଆସି ପ୍ରିନିଆ ଭଳି ‘ଜେନେସାଲିଷ୍ଟ’ ବା ଅନେକ ପରିବେଶରେ ରହିପାରୁଥିବା ଓ ବିଭିନ୍ନ ପ୍ରକାର ଖାଦ୍ୟ ଖାଉଥିବା ପକ୍ଷୀମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି, କିନ୍ତୁ ଘାସ ବଣ ଓ ଆର୍ଦ୍ରଭୂମିରେ ରହୁଥିବା ପକ୍ଷୀଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଛି। ଏହି ରିପୋର୍ଟରେ ୧୭୮ ପକ୍ଷୀ ଜାତିକୁ ‘ହାଇ କନ୍ଜର୍ଭେସନ୍ ପ୍ରାୟୋରିଟି’ ବା ଉଚ୍ଚ ସଂରକ୍ଷଣ ଅଗ୍ରାଧିକାର ଶ୍ରେଣୀରେ ରଖାଯାଇଥିବା ବେଳେ ଭଦଭଦଳିଆ ସମେତ ୧୪ଟି ପକ୍ଷୀ ଜାତିକୁ ‘ଆଇୟୁସିଏନ୍’ର ‘ରେଡ୍ ଲିଷ୍ଟ୍’ ବା ‘ଲୋହିତ ତାଲିକା’ରେ ଯୋଡ଼ିବା ପାଇଁ ପ୍ରସ୍ତାବ ଦିଆଯାଇଛି। ପକ୍ଷୀ ସଂଖ୍ୟାକୁ ପ୍ରଭାବିତ କରୁଥିବା କେତେକ ମୁଖ୍ୟ କାରଣ ହେଉଛନ୍ତି ସହରୀକରଣ, ପରିସଂସ୍ଥାର ମାନରେ ହ୍ରାସ, ରୋଗ, ଭିତ୍ତିଭୂମି ବିକାଶ, ପକ୍ଷୀ ବ୍ୟବସାୟ, ଶିକାର, ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ଇତ୍ୟାଦି। ତେବେ ଏ ପ୍ରସଙ୍ଗରେ ସ୍ବାଗତଯୋଗ୍ୟ ବିଷୟ ହେଲା, ପକ୍ଷୀମାନଙ୍କ ସୁରକ୍ଷା ଲାଗି ଏବେ ବ୍ୟକ୍ତିଗତ ଏବଂ ଗୋଷ୍ଠୀଗତ ସ୍ତରରେ ଉଦ୍ୟମ କରାଯାଉଛି।