ପୃଥିବୀ ପୃଷ୍ଠରେ କୋଟିକୋଟି ମଣିଷ ଜନ୍ମଗ୍ରହଣ କରୁଥିଲେ ମଧ୍ୟ ସମସ୍ତଙ୍କର ଜୀବନ କାହାଣୀ ଇତିହାସରେ ଲିପିବଦ୍ଧ ହୋଇପାରେ ନାହିଁ। କେତେଜଣ ଅସାଧାରଣ ବ୍ୟକ୍ତିତ୍ବ ଆବିର୍ଭୂତ ହୋଇଥାନ୍ତି, ଯେଉଁମାନେ ନିଜର ନିଷ୍ଠା, ସାଧନା ଓ ଏକାଗ୍ରତା ଦ୍ବାରା ଏପରି ଅଲୌକିକ କୀର୍ତ୍ତି ଅର୍ଜନ କରିଥାନ୍ତି, ଯଦ୍ଦ୍ବାରା ମୃତ୍ୟୁ ପରେ ମଧ୍ୟ ସେମାନେ ଗୋଟିଏ ଜାତି ପାଇଁ ଅମୂଲ୍ୟ ସମ୍ପଦ ହୋଇ ଯୁଗଯୁଗକୁ ରହିଥାନ୍ତି, ଯାହାକୁ ଗୋଟିଏ ଜାତି ସବୁଦିନ ପାଇଁ ମନେ ରଖିଥାଏ। ଏହିପରି ରାଜ୍ୟ ଏବଂ ଦେଶବାସୀଙ୍କର ଚର୍ଚ୍ଚିତ ବିରଳ ବ୍ୟକ୍ତିତ୍ବ, ଜୀବନପଥର ନିଃସଙ୍ଗ ପଥିକ, ଓଡ଼ିଶା ପାଠାଗାର, ସଂଗ୍ରହାଳୟ ଆନ୍ଦୋଳନର ପ୍ରବାଦ ପୁରୁଷ ପ୍ରଖ୍ୟାତ ସଂଗ୍ରାହକ ଏବଂ ପ୍ରସିଦ୍ଧ ସାରସ୍ବତ ସାଧକ ଦାଶରଥୀ ପଟ୍ଟନାୟକ (୧୯୦୭ - ୧୯୯୭) ଦଶପଇସାର ରଜା, ଖୁଣ୍ଟାତଡ଼ା ରଜା, ଦାସିଆ ଅଜା ନାମରେ ସମଗ୍ର ଓଡ଼ିଶାର ଜନମାନସରେ ଥିଲେ ସମସ୍ତଙ୍କର ପରିଚିତ ଏବଂ ପ୍ରତିଷ୍ଠିତ। ରାଜ୍ୟ ଓ ଦେଶବାସୀଙ୍କ ପାଇଁ ଥିଲେ ଏକ ବିସ୍ମୟ ଓ ଓଡ଼ିଆ ଜାତି ପାଇଁ ଗର୍ବିତ ।
ଦାସିଆ ଅଜା ଅତି ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଚତୁର୍ଥ ଶ୍ରେଣୀ ଥିଲା ତାଙ୍କର ପାଠପଢ଼ା। ପ୍ରାରମ୍ଭିକ ଜୀବନରେ ପେଟପାଟଣା ପାଇଁ ସେ ବିଭିନ୍ନ ଛୋଟମୋଟ ସରକାରୀ ଚାକିରି କରିଥିଲେ ମଧ୍ୟ ସେଥିରେ ସନ୍ତୁଷ୍ଟ ନ ହୋଇ ଗାଁକୁ ଫେରି ପାହାଡ଼ିଆ ଅନୁର୍ବର ଜମିରୁ ନିଜେ ଖୁଣ୍ଟାତାଡ଼ି ଏହାକୁ ଚାଷଜମି ରୂପେ ପ୍ରସ୍ତୁତ କରି ନିଜର ତେଲଲୁଣ ସଂସାରକୁ ଚଳାଇଥିଲେ। ଏଥିପାଇଁ ସେ ଖୁଣ୍ଟାତଡ଼ା ରଜା ନାମରେ ପରିଚିତ ହୋଇଥିଲେ। ଦ୍ବିପ୍ରହର ବିଶ୍ରାମ ସମୟରେ ବହି ପଢ଼ିବା ଥିଲା ତାଙ୍କର ଏକ ନିଶା। କାଲି କ’ଣ ପଢ଼ିବି? ଆଉ ବହି, ପତ୍ରିକା କେଉଁଠାରୁ ପାଇବି? ଏହି ବହି ପଢ଼ିବା ନିଶାରୁ ଆରମ୍ଭ କଲେ ସେ ପୁସ୍ତକ ଭିକ୍ଷାର ଓଡ଼ିଶା ଯାତ୍ରା। ଗାଁ ଗଣ୍ଡା, ସହର ବଜାର, ଦ୍ବାରଦ୍ବାର ଘୂରି ବୁଲିଲେ। ପାଲଟି ଗଲେ ଓଡ଼ିଶାର ସର୍ବଶ୍ରେଷ୍ଠ ଭିକାରି। ଅଧା ଲଙ୍ଗଳା ବେଶ, ଗୋଟିଏ ଆଖି ନାହିଁ, ହାତରେ ଗୋଟାଏ ଠେଙ୍ଗା, କାନ୍ଧରେ ଏକ ଝୁଲାମୁଣି, ଆଉ ଆଖିରେ ଆଖିଏ ସ୍ବପ୍ନ। ଦୁଇଖଣ୍ଡ ଶୁଖିଲା ରୁଟି ଓ ଦୁଇମୁଠା ଚୁଡ଼ା, ମୁଠାଏ ମୁଢ଼ି ଓ କପେ ନାଲି ଚା ଥିଲା ତାଙ୍କର ଖାଦ୍ୟ ପ୍ରଣାଳୀ। ଜୀବନ ପ୍ରଣାଳୀ ଥିଲା ଅତି ସରଳ ଓ ସାଧାରଣ। ଜୀବନର ଅବସର ସମୟରେ ଦାସିଆ ଅଜା ଆରମ୍ଭ କରିଥିଲେ ସାଧନା। ଜୀବନର ପାହାଚରେ ଉଠି ଯାଇଥିଲେ ସେ ବହୁ ଊର୍ଦ୍ଧ୍ବକୁ। ହାତପାତି ମାଗିଲେ ସମସ୍ତଙ୍କୁ ପୁସ୍ତକ, ପତ୍ରପତ୍ରିକା, ତାଳପତ୍ର ପୋଥୀ ଏବଂ ବିଭିନ୍ନ ପୁରାତନ ସଂସ୍କୃତିର ସନ୍ତକ ଏବଂ ଦଶପଇସାର ଭିକ୍ଷା। ବୟସ ହାର ମାନିଲା ତାଙ୍କ ପାଖରେ। ଜାତି ପାଇଁ ମାଗିଯାଚି ସୃଷ୍ଟି କଲେ ଏକ ମହାନ ସାଂସ୍କୃତିକ ସମ୍ଭାର। ପ୍ରତିଦିନ ୧୦୦ରୁ ଊର୍ଦ୍ଧ୍ବ ପୋଷ୍ଟ କାର୍ଡ ଲେଖିବା ଥିଲା ତାଙ୍କର ଏକ ନିଶା । କବି, ଲେଖକ, ସାହିତ୍ୟିକମାନଙ୍କ ପାଇଁ ଏହି ପୋଷ୍ଟକାର୍ଡ ଥିଲା ଏକ ପ୍ରେରଣା।
ଏକ ଗ୍ରାମୀଣ ପରିବେଶରେ ଥାଇ ସେ ଦେଖୁଥିଲେ ଉତ୍କଳୀୟ ସାଂସ୍କୃତିକ ଚେତନା ଜାଗରଣର ସ୍ବପ୍ନ। ୯୦ ବର୍ଷର ଜୀବନ, ୪୦ ବର୍ଷର ସାଧନା ଥିଲା ଦାସିଆ ଅଜାଙ୍କର ଓଡ଼ିଆ ଜାତି ପାଇଁ ସମର୍ପିତ ଅବଦାନ। ଏକ ନିପଟ ମଫସଲ ପାହାଡ଼ ଜଙ୍ଗଲିଆ ଗାଁ ନୟାଗଡ଼ର ଉଦୟପୁରରେ ସେ ପ୍ରତିଷ୍ଠା କରିଦେଲେ ଏକ ଜାତୀୟସ୍ତରୀୟ ପାଠାଗାର, ସଂଗ୍ରହାଳୟ, ସାହିତ୍ୟ ସଂସଦ ଓ ଗବେଷଣାଗାର। ଯାହାକି ଆଜି ସମଗ୍ର ବିଶ୍ଵରେ ବିରଳ ଓ ବିସ୍ମୟ ସୃଷ୍ଟି କରିଛି। ଦାସିଆ ଅଜାଙ୍କ ସାଧନା ଓ ସଂଘର୍ଷମୟ ଜୀବନର ପୃଷ୍ଠା ଉନ୍ମୋଚନ କଲାବେଳେ ମାନବ ସମାଜ ମଧ୍ୟ ସ୍ତବ୍ଧ ହୋଇଯାଏ। ସ୍ନେହଶ୍ରଦ୍ଧାରେ ସେ ସମସ୍ତଙ୍କୁ ଯେପରି ଆପଣାର କରିପାରୁଥିଲେ ତାହା ସମସ୍ତଙ୍କୁ ବିସ୍ମିତ କରୁଥିଲା । ତାଙ୍କର ରୋକ୍ଠୋକ୍ କଥା ଶୁଣିଦେଲେ ମୁଣ୍ଡ ସ୍ବତଃ ନଇଁଆସୁଥିଲା ତାଙ୍କ ନିକଟକୁ। ଦାସିଆ ଅଜାଙ୍କୁ ଏହି ମହାନ୍ କାର୍ଯ୍ୟରେ ସହଯୋଗ କରୁଥିଲେ ସହଧର୍ମିଣୀ ପୌର୍ଣ୍ଣମାସୀ ଦେବୀ। ପୌର୍ଣ୍ଣମାସୀଙ୍କ ସମର୍ଥିତ ସେବା ଓ ତ୍ୟାଗ ମନୋଭାବ ଦାସିଆ ଅଜାଙ୍କୁ ପ୍ରେରଣା ଦେଇଥିଲା ନିଜ ଜୀବନର ସୁଦୀର୍ଘ ଯାତ୍ରା ପାଇଁ।
ପାଠାଗାରରେ ପୃଥିବୀର ବିଭିନ୍ନ ଭାଷାର ୧ ଲକ୍ଷ ୫୦ ହଜାରରୁ ଊର୍ଦ୍ଧ୍ବ ପୁରାତନ ଓ ଆଧୁନିକ ପୁସ୍ତକ, ପତ୍ରପତ୍ରିକା, ପୁରୁଣା ସମ୍ବାଦପତ୍ର ସମେତ ସଂଗ୍ରହାଳୟରେ ୫୦ଟି ବିଭାଗରେ ୫ ହଜାର ତାଳପତ୍ର ପୋଥୀ ଏବଂ ରାଜରାଜୁଡ଼ା-ବ୍ରିଟିଶ ରାଜତ୍ବ ସମୟର ବିରଳ ସାମଗ୍ରୀ ସହିତ ଆଦିମ ଯୁଗରୁ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ଦେଶବିଦେଶର ବହୁ ବିରଳ ଓ ବିଚକ୍ଷଣ ପଦାର୍ଥମାନ ସଂଗୃହୀତ ହୋଇ ରହିଛି।
କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ଜେଆନା ଉଇଲିୟମସ୍ ପ୍ରଥମେ ୧୯୭୯ରେ ଏବଂ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବିଦ୍ୟାବିତ୍ ତଥା ଚିକାଗୋ ବିଶ୍ବବିଦ୍ୟାଳୟର ପ୍ରଫେସର ଡ. ଜେମସ୍ ନେ ୨୦୧୬ରେ ଓ ୨୦୧୯ରେ ଇଟାଲୀ, ଗ୍ରୀସ୍, ଭିଏତନାମ୍ ଓ ମେକ୍ସିକୋରୁ ଆସିଥିବା ଗବେଷକ ମଣ୍ଡଳୀ ଦାସିଆ ଅଜାଙ୍କ ପ୍ରସିଦ୍ଧ ସମ୍ଭାରକୁ ପରିଦର୍ଶନ କରି ଅତ୍ୟନ୍ତ ଆଶ୍ଚର୍ଯ୍ୟାନ୍ବିତ ଏବଂ ବିସ୍ମିତ ହୋଇଥିଲେ।
ଆଜି ଦାସିଆ ଅଜାଙ୍କ ପାଠାଗାର, ସଂଗ୍ରହାଳୟ ରାଜ୍ୟ ଏବଂ ଦେଶବିଦେଶରେ ଗବେଷକ, ଦର୍ଶକ, ପର୍ଯ୍ୟଟକ, କବି, ଲେଖକ, ସାହିତ୍ୟିକ ଏବଂ ବୁଦ୍ଧିଜୀବୀମାନଙ୍କ ପାଇଁ ଏକ ଜାତୀୟ ତୀର୍ଥ କ୍ଷେତ୍ରରେ ପରିଣତ ହୋଇଛି। ଦାସିଆ ଅଜା ନିଜର ଜୀବିତାବସ୍ଥାରେ ନିଜ ପ୍ରତିଷ୍ଠିତ ଅନୁଷ୍ଠାନମାନ ପାଇଁ ଏକ ଟ୍ରଷ୍ଟ ଗଠନ କରିଛନ୍ତି। ନିଜର ସୁଯୋଗ୍ୟ ଦାୟାଦ ନାତି ଦୀପକଙ୍କୁ ଟ୍ରଷ୍ଟ ସଂପାଦକ ଦାୟିତ୍ବ ପ୍ରଦାନ କରିଛନ୍ତି।
ପ୍ରତିଭା ପୂଜା ପାଇଁ ଓଡ଼ିଆ ଜାତିର ଉଦାରତା ନାହିଁ। ତେଣୁ ଦାସିଆ ଅଜାଙ୍କ ପରି ବିରଳ ଏବଂ ବିସ୍ମୟ ବ୍ୟକ୍ତିତ୍ବଙ୍କ ସ୍ମୃତିରକ୍ଷା ପାଇଁ ଯଥୋଚିତ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ତେଣୁ ଓଡ଼ିଶା ସରକାର ଓ ଭାରତ ସରକାରଙ୍କ ପକ୍ଷରୁ ଦାସିଆ ଅଜାଙ୍କ ପ୍ରସିଦ୍ଧ ସାଂସ୍କୃତିକ ସମ୍ଭାରକୁ ବିଶ୍ବସ୍ତରରେ ଆକର୍ଷଣୀୟ କରିବା ପାଇଁ ବିଶ୍ବସ୍ତରୀୟ ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣ ସହିତ ଜାତୀୟ ପର୍ଯ୍ୟଟନ ସ୍ମାରକୀ ରୂପେ ପରିଣତ କରାଯିବାର ଆବଶ୍ୟକତା ରହିଛି। ରାଜ୍ୟ ସଂଗ୍ରହାଳୟ ସମ୍ମୁଖରେ ଦାସିଆ ଅଜାଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ ସହିତ ଜୟନ୍ତୀ ଓ ଶ୍ରାଦ୍ଧ ଦିବସରେ ପ୍ରତିବର୍ଷ ଭୁବନେଶ୍ୱରରେ ଏକ ସ୍ୱତନ୍ତ୍ର ଆଲୋଚନାଚକ୍ରର ଆୟୋଜନ କରାଯାଉ। ଏହାଦ୍ୱାରା ରାଜ୍ୟ ଓ ଦେଶର ଏହି ବିରଳ ବିସ୍ମୟ ସାଧକଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ଓ ଦାସିଆ ଅଜାଙ୍କ ଅମ୍ଳାନ ସ୍ମୃତି ରାଜ୍ୟବାସୀଙ୍କ ନିକଟରେ ଉଜ୍ଜୀବିତ ହୋଇରହିବ।
ପୂର୍ବତନ ସାଂସଦ, ଭୁବନେଶ୍ବର