ତଥ୍ୟ ହିଁ ଈଶ୍ୱର

ବିଜୟ ନାୟକ

କାହିଁ କେଉଁ କାଳର ସତ୍ୟକୁ ସୁନ୍ଦର ଓ ସୁନ୍ଦରକୁ ସତ୍ୟ ବୋଲି କୁହାଯାଉଥିଲା। ସେମିତି ‘ଈଶ୍ୱର ହିଁ ସତ୍ୟ’ ଆପ୍ତବାକ୍ୟ ବୋଧହୁଏ ସବୁଧର୍ମର ସାରାଂଶ। ମାତ୍ର ‘ମହାତ୍ମା ଗାନ୍ଧୀ’ ଆଉ ପାଦେ ଆଗେଇଗଲେ ଏବଂ ପ୍ରଚଳିତ ଆପ୍ତବାକ୍ୟଟିକୁ ବାକ୍ୟଟିକୁ ଓଲଟାଇ ଦେଲେ। ତାଙ୍କ ବିଚାରରେ ‘ସତ୍ୟ ହିଁ ଈଶ୍ୱର’। ମହାତ୍ମାଙ୍କ ଏହି ଉକ୍ତିର ମହତ୍ତ୍ୱ ଆଜିକାଲି କମ୍ ଉପଲବ୍ଧ ହେଉଛି। ‘ତଥ୍ୟ ହିଁ ଈଶ୍ୱର’, ଏହା ମାନବ ସମାଜର ସଦ୍ୟତମ ଆବିଷ୍କାର। ସାଂପ୍ରତିକ ବିଶ୍ୱ ଜୀବନରେ ତଥ୍ୟ ଯେମିତି ଅମ୍ଳଜାନ। ତଥ୍ୟ ନାହିଁ ତ ଜୀବନ କାହିଁ? ତଥ୍ୟର ତାଲିକାରୁ ପ୍ରତି ବ୍ୟକ୍ତିର ଜୀବନ ଆରମ୍ଭ- ନାମ, ପିତାଙ୍କ ନାମ, ଜନ୍ମ ତାରିଖ ଓ ଠିକଣା ଇତ୍ୟାଦି। ଯିଏ ଯେତେ ବଡ଼, ତା’ ପାଇଁ ତଥ୍ୟର ତାଲିକା ତହୁଁ ବଡ଼। ଯାହାର କୃତିତ୍ୱ ଅଧିକ, ତା’ପାଇଁ ତଥ୍ୟ-ସୂଚୀ ପୁସ୍ତିକାର ରୂପ ନିଏ। କୌଣସି ରାଷ୍ଟ୍ର ପାଇଁ ତା’ର ନିଜସ୍ୱ ସଂସ୍କୃତି, ସଭ୍ୟତା ବା ଇତିହାସ ଅଥବା ଦର୍ଶନ ପରିଚୟ ହୋଇ ରହିନାହିଁ । ଜନସଂଖ୍ୟା, ପରିସୀମା, ସୈନ୍ୟବଳ, ଅର୍ଥନୈତିକ ହିସାବ ଫର୍ଦ୍ଦ ଆଦି ଗୋଟେ ରାଷ୍ଟ୍ରର ଅଧୁନାତନ ପରିଚୟ। ସୂଚନା ଓ ପରିସଂଖ୍ୟାନ ବିନା ବିଶ୍ୱର ଗତି ନାହିଁ କି ପ୍ରଗତି ନାହିଁ ଯେମିତି ।

ଆମ ସଂସଦୀୟ ଗଣତନ୍ତ୍ରର ସର୍ବୋଚ୍ଚ ସଭାସମିତିର ପ୍ରଶ୍ନୋତ୍ତର ତଥା ତର୍କବିତର୍କ, ଆମ କର୍ଣ୍ଣଧାରମାନଙ୍କ ପ୍ରତିଶ୍ରୁତି ଓ ପ୍ରତିବଦ୍ଧତା, ଅଧିକାରୀମାନଙ୍କ ନଥି, ବିଦ୍ୱାନ୍‌ମାନଙ୍କ ପୋଥି, ସମ୍ବାଦପତ୍ରର ପୃଷ୍ଠା ଏବଂ ସର୍ବୋପରି ଅନୁସନ୍ଧାନ ଓ ଅନ୍ୱେଷଣର ଦିଗଦିଗନ୍ତ-ସବୁର ଆଧାର ତଥ୍ୟ। ନ୍ୟାୟପାଳିକା ମଧ୍ୟ ତଥ୍ୟବନ୍ଧନୀ ବହିର୍ଭୂତ ନୁହଁନ୍ତି । ସାକ୍ଷୀ, ପ୍ରମାଣ ସହିତ ଦୃଷ୍ଟାନ୍ତ (ପ୍ରିସିଡେନ୍ସ) ନ୍ୟାୟ-ବିଚାରର ଭିତ୍ତି ନୁହେଁ କି? ତଥ୍ୟର ମେଘନାଦ ପାଚେରି ଡେଇଁବାକୁ ସମକାଳର ସମର୍ଥ ମଣିଷ ଅସମର୍ଥ ।
ଏକଦା ପ୍ରତି ସମାଜରେ ପୂଜ୍ୟ ଥିଲା ପ୍ରଜ୍ଞା। ଜ୍ଞାନକୁ ଶକ୍ତିର ଆଖ୍ୟା ଦିଆଯାଇଥିଲା। ବିଦ୍ୟାକୁ କୁହାଯାଉଥିଲା ମୁକ୍ତିର ମାର୍ଗ। ଏପରିକି ‘ବୁଦ୍ଧିର୍ଯସ୍ୟ, ବଳଂତସ୍ୟ’ କଥାଟିକୁ ଗପ ମାଧ୍ୟମରେ ପ୍ରାଞ୍ଜଳ କରାଯାଇଥିଲା। କିନ୍ତୁ ସେସବୁ ଚିନ୍ତାଧାରାକୁ ପୁରୁଣାକାଳିଆ ବୋଲି ଧରି ନିଆଗଲାଣି। ଯାହା ପାଖରେ ତଥ୍ୟ ନାହିଁ, ସେ ସମାଜରେ ନିଃସ୍ୱ ଓ ନଗଣ୍ୟ। କିନ୍ତୁ ବିଦ୍ୟା, ବୁଦ୍ଧି ବା ବିବେକ ପରି ତଥ୍ୟ କ’ଣ କେବେ କୌଣସି ବ୍ୟକ୍ତିର ଭୂଷଣ ହୋଇପାରିବ? ତଥ୍ୟ କ’ଣ ସମାଜର ମାର୍ଗଦର୍ଶକ ହୋଇପାରିବ? ତଥ୍ୟ କ’ଣ ହୋଇପାରିବ ନବ ଦିଗନ୍ତର ଉନ୍ମୋଚକ?

ଏହାର ଉତ୍ତର ‘ନା’। ତେବେ ସମାଜରେ ଯେ ସୂଚନାର କୌଣସି ଭୂମିକା ନାହିଁ, ଏହା କହିବା ମଧ୍ୟ ମୂଢ଼ତା। ସୂଚନା ସଂଗ୍ରହ ଆଜି କେଡ଼େ ସହଜ ସତେ। ସେଥିପାଇଁ ବହୁ ରାଷ୍ଟ୍ରୀୟ କଂପାନିମାନେ ଧନ୍ୟବାଦାର୍ହ। ତଥ୍ୟ ସଂଗ୍ରହ ପାଇଁ ଦେଶବିଦେଶ ଯାତ୍ରା କାହିଁକି, ଲାଇବ୍ରେରି ଯିବା ମଧ୍ୟ ଲୋଡ଼ା ପଡ଼ୁନାହିଁ। ଯେକୌଣସି ସୂଚନା ମୋବାଇଲ୍ ଫୋନ୍ ନାମକ ଆଲ୍ଲାଦିନ ପ୍ରଦୀପ ମାଧ୍ୟମରେ ମୁହୂର୍ତ୍ତକ ମଧ୍ୟରେ ଉପଲବ୍ଧ। ସୂଚନା ସଂଗ୍ରହ ଠାରୁ ବଡ଼କଥା ସୂଚନା ବା ତଥ୍ୟ ସବୁର ବିଶ୍ଳେଷଣ। ଏହି ବିଶ୍ଳେଷଣ ମାଧ୍ୟମରେ ଅନେକ ଅଜଣା କଥା ଜାଣିହୁଏ, ଅବୁଝା କଥା ବୁଝିହୁଏ। କେତେକ ଘଟଣାର ପୂର୍ବାନୁମାନ କରିହୁଏ, ଭବିଷ୍ୟବାଣୀ ବି କରିହୁଏ, କଦବା କେମିତି।

ଜ୍ଞାନ-ଅନ୍ୱେଷଣର ମାର୍ଗକୁ ବିଜ୍ଞଜନେ ଦୁଇଭାଗରେ ବିଭକ୍ତ କରିଛନ୍ତି- ଆରୋହଣ ଓ ଅବରୋହଣ। ତଥ୍ୟ ମାଧ୍ୟମରେ ଆରୋହଣର ମାର୍ଗ ପ୍ରଶସ୍ତ ହୁଏ। ରାମ, ଦାମ ବା ଶ୍ୟାମଙ୍କ ମରଣ ଆମେ ପ୍ରତ୍ୟହ ଦେଖୁଛନ୍ତି। କେବଳ ରାମ ବା ଦାମ ନୁହଁନ୍ତି, ଜନ୍, ଟମ୍, ଜିଙ୍ଗ୍ ଓ ଅଲ୍ଲୀମାନେ ମଧ୍ୟ ମରନ୍ତି। ମଣିଷମାନେ ଏବେ ଖାଲି ମରୁ ନାହାଁନ୍ତି, ମରି ଆସୁଛନ୍ତି ମଧ୍ୟ। ଏହି ତଥ୍ୟକୁ ସାଉଁଟି ଆମେ ନିଃସନ୍ଦେହରେ ଏକ ନିରଙ୍କୁଶ ସିଦ୍ଧାନ୍ତରେ ପହଞ୍ଚି ପାରିଛନ୍ତି ଯେ ‘ମଣିଷ ମରଣଶୀଳ’। ସେମିତି ଘଟଣାର ପୌନଃପୁନିକତା, ବ୍ୟବଧାନ ଓ ବ୍ୟତିକ୍ରମକୁ ଭିତ୍ତି କରି ଆପେକ୍ଷିକ ସିଦ୍ଧାନ୍ତରେ ଉପନୀତ ହେବା ମଧ୍ୟ ସମ୍ଭବ। କିନ୍ତୁ ଏସବୁ ପାର୍ଥିବ ଜଗତର କଥା। ଆମ ଅଙ୍ଗେନିଭା କଥା। ସେବେ ମଣିଷ ମଧ୍ୟ ତା’ର ପରିପାଶ୍ୱର୍ ବହିର୍ଭୂତ ପୃଥିବୀକୁ ତୃତୀୟ ନୟନରେ ଦେଖିପାରେ। ସେହି ତୃତୀୟ ନୟନର ଦୃଷ୍ଟିକୁ ସର୍ଜନଶୀଳତା କୁହାଯାଏ। ସେହି ଦୃଷ୍ଟି ନୂତନ ସୃଷ୍ଟିର ପଥ ଉନ୍ମୋଚନ କରେ। ରଚନା, ସଂରଚନା, ଉଦ୍ଭାବନ ସେହି ନୂତନତାର ଅଂଶବିଶେଷ। ସେଥିରୁ ଜନ୍ମନିଏ ବିଜ୍ଞାନ ଓ ଦର୍ଶନର ଉନ୍ମେଷ, କାବ୍ୟ ଓ କଳାର ଉଦ୍ଭାସ ତଥା ସ୍ୱର ଓ ସଙ୍ଗୀତର ତରଙ୍ଗିଣୀ। ଅନ୍ୟ ଭାଷାରେ କହିଲେ, ଏସବୁ ମଣିଷ ଭିତରେ ଥିବା ପ୍ରଜ୍ଞାର ପ୍ରସ୍ଫୁଟନ।

ତଥ୍ୟର ଆକଟ ଓ ଆଟୋପ ଭିତରେ ପ୍ରଜ୍ଞାର ସ୍ଥାନ କେଉଁଠି?
ଆମ ସମୟର ଶବ୍ଦକୋଷରେ ‘ଦର୍ଶନ’ ବୋଲି ଗୋଟେ ଶବ୍ଦ ଅଛି ବୋଲି ଅନେକ ବୋଧହୁଏ ଜାଣନ୍ତି ନାହିଁ। ଯଦି ବି ‘ଦର୍ଶନ’ ଶବ୍ଦଟି ଥାଏ, ତାହା ‘ଦେଖିବା’ କ୍ରିୟାକୁ ବୁଝାଉଥିଲେ ଭଲ। ସେମିତି ବି କାବ୍ୟ ଓ କବିତାର କଥା। ‘ମାଉସ୍’କୁ ଛାଡ଼ି କଲମ ବା ତୂଳୀ ଧରିଲେ, ନା ଘର ଭିତରେ ନା ଘର ବାହାରେ ବଞ୍ଚିବା ସମ୍ଭବ?

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ଟି.ଏସ୍. ଇଲିଅଟ୍‌ଙ୍କ ପ୍ରସିଦ୍ଧ କବିତା ‘ୱେଷ୍ଟ୍‌ଲ୍ୟାଣ୍ଡ୍‌’ର ସେହି ପଂକ୍ତି ‘ହ୍ୱାଟ୍ ଇଜ୍ ଦ ୱିଜଡମ୍ ଇଜ୍ ଲଷ୍ଟ୍ ଇନ୍ ନଲେଜ୍, ଆଣ୍ଡ ନଲେଜ ଇନ୍ ଇନ୍‌ଫର୍ମେସନ୍’ ଈଦାନନ୍ତୀନ-ପୃଥିବୀ ପାଇଁ କେଡ଼େ ପ୍ରାସଙ୍ଗିକ ସତେ! ପ୍ରଜ୍ଞା ଜ୍ଞାନରେ ଏବଂ ଜ୍ଞାନ ସୂଚନାରେ ବିଲୀନ ହୋଇଯାଉଛି। ସେଥିପାଇଁ ଲାଇଫ୍ ଇଜ୍ ଲଷ୍ଟ୍ ଇନ୍ ଲିଭିଂ। ବଞ୍ଚିରହିବା ମଧ୍ୟରେ ଆଜିର ଜୀବନ ସୀମିତ। ସକାଳୁ ରାତି ପର୍ଯ୍ୟନ୍ତ ମଣିଷ ଯେ ଯାହା କାମରେ ବ୍ୟସ୍ତ, ବିବ୍ରତ। କିଛି ନୂଆ କଥା ଭାବିବା ପାଇଁ କାହାର ସମୟ ଅଛି? ତଥ୍ୟର ଅର୍ଗଳିରେ ତତ୍ତ୍ୱ ତେଣୁ ବାଟବଣା। ସ୍ଥୂଳ ଉପସ୍ଥିତି ମଧ୍ୟରେ ସୂକ୍ଷ୍ମ ଅନୁଭବ ମୃତ ପ୍ରାୟ। ଗଣନା, ଗଣତି, ଗତି ଓ ଗନ୍ତବ୍ୟ ଭିତରେ ଜୀବନ ପାଲଟିଛି ଏକ ପ୍ରଲମ୍ବିତ ଗତାନୁଗତିକତା । କଟ୍ ଆଣ୍ଡ୍ ପେଷ୍ଟ୍‌ର ଆଧିପତ୍ୟ ଭିତରେ ଚିନ୍ତନ ମୌଳିକତାର ସ୍ଥାନ କାହିଁ?
ତଥ୍ୟ ଏବେ ଏକ କୁହୁକ ସାମ୍ରାଜ୍ୟ। ସେହି ସାମ୍ରାଜ୍ୟ ଭିତରେ ମଣିଷ ନିଜକୁ ଭୁଲିଯିବା ପାଇଁ ବାଧ୍ୟ। ସବୁଆଡ଼େ ଖାଲି ତଥ୍ୟର ରାଜୁତି। ତଥ୍ୟ ସର୍ବଜ୍ଞ, ସର୍ବବ୍ୟାପୀ ପୁଣି ସର୍ବଶକ୍ତିମାନ। ତଥ୍ୟ ଅଧୀଶ୍ୱର, ତଥ୍ୟ ହିଁ ଈଶ୍ୱର। ତଥ୍ୟ ବିନା ଗତି କାହିଁ? କିନ୍ତୁ ଅତି ସର୍ବତ୍ର ଗର୍ହିତମ୍ ।
ଫୋ :୯୪୩୭୧୪୩୮୯୬

ସମ୍ବନ୍ଧିତ ଖବର