ବିଜୟ କେତନ ପଟ୍ଟନାୟକ

ଦୀପାବଳି ହେଉଛି ଆଲୋକର ପର୍ବ। ଅତୀତରେ ବିଜୁଳି ଶକ୍ତି ବିହୀନ ଯୁଗରେ ଅମାବାସ୍ୟାର ଅମା ଅନ୍ଧକାରକୁ ଦୂର କରୁଥିଲା ଦୀପାବଳିର ଦୀପୋତ୍ସବ। ଏହି ପବିତ୍ର ପର୍ବରେ ରାତିରେ କାଉଁରିଆ କାଠି ଜଳାଇ ଊର୍ଦ୍ଧ୍ବକୁ ଟେକି ପିତୃ ପକ୍ଷରେ ଧରାବତରଣ କରିଥିବା ପିତୃପୁରୁଷମାନଙ୍କୁ ଆମେ ସ୍ବର୍ଗ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରତୀକାତ୍ମକ ରୂପେ ବାଟ ଦେଖାଇଥାଉ। କିଂବଦନ୍ତି ଅନୁସାରେ ଲଙ୍କା ବିଜୟ ପରେ ଶ୍ରୀରାମଚନ୍ଦ୍ରଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କାଳରେ ପୁରବାସୀ ଦୀପ ପ୍ରଜ୍ଜ୍ବଳନ କରି ତାଙ୍କୁ ସ୍ବାଗତ କରିଥିଲେ, ଯାହାର ସ୍ମୃତି ବହନ କରିଥାଏ ଦୀପାବଳି ଉତ୍ସବ। କିନ୍ତୁ ବିଡ଼ମ୍ବନା ହେଲା ଆଜିକାଲି ଦୀପାବଳି ଉତ୍ସବରେ ଦୀପ ପ୍ରଜ୍ଜ୍ବଳନକୁ ପ୍ରାଧାନ୍ୟ ଦିଆ ନ ଯାଇ ଆତସବାଜି ଫୁଟାଇବାକୁ ଗୁରୁତ୍ବ ଦିଆଯାଉଛି। ଫଳରେ  ଦୀବାପଳି ଉତ୍ସବ ଭୀଷଣ ବାୟୁ ପ୍ରଦୂଷଣର କାରଣ ହୋଇ ଜନସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବାରେ ଲାଗିଲାଣି। ଆମ ରାଜଧାନୀ ସହର ଦିଲ୍ଲୀରେ ଏହା ଏଭଳି ଉତ୍କଟ ସ୍ତରରେ ପହଞ୍ଚେ ଯେ ପୃଥିବୀ ସାରା ଏ ନେଇ ଚର୍ଚ୍ଚା ସୃଷ୍ଟି ହୋଇଯାଏ। 

Advertisment

ଏମିତି ତ ଶୀତ ଦିନେ ଦିଲ୍ଲୀରେ ବାୟୁର ଗୁଣାତ୍ମକ ମାନ ବେଶ୍ ନିମ୍ନ ବା ଖରାପ ସ୍ତରକୁ ଖସି ଆସେ। ଏହି ସମୟରେ ବାୟୁମଣ୍ଡଳର ତଳ ସ୍ତରର ବାୟୁ ସ୍ଥିର ରହୁଥିବା ହେତୁ ପ୍ରଦୂଷଣ ଖେଳାଇ ହୋଇ ନ ଯାଇ ଜମାଟ ବାନ୍ଧେ। ପୁଣି ଏହି ସମୟରେ ପଡ଼ୋଶୀ ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶରେ ଫସଲ କଟାଯିବା ପରେ କ୍ଷେତରେ ରହି ଯାଇଥିବା ରୁୁଢ଼ ବା ନଡ଼ାକୁ ଚାଷୀମା‌େନ ନିଆଁ ଲଗାଇ ଦେଉଥିବାରୁ ଏଥିରୁ ଜାତ ବିଷାକ୍ତ ଧୂଅଁା ଦିଲ୍ଲୀର ଆକାଶକୁ ପ୍ରାୟ ସପ୍ତାହେ କାଳ ଆଚ୍ଛାଦିତ କରି ରଖେ।  ପ୍ରକାଶ ଥାଉ କି ପରବର୍ତ୍ତୀ ଚାଷ ଲାଗି ଜମି ସଜ କରିବାକୁ ଏହା ହେଉଛି ସେମାନଙ୍କର ପାରଂପରିକ ପଦ୍ଧତି। ତା’ ସହିତ ଆତସବାଜି କାରଣରୁ ସୃଷ୍ଟ ଧୂଆଁ ଓ ରାସାୟନିକ ପ୍ରଦୂଷଣ ମିଶିଯାଇ ପରିସ୍ଥିତିକୁ ଅତ୍ୟନ୍ତ ସଙ୍ଗିନ କରି ପକାନ୍ତି।

ବାୟୁର ଗୁଣାତ୍ମକ ମାନ ସୂଚିତ କରେ ସେଥିରେ ଥିବା ପାର୍ଟିକ୍ୟୁଲେଟ୍ ମ୍ୟାଟର୍ ବା କ୍ଷୁଦ୍ର କଣିକା (ପି.ଏମ୍ ୨.୫)ର ପରିମାଣ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ ଜଣେ ବ୍ୟକ୍ତି ପାଇଁ ନିରାପଦ ପରିମାଣ ହେଲା ପ୍ରତି ଘନମିଟର ବାୟୁ ପିଛା ୧୫ ମାଇକ୍ରୋଗ୍ରାମ୍ ପି.ଏମ୍ ୨.୫। କିନ୍ତୁ ଦୀପାବଳି ପରବର୍ତ୍ତୀ ସମୟରେ ବାୟୁମଣ୍ଡଳରେ ଏହା ତୀବ୍ର ଭାବେ ବୃଦ୍ଧି ପାଏ। ଦିଲ୍ଲୀରେ ଏହା ନିରାପଦ ମାନକ ଠାରୁ ୩୦ ଗୁଣ ପର୍ଯ୍ୟନ୍ତ ବଢ଼ିଯାଏ। ଫୁସ୍‌ଫୁସ୍ ବିଶେଷଜ୍ଞ ଡାକ୍ତରମାନଙ୍କ ମତରେ ଦୀପାବଳି ପରେ ଦିଲ୍ଲୀରେ ବାୟୁ ସେବନ କରିବା ଦୈନିକ ୨୫ରୁ ୩୦ଟି ସିଗାରେଟ୍ ଟାଣିବା ସହ ସମାନ। ଏହି କାରଣରୁ ଏବେ ଆଜ୍‌ମା, ଶ୍ବାସନଳୀରେ ପ୍ରବାହ, ଫୁସ୍‌ଫୁସ୍‌ର କ୍ଷମତା ହ୍ରାସ ଆଦି ଭଳି ଉପସର୍ଗ ଅଧିକ ଦେଖାଯିବାରେ ଲାଗିଛି।

ଗଲା ବର୍ଷ ‘ସଫର’ ଦ୍ବାରା ପ୍ରକାଶିତ ତଥ୍ୟ ଅନୁସାରେ ଦିଲ୍ଲୀରେ ଦୀପାବଳି ପର ଦିନ ବାୟୁର ଗୁଣାତ୍ମକ ମାନକ ହାରାହାରି ୪୫୫ରେ ପହଞ୍ଚିଥିଲା। କେତେକ ସ୍ଥାନରେ ଏହା ୫୨୦ ଉପରକୁ ମଧ୍ୟ ଉଠି ଯାଇଥିଲା। ଏହି ମାନକ ୪୫୦ରୁ ଅଧିକ ହେଲେ ଏହାକୁ ସାଂଘାତିକ ଭାବେ ଖରାପ ବୋଲି କୁହାଯାଏ। ଗତ ବର୍ଷ ଦୀପାବଳି ଦିନ ଆମ ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ଦିନ ବେଳା ବାୟୁର ଗୁଣାତ୍ମକ ମାନ ୧୮୦ ଭିତରେ ଅର୍ଥାତ୍ ଚଳନୀୟ ବା ମଝିମଝିଆ ସ୍ତରରେ ଥିଲା। କିନ୍ତୁ ରାତିରେ ନିଷେଧାଦେଶ ସତ୍ତ୍ବେ ଜୋର୍‌ଦାର୍ ଆତସବାଜି ଫଳରେ ଗୁଣାତ୍ମକ ମାନକ ୪୦୦କୁ ଟପି ଯାଇଥିଲା। ପଟିଆ, ପୁରୁଣା ଭୁବନେଶ୍ବର ଆଦି କେତେକ ଅଞ୍ଚଳରେ ଅତି ସାଂଘାତିକ ସ୍ତର ଅର୍ଥାତ୍‌ ୬୦୦ରେ ପହଞ୍ଚିଥିଲା। ମାନ୍ୟବର ସୁପ୍ରିମ୍ କୋର୍ଟ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦୀପାବଳିରେ ଆତସବାଜି ଉପରେ କଟକଣା ଜାରି କରିଛନ୍ତି। ସବୁଜ ବାଣ ଫୁଟାଇବାକୁ ଅଦାଲତ ପରାମର୍ଶ ଦେଇଛନ୍ତି। କିନ୍ତୁ ସାଧାରଣ ଲୋକ କିଣିଲା ବେଳେ ସବୁଜ ବାଣ ନେଇ ନିଶ୍ଚିତ ହୋଇ ପାରୁନାହାନ୍ତି। ଏ କଥା ସତ ଯେ ଗତାନୁଗତିକ ଭାବରେ ବ୍ୟବହାର ହେଉଥିବା ବାଣ ତୁଳନାରେ ସବୁଜ ବାଣରୁ ୩୦ ପ୍ରତିଶତ କମ୍ ପ୍ରଦୂଷଣ ନିର୍ଗତ ହୋଇଥାଏ। କିନ୍ତୁ ତାହା ପ୍ରଦୂଷଣଶୂନ୍ୟ ହୋଇ ନ ଥାଏ। ଆତସବାଜିର ଆଉ ଏକ ସମସ୍ୟା ହେଲା ଶବ୍ଦ ପ୍ରଦୂଷଣ। ସାଧାରଣ ବାଣଟିଏ ଫୁଟିଲେ ୧୬୦ ଡେସିବେଲ୍ ଶବ୍ଦ ଉତ୍ପନ୍ନ କରିଥାଏ। ସବୁଜ ବାଣରେ ତାହା ୧୧୦ରୁ ୧୨୫ ଡେସିବେଲ୍ ହୋଇଥାଏ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ ୬୫ ଡେସିବେଲ୍‌ରୁ ଅଧିକ ଶବ୍ଦ ହାନିକାରକ। ଅତି ଉଚ୍ଚ ଶବ୍ଦ କେବଳ ମନୁଷ୍ୟକୁ ନୁହେଁ, ପଶୁପକ୍ଷୀ ସମସ୍ତଙ୍କୁ ବ୍ୟତିବ୍ୟସ୍ତ କରି ପକାଏ। ଅନେକ ଭାବନ୍ତି ଯେ ଶବ୍ଦ କରୁ ନ ଥିବା ବାଣ ଯେମିତି କି କୁଂପି ବା ହାବେଳୀ ଅଥବା ପିଲାମାନେ ଜଳାଉଥିବା ବାଣ ଯେମିତି କି ଝରାବତି ଇତ୍ୟାଦି ନିରୀହ ପର୍ଯ୍ୟାୟର। କିନ୍ତୁ, ତାହା ମଧ୍ୟ ଏକ ଭୁଲ୍‌ ଧାରଣା! ଏଭଳି ବାଣଗୁଡ଼ିକ ମଧ୍ୟ ଅତ୍ୟନ୍ତ ବିଷାକ୍ତ ପ୍ରଦୂଷଣର କାରଣ ହୁଅନ୍ତି।

କେବଳ ଦିଲ୍ଲୀ ନୁହେଁ, ଭାରତର ପ୍ରାୟ ସମସ୍ତ ସହରର ବାୟୁମଣ୍ଡଳ ଅତ୍ୟନ୍ତ ପ୍ରଦୂଷିତ। ସ୍ବିଜରଲ୍ୟାଣ୍ଡ୍‌ସ୍ଥିତ ବାୟୁ ମାନକ ନିୟନ୍ତ୍ରଣ ସଂସ୍ଥାର ଆକଳନ ଅନୁସାରେ ୨୦୨୩ ମସିହାରେ ଦିଲ୍ଲୀ ଥିଲା ବିଶ୍ବର ସର୍ବାଧିକ ପ୍ରଦୂଷିତ ରାଜଧାନୀ ସହର। ଚଳିତ ବର୍ଷ ଏହି ସଂସ୍ଥାର ରିପୋର୍ଟ କହିଛି ଯେ ବାୟୁ ପ୍ରଦୂଷଣରେ ବାଂଲାଦେଶ ଓ ପାକିସ୍ତାନ ପରେ ରହିଛି ଭାରତ। ଏହା ନିଶ୍ଚିତ ଭାବେ ଉଦ୍‌ବେଗଜନକ। ଏଭଳି ସ୍ଥଳେ ବଡ଼ ପ୍ରଶ୍ନ ହେଲା ଦୀପାବଳିର ପବିତ୍ର ତିଥିରେ ବାଣ ଫୁଟାକୁ ଅଧିକ ଗୁରୁତ୍ବ ଦେଇ ଆମେମାନେ ଆମ ବାୟୁମଣ୍ଡଳକୁ ଅଧିକ ବି‌ଷାକ୍ତ କରିଦେବା ଉଚିତ କି?
ମୋ: ୯୪୩୭୦୦୦୯୦୪