ଅତି ସମ୍ମାନଜନକ ଦାଦା ସାହେବ ଫାଲ୍କେ ପୁରସ୍କାରର ସଦ୍ୟତମ ସଂସ୍କରଣ ତାଙ୍କୁ ମିଳିବା କଥା ନିକଟରେ ଘୋଷଣା ହୁଅନ୍ତେ ବିଖ୍ୟାତ ଅଭିନେତ୍ରୀ ୱାହିଦା ରେହମନ୍ କହିଥିଲେ- ଦେବ ଆନନ୍ଦଙ୍କ ଜନ୍ମ ଶତବାର୍ଷିକୀ ବର୍ଷରେ ଏ ପୁରସ୍କାରଟି ମୋ ପାଇଁ ବଡ଼ ଉପହାର ସଦୃଶ। ସିଏ ସେଭଳି କହିବାର ଅନେକ ଐତିହାସିକ ଓ ଯଥାର୍ଥ କାରଣ ରହିଛି। ୱାହିଦାଙ୍କ ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ଥିଲା ୧୯୫୬ ମସିହାର ସି.ଆଇ.ଡି., ଯେଉଁଥିେର ଦେବ ଆନନ୍ଦ ନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ପୁଣି ଦୁହିଁଙ୍କ ଅଭିନୀତ ‘ଗାଇଡ୍’ (୧୯୬୫) ଚଳଚ୍ଚିତ୍ର ଏବେ ବି ବଲିଉଡ୍ ଜଗତ୍ରେ ଏକ କ୍ଲାସିକ୍ ହୋଇ ରହିଛି। ଯେଉଁ ଛବିଟିର କାହାଣୀ ଆର୍.କେ. ନାରାୟଣଙ୍କ ‘ଦି ଗାଇଡ୍’ ଉପନ୍ୟାସ ଆଧାରିତ, ଯାହାର ସଙ୍ଗୀତ ନିର୍ଦ୍ଦେଶକ ଥିଲେ ସଚ୍ଚିନ୍ ଦେବବର୍ମନ୍, ଯେଉଁଥି ପାଇଁ ଗୀତ ଲେଖିଥିଲେ ଶୈଳେନ୍ଦ୍ର ଏବଂ ଯାହାର ପ୍ରଚ୍ଛଦପଟ ଗୀତ ଗାଇଥିଲେ ଲତା, ରଫି, ମାନ୍ନା ଦେ, କିଶୋର କୁମାର ଓ ଖୋଦ୍ ବର୍ମନ୍ ସେ ଚଳଚ୍ଚିତ୍ରଟି ମାଇଲ୍ ଖୁଣ୍ଟ ସାବ୍ୟସ୍ତ ହେବା ସ୍ବାଭାବିକ। ‘ଗାଇଡ୍’ର ଅନ୍ୟ ସବୁ ଗୀତ ଭଳି ‘ଆଜ୍ ଫିର୍ ଜିନେ କି ତମନ୍ନା ହେ’ ଏବଂ ‘ଓହାଁ କୌନ୍ ହେ ତେରା’ ସବୁବେଳେ ଶ୍ରୋତା ଓ ରସିକ ମହଲରେ ଗଭୀର ଆଲୋଡ଼ନ ସୃଷ୍ଟି କରେ। ଆଲୋଚ୍ୟ ଚଳଚ୍ଚିତ୍ରଟିରେ ରାଜୁ ଭୂମିକାରେ ଦେବ ଆନନ୍ଦଙ୍କ ଓ ରୋଜି ଭାବେ ୱାହିଦା ରେହମନ୍ଙ୍କ ଅଭିନୟ ଥିଲା ଯେତିକି ଚମତ୍କାର, ସେତିକି ପ୍ରଭାବଶାଳୀ।
୧୯୨୩ ମସିହାରେ ଜନ୍ମ ଲାଭ କରିଥିବା ଦେବ ଆନନ୍ଦଙ୍କ ମୂଳ ନାଁ ଥିଲା ଧର୍ମଦେବ ପିଶୋରିମାଲ୍ ଆନନ୍ଦ। ନିଜର ୮୮ ବର୍ଷର ଜୀବନ କାଳ ଭିତରେ ସିଏ ପ୍ରାୟ ଶହେଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଯାହା ଭିତରେ ସାମିଲ ଥିଲା ଗାଇଡ୍ ଓ ସି.ଆଇ.ଡି ସାଙ୍ଗକୁ ଜିଦି, ବାଜି, ହମ୍ ସଫର୍, ଟାକ୍ସି ଡ୍ରାଇଭର, ପେଇଙ୍ଗ୍ ଗେଷ୍ଟ, ସୋଲୱା ସାଲ୍, କାଲା ବଜାର, ଜୁଏଲ୍ ଥିଫ୍, ପ୍ରେମ୍ ପୂଜାରୀ, ଜନି ମେରା ନାମ୍, ହୀରା ପାନ୍ନା, ଅମିର୍ ଗରିବ ଓ ଦେଶ ପରଦେଶ ପ୍ରଭୃତି। ସ୍ବତନ୍ତ୍ର ଭଙ୍ଗୀରେ ଟୋପି ପିନ୍ଧି ଢଳି ଢଳି, ଅେଣଇ ହୋଇ ସଂଳାପ ପରିବେଷଣ କରିବା ଥିଲା ତାଙ୍କର ଅନ୍ୟତମ ଦୁଇଗୋଟି ସ୍ବାକ୍ଷର ସନ୍ତକ। ସେ ସମୟରେ ଦିଲ୍ଲିପ କୁମାର, ରାଜ୍ କାପୁର ଓ ଦେବ ଆନନ୍ଦ ମିଶି ହିନ୍ଦୀ ଚଳଚ୍ଚିତ୍ରର ଇତିହାସରେ ସୁବର୍ଣ୍ଣ ତ୍ରିମୂର୍ତ୍ତି ସମ୍ଭବ କରିଥିଲେ। ଚେହେରା, ଶୈଳୀ, ରୁଚି ଓ ଆବେଦନ ବଳରେ ଦେବ ଆନନ୍ଦ ବେଶ୍ ଚର୍ଚ୍ଚିତ ତଥା ଗ୍ରହଣୀୟ ହୋଇ ପାରିଥିଲେ। ତାଙ୍କ ମଫଲର୍, ଜାକେଟ୍, ସ୍ବେଟର୍, କୋଟ୍ ଓ ଟୋପି ଆଦି ଫେସନ୍ ଡିଜାଇନର୍ମାନଙ୍କ ପାଇଁ ବେଶ୍ ପ୍ରେରଣାଦାୟୀ ସାଜି ପାରୁଥିଲା। ଦେବ୍ ସାହେବ୍ ଭାବେ ସଂବୋଧିତ ଦେବ ଆନନ୍ଦ ଥିଲେ ଚିର ସବୁଜ ରୋମାଣ୍ଟିକ୍ ନାୟକ।
ବେଳେବେଳେ ଅନେକ ଦେବ ଆନନ୍ଦଙ୍କୁ ବିଶିଷ୍ଟ ଆମେରିକୀୟ ଅଭିନେତା ଗ୍ରେଗୋରି ପେକ୍ଙ୍କ ସହ ତୁଳନା କରୁଥିଲେ। ସେ ପ୍ରକାରର ତୁଳନାର ଉତ୍ତରରେ ସିଏ କହୁଥିଲେ- ମୁଁ ପରିଚିତ ହେବାକୁ ଚାହେଁ ଦେବ ଆନନ୍ଦ ଭାବେ, ଭାରତର ଗ୍ରେଗୋରି ପେକ୍ ରୂପେ ନୁହେଁ। କୁହାଯାଏ ରାଜେଶ ଖାନ୍ନାଙ୍କ ପୂର୍ବରୁ ନିଜ ଫ୍ୟାନ୍ଙ୍କ ଭିତରେ ଯଦି ଅନ୍ୟ କିଏ ଜଣେ ତାରକା ଗଣଉନ୍ମାଦ ସୃଷ୍ଟି କରି ପାରୁଥିେଲ ସିଏ ହେଲେ ଦେବ ଆନନ୍ଦ। ସବୁବେଳେ ସିଏ ଆଗକୁ ଆଗକୁ ହିଁ ଦେଖୁଥିଲେ ଏବଂ ତାଙ୍କ କହିବା ମୁତାବକ କେବଳ ଆତ୍ମଜୀବନୀ ‘ରୋମାନ୍ସିଂ ଉଇଥ୍ ଲାଇଫ୍’ ଲେଖିଲା ବେଳେ ତାଙ୍କୁ ପଛକୁ ଅନେଇବାକୁ ପଡୁଥିଲା। ପ୍ରଚଣ୍ଡ ଆଶାବାଦୀ ଓ ଜୀବନପ୍ରେମୀ ଦେବ ଆନନ୍ଦ ଭାବୁଥିଲେ- ମଣିଷର ମନ ପାହାଡ଼ର ଶିଖର ଚଢ଼ିପାରେ ଓ ସମୁଦ୍ରର ଅତଳ ଗଭୀରତା ଛୁଇଁପାରେ।
ଅକୃତ୍ରିମ ସୌନ୍ଦର୍ଯ୍ୟ ଓ ଅସାଧାରଣ ପ୍ରତିଭାର ଏକାୟନ ଘଟିଥିଲା ୱାହିଦା ରେହମନ୍ଙ୍କ ଠିଁ ଯାହାର ମୂର୍ତ୍ତିମନ୍ତ ଝଲକ ମିଳୁଥିଲା ତାଙ୍କ ଅଭିନୟରୁ। ସି.ଆଇ.ଡି. ଓ ଗାଇଡ୍ ବ୍ୟତିରେକ ସିଏ ଅଭିନୟ କରିଥିବା କେତେକ ଉଲ୍ଲେଖଯୋଗ୍ୟ ଚଳଚ୍ଚିତ୍ର ହେଲା- ପ୍ୟାସା, କାଗଜ୍ କେ ଫୁଲ୍, ଚୌଦହଵୀ କା ଚାନ୍ଦ୍, ସାହେବ୍ ବିବି ଔର୍ ଗୁଲାମ୍, ନୀଲ୍ କମଲ୍, ତିସ୍ରି କସମ୍, ରାମ୍ ଔର୍ ଶ୍ୟାମ୍ ଓ ଖାମୋସି। ସହ ଅଭିନେତ୍ରୀ ଓ ମା’ ଭୂମିକାରେ ମଧ୍ୟ ସିଏ ଗାଢ଼ ଛାପ ପକେଇ ପାରିଥିଲେ। ୱାହିଦାଙ୍କ ମାର୍ଗଦର୍ଶକ ବା ମେଣ୍ଟର୍ ଥିଲେ ଗୁରୁଦତ୍ତ। ପଢ଼ିବାକୁ ଓ ଶୁଣିବାକୁ ମିଳେ ଗୁରୁଦତ୍ତଙ୍କ ସେ ଭୂମିକା କୁଆଡ଼େ କେବଳ ମାର୍ଗଦର୍ଶନରେ ସୀମିତ ନଥିଲା! ସେହିଭଳି ଶୁଣିବାକୁ ଓ ପଢ଼ିବାକୁ ମିଳେ ଦେବ ଆନନ୍ଦ ଓ ସୁରୈୟାଙ୍କ ସଂପର୍କର ସ୍ବରୂପ ନେଇ!
ବିଂଶ ଶତାବ୍ଦୀର ପଞ୍ଚମ ଦଶକର ବମ୍ବେରେ ଓ ବଲିଉଡ୍ରେ ଆଧିପତ୍ୟ ବିସ୍ତାର କରି ପାରିଥିବା ଅଭିନେତ୍ରୀ ମଧୁବାଳା, ନର୍ଗିସ୍ ଓ ମୀନା କୁମାରୀଙ୍କ ଠାରୁ ୱାହିଦା କୌଣସି ଗୁଣରେ କମ୍ ନଥିଲେ। ଗୁରୁ ଦତ୍ତ ତାଙ୍କୁ ବମ୍ବେ ଆଣିବାରେ ଓ ତାରକା ମାନ୍ୟତା ପାଇବାରେ ସାହାଯ୍ୟ କରିଥିଲେ ସତ; କିନ୍ତୁ ଜଣେ ଅଭିନେତ୍ରୀ ଭାବେ ସିଏ ନିଜେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ ନିଜର ଅଭିନୟ ନୈପୁଣ୍ୟ ବଳରେ। ତାଙ୍କ ସମୟର ଅତି ପ୍ରତିଷ୍ଠିତ ଅଭିନେତା ଦିଲ୍ଲିପ କୁମାର, ରାଜ କାପୁର, ରାଜେନ୍ଦ୍ର କୁମାର, ରାଜେଶ ଖାନ୍ନା, ସଂଜୀବ କୁମାର୍, ଦେବ ଆନନ୍ଦ ଓ ଧର୍ମେନ୍ଦ୍ର ପ୍ରଭୃତିଙ୍କ ସହ ଅଭିନୟ କଲାବେଳେ ସିଏ ଫିକା ପଡ଼ି ଯାଉନଥିଲେ; ବରଂ ନିଜ ଉତ୍କର୍ଷର ଆଭା ଯୋଗୁଁ ପରିମଣ୍ଡଳକୁ ଅଧିକ ଦୀପ୍ତି ଓ ଦ୍ୟୁତିଯୁକ୍ତ କରି ଦେଉଥିଲେ। ଅଭିନୟ ଦୁନିଆରେ ଆସି ପାଦ ପକାଇ ସିଦ୍ଧି ଅର୍ଜନ କରିବା ପୂର୍ବରୁ ୱାହିଦା ଅତି କମ୍ ବୟସରୁ ନୃତ୍ୟ ଜଗତ୍ରେ ପ୍ରବେଶ କରିଥିଲେ। ଭାରତନାଟ୍ୟମ୍ ନୃତ୍ୟରେ ସିଏ ବିଧିବଦ୍ଧ ଶିକ୍ଷା ଲାଭ କରିଥିଲେ। ସେଥିପାଇଁ ତାଙ୍କ ପିତାମାତା ତାଙ୍କୁ ବେଶ୍ ଉତ୍ସାହିତ କରିଥିଲେ; ଯଦିଓ ତାଙ୍କର କେତେକ ପରିଚିତ ମହଲ ତାଙ୍କୁ ନୃତ୍ୟ ଆଡ଼କୁ ମନ ନ ବଳେଇବାକୁ ପରାମର୍ଶ ଦେଇଥିଲେ। ୱାହିଦାଙ୍କର ଶ୍ବାସଗତ ସମସ୍ୟା ଥିଲା; ତାଙ୍କ ପିତାମାତା ଭାବିଥିଲେ ନୃତ୍ୟ ତାଲିମ୍ ତାଙ୍କର ସେ ସମସ୍ୟା ସୁଧାରିବାରେ ବି ସହାୟକ ହେବ। ଥରକର କଥା। ସେତେବେଳକୁ ୱାହିଦାଙ୍କ ବାପା ବିଶାଖାପାଟଣାରେ ଚାକିରି କରୁଥାନ୍ତି। ଭାରତର ଶେଷ ଗଭର୍ଣ୍ଣର ଜେନେରାଲ୍ ସି. ରାଜଗୋପାଳାଚାରୀ ଗସ୍ତରେ ସେ ସହରକୁ ଆସିଥାନ୍ତି। ତାଙ୍କ ସମ୍ମାନାର୍ଥେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାରତନାଟ୍ୟମ୍ ପରିବେଷଣ କରି ୱାହିଦା ମୁଖ୍ୟ ଅତିଥିଙ୍କ ସମେତ ସମସ୍ତଙ୍କ ମନ ମୋହି ନେଇଥିଲେ। ୱାହିଦାଙ୍କ ସେ ତାଲିମ ପରବର୍ତ୍ତୀ ସମୟରେ ମଧ୍ୟ ବେଶ୍ କାମରେ ଆସିଥିଲା, ଯାହାର ଅନ୍ୟତମ ପ୍ରମାଣ ‘ଗାଇଡ୍’ର ଅଭିଭୂତ କଲା ଭଳି ନୃତ୍ୟ। ଖାଲି ସେତିକି ନୁହେଁ ଚଳଚ୍ଚିତ୍ର ଜଗତ୍ରେ ତାଙ୍କର ପଦାର୍ପଣ ଜଣେ ନୃତ୍ୟାଙ୍ଗନା ଭାବେ ସମ୍ଭବ ହୋଇଥିଲା ଏବଂ ସେ ଚଳଚ୍ଚିତ୍ରଟି ଥିଲା ତେଲୁଗୁ ସାମାଜିକ ଡ୍ରାମା ‘ରୋଜୁଲୁ ମାରାୟୀ’। ଉପରୋକ୍ତ ଚଳଚ୍ଚିତ୍ରଟି ଏତେ ସଫଳ ସାବ୍ୟସ୍ତ ହୋଇଥିଲା ଯେ ଆନ୍ଧ୍ରର ବିଭିନ୍ନ ସ୍ଥାନରୁ ତାଙ୍କୁ ସମ୍ବର୍ଦ୍ଧନା ଜଣାଇବା ପାଇଁ ଆମନ୍ତ୍ରଣ ଆସିଥିଲା। ସେଇ କ୍ରମେ ସିଏ ଯାଇ ପହଞ୍ଚିଥିଲେ ହାଇଦ୍ରାବାଦରେ ଯେଉଁଠି ତାଙ୍କର ଗୁରୁ ଦତ୍ତଙ୍କ ସହ ପ୍ରଥମେ ଭେଟ ହୋଇଥିଲା। କୁହାଯାଏ ଏକ ମଇଁଷି କାରଣରୁ ଦୁହିଁଙ୍କ ସାକ୍ଷାତ ହୋଇଥିଲା। ମଇଁଷିଟିଏ ଗୁରୁ ଦତ୍ତଙ୍କ କାର୍ ସହ ବାଡ଼େଇ ହୋଇଯିବାରୁ କାର୍ଟି ଭାଙ୍ଗିରୁଜି ଯାଇଥିଲା ଓ କାର୍ର ମରାମତି ପାଇଁ ତାଙ୍କୁ ଅଧିକ କେଇ ଦିନ ହାଇଦ୍ରାବାଦରେ ଅଟକି ଯିବାକୁ ପଡ଼ିଥିଲା। ବାକି ସବୁ ଇତିହାସ।
ଜାଣିବା ଶୁଣିବା ଅନେକ ସ୍ବାଧୀନଚେତା ୱାହିଦା ରେହମନ୍ଙ୍କୁ ଭାରତୀୟ ନାରୀତ୍ବର ବଳିଷ୍ଠ ପ୍ରତିନିଧି ଓ ଶାଢ଼ି ନାମକ କୋମଳ ଶକ୍ତିର ପ୍ରଭାବଶାଳୀ ପ୍ରତୀକ ଭାବେ ସ୍ବୀକାର କରନ୍ତି। ସି.ଆଇ.ଡି.ର ନିର୍ଦ୍ଦେଶକ ରାଜ୍ ଖୋସ୍ଲାଙ୍କୁ ସିଏ ବେଶ୍ ସ୍ପଷ୍ଟ ଭାଷାରେ କହି ଦେଇଥିଲେ ଯେ ତାଙ୍କ ରୁଚି ବିରୋଧରେ ତାଙ୍କୁ କୌଣସି ପୋଷାକ ପିନ୍ଧିବାକୁ ବାଧ୍ୟ କରାଯାଇ ପାରିବ ନାହିଁ। ସିଏ ଆହୁରି ଜଣାଇ ଦେଇଥିଲେ ଯେ ସିଏ ତାଙ୍କ ନାଁ ବଦଳେଇ ଅନ୍ୟ କିଛି ରଖିବେନି; କାରଣ ଅତି ଶ୍ରଦ୍ଧାରେ ତାଙ୍କ ପିତାମାତା ତାଙ୍କର ନାଁଟି ବାଛିଛନ୍ତି। ସେତେବେଳେ କେତେଜଣ ଅତି ଜଣାଶୁଣା ଅଭିନେତ୍ରୀଙ୍କ ନାଁ ଚଳଚ୍ଚିତ୍ର ପରଦାରେ ସେମାନଙ୍କ ମୂଳ ନାଁରୁ ବଦଳି ଭିନ୍ନ ନାମ ଧାରଣ କରୁଥିଲା ଓ ସେମାନଙ୍କୁ ସେଇ ନାଁରେ ପରିଚିତ କରାଉଥିଲା। ଏଇ ଯେମିତି- ନର୍ଗିସ୍, ମଧୁବାଳା ଓ ମୀନା କୁମାରୀ। ଏଠାରେ ଉଲ୍ଲେଖ କରିବା ଅସମୀଚୀନ ହେବନି େଯ ଭାରତୀୟ ଚଳଚ୍ଚିତ୍ରର ଅଭିବୃଦ୍ଧି ଓ ବିକାଶ ସକାଶେ ଅବଦାନକୁ ସ୍ବୀକୃତି ସ୍ବରୂପ ଦିଆଯାଉଥିବା ଦାଦା ସାହେବ ଫାଲ୍କେ ପୁରସ୍କାର ଗଲା ବର୍ଷ ପାଇଥିଲେ ଆଉ ଜଣେ ମହିଳା ଆଶା ପାରେଖ ଓ ପ୍ରଥମ ବର୍ଷ ୧୯୬୯ରେ ତାହା ଲାଭ କରିଥିଲେ ବିଦୁଷୀ ଦେବୀକା ରାଣୀ।
ଓଡ଼ିଶା ସହ ୱାହିଦାଙ୍କ ସଂପର୍କ ପ୍ରାୟ ୭୦ ବର୍ଷ ତଳେ ବ୍ରହ୍ମପୁର ବାଟେ ସ୍ଥାପିତ ହୋଇଥିଲା। ୧୯୫୨ ମସିହାରେ ସିଏ ଆସି ଗଞ୍ଜାମ କଳା ପରିଷଦରେ ଭାରତନାଟ୍ୟମ୍ ପରିବେଷଣ କରିଥିଲେ। ସେହି କାର୍ଯ୍ୟକ୍ରମ ଲବ୍ଧ ରାଶି ସର୍ବଭାରତୀୟ ଫିଆଜ୍ ସ୍ମାରକୀ ଫୁଟ୍ବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜନରେ ସାହାଯ୍ୟ କରିଥିଲା। ପରେ ପୁଣି ୧୯୬୦ ମସିହାରେ ସିଏ ଆସିଥିଲେ ବ୍ରହ୍ମପୁର, ସେଠି ରେଡ୍କ୍ରସ୍ ହସ୍ପିଟାଲ ନିର୍ମାଣ ନିମନ୍ତେ ଆୟୋଜିତ ହେଉଥିବା ଏକ ଚାରିଟି ଶୋ’ରେ ଭାଗ ନେବା ପାଇଁ ଏବଂ ତାଙ୍କ ଟ୍ରିପ୍ରେ ସାମିଲ୍ ଥିଲେ ବିଶିଷ୍ଟ ଗାୟକ ମାନ୍ନା ଦେ। ୱାହିଦାଙ୍କ ସେ ଦୁଇ ଅତି ପୁରୁଣା ଓଡ଼ିଶା ଗସ୍ତ ସାକାର ହୋଇ ପାରିଥିଲା ବିଶାଖାପାଟଣାର ତାଙ୍କର ଜଣେ ପ୍ରତିବେଶୀଙ୍କ ଯୋଗୁଁ। ନିଜ ଅଭିନୟ ଜୀବନରେ ସଫଳତାର ଶିଖର ଛୁଇଁଥିବା ୱାହିଦା ତାଙ୍କ ସାମାଜିକ ସଂପର୍କର ଖିଅମାନଙ୍କୁ ପ୍ରତ୍ୟାଖ୍ୟାନ କରୁନଥିଲେ କି ଚିହ୍ନି ଅଚିହ୍ନା ହେବା ଶୁଣିବାକୁ ମିଳେନି।
ମୋ: ୯୪୩୭୩୦୭୦୭୯