ସ୍ୱପ୍ନ କେବଳ ଏକ ନିଦ୍ରାକାଳୀନ ବ୍ୟାପାର ନୁହେଁ; ଏହା ଦିନର ଅଳସ କ୍ଷଣରେ ବା ଏପରିକି ସକ୍ରିୟ ଜାଗ୍ରତ ମୁହୂର୍ତ୍ତରେ ମଧ୍ୟ ସମ୍ଭବ ହୁଏ। ତେବେ ଏ ତିନି ପ୍ରକାର ସ୍ୱପ୍ନର ସ୍ୱରୂପ ଭିନ୍ନ ଏବଂ ଏଗୁଡ଼ିକର ପରିଣତି ମଧ୍ୟ ପରସ୍ପର ଠାରୁ ପୃଥକ୍। ଏଠାରେ ସେ ବିଷୟ ଉପରେ ଟିକିଏ ଦୃଷ୍ଟି ପକାଇବା। ଦିବାସ୍ୱପ୍ନକୁ ଇଂରେଜୀରେ ‘ଫାଣ୍ଟାସି’ ବୋଲି କୁହାଯାଏ। ସବୁ ମଣିଷ ଅଳ୍ପ ବହୁତେ ଦିବାସ୍ୱପ୍ନରେ ବୁଡ଼ନ୍ତି। ବାସ୍ତବ ଜଗତର କଠୋରତାରୁ ପଳାୟନ କରିବାର ପ୍ରବଣତା ମନୁଷ୍ୟକୁ କଳ୍ପନାର ଉଡ଼ାଣ ଭରିବାକୁ ବାଧ୍ୟ କରେ। ସାଧାରଣତଃ, ମନୁଷ୍ୟର ଚିନ୍ତା ବା ଭାବନାର ସଂପର୍କ ବାସ୍ତବ ଦୁନିଆ ସହିତ ରହିଥାଏ। ଧରନ୍ତୁ, ସମସ୍ୟାଟିଏ ସୃଷ୍ଟି ହେଲା ଓ ମୁଣ୍ଡରେ ଢୁକିଲା। ତା’ ପରେ ଭାବନା ଆରମ୍ଭ ହୋଇ ଭାବନାର ସ୍ରୋତ ବହି ଚାଲେ। ସେଥିରୁ ସାମୟିକ ବିରତି ଦିଏ କଳ୍ପନା, ଯାହା ବାସ୍ତବ ଜୀବନ ବା ବାସ୍ତବ ସମସ୍ୟା ସହିତ ସଂଯୁକ୍ତ ହୋଇ ନ ଥାଏ। ସମସ୍ୟା ଜର୍ଜର ମଣିଷ ତା’ କଳ୍ପନାରେ ମୁକ୍ତ ବିହଙ୍ଗ ସମ କିଛି ସମୟ ଲାଗି ଉଡ଼ିବୁଲେ।
ଜଣେ ଅତ୍ୟନ୍ତ ଅସହାୟ ବ୍ୟକ୍ତି ଦିବାସ୍ବପ୍ନରେ ଗଡ଼ ଜିତିପାରେ ବା ଚାଲି ପାରୁ ନ ଥିବା ସତ୍ତ୍ବେ ଗିରିଶୃଙ୍ଗ ଲଂଘନ କରିପାରେ! ଦିବାସ୍ୱପ୍ନର ସୀମା ଅସରନ୍ତି। ଏଥିରେ ଯୌକ୍ତିକତା କି ସଂଗତି ନ ଥାଏ। ତେଣୁ ପ୍ରଶ୍ନ ଉଠିପାରେ ଯେ ଏହା ଯଦି ସଂପୂର୍ଣ୍ଣ ଅଳୀକ, ତେବେ ଏହାର ଉପଯୋଗିତା କ’ଣ? ଏହା କ’ଣ ଏକ ପ୍ରକାର ଦୁର୍ବଳତା ନୁହେଁ? ନା, ନୁହେଁ। ମନୁଷ୍ୟର ଅନେକ କାମନା, ଇଚ୍ଛା, ଅଭୀପ୍ସା ଓ ଆଶା ବାସ୍ତବ ଜୀବନରେ ପୂରଣ ହେଉ ନ ଥିବା ସ୍ଥଳେ ଏଭଳି ଦାରୁଣ କଠୋରତାରୁ ସାମୟିକ ପଳାୟନ ମନୁଷ୍ୟ ସକାଶେ ସାନ୍ତ୍ବନାପ୍ରଦ ହୋଇଥାଏ। ଜଣେ ଅଳ୍ପ ବୟସର ଦରିଦ୍ର ବାଳିକା ଦିବାସ୍ୱପ୍ନରେ ଦେଖୁଛି ଯେ ସେ ଦାମୀ ଓ ଆକର୍ଷଣୀୟ ପୋଷାକପତ୍ର ପିନ୍ଧି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ହୁଏତ ତା’ର ଦିବାସ୍ବପ୍ନ ତୁଟିଗଲେ ସେ ପୁନର୍ବାର ନିଜକୁ ଦାରୁଣ ବାସ୍ତବତା ମଧ୍ୟରେ ପାଇବ। କିନ୍ତୁ ଏଭଳି ସାମୟିକ ସ୍ବପ୍ନ ବିଳାସ ତା’ ସକାଶେ ଆରାମପ୍ରଦ ମଧ୍ୟ ହୋଇପାରେ!
ବିଶ୍ୱବିଶ୍ରୁତ ମନୋବିଜ୍ଞାନୀ ସିଗ୍ମଣ୍ଡ୍ ଫ୍ରଏଡ୍ଙ୍କ ମତରେ ମନୁଷ୍ୟର ବହୁ ଅପୂର୍ଣ୍ଣ କାମନା ବାସନା, ଯୌନ ଲିପ୍ସା, ଭୟ, ଆଶଙ୍କା ଓ ଉତ୍କଣ୍ଠା ଇତ୍ୟାଦି ମନରେ ‘ଫାଣ୍ଟାସି’ ସୃଷ୍ଟି କରନ୍ତି। ଜଣେ ଚେଇଁ ରହି ଦେଖୁଥିବା ଦିବାସ୍ୱପ୍ନ ଅନେକ ସମୟରେ ଶୋଇଥିବା ଅବସ୍ଥାରେ ଦେଖିବା ସ୍ବପ୍ନକୁ ସଂପ୍ରସାରିତ ହୋଇପାରେ। ତା’ର ଶୟନ କାଳରେ ସେହି ଦରିଦ୍ର ବାଳିକା ହୁଏତ ସ୍ବପ୍ନରେ ଦେଖିବାକୁ ପାଇବ ଯେ ସେ ଏକ ବିବାହ ଶୋଭାଯାତ୍ରାରେ ସାମିଲ ହୋଇଛି। ମୂଲ୍ୟବାନ ବେଶପୋଷାକ ପିନ୍ଧିଛି। ଏହାର ଅର୍ଥ ‘ଫାଣ୍ଟାସି’ ପରିବ୍ୟାପ୍ତ ହୋଇ ନିଦ୍ରାକାଳୀନ ସ୍ୱପ୍ନର ଇଲାକାରେ ପ୍ରବେଶ କରିଯାଇଛି!
ତେବେ ରାତ୍ରିକାଳୀନ ସ୍ବପ୍ନ ବା ଶୋଇଥିବା ଅବସ୍ଥାରେ ଆସୁଥିବା ସ୍ବପ୍ନ ଏକ ଜଟିଳ ବ୍ୟାପାର। ଏଥିରେ ଅନେକ କିଛି ଆସିଥାଏ, ଯେମିତି କି ବହୁ ପ୍ରକାରର ଅବଦମିତ ବାସନା ଓ ମନର ଅଚେତନରେ ବୁଡ଼ି ରହି ସତ୍ତା ହରାଇଥିବା ଅନେକ କିଛି ଶୟନକାଳୀନ ସ୍ବପ୍ନରେ ରୂପ ପାଇଥାଏ। ଶୟନକାଳୀନ ସ୍ବପ୍ନରେ ଆମେ ଯାହା ଦେଖୁ, ତାହା ପ୍ରତୀକାତ୍ମକ ହୋଇଥାଏ। ବିଶିଷ୍ଟ ଜର୍ମାନ ମନୋଚିକିତ୍ସକ କାର୍ଲ ଗୁଷ୍ଟାଭ୍ ୟୁଙ୍ଗ ତାଙ୍କ ପ୍ରସିଦ୍ଧ ପୁସ୍ତକ ‘ମ୍ୟାନ୍ ଏଣ୍ଡ ହିଜ ସିଂବଲ୍ସ’ (ମନୁଷ୍ୟ ଓ ତା’ର ପ୍ରତୀକ)ରେ ସ୍ବପ୍ନ ବାବଦରେ ବିଶଦ ଆଲୋଚନା କରିଛନ୍ତି। ସ୍ବପ୍ନ ସଂଚାରର ଜଟିଳତାକୁ ସରଳ କରିବା ଲାଗି ୧୯୦୦ ମସିହାରେ ଫ୍ରଏଡ୍ ମଧ୍ୟ ଏକ ପୁସ୍ତକ ଲେଖିଥିଲେ, ଯାହାର ଶୀର୍ଷକ ଥିଲା ‘ସ୍ୱପ୍ନ ବିଚାର’। ଏହି ପୁସ୍ତକକୁ ବହୁ ସମୀକ୍ଷକ ଫ୍ରଏଡ୍ଙ୍କ ସର୍ବଶ୍ରେଷ୍ଠ କୃତି ବୋଲି କହନ୍ତି।
ଏବେ ଆସିବା ଜାଗ୍ରତ ସ୍ୱପ୍ନ ସଂଦର୍ଭକୁ। ଜାଗ୍ରତ ସ୍ୱପ୍ନ ହେଉଛି ଜାଗରଣଶୀଳ ମନୁଷ୍ୟର ମୁକ୍ତ ଭାବନାର ରୂପରେଖ। ଏ ପ୍ରକାର ସ୍ୱପ୍ନ ଲକ୍ଷ୍ୟ କୈନ୍ଦ୍ରିକ ଓ ପ୍ରଗାଢ଼ ପ୍ରେରଣାର ଉତ୍ସ। ଏହି ବିଷୟକୁ ନେଇ ଭାରତର ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ. ଅବଦୁଲ କଲାମ ଏକ ଅବିସ୍ମରଣୀୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ, ‘ଶୟନକାଳୀନ ସ୍ବପ୍ନ ଏକ ସାଧାରଣ କଥା। କିନ୍ତୁ ଜାଗ୍ରତ ରହି ଯେଉଁ ସ୍ବପ୍ନ ଦେଖାଯାଏ, ତାହା ଅସାଧାରଣ ଏବଂ ତାହା ପ୍ରକୃତରେ ନିଦ୍ରା ହରଣ କରିନିଏ।’ ଏଥିରେ କଳ୍ପନା ଥାଏ ସତ, ହେଲେ ଏହା କଳ୍ପନାପ୍ରବଣତା ନୁହେଁ। କଳ୍ପନାକୁ ସାକାର କରିବା ଲାଗି ଏଥିରେ ପ୍ରେରଣାର ସ୍ରୋତ ମଧ୍ୟ ବହିଥାଏ। ଧରି ନିଆଯାଉ, ଜେଣ ସାଧାରଣ ଛାତ୍ର ଆଇ.ଏ.ଏସ୍. ହେବ ବୋଲି ସ୍ବପ୍ନ ଦେଖିଲା। ତାହା ଯଦି ଦିବାସ୍ବପ୍ନ ହୋଇଥାଏ, ତେବେ ତାହା କେବଳ ତାକୁ କଳ୍ପନାର ପୁଲକ ଯୋଗାଇବ। ଶୟନ କାଳରେ ଏହି ସ୍ବପ୍ନ ନିଦ ଭାଙ୍ଗିଗଲା ପରେ ତୁଟିଯିବ ଏବଂ ସେହି ସ୍ବପ୍ନକୁ ସେ ଭୁଲିଯିବ। କିନ୍ତୁ ଜାଗ୍ରତ ଅବସ୍ଥାରେ ଏହି ସ୍ବପ୍ନ ତାକୁ ବିନିଦ୍ର ରଜନୀ ପରୀକ୍ଷା ଲାଗି ପ୍ରସ୍ତୁତିରେ ନିମଗ୍ନ କରିବ। ସେ ସେହି ସ୍ବପ୍ନ ଚରିତାର୍ଥ କରିବା ଲାଗି ପାଗଳ ହୋଇଉଠିବ!
ମୋ: ୯୪୩୭୧୨୧୨୭୯