ମନ ପରିଭାଷା, ସର୍ଜନଶୀଳ ଲୋକେ କ’ଣ ସତରେ ଆଡ଼ବାୟା?

ଫକୀର ମୋହନ ସାହୁ

କଳାକାର ଓ ସାହିତ୍ୟିକମାନଙ୍କ ପାଇଁ ସମାଜରେ ଶ୍ରଦ୍ଧା ଓ ସମ୍ମାନ ରହିଥାଏ। ତେବେ ଏମାନେ ସାଧାରଣତଃ ‘ଆଡ଼ବାୟା’ ସ୍ବଭାବର ହୋଇଥାଆନ୍ତି ବୋଲି ଅଧିକାଂଶଙ୍କ ଧାରଣା। ଏହା କ’ଣ ସତ? ଏହା ପଛରେ ବିଜ୍ଞାନଭିତ୍ତିକ ଯୌକ୍ତିକତା ରହିଛି କି? ଆମେ ସାଧାରଣ ଲୋକେ ଯେମିତି, ସତେ କ’ଣ କଳାକାର ଓ ସାହିତ୍ୟିକମାନେ ଆମ ଠାରୁ ଅଲଗା? ଆମ ଲାଗି ଯାହା ସ୍ବାଭାବିକ, ସେମାନଙ୍କ ଲାଗି କ’ଣ ତାହା ସେମିତି ନୁହେଁ?

ସତ କହିଲେ ସାହିତ୍ୟିକ ଓ କଳାକାରମାନଙ୍କ ଠାରେ ସତ୍ୟାନୁସନ୍ଧାନୀ ଅନ୍ତର୍ଦୃଷ୍ଟି ଦେଖିବାକୁ ମିଳିଥାଏ, ଯାହା ଦ୍ବାରା ସେମାନଙ୍କ ଅବବୋଧ ସାଧାରଣ ବ୍ୟକ୍ତିର ଅବବୋଧ ଠାରୁ ଭିନ୍ନ ହୋଇଥାଏ। ତେଣୁ ତାକୁ ଏକ ବିକୃତି ବୋଲି ଆଖ୍ୟା ଦେବା ନିତାନ୍ତ ଅମୂଳକ। କେତେକ ବିଶିଷ୍ଟ ଲେଖକ ଓ କଳାକାରଙ୍କ ଜୀବନକୁ ବିଷାଦର ଘନ କାଳିମା ‌େଘାଡ଼ାଇ ରଖେ। ବିଶିଷ୍ଟ ବ୍ରିଟିସ୍‌ ଲେଖିକା ଭର‌୍‌ଜିନିଆ ଉଲଫ୍‌ ଥିଲେ ଜଣେ ଅସାଧାରଣ ପ୍ରତିଭାଧାରୀ ସାହିତ୍ୟିକା। କିନ୍ତୁ ଗଭୀର ବିଷାଦର ଜ୍ବାଳା ସହ୍ୟ କରି ନ ପାରି ସେ ୧୯୪୧ ମସିହାରେ ପାଣିକୁ ଡେଇଁ ଆତ୍ମହତ୍ୟା କରିଥିଲେ। ସେମିତି ଆମେରିକାର ପ୍ରଖ୍ୟାତ ଔପନ୍ୟାସିକ ଅର୍ନେଷ୍ଟ ହେମିଙ୍ଗ୍‌େୱ ୧୯୬୧ରେ ନିଜ ବନ୍ଧୁକର ଗୁଳିରେ ଆତ୍ମହତ୍ୟା କରିଥିଲେ। କିନ୍ତୁ ଏଣେ ହେମିଙ୍ଗ୍‌େୱ ଜୀବନକୁ ଉପଭୋଗ କରିବାର କୌଣସି ସୁଯୋଗ ହାତଛଡ଼ା କରି ନ ଥିଲେ। ଷଣ୍ଢ ଲଢ଼େଇ, ମୁଷ୍ଟି ଯୁଦ୍ଧ, ଶିକାର, ସମୁଦ୍ରରେ ମାଛ ଧରା ଠାରୁ ଆରମ୍ଭ କରି ‌ସୌଖୀନ ରେସ୍ତୋରାଁରେ ବନ୍ଧୁମାନଙ୍କ ଗହଣରେ ସ୍ବାଦିଷ୍ଠ ଭୋଜନର ଆସ୍ବାଦନ ପର୍ଯ୍ୟନ୍ତ ସବୁଥିରେ ସେ ପ୍ରାଣ ଭରି ଭାଗ ନେଉଥିଲେ। ସେମିତି ବିଶିଷ୍ଟ ରୁଷୀୟ ଲେଖକ ଫିଓଦର‌୍‌ ଦସ୍ତୋୟେଭସ୍କି, ଆମେରିକୀୟ କବି ଓ ଗାଳ୍ପିକ ଏଡ୍‌ଗାର‌୍‌ ଆଲାନ୍‌ ପୋ ଏବ˚ ସିଲଭିଆ ପ୍ଲାଥ୍‌ ମଧ୍ୟ ଗଭୀର ବିଷାଦବୋଧର ଶିକାର ହୋଇଥିଲେ। ପ୍ଲାଥ୍‌ ତ ତିନି ଥର ଆତ୍ମହତ୍ୟା କରିବାର ବିଫଳ ପ୍ରୟାସ ପରେ ଶେଷରେ ସଫଳ ହୋଇଥିଲେ। ଏମିତି ଉଦାହରଣ ଶହ ଶହ ଅଛି ଏବଂ ପୃଥିବୀର ସର୍ବତ୍ର ସର୍ଜନଶୀଳ ବ୍ୟକ୍ତିମାନଙ୍କ ଠାରେ ଏହା ଦେଖିବାକୁ ମିଳିଥାଏ।

କିନ୍ତୁ ଏହା ସତ୍ତ୍ବେ ସାହିତ୍ୟିକ ବା କଳାକାରମାନଙ୍କ ଜୀବନ ଯେ ବିକୃତିଗ୍ରସ୍ତ ନୁହେଁ, ଏହା ଗବେଷଣାଲବ୍‌ଧ ସିଦ୍ଧାନ୍ତରୁ ଜଣାପଡ଼େ। ସାଧାରଣତଃ ସର୍ଜନଶୀଳ ବ୍ୟକ୍ତିମାନଙ୍କ ଠାରେ ଏକ ପ୍ରକାର ସ୍ବାଭିମାନ ରହିଥାଏ, ଯାହା ସାଧାରଣ ବ୍ୟକ୍ତିଙ୍କ ଠାରେ ନ ଥାଏ। ପୁଣି ସର୍ଜନଶୀଳ ବ୍ୟକ୍ତିମାନଙ୍କ ଚେତନା ଏକ ଭିନ୍ନ ସ୍ତରୀୟ ହୋଇଥିବାରୁ ସେମାନେ ଯେ କୌଣସି ପ୍ରସଙ୍ଗକୁ ‌େଯଉଁ ଭଳି ଭାବେ ଦେଖନ୍ତି, ସାଧାରଣ ଲୋକେ ସେଭଳି ପାରନ୍ତି ନାହିଁ।

ତେଣୁ ବିଭିନ୍ନ ବିଷୟରେ ସର୍ଜନଶୀଳ ବ୍ୟକ୍ତିମାନେ ଯେଉଁ ମତ ରଖନ୍ତି, ତାହା ଅନ୍ୟମାନଙ୍କ ଠାରୁ ଭିନ୍ନ ହୋଇଥିବାରୁ ସେମାନଙ୍କୁ ନେଇ ସାଧାରଣରେ ଭ୍ରମ ଧାରଣା ସୃଷ୍ଟି ହେବା ସ୍ବାଭାବିକ ହୋଇପଡ଼େ। ଏକ ଉଦାହରଣରୁ ଏହା ସ୍ପଷ୍ଟ ହେବ। ରିଚାର୍ଡ ବାକ୍‌ ୧୯୭୪ ମସିହାରେ ‘ଜନାଥନ୍‌ ଲିଭିଙ୍ଗ୍‌ଷ୍ଟୋନ୍‌ ସିଗଲ୍‌’ ନାମକ ଏକ କ୍ଷୁଦ୍ର ଉପନ୍ୟାସଟିଏ ଲେଖିଥିଲେ। ସାମୁଦ୍ରିକ ପକ୍ଷୀ ‘ସିଗଲ୍‌’ ଉପରେ ଉପନ୍ୟାସଟି ଆଧାରିତ। ଜନାଥନ ନାମକ ପକ୍ଷୀଟି ତା’ ଦଳର ପକ୍ଷୀମାନଙ୍କ ପରି ଅଳ୍ପ ଦୂର ଉଡ଼ି ମାଛ ଧରିବା ଓ ମାଛ ଖାଇବାରେ ତା’ର ପୂରା ସମୟ ସାରି ଦେବାକୁ ଚାହେ ନାହିଁ। ସେ ଚାହିଛି ଦୂରକୁ ଉଡ଼ିବ, ଦୂରକୁ ଉଡ଼ିବାର କୌଶଳ ଶିଖିବ। ଦୂର ଆକାଶରେ କ’ଣ ରହିଛି, ତାହା ଆବିଷ୍କାର କରିବ। ତା’ର ସୀମାକୁ ଅଧିକରୁ ଅଧିକ ବିସ୍ତୃତ କରିବ। କିନ୍ତୁ ଏଥି ପାଇଁ ଜନାଥନ୍‌ ବହୁ ବିରୋଧର ସମ୍ମୁଖୀନ ହୁଏ। ତା’ ମା’ କହିଛି ଅନ୍ୟମାନଙ୍କ ପରି ମାଛ ଧରିବାର କୌଶଳକୁ ଭଲ ଭାବେ ଆୟତ୍ତ କର; ବାପା କହିଛନ୍ତି ସମୁଦ୍ରର ଗଭୀରତାରେ ବଡ଼ ମାଛ ଠାବ କରିବାର କୌଶଳ ଶିଖ। ମାତ୍ର ଜନାଥନ୍‌ର ସେହି ଗୋଟିଏ ଲକ୍ଷ୍ୟ ଓ ତା’ର ମନୋବଳ ଦୃଢ଼। ଏଥିପାଇଁ ସେ ପକ୍ଷୀ ଦଳରୁ ବହିଷ୍କୃତ ହୋଇଛି। କିନ୍ତୁ ଜନାଥନ୍‌ ସେ ସବୁକୁ ଖାତିର ନ କରି ଦୂରକୁ ଉଡ଼ିଛି। ପରବର୍ତ୍ତୀ କାଳରେ ସେ ତା’ର ଦକ୍ଷତା ବୃଦ୍ଧି କରି ଫେରିଛି ଏବଂ ଦଳର ଅନ୍ୟ କେତେକ ପକ୍ଷୀଙ୍କୁ ଧରି ଅନାବିଷ୍କୃତ ହୋଇ ରହିଥିବା ଜୀବନର ମାର୍ଗକୁ ପ୍ରଶସ୍ତ କରିଛି।

ବାରମ୍ବାର ବାରଣ ଶୁଣୁଥିବା ଜନାଥନ୍‌ ଠାଏ ଦୃଢ଼ ସ୍ବରରେ କହିଛି: ‘ମୁଁ ଜାଣେ ଯେ ମୁଁ ମତ୍ସ୍ୟାହାରୀ ସାଧାରଣ ପକ୍ଷୀଟିଏ। ମାତ୍ର ଆକାଶରେ ମୁଁ କ’ଣ କରିପାରିବି ଏବ˚ କ’ଣ ନ କରିପାରିବି; ଏ କଥା ଜାଣିବାକୁ ଚାହେ।’ ସେହି ଉପନ୍ୟାସରେ ଜନାଥନ୍‌ ସିଗଲ୍‌ ହେଉଛି ସର୍ଜନଶୀଳ ଭାବନାର ଏକ ସୁନ୍ଦର ପ୍ରତୀକ, ଯିଏ ଧରାବନ୍ଧା ଓ ଗତାନୁଗତିକ ଧାରଣାର ଅର୍ଗଳି ଭିତରୁ ବାହାରି ଯିବାକୁ ଇଚ୍ଛା କରେ। ତା’ର ଉଡ଼ାଣ ପ୍ରତି ସର୍ଜନଶୀଳ ବ୍ୟକ୍ତିର ଚେତନା ଓ ଚିନ୍ତାର ଉଡ଼ାଣର ଏକ ରୂପକ। ସର୍ଜନଶୀଳ ବ୍ୟକ୍ତି ସମାଜର ରୁଟିନବନ୍ଧା ଜୀବନ, କାର୍ଯ୍ୟ ଓ ଆଚରଣରୁ ମୁକ୍ତ ହୋଇ ନୂଆ କିଛି କରିବାକୁ ଚାହାନ୍ତି, ଯାହା ସେମାନଙ୍କ ରଚନାରେ ବା ଚିତ୍ରରେ ବା ସଂଗୀତରେ ଅଭିବ୍ୟକ୍ତ ହୁଏ। ତେବେ ବିଡ଼ମ୍ବନାଟି ହେଲା ସେମାନଙ୍କୁ ବୁଝି ପାରୁ ନ ଥିବା ସାଧାରଣ ଲୋକେ ସେମାନଙ୍କୁ ଆଡ଼ବାୟା ବା ବିଶୃଙ୍ଖଳ ବା ଏକଜିଦିଆ ‌େବାଲି ଭାବନ୍ତି।
ଭି.ଆଇ.ଏମ୍‌-୯୯
ଶୈଳଶ୍ରୀ ବିହାର, ଭୁବନେଶ୍ବର-୨୧

ସମ୍ବନ୍ଧିତ ଖବର